Breaking News

ନୀଳମାଧବ ବସ୍ତି ଉଚ୍ଛେଦ ଓ ଥଇଥାନ: ରାସ୍ତାରେ ବିଜେପି-ବିଜେଡି ମୁହାଁମୁହିଁ

ନୀଳମାଧବ ବସ୍ତି ଉଚ୍ଛେଦ ଓ ଥଇଥାନକୁ ନେଇ ଆଜି ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି। ବିଏମ୍‌ସିର ୧୩ ନମ୍ବର ୱାର୍ଡ ଧୀନରେ ଆସୁଥିବା ଏହି ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାଲାଗି ଆବାସ ଯୋଜନାରେ ଚିହ୍ନଟ ହୋଇଥିବା ବସ୍ତିବାସିନ୍ଦାଙ୍କୁ ପର୍ଯ୍ୟାୟକ୍ରମେ ଟ୍ରାଞ୍ଜିଟ୍‌...

0

ଚନ୍ଦ୍ରଶେଖରପୁର: ନୀଳମାଧବ ବସ୍ତି ଉଚ୍ଛେଦ ଓ ଥଇଥାନକୁ ନେଇ ଆଜି ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି। ବିଏମ୍‌ସିର ୧୩ ନମ୍ବର ୱାର୍ଡ ଧୀନରେ ଆସୁଥିବା ଏହି ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାଲାଗି ଆବାସ ଯୋଜନାରେ ଚିହ୍ନଟ ହୋଇଥିବା ବସ୍ତିବାସିନ୍ଦାଙ୍କୁ ପର୍ଯ୍ୟାୟକ୍ରମେ ଟ୍ରାଞ୍ଜିଟ୍‌ ହାଉସ୍‌କୁ ନିଆଯାଉଥିବା ବେଳେ ଆଜି ହଠାତ୍‌ ଉତ୍ତେଜନା ପ୍ରକାଶ ପାଇଥିଲା। ନକଲି କାଗଜପତ୍ର ଦେଖାଇ କେତେଜଣ ଆବାସ ପାଇଛନ୍ତି ଏବଂ ମୂଳ ବାସିନ୍ଦାଙ୍କୁ ବାହାର କରାଯାଉଥିବା ଅଭିଯୋଗ କରି ବିଜେପି କର୍ମୀମାନେ ରାସ୍ତାକୁ ଓହ୍ଲାଇଥିଲେ। ସ୍ଥାନାନ୍ତର ପ୍ରକ୍ରିୟା ବନ୍ଦ କରିବା ସହ ଉଚିତ ବ୍ୟକ୍ତିଙ୍କୁ ଘର ପ୍ରଦାନ ପାଇଁ ଅଡ଼ି ବସିଥିଲେ। ପାଖାପାଖି ଗୋଟିଏ ଘଣ୍ଟା ଧରି ସ୍ଥାନାନ୍ତର ଓ ଉଚ୍ଛେଦ ବନ୍ଦ ରହିବାରୁ ବିଜେଡି କର୍ମୀମାନେ ରାସ୍ତାକୁ ଓହ୍ଲାଇଥିଲେ। ଦୁଇଦିନ ଧରି ଚାଲିଥିବା ସ୍ଥାନାନ୍ତର ପ୍ରକ୍ରିୟାକୁ କାହିଁକି ବନ୍ଦ କରାଯାଉଛି ବୋଲି ପ୍ରଶ୍ନ କରିବା ସହ କେୟାର ହସ୍ପିଟାଲରୁ ଜୟଦେବବିହାର-ନନ୍ଦନକାନନ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ଉପରେ ଧାରଣା ଦେଇଥିଲେ। ଉଭୟ ଦଳର କର୍ମୀଙ୍କ ବୟାନବାଜି ସ୍ଥିତିକୁ ଅଧିକ ଗମ୍ଭୀର କରିଥିଲା। ବିଡିଏ ଉଚ୍ଛେଦକାରୀ ଟିମ୍‌ ସହ ଚନ୍ଦ୍ରଶେଖରପୁର ଥାନା ପୁଲିସ ଉପସ୍ଥିତି ରହିଥିଲେ ମଧ୍ୟ ଉଭୟ ପକ୍ଷଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା। ନାରାବାଜିରେ ସମ୍ପୂର୍ଣ୍ଣ ପରିବେଶ ପ୍ରକମ୍ପିତ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଅନୁରୋଧ କରିଥିଲେ। ଅଢ଼େଇ ଘଣ୍ଟା ଧରି ରାସ୍ତା ଅବରୋଧ ପରେ ଉଭୟ ଦଳର ଆନ୍ଦୋଳନକାରୀ ଧାରଣାରୁ ହଟିଥିଲେ। ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ବେଳକୁ ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।

ଦ୍ବିତୀୟ ପର୍ଯ୍ୟାୟରେ ନୀଳମାଧବ ବସ୍ତିର ୧୪୫ ପରିବାର ଟ୍ରାଞ୍ଜିଟ୍‌ ହାଉସ୍‌କୁ ଯିବାକୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗତ ଦୁଇଦିନ ମଧ୍ୟରେ ୩୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଆଜି ଅପ୍ରୀତିକର ପରିସ୍ଥିତି ସତ୍ତ୍ବେ ୮ଟି ପରିବାର ଟ୍ରାଞ୍ଜିଟ୍‌ ହାଉସ୍‌କୁ ସ୍ଥାନାନ୍ତରିତ ହୋଇଛନ୍ତି। ବିରୋଧ ଯୋଗୁଁ ସ୍ଥାନାନ୍ତର ଓ ଉଚ୍ଛେଦ ବନ୍ଦ ରହିବା ସହ ଆଲୋଚନା ପାଇଁ ବିଡିଏ ପକ୍ଷରୁ ଉଭୟ ପକ୍ଷକୁ ଡକାଯାଇଥିଲା। ଆଜି ବିଜେପି ପ୍ରତିନିଧିମାନେ ପକ୍ଷ ରଖିଥିବା ବେଳେ କାଲି ବିଜେଡି ପ୍ରତିନିଧିମାନଙ୍କୁ ଡକାଯାଇଛି। ତେବେ ସେମାନେ ନଯିବାକୁ ରୋକ‌ଠୋକ୍‌ ଶୁଣାଇ ଦେଇଛନ୍ତି। ଚିହ୍ନଟ ହୋଇଥିବା ବସ୍ତିବାସିନ୍ଦାଙ୍କୁ ପ୍ରଥମେ ଟ୍ରାଞ୍ଜିଟ୍‌ ହାଉସ୍‌କୁ ସ୍ଥାନାନ୍ତର କରାଯାଉ। ତା’ପରେ ଆଲୋଚନା ହେବ। ଯଦି କୌଣସି ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି ତାହା ହେଲେ କିଏ କରିଛି? ବିଡିଏ ଓ ବିଏମ୍‌ସି ମିଳିତ ଭାବେ ଚିହ୍ନଟ କରିଥିବା ବେଳେ ଭୁଲ ହେଲା କେମିତି? ଏହାଦ୍ବାରା ବସ୍ତିବାସିନ୍ଦା କାହିଁକି ଅସୁବିଧାର ସମ୍ମୁଖୀନ ହେବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.