Breaking News

ନୂଆବର୍ଷରେ ଗଡ଼ିଲା ମୁଣ୍ଡ: ଖଣ୍ଡାରେ ହାଣି ରେଳଧାରଣାରେ ଫୋପାଡ଼ିଦେଲେ!

ରାଜଧାନୀରେ ନୂଆବର୍ଷର ପ୍ରଥମ ରାତି ଏକ ବୀଭତ୍ସ ହତ୍ୟାକାଣ୍ଡର ସାକ୍ଷୀ ପାଲଟିଛି। ଲିଙ୍ଗରାଜ ଥାନା ପୁରୁଣା ଭୁବନେଶ୍ବର କୁଞ୍ଜପାଟଣାସାହିର ସ୍ବରାଜ ବେହେରା(୨୫)ଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ହାଣି ହତ୍ୟା କରିବା ପରେ ରେଳଧାରଣାରେ ‌ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ଭୁବନେଶ୍ବର: ରାଜଧାନୀରେ ନୂଆବର୍ଷର ପ୍ରଥମ ରାତି ଏକ ବୀଭତ୍ସ ହତ୍ୟାକାଣ୍ଡର ସାକ୍ଷୀ ପାଲଟିଛି। ଲିଙ୍ଗରାଜ ଥାନା ପୁରୁଣା ଭୁବନେଶ୍ବର କୁଞ୍ଜପାଟଣାସାହିର ସ୍ବରାଜ ବେହେରା(୨୫)ଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ହାଣି ହତ୍ୟା କରିବା ପରେ ରେଳଧାରଣାରେ ‌ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟାର ରୂପ ଦେବାକୁ ଦୁର୍ବୃତ୍ତମାନେ ଚେଷ୍ଟା କରିଥିଲେ ହେଁ ଖଣ୍ଡାରେ ହାଣିବା ଦ୍ବାରା ସ୍ବରାଜଙ୍କ ଶରୀରରେ ସୃଷ୍ଟି ହୋଇଥିବା ଗଭୀର କ୍ଷତ ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡକୁ ଧରାପକାଇଛି। ଆଜି ସକାଳୁ ପୁନାମା ଗେଟ୍‌ ନିକଟ ରେଳଧାରଣାରୁ ସ୍ବରାଜଙ୍କ ମୃତଦେହକୁ ଏୟାର୍‌ପୋର୍ଟ ଥାନା ପୁଲିସ ଜବତ କରି ତଦନ୍ତ ଆରମ୍ଭ କରିଛି। କିନ୍ତୁ ହତ୍ୟାକାରୀମାନଙ୍କ ବାବଦରେ ପୁଲିସକୁ ସାମାନ୍ୟତମ ସୁରାକ ମିଳିପାରିନାହିଁ। ଅନ୍ୟପକ୍ଷରେ ତୁରନ୍ତ ହତ୍ୟାକାରୀମାନଙ୍କୁ ଗିରଫ କରିବା ଦାବିରେ ଆଜି ଉତ୍ତ୍ୟକ୍ତ ଲୋକେ ଗୋସାଗରେଶ୍ବର ଛକରେ ରାସ୍ତା ଅବରୋଧ କରିଥିଲେ। ମୃତଦେହକୁ ରାସ୍ତାରେ ରଖି ଲୋକେ ରାସ୍ତାରେ ଧାରଣା ଦେଇଥିଲେ। ସେମାନେ ଟାୟାର୍‌ ଜାଳି ରାସ୍ତା ଅବରୋଧ କରିବାରୁ ୧ଘଣ୍ଟା କାଳ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଲିଙ୍ଗରାଜ ଥାନା ପୁଲିସ ବୁଝାସୁଝା କରିବା ପରେ ସେମାନେ ଧାରଣାରୁ ହଟିଥିଲେ।

ଆଜି ସକାଳେ ପୁନାମା ଗେଟ୍‌ ନିକଟ ରେଳଧାରଣାରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ରେଳବାଇ ପୁଲିସକୁ ଫୋନ୍‌ କରି ଜଣାଇଥିଲେ। ପରେ ସ୍ଥାନୀୟ ଲୋକେ ସ୍ବରାଜଙ୍କୁ ଚିହ୍ନଟ କରିଥିଲେ। ଖବର ପାଇ ମୃତକ ସ୍ବରାଜଙ୍କ ପରିବାର ଲୋକଙ୍କ ସହ କୁଞ୍ଜପାଟଣାସାହିର ଶହଶହ ଲୋକ ସେଠାକୁ ଛୁଟିଆସିଥିଲେ। ତାଙ୍କ ଦେହରେ ଘୋଷରା ଦାଗ ଥିଲା। ମୁଣ୍ଡର ପଛପଟ ଫାଟି ଯାଇଥିଲା। ତେଣୁ ଟ୍ରେନ୍‌ ଧକ୍କା ଦେବା ପରେ ତାଙ୍କୁ କିଛି ଦୂର ଘୋଷାରି ନେଇଛି ବୋଲି ପ୍ରଥମେ ଅନୁମାନ କରାଯାଉଥିଲା। ମାତ୍ର ପିଠିରେ ଥିବା ଗଭୀର କ୍ଷତରୁ ସନ୍ଦେହ ଉପୁଜିଥିଲା। ପିଠିରେ ଥିବା କ୍ଷତ ଖଣ୍ଡା ଭଳି ମାରଣାସ୍ତ୍ର ଆଘାତରୁ ହୋଇଛି ବୋଲି ସ୍ପଷ୍ଟ ବାରି ହୋଇପଡ଼ିଥିଲା। ଏହାପରେ ଲୋକଙ୍କ ଭିତରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ସମୟରେ ମୃତଦେହ ଉଠାଇବାରେ ପୁଲିସ ବିଳମ୍ବ କରିବାରୁ ଉତ୍ତେଜନା ବଢ଼ିଥିଲା। ପ୍ରଥମେ ପରିବାର ଲୋକେ ଜିଆର୍‌ପି ଥାନାକୁ ଜଣାଇଥିଲେ। ମାତ୍ର ରେଳବାଇ ଥାନା ପୁଲିସ ବିଳମ୍ବ କରିବାରୁ ସେମାନେ ଏୟାର୍‌ପୋର୍ଟ ଥାନା ପୁଲିସକୁ ଜଣାଇଥିଲେ। କିନ୍ତୁ ଏହା ରେଳବାଇ ଥାନା ପୁଲିସ ମାମଲା ହୋଇଥିବାରୁ ଏୟାର୍‌ପୋର୍ଟ ଥାନା ପୁଲିସ ମନା କରିଥିଲା। ଏମିତିରେ ପରିବାର ଲୋକେ ୨ଘଣ୍ଟା କାଳ ଏ ଥାନାରୁ ସେ ଥାନାକୁ ଦୌଡ଼ିଥିଲେ। ଶେଷରେ ଭୁବନେଶ୍ବର ଜିଆର୍‌ପି ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ଜବତ କରିଥିଲା।

ପରିବାର ଲୋକଙ୍କ କହିବା କଥା ତିନି ଦିନ ପୂର୍ବରୁ ସ୍ବରାଜ ଫୋନ୍‌ରେ କାହା ସହ ଝଗଡ଼ା କରୁଥିଲେ। କିନ୍ତୁ ସେନେଇ ସେ ଘରେ କିଛି ଜଣାଇ ନଥିଲେ। ୩୧ତାରିଖ ରାତିରେ ସେ ଭୋଜି ଖାଇ ଘରକୁ ଫେରିଥିଲେ। ଗତକାଲି ରାତିରେ ସେ ପୁଣି ପଳାସପଲ୍ଲୀର ବାଦଲ, କୁନା ଓ ଟିକିଙ୍କ ସହ ଭୋଜି କରିବ ବୋଲି କହି ଘରୁ ଯାଇଥିଲା। ତେଣୁ ପୁଲିସ ସେମାନଙ୍କୁ ପଚରାଉଚରା କଲେ ପ୍ରକୃତ ସତ ପଦାକୁ ଆସିବ ବୋଲି ମୃତକଙ୍କ ଭାଇ ଲିଙ୍ଗରାଜ ବେହେରା କହିଛନ୍ତି। ସ୍ବରାଜ ଖୋର୍ଦ୍ଧାର ଜଣେ ଡିଜେ ସେଟ୍‌ ମାଲିକଙ୍କ ନିକଟରେ କାମ କରୁଥିଲେ। କିନ୍ତୁ କିଛି ଦିନ ହେଲା ସେ ଆଉ କାମକୁ ଯାଉ ନଥିଲେ। ତେଣୁ କିଛି ଦିନ ପୂର୍ବେ ଫୋନ୍‌ରେ ସେ ଝଗଡ଼ା କରୁଥିବା କଥା ତଦନ୍ତ ସାପେକ୍ଷ। ସେହିଭଳି ଗତକାଲି ରାତିରେ ଭୋଜି କରିବାକୁ ଯିବା ବେଳେ ମୋବାଇଲ୍‌ରେ ଚାର୍ଜ ନଥିବାରୁ ସ୍ଥାନୀୟ ଜଣେ ଦୋକାନୀଙ୍କୁ ମୋବାଇଲ ଦେଇ ଯାଇଥିଲେ। ମୃତକଙ୍କ ଭାଇ ଲିଙ୍ଗରାଜଙ୍କ କହିବା କଥା ଆତ୍ମହତ୍ୟା କଲା ଭଳି ସ୍ଥିତି କିଛି ନଥିଲା। ନୂଆବର୍ଷ ପାଇଁ ସେ ଦୁଇ ଦିନ ହେଲା ସାଙ୍ଗମାନଙ୍କ ସହ ଖୁସିରେ ଭୋଜିଭାତ କରୁଥିଲେ। ଅଥଚ ସକାଳୁ ରେଳଧାରଣାରୁ ମୃତଦେହ ମିଳୁଛି। ଏନେଇ ଜିଆର୍‌ପି ଥାନା ପକ୍ଷରୁ କୁହାଯାଇଛି ଯେ ଆଜି ଶବ ବ୍ୟବଚ୍ଛେଦ କରାଯାଇଛି। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ସବୁଦିଗକୁ ନେଇ ତଦନ୍ତ ଚାଲିଛି। ରାତିରେ କେଉଁ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଛି, ସେନେଇ ଟ୍ରେନ୍‌ ଚାଳକ ପରବର୍ତ୍ତୀ ଷ୍ଟେସନରେ ରିପୋର୍ଟ କରିଛନ୍ତି କି ନା, ସେନେଇ ତଦନ୍ତ କରାଯିବ। ସର୍ବୋପରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ଡାକ୍ତର ବ୍ୟବଚ୍ଛେଦ ଦେବା ପରେ ସ୍ବରାଜଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

 

 

 

 

 

ସୌଜନ୍ୟ- ସମ୍ୱାଦ

 

Comments are closed.