Breaking News

ନୂଆ ଦକ୍ଷିଣ ତଟ ରେଳପଥ: ଓଡ଼ିଶାର ସ୍ବାର୍ଥ ହାନି ନ ଘଟୁ

ଦେଶର ଜୀବନରେଖା ଓ ରାଷ୍ଟ୍ର ବିକାଶର ଇଂଜିନ୍ ଭାବେ ବିବେଚିତ ଭାରତୀୟ ରେଳପଥ ହେଉଛି ପୃଥିବୀର ଚତୁର୍ଥ ବୃହତ୍ତମ। ଆଜକୁ ୧୮୭ ବର୍ଷ ତଳେ ଅର୍ଥାତ୍‌ ୧୮୩୭ ମସିହାରେ ଦେଶର ପ୍ରଥମ ମାଲ୍‌ବାହୀ ଟ୍ରେନ୍‌ ‘ରେଡ୍‌ ହିଲ୍ ରେଲୱେ’ ତତ୍‌କାଳୀନ...

ନିରାକାର ଦାସ

ଦେଶର ଜୀବନରେଖା ଓ ରାଷ୍ଟ୍ର ବିକାଶର ଇଂଜିନ୍ ଭାବେ ବିବେଚିତ ଭାରତୀୟ ରେଳପଥ ହେଉଛି ପୃଥିବୀର ଚତୁର୍ଥ ବୃହତ୍ତମ। ଆଜକୁ ୧୮୭ ବର୍ଷ ତଳେ ଅର୍ଥାତ୍‌ ୧୮୩୭ ମସିହାରେ ଦେଶର ପ୍ରଥମ ମାଲ୍‌ବାହୀ ଟ୍ରେନ୍‌ ‘ରେଡ୍‌ ହିଲ୍ ରେଲୱେ’ ତତ୍‌କାଳୀନ ମାଡ୍ରାସର ରେଡ୍ ହିଲ୍ ଠାରୁ ଚିନ୍ତାଦ୍ରିପେଟ ବ୍ରିଜ୍ ପର୍ଯ୍ୟନ୍ତ ଚଳାଚଳ କରିଥିଲା। ସେ ଦିନ ଠାରୁ ଆଜି ପର୍ଯ୍ୟନ୍ତ ଅବଧି ମଧ୍ୟରେ ଭାରତୀୟ ରେଳବାଇର ଅକଳ୍ପନୀୟ ବୃଦ୍ଧି ଘଟିଛି ଏବଂ ଭାରତୀୟ ଜନଜୀବନକୁ ବିଭିନ୍ନ ଦିଗରୁ ପ୍ରଭାବିତ କରି ଚାଲିଛି। ଭାରତ ଭଳି ଏକ ଅତ୍ୟନ୍ତ ଜନବହୁଳ ଓ ବିଶାଳାକୃତିର ଦେଶରେ ରେଳ ଚଳାଚଳର ସୁବିଧା ନିମନ୍ତେ ଭାରତୀୟ ରେଳପଥକୁ ୧୮ଟି ଜୋନ୍‌ରେ ବିଭକ୍ତ କରାଯାଇଛି, ଯହିଁରେ କୋଙ୍କଣ ରେଳପଥ ଓ ମେଟ୍ରୋ ରେଳପଥ ଅନ୍ତର୍ଭୁକ୍ତ। ଏହା ଅଧୀନରେ ବର୍ତ୍ତମାନ ସୁଦ୍ଧା ୬୮ଟି ଡିଭିଜନ୍‌ ବା ମଣ୍ଡଳ ମୁଖ୍ୟାଳୟ ରହି କାର୍ଯ୍ୟ ପରିଚାଳନା କରିଥାଆନ୍ତି। ଏବେ ନୂଆ ଭାବେ ଗଠିତ ‘ରାୟଗଡ଼ା ଡିଭିଜନ୍‌’ ମିଶିଲେ ସଂଖ୍ୟା ୬୯ ହେବ ଏବଂ ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍‌ ସହିତ ଜୋନ୍‌ ସଂଖ୍ୟା ମଧ୍ୟ ୧୯ ହେବ।
ତେବେ, କଥା ହେଲା ଏହି ପ୍ରସ୍ତାବିତ ଦକ୍ଷିଣ ରେଳପଥ ଜୋନ୍‌ଟି କେବଳ ଆନ୍ଧ୍ରପ୍ରଦେଶକୁ ନେଇ ଗଢ଼ା ହେବ। ତେଣୁ ପ୍ରଥମ ପ୍ରଶ୍ନ ହେଲା, ଯଦି ଏକ ରାଜ୍ୟ ସକାଶେ ଏକ ସ୍ୱତନ୍ତ୍ର ଜୋନ୍‌ ପ୍ରତିଷ୍ଠା କରାଯିବ, ତାହା ହେଲେ ରେଳ ଜୋନ୍‌ ନ ଥିବା ସବୁ ରାଜ୍ୟରେ ଏଭଳି କରା ନ ଯିବ କାହିଁକି? ଦେଶର ମାତ୍ର ୧୩ଟି ରାଜ୍ୟରେ ରେଳବାଇ ଜୋନାଲ୍ ମୁଖ୍ୟାଳୟ ଅଛି; ପଶ୍ଚିମବଂଗରେ (କୋଲ୍‌କାତା) ୩ଟି, ଉତ୍ତର ପ୍ରଦେଶରେ (ଗୋରଖପୁର ଓ ପ୍ରୟାଗରାଜ)୨ଟି, ମହାରାଷ୍ଟ୍ର (ମୁମ୍ବାଇ)ରେ ୩ଟି ଓ ଅନ୍ୟ ୧୦ଟି ରାଜ୍ୟରେ ଗୋଟିଏ ଲେଖାଁ ମୁଖ୍ୟାଳୟ ରହିଛି ଏବଂ ୧୫ଟି ରାଜ୍ୟରେ ଜୋନାଲ ମୁଖ୍ୟାଳୟ ନାହିଁ। ତେଣୁ ଆନ୍ଧ୍ର ଲାଗି ଅତିରିକ୍ତ ଅନୁକଂପା କାହିଁକି? ଏହା ସପକ୍ଷରେ କୁହାଯାଇପାରେ ଯେ ୨୦୧୪ ମସିହାରେ ଆନ୍ଧ୍ରପ୍ରଦେଶର ବିଭାଜନ ଘଟି ତେଲେଙ୍ଗାନା ଅଲଗା‌ ହୋଇଯିବାରୁ ଆକାର, ପ୍ରଭାବ ଓ ଭିତ୍ତିଭୂମିର ଏକ ବୃହତ୍‌ ଅଂଶ ହରାଇଥିବା ନୂଆ ଆନ୍ଧ୍ରକୁ ପ୍ରବୋଧନା ‌େଦବା ଲାଗି କେନ୍ଦ୍ର ସରକାର ଏକ ରେଳବାଇ ଜୋନ୍ ଦେବା ପାଇଁ ସ୍ଥିର କଲେ ଏବଂ ୨୦୧୯ ମସିହା, ଫେବ୍ରୁଆରି ୨୭ରେ ନୂଆ ଦକ୍ଷିଣ ତଟ ରେଳପଥ ବା ‘ସାଉଥ୍‌କୋଷ୍ଟ ରେଲୱେ ଜୋନ୍’ର ଘୋଷଣା କରାଗଲା। କିନ୍ତୁ କଥା ହେଲା ଏଥି ଲାଗି ଓଡ଼ିଶାରେ ଅବସ୍ଥିତ ପୂର୍ବତଟ ରେଳପଥର ଅଙ୍ଗଛେଦନ କରାଯିବା‌ର ପ୍ରକରଣ ଚାଲିଛି କାହିଁକି? ଦକ୍ଷିଣ ତଟ ରେଳପଥର ‌େଜାନାଲ୍‌ ମୁଖ୍ୟାଳୟ ବିଶାଖାପାଟଣା ଠାରେ ହେବ ଏବଂ ପୂର୍ବ ତଟ ରେଳପଥ ବା ଇଷ୍ଟ କୋଷ୍ଟ ରେଲବାଇ ଅଧୀନରେ ଥିବା ୱାଲ୍‌ଟିଅର ଡିଭିଜନକୁ ଭାଙ୍ଗି ୪୫୦ ରୁଟ୍ କିଲୋମିଟର ଦକ୍ଷିଣ ତଟ ରେଳବାଇକୁ ଦେଇ ଦିଆଯିବ। ଏହାର ଅର୍ଥ ୬୫୬ ରୁଟ୍ କିଲୋମିଟର ପୂର୍ବତଟ ରେଳପଥ ଅଧୀନରେ ରହିବ। ତେଣୁ ୪୫୦ ରୁଟ୍ କିଲୋମିଟର ଓ ୱାଲଟିଅର ଭଳି ଏକ ବଳିଷ୍ଠ ରାଜସ୍ୱ ଆୟକାରୀ ରେଳ ଡିଭିଜନ୍‌ର ଏକ ଅଂଶ ହରାଇବା ପୂର୍ବତଟ ରେଳବାଇକୁ କ୍ଷତିଗ୍ରସ୍ତ କରିବ। ପୂର୍ବତଟ ରେଳବାଇ ହରାଉଥିବା ଏହି ୪୫୦ ରୁଟ୍ କିଲୋମିଟର ଦକ୍ଷିଣ ତଟ ରେଳପଥର ବିଜୟୱାଡ଼ା ଡିଭିଜନ୍‌ରେ ମିଶିଛି ଏବଂ ୱାଲଟିଅରର ଅବଶିଷ୍ଟ ରୁଟ୍‌ କିଲୋମିଟର ମଧ୍ୟରୁ ପୂର୍ବତଟ ରେଳପଥ ଜୋନ୍‌ରେ ୫୪୧ ଓ ଖୋର୍ଦ୍ଧା ରେଳ ଡିଭିଜନ୍‌ରେ ୧୧୫ ରୁଟ୍ କିଲୋମିଟର ମିଶିଛି। ପ୍ରକାଶ ଥାଉ କି ଯେତେବେଳେ ଦକ୍ଷିଣ ପୂର୍ବ ରେଳପଥ ଜୋନ୍‌କୁ ତିନି ଭାଗ କରାଗଲା, ସେତିକି ବେଳେ ଓଡ଼ିଶାର ଭୂବନେଶ୍ୱର ଠାରେ ପୂର୍ବତଟ ରେଳପଥ, ଛତିଶଗଡ଼ର ବିଳାସପୁର ଠାରେ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ଓ ପଶ୍ଚିମବଙ୍ଗର କୋଲକାତା ଠାରେ ଦକ୍ଷିଣ-ପୂର୍ବ ରେଳପଥର ମୁଖ୍ୟାଳୟ ସ୍ଥାପିତ ହେଲା। ସେହି ସମୟରେ କିନ୍ତୁ ଆନ୍ଧ୍ରପ୍ରଦେଶର ସିକନ୍ଦରାବାଦରେ ଥିବା ଦକ୍ଷିଣ କେନ୍ଦ୍ରୀୟ ରେଳପଥକୁ ବିଭାଜନ କରାଯାଇ ନ ଥିଲା। ଏହା ପୂର୍ବବତ୍‌ ଏକ ବୃହତ୍ ରେଳ ଜୋନ୍ ଭାବେ ୬ଟି ଡିଭିଜନ୍‌କୁ ନେଇ କାର୍ଯ୍ୟ କରୁଥିଲା। ଆନ୍ଧ୍ରର ବିଭାଜନ ପରେ ତେଲେଙ୍ଗାନାର ସିକନ୍ଦରାବାଦଠାରେ ଦକ୍ଷିଣ କେନ୍ଦ୍ରୀୟ ରେଳପଥ ମୁଖ୍ୟାଳୟ ରହିଗଲା ଏବଂ ଆନ୍ଧ୍ର ନିକଟରେ ମାତ୍ର ତିନିଟି ରେଳ ଡିଭିଜନ ରହିଲା; ଯଥା: ବିଜୟୱାଡ଼ା, ଗୁଂଟୁର ଓ ଗୁଂଟାକାଲ। ତେଣୁ, ଆନ୍ଧ୍ର ଲାଗି ଦକ୍ଷିଣ ତଟ ରେଳବାଇର କଥା ଉଠିଛି। କିନ୍ତୁ କଥା ହେଲା, ଓଡ଼ିଶାର ଇଷ୍ଟ କୋଷ୍ଟ ରେଳପଥ ମଧ୍ୟ ୩ଟି ଡିଭିଜନ୍‌କୁ ନେଇ ଗଠିତ। ସୁତରାଂ, ଆନ୍ଧ୍ରର ତିନିଟି ଡିଭିଜନ୍‌କୁ ନେଇ କ’ଣ ଜୋନ୍‌ ଗଢ଼ାଯାଇ ପାରି ନଥାନ୍ତା? ଏବେ ଆନ୍ଧ୍ର ଲାଗି ହେଉଥିବା ନୂଆ ଜୋନ୍‌ର ମୁଖ୍ୟାଳୟ ବିଶାଖାପାଟଣାରେ ହେବ। କଥା ହେଲା, ଆନ୍ଧ୍ର ତା’ର ନୂଆ ରାଜଧାନୀ ଅମରାବତୀରେ ପ୍ରତିଷ୍ଠା କରୁଛି। ‌େସଠାରେ କ’ଣ ନୂଆ ରେଳବାଇ ଜୋନାଲ୍‌ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇ ପାରି ନ ଥାଆନ୍ତା? ବିଜୟୱାଡ଼ା ମଧ୍ୟ ଆଉ ଏକ ଉପଯୁକ୍ତ ସ୍ଥାନ ହୋଇପାରନ୍ତା। ଏଥି ଲାଗି ଇଷ୍ଟ କୋଷ୍ଟରୁ ବିଶାଖାପାଟଣାକୁ କାହିଁକି କାଢ଼ି ନିଆଗଲା? ଯଦି ଆନ୍ଧ୍ର ତା’ର ତେଲୁଗୁ ଅଂଚଳର ମୁଖ୍ୟ ଅଂଚଳଗୁଡ଼ିକୁ ଏକତ୍ର କରି ଦକ୍ଷିଣ ତଟ ରେଳପଥ ନିର୍ମାଣ କରିବ, ତେବେ ଓଡ଼ିଶା କାହିଁକି ତା’ର ଅନେକ ପ୍ରମୁଖ ଅଂଚଳଗୁଡ଼ିକୁ ପୂର୍ବତଟ ରେଳପଥ ଅଧୀନକୁ ନ ଆଣିବ? ପ୍ରକାଶ ଥାଉ କି କୋଲକାତାର ଦକ୍ଷିଣ-ପୂର୍ବ ବା ସାଉଥ୍ ଇଷ୍ଟର୍ନ ରେଳପଥ ଜୋନ୍‌ ଅନ୍ତର୍ଗତ ଚକ୍ରଧରପୁର ରେଳ ଡିଭିଜନ୍‌ରେ ଓଡ଼ିଶାର ବନ୍ଧମୁଣ୍ଡା, ରାଉରକେଲାଠାରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଅଞ୍ଚଳ ଏବଂ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ (ମୁଖ୍ୟାଳୟ ଛତିଶଡ଼ର ବିଳାସପୁର) ରେଳ ଡିଭିଜନ୍‌ର ଇବ, ବେଲପାହାଡ଼ ଓ ବ୍ରଜରାଜନଗର ଅଂଚଳ ଆଦି ରହିଛି। ସେମିତି ଦକ୍ଷିଣ-ପୂର୍ବ ରେଳପଥ ଅଧୀନସ୍ଥ ଖଡ଼ଗପୁର ରେଳ ଡିଭିଜନ୍‌ରେ ଓଡ଼ିଶାର ବାଲେଶ୍ୱର ଓ ମୟୂରଭଞ୍ଜ ଅଂଚଳ ରହିଛି।
ଏଠାରେ ପ୍ରଶ୍ନ ଉଠୁଛି ବିଶାଖାପାଟଣା, ବିଜୟନଗରମ ଇତ୍ୟାଦି ଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ଇଷ୍ଟକୋଷ୍ଟ ଅଧୀନରୁ ବାଦ୍ ଦିଆଯାଉଛି କାହିଁକି? ‌େକନ୍ଦ୍ର ରେଳମନ୍ତ୍ରୀଙ୍କ ବକ୍ତବ୍ୟ ଅନୁସାରେ ଓଡ଼ିଶାର ସ୍ବାର୍ଥ ରକ୍ଷା ଲାଗି ସବୁ ପ୍ରକାର ଯତ୍ନ ନିଆଯିବ। କିନ୍ତୁ, କଥା ହେଲା, ବିଶାଖାପାଟଣା ଭଳି ଅଂଶକୁ କାଢ଼ି ନିଆଗଲେ ପୂର୍ବ ତଟ ରେଳବାଇ ଯେଉଁ କ୍ଷତି ସହିବ, ତା’ର ଭରଣା ହେବ କେମିତି? ବିଶାଖାପାଟଣାରେ ବୃହତ୍‌ ଇସ୍ପାତ କାରଖାନା, ବୃହତ୍ ବନ୍ଦର, ଏଚ୍‌ପିସିଏଲ୍‌, କଂଟେନର କର୍ପରେସନ୍‌ ଇତ୍ୟାଦି ବହୁ ଶିଳ୍ପ ଓ ଉଦ୍ୟୋଗ ପ୍ରତିଷ୍ଠାନ ସହ ଗଙ୍ଗାଭରମ ବନ୍ଦର ପରି ‘ଟ୍ରାନସପୋଟ୍ରେସନ୍‌ ହବ୍‌’ ବା ପରିବହନ ପେଣ୍ଠ ରହିଛି। ବିଶାଖାପାଟଣା ରେଳ ଡିଭିଜନ୍ ବର୍ଷକୁ ସମୁଦାୟ ୧୦,୨୫୬ କୋଟି ଟଙ୍କାର ରାଜସ୍ୱ ଦେଉଥିବା ବେଳେ କେବଳ ମାଲ ପରିବହନରୁ ୯,୦୦୦ କୋଟି ଟଙ୍କା ଆୟ କରୁଥିଲା। ଉଲ୍ଲେଖଯୋଗ୍ୟ ଯେ ମାଲ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥ ୨୦୧୭-୧୮ରୁ ଆଜି ଯାଏ ‘ଏକ ନମ୍ବର’ ରେଳ ଜୋନ୍ ଭାବେ ଗୌରବ ଲାଭ କରି ଆସିଛି, ଯେଉଁଥିରେ ବିଶାଖାପାଟଣାର ଅବଦାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏବେ ବିଶାଖାପାଟଣାକୁ ବାଦ ଦିଆଗଲେ ପୂର୍ବତଟ ରେଳପଥ ଗୁରୁତର ଭାବେ ବଂଚିତ ହେବ। ୨୦୧୯-୨୦ ମସିହା ଠାରୁ ପୂର୍ବ ତଟ ରେଳପଥ ୨୦୦ ନିୟୁତ ଟନ୍‌ରୁ ଅଧିକ ମାଲ ବୋଝେଇ କରି ଆସୁଛି। ଏବେ ଭାରତୀୟ ରେଳପଥରେ ପୂର୍ବ ତଟ ରେଳପଥ ୧୮%ରୁ ଅଧିକ ମାଲ ପରିବହନ କରୁଛି। ବିଶାଖାପାଟଣା ଚାଲିଗଲେ ଅନ୍ୟୂନ ୧୨% ରାଜସ୍ୱ କମିଯିବା ସହ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ୧୮ରୁ ୨୦ ପ୍ରତିଶତ ରାଜସ୍ୱ କମିବ। କେବଳ ସେତିକି ନୁହେଁ, କର୍ମଚାରୀଙ୍କ ଭିତରୁ ଇଷ୍ଟ କୋଷ୍ଟକୁ ୨୫% ଆସିବା ବେଳେ ଅବଶିଷ୍ଟ ୭୫% ସାଉଥ୍‌କୋଷ୍ଟ ରେଳପଥକୁ ଯିବେ। ଏହା ବଦଳରେ ଇଷ୍ଟକୋଷ୍ଟକୁ ମିଳିଛି ନବଗଠିତ ରାୟଗଡ଼ା ଡିଭିଜନ୍‌। କିନ୍ତୁ ଏହି ଡିଭିଜନ୍‌ ଅନ୍ତର୍ଗତ ସମସ୍ତ ଅଞ୍ଚଳ ପୂର୍ବରୁ ଇଷ୍ଟକୋଷ୍ଟ ରେଲୱେରେ ଥିଲା। ତେଣୁ, ଅଧିକ ବୋଲି କିଛି ହେଲେ ଓଡ଼ିଶାକୁ ମିଳିନାହିଁ। ରାୟଗଡ଼ା ଡିଭିଜନର ମୁଖ୍ୟାଳୟ ନିର୍ମାଣ ପାଇଁ ୧୦୭ କୋଟି ଟଙ୍କାର ଅର୍ଥ ବରାଦ କରାଯାଇଛି। ଏହା ଓଡ଼ିଶାକୁ ସନ୍ତୁଷ୍ଟ କରିବା ଲାଗି। କିନ୍ତୁ ଏହା ଯଥେଷ୍ଟ କି? ପ୍ରକାଶ ଥାଉ କି ବିଶାଖାପାଟଣା ଭଳି ରାଉରକେଲାରେ ଏକ ଇସ୍ପାତ କାରଖାନା ରହିଛି ଏବଂ ଝାରସୁଗୁଡ଼ା, ଇବ, ବ୍ରଜରାଜନଗର ଇତ୍ୟାଦି ହେଉଛନ୍ତି ଶିଳ୍ପୋଦ୍ୟୋଗ ପେଣ୍ଠ ସ୍ଥଳ। ବିଶାଖାପାଟଣାକୁ ଯଦି ବାଦ ଦିଆଯାଉଛି, ତେବେ ଉତ୍ତର ଓଡ଼ିଶାରେ ଏକ ରେଳ ଡିଭିଜନ୍‌ ପ୍ରତିଷ୍ଠା କରି ଇଷ୍ଟକୋଷ୍ଟ ରେଳପଥକୁ ମଜଭୁତ କରାଯାଉନାହିଁ କାହିଁକି? ତାହା ହେଲେ, ବିଶାଖାପାଟଣା ଇଷ୍ଟକୋଷ୍ଟ ହାତରୁ ଚାଲିଗଲେ ସୁଦ୍ଧା ରାଜସ୍ୱ କ୍ଷତିର ଭରଣା ହୋଇପାରିବ। ୧୯୯୬ ମସିହାରେ ତତ୍‌କାଳୀନ ରେଳମନ୍ତ୍ରୀ ରାମ ବିଳାସ ପାଶୱାନ ବିହାରକୁ ଏକ ରେଳ ଜୋନ୍‌ ଦେବା ପାଇଁ ସାରା ଦେଶରେ ଥିବା ବିଭିନ୍ନ ଅଂଚଳର ଦାବିକୁ ଦୃଷ୍ଟିରେ ରଖି ୭ଟି ନୂଆ ଜୋନ୍‌ ସୃଷ୍ଟି କରିଥିଲେ, ଯାହା ସମସ୍ତଙ୍କ ଲାଗି ଅଭିନନ୍ଦନୀୟ ହୋଇଥିଲା। ସେମିତି ଆନ୍ଧ୍ରକୁ ଏକ ରେଳ ଜୋନ୍ ଦେଲା ବେଳେ ଅନ୍ୟ ରାଜ୍ୟର ସ୍ୱାର୍ଥହାନି ଯେମିତି ନ ଘଟେ ତାହା ଉପରେ ଦୃଷ୍ଟି ରହୁ। ଇଷ୍ଟ କୋଷ୍ଟ ରେଲୱେକୁ ବିଭାଜନ କରାଗଲାବେଳ ଓଡ଼ିଶାର ଦାବିକୁ ମଧ୍ୟ ସମ ପରିମାଣରେ ମହତ୍ତ୍ବ ଦିଆଯାଉ। ଏଭଳି ପଦକ୍ଷେପ ନିଆଯାଉ ଯାହା ସବୁ ପକ୍ଷଙ୍କ ଲାଗି ଅଭିନନ୍ଦନୀୟ ହେବ। ଉଲ୍ଲେଖଯୋଗ୍ୟ ଯେ ଆଗାମୀ ସମୟରେ ପଲାସାରେ ନିର୍ମିତ ହେଉଥିବା ମୁଲୱାନୀପେଟା ବନ୍ଦର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଏବଂ ଗୁଣୁପୁର-ଥେରୁଭାଲି ଲାଇନ୍ ନିର୍ମାଣ କାର୍ଯ୍ୟ ଶେଷ ହେଲେ ଇଷ୍ଟକୋଷ୍ଟକୁ ଏକ ବନ୍ଦର ମିଳିଯିବ। ସେହିପରି ଛତିଶଗଡ଼ର ଜଗଦଲପୁର ନିକଟ ନାଗରନରଠାରେ ନିର୍ମିତ ହୋଇଥିବା ‘ଏନ୍‌.ଏମ୍‌.ଡି.ସି.’ ଇସ୍ପାତ କାରଖାନାରୁ ‘କେ.କେ.ଲାଇନ’ ଦେଇ ମାଲ ପରିବହନ ହୋଇପାରିବ। ଏହି ସବୁ ପ୍ରକଳ୍ପ ଶେଷ ହେଲା ପରେ ଇଷ୍ଟକୋଷ୍ଟରୁ ବିଶାଖାପାଟଣାକୁ ନିଆଯିବା ଉଚିତ। ତାହା ହେଲେ ଯାଇ ରାଜସ୍ୱ ହ୍ରାସକୁ ଅନେକାଂଶରେ ଭରଣା କରାଯାଇପାରିବ। ଏହା ସମୟସାପେକ୍ଷ, କିନ୍ତୁ ପ୍ରଣିଧାନଯୋଗ୍ୟ।
ସବୁଠୁ ବଡ଼ କଥା ହେଲା, ରାୟଗଡ଼ା ପରି ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଏକ ରେଳ ଡିଭିଜନ୍ ପ୍ରତିଷ୍ଠା କରାଗଲେ ଏହି ପଛୁଆ ଅଞ୍ଚଳର ଖୁବ୍ ଉନ୍ନତି କରିବ। ଏହା ସତ୍ୟ ଯେ ୨୦୧୪ ମସିହା ପରଠାରୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ ଉପରେ ବିଶେଷ ଗୁରୁତ୍ବ ପ୍ରଦାନ କରିଛନ୍ତି। ଓଡ଼ିଶାକୁ ୧୦ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ରାଶି ପ୍ରତି ବଜେଟ୍‌ରେ ମିଳୁଛି। ତେଣୁ ଓଡ଼ିଶାବାସୀ ଆନନ୍ଦିତ। କିନ୍ତୁ ଦକ୍ଷିଣ ତଟ ରେଳବାଇ ଲାଗି ପୂର୍ବ ତଟ ରେଳବାଇ କ୍ଷତିଗ୍ରସ୍ତ ହେବା ଓଡ଼ିଶାବାସୀଙ୍କ ସକାଶେ ଗ୍ରହଣୀୟ ହେବ ନାହିଁ। କେନ୍ଦ୍ର ରେଳମନ୍ତ୍ରୀ ଓଡ଼ିଶାରୁ ସାଂସଦ ହୋଇଥିବାରୁ ସେ ଏ ଦିଗରେ ବିଶେଷ ଧ୍ୟାନ ଦେବେ ବୋଲି ଆଶା କରାଯାଏ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୧୩୧୩୯

 

 

 

ସୌଜନ୍ୟ-ସମ୍ୱାଦ

Comments are closed.