Breaking News

ନୂଆ ବର୍ଷରେ ଫେରିବେ ପୁରୁଣା କୋହଲି

ଚଳିତ ବର୍ଡର ଗାଭାସ୍କର ଟ୍ରଫି ଶୃଙ୍ଖଳାରେ ଭାରତ ପଛୁଆ ପଡ଼ିଯିବା କଥା ଯେତେ ଚର୍ଚ୍ଚା ହେଉନାହିଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ କ୍ରମାଗତ ବିଫଳତା ‌ସେତେ ଅଧିକ ବିତର୍କ ଭିତରେ ଅଛି। ରୋହିତଙ୍କ ଖେଳାଳି ଚୟନ ଦ୍ବନ୍ଦ୍ବ....

ସିଡନି: ଚଳିତ ବର୍ଡର ଗାଭାସ୍କର ଟ୍ରଫି ଶୃଙ୍ଖଳାରେ ଭାରତ ପଛୁଆ ପଡ଼ିଯିବା କଥା ଯେତେ ଚର୍ଚ୍ଚା ହେଉନାହିଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ କ୍ରମାଗତ ବିଫଳତା ‌ସେତେ ଅଧିକ ବିତର୍କ ଭିତରେ ଅଛି। ରୋହିତଙ୍କ ଖେଳାଳି ଚୟନ ଦ୍ବନ୍ଦ୍ବ, ନେତୃତ୍ବ ନିଷ୍ପତ୍ତି ଓ ଫର୍ମକୁ ନେଇ ପ୍ରଶ୍ନର ପାହାଡ଼ ଛିଡ଼ା ହୋଇଛି। ଅନ୍ୟପକ୍ଷରେ ‌ପର୍ଥରେ ଶତକ ସତ୍ତ୍ବେ କୋହଲିଙ୍କ କ୍ରମାଗତ ବିଫଳତା ଏବଂ ଅଫ୍‌ ଷ୍ଟମ୍ପ୍ ବାହାର ଦୁର୍ବଳତା ଏହି ମହାନ ବ୍ୟାଟର୍‌ଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। କିନ୍ତୁ କୋହଲି ଯେ ନୂଆ ବର୍ଷରେ ନୂଆ ରୂପରେ ଅର୍ଥାତ୍ ପୁରୁଣା କୋହଲି ଅବତାରରେ ଫେରିବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି। କୋହଲି କେବେ ଚାପରେ ପଡ଼ି ନଥାନ୍ତି, ଏହାକୁ ବଢ଼ିବାକୁ ଦିଅନ୍ତି ନାହିଁ। ସେ ସେଭଳି ଚରିତ୍ରରେ ଗଢ଼ା। ଲଢ଼ିଥାନ୍ତି ବାରମ୍ବାର,‌ ଅନ୍ୟକୁ ଲଢ଼ିବାକୁ ଉତ୍ସାହିତ କରିଥାନ୍ତି ନିରଂତର। ଏବେ କିନ୍ତୁ ରୋହିତଙ୍କ ସହ କୋହଲିଙ୍କ କ୍ୟାରିୟର୍‌ ଅପରାହ୍ଣରେ ଥିବାରୁ ସ୍ବତଃ ଚର୍ଚ୍ଚା ଧରିଛି ଜୋର୍‌।

ନିଜ ବ୍ୟାଟିଂ ଓ ପ୍ରବୃତ୍ତି ବଳରେ ଅନେକ ଟେଷ୍ଟ୍ ଶୃଙ୍ଖଳା ନିର୍ଣ୍ଣାୟକ ଭୂମିକା ତୁଲାଇଛନ୍ତି। ଚଳିତ ବର୍ଡର ଗାଭାସ୍କର ଟ୍ରଫି ଶୃଙ୍ଖଳା କିନ୍ତୁ ତାଙ୍କ ପାଇଁ ‘ଭୁଲ୍‌ବିଚାର’ରେ ଭରିଯାଇଛି। ଏବେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ସିଡ୍‌ନି ଟେଷ୍ଟ୍‌ରେ ସବୁ ଦ୍ବନ୍ଦ୍ବ, ଦୁର୍ବଳତା ଓ ସନ୍ଦୀହାନକୁ ଦୂର କରିବାର ଶେଷ ସୁଯୋଗ ନେଇ ଆସିଛି। ମେଲ୍‌ବର୍ଣ୍ଣରେ କୋହଲି ଏକ ଭଲ ପାଳି ଖେଳି ଆସୁଥିବା ବେଳେ ଯଶସ୍ବୀ ଜୟସ୍ବାଲଙ୍କ ରନ୍‌ଆଉଟ୍‌ ପରେ ସେ ଆଉଟ୍ ହୋଇଯିବା ଏକ ସଙ୍କଟର ଘନଘଟାକୁ ନିମନ୍ତ୍ରଣ କରିଥିଲା। ଏକାଗ୍ରତା ହରାଇବା ସହ ଯେଉଁ ଅଫ୍‌ ଷ୍ଟମ୍ପ୍ ବାହାର ବଲ୍‌କୁ ଛାଡ଼ି ଆସୁଥିଲେ ହଠାତ୍ ସେହି ଲାଇନ୍‌ ବଲ୍‌ର ଶିକାର ହୋଇଥିଲେ। ଚଳିତ ଶୃଙ୍ଖଳାରେ କୋହଲି ୬ ଥର ସମାନ ଷ୍ଟାଇଲ୍‌ରେ ଆଉଟ୍ ହୋଇ ଏକ ନିର୍ଦିଷ୍ଟ ଦୁର୍ବଳତାକୁ ଦୂର କରିପାରି ନାହାନ୍ତି। ଏବେ ପ୍ରଶଂସକ ପୁରୁଣା ବର୍ଷ କୋହଲିଙ୍କ ଖରାପ ସମୟକୁ ଦୂରୀଭୂତ କରିଦେଇଥିବ ବୋଲି ବିଶ୍ବାସ ରଖିଛନ୍ତି। ସିଡ୍‌ନିରେ ସେ ନିରାଶ କରିବେ ନାହିଁ ବୋଲି ଆସ୍ଥା ପ୍ରକଟ କରିଛନ୍ତି। କେବଳ ଫର୍ମକୁ ଛାଡ଼ିଦେଲେ କୋହଲି ଅନ୍ୟ ସବୁ ଦୃଷ୍ଟିରୁ  ଜୋସ୍‌ରେ ରହିଛନ୍ତି। କାରଣ ପଡ଼ିଆରେ ତାଙ୍କ ପ୍ରଶଂସକ ପୁରୁଣା କୋହଲିଙ୍କୁ ଦେଖି ପାରୁଛନ୍ତି। ପଡ଼ିଆ ଭିତରେ ଥିଲେ ପ୍ରଶଂସକ ତାଙ୍କୁ ଚିଡ଼ାଉଥାନ୍ତୁ କି ଉତ୍ସାହିତ କରୁଥାନ୍ତୁ ସେ ସୀମାରେଖା ନିକଟରୁ ସେମାନଙ୍କ ସହ ବାର୍ତ୍ତାଳାପ କରିବାକୁ ପସନ୍ଦ କରନ୍ତି। ମେଲ୍‌ବର୍ଣ୍ଣ ‌ଟେଷ୍ଟ୍‌ର ଚତୁର୍ଥ ଦିନ ଭାରତ ପ୍ରତ୍ୟାବର୍ତ୍ତନ ବେଳେ କୋହଲି ବି ରୋହିତଙ୍କୁ ପ୍ରତି ବଲ୍‌ରେ ପରାମର୍ଶ ଦେଉଥିଲେ। ଭାରତ ଯଦି ବର୍ଡର ଗାଭାସ୍କର ଟ୍ରଫି ବଜାୟ ରଖିବାକୁ ଚାହିବ ତେବେ ଏହି ୩୭ ବର୍ଷୀୟ ଏମ୍‌ଆର୍‌ଏଫ୍‌ ବ୍ୟାଟର୍‌ଙ୍କଠାରୁ ଏସ୍‌ସିଜିରେ ସ୍ମରଣୀୟ ପାଳି ଖେଳିବାକୁ ପଡ଼ିବ। ଆବଶ୍ୟକ କୋହଲି ଗତ ୫ ବର୍ଷ ଧରି ଉତ୍‌ଥାନ ପତନ ‌ଧାରାରେ ଥିବାରୁ ଭଲରେ ବର୍ଷ ଆରମ୍ଭ କରିବାକୁ ଚାହିଁବେ।

୬ ବର୍ଷ ତଳେ ୨୦୧୮ରେ କୋହଲି ପର୍ଥରେ ଖେଳିଥିବା ସାହସିକ ପାଳି ହେଉ କି ଗତବର୍ଷ ପ୍ରାରମ୍ଭରେ ଯେଉଁ ପିଚ୍‌ରେ ଦକ୍ଷିଣ ଆଫ୍ରିକା ମାତ୍ର ୫୫ ରନ୍ କରିଥିଲେ କୋହଲି ସେଠାରେ ୪୬ ରନ୍ କରି ପ୍ରଶଂସିତ ହୋଇଥିଲେ। କିନ୍ତୁ କୋହଲି ଚଳିତ ଗସ୍ତରେ ୧୯ ବର୍ଷୀୟ ସାମ୍ କନ୍‌ଷ୍ଟାସଙ୍କ ସହ ଉଦ୍ଦେଶ୍ୟମୂଳକ ଧକ୍କା ହୋଇ ଦଣ୍ଡିତ ହୋଇଥିବାରୁ ସମାଲୋଚିତ ବି ‌ହୋଇଛନ୍ତି ଭିନ୍ନ କାରଣରୁ। କୋହଲି ଏତେ ଲମ୍ବା ସମୟ ଖରାପ ଫର୍ମରେ ରହିବା ଏବଂ ନିର୍ଦିଷ୍ଟ ଢଙ୍ଗରେ ଆଉଟ୍ ହେବା ମୁଁ କେବେ ଦେଖି ନଥିଲି ବୋଲି ସଂଜୟ ମଞ୍ଜରେକର କହିଛନ୍ତି। ସେହିଭଳି ଚାପରେ ଚପିଯିବା ଭଳି ଚରିତ୍ର ରଖି ନଥିବା କୋହଲିଙ୍କ ନିକଟରେ ପ୍ରତ୍ୟାବର୍ତ୍ତନର କଳା ରହିଛି ବୋଲି ଆରୋନ୍ ଫିଞ୍ଚ୍ ପ୍ରକାଶ କରିଛନ୍ତି।

ଗୌତମଙ୍କ ସ୍ଥିତି ଗମ୍ଭୀର

ସିଡ୍‌ନି: ନ୍ୟୁଜିଲାଣ୍ଡ୍‌ ନିକଟରୁ ଘରୋଇ ଟେଷ୍ଟ୍ ଶୃଙ୍ଖଳା ପରାଜୟ ପରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ବି ସଂଘର୍ଷ କରୁଛି। ଏହି କାରଣରୁ ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ  କୋହଲିଙ୍କ ସହ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଉପରେ ପ୍ରବଳ ଚାପ ପଡ଼ିଛି। ଭାରତୀୟ କ୍ରିକେଟ୍ ଏକ ପରିବର୍ତ୍ତନ କାଳ ଦେଇ ଗତି କରିବାକୁ ଯାଉଥିବାରୁ ଏହି ସମୟରେ ଭାରତୀୟ ଦଳରେ ସମନ୍ବୟ ରଖିବା ଏବଂ ଦଳ ଭିତରେ ସମନ୍ବୟ ଆଣିବାର ଗୁରୁ ଦାୟିତ୍ବକୁ ନେଇ ବେଶ ଚର୍ଚ୍ଚା ଚାଲିଛି। ସିଡ‌୍‌ନିରେ ଶୁକ୍ରବାରଠାରୁ ଭାରତ କର ବା ମର ଅଭିଯାନରେ ସାମିଲ ହେବାକୁ ଯାଉଛି। ସିଡ୍‌ନିରେ ଭାରତ ଜିତି ନପାରିଲେ ଭାରତ ନିକଟରେ ଦଶନ୍ଧି ଧରି ଥିବା ବର୍ଡର-ଗାଭାସ୍କର ଟ୍ରଫି ଅଷ୍ଟ୍ରେଲିଆ ହାତକୁ ଚାଲିଯିବ। ଭାରତୀୟ ଡ୍ରେସିଂ ରୁମ୍‌ ଅସ୍ଥିର ରହିଛି ବୋଲି ବିଶ୍ବାସ କରାଯାଉଛି। ‌ରବି ଶାସ୍ତ୍ରୀ ଓ ରାହୁଲ ଦ୍ରାବିଡ଼ଙ୍କ ସମୟରେ ଖେଳାଳିମାନଙ୍କ ଭିତରେ ଯେଭଳି ଭାବର ଆଦାନପ୍ରଦାନ ହେଉଥିଲା ସମ୍ଭବତଃ ସେଭଳି ପରିବେଶ ନାହିଁ। ଖେଳାଳି ଚୟନ ପ୍ରସଙ୍ଗରେ ରୋହିତ ଶର୍ମା ବ୍ୟକ୍ତିଗତ ଭାବେ ପ୍ରତି ଖେଳାଳିଙ୍କ ସହ ଆଲୋଚନା କରୁଥିଲେ। କିନ୍ତୁ ଗୌତମ ଗମ୍ଭୀର ଆସିବା ପରେ ସେଭଳି ସ୍ପଷ୍ଟତା ରହୁନାହିଁ। ରୋହିତଙ୍କ ବ୍ୟକ୍ତିଗତ ଫର୍ମ ବି ତାଙ୍କୁ ସହାୟକ ହେଉନାହିଁ। ଏହି କାରଣରୁ ଗମ୍ଭୀରଙ୍କ ସ୍ଥିତି ବି ଟଳମଳ ହେବାକୁ ଲାଗିଲାଣି। ଏପରିକି ବିସିସିଆଇ ଚୟନ ସମିତି ସହିତ ଗମ୍ଭୀରଙ୍କ ସମନ୍ବୟ ସୁସ୍ଥ ନଥିବା ବିଶ୍ବାସ କରାଯାଉଛି। ଦଳ ଭିତରେ ଏକାଧିକ ପରୀକ୍ଷାନିରୀକ୍ଷା କାରଣରୁ ଅଧିକାଂଶ ଖେଳାଳି ନିଜକୁ ଅଣସୁରକ୍ଷିତ ମଣିଛନ୍ତି। ପ୍ରଦର୍ଶନ ଭିତ୍ତିରେ ନୀତୀଶ କୁମାର ରେଡ୍ଡୀ ପୁରସ୍କାର ପାଇଛନ୍ତି କିନ୍ତୁ ଶୁବମନ ଗିଲ୍‌ଙ୍କ ବାଦ୍‌ ପ୍ରସଙ୍ଗ ବିତର୍କ ଭିତରେ ରହିଛି।

ଅନ୍ୟପକ୍ଷରେ ବିସିସିଆଇ ସମ୍ପାଦକ ଜୟ ଶାହ ଆଇସିସି ମୁଖ୍ୟ ପଦକୁ ଚାଲିଯିବା ପରେ ବୋର୍ଡର ପରବର୍ତ୍ତୀ ମୁଖ୍ୟ ନିର୍ବାଚିତ ହୋଇନାହାନ୍ତି। ଜାନୁଆରି ୧୨ ତାରିଖ ପରେ ବିସିସିଆଇ ପୂର୍ଣ୍ଣ କ୍ଷମତାପ୍ରାପ୍ତ ହେବା ପରେ ହୁଏତଃ କିଛି କଠୋର ନିଷ୍ପତ୍ତି ନେଇପାରେ। ଏ ‌କ୍ଷେତ୍ରରେ ଗୌତମଙ୍କ ସ୍ଥିତି ଗମ୍ଭୀର ଥିବା କୁହାଯାଉଛି। ବିଜିଟି ପରେ ଭାରତ ଫେବ୍ରୁଆରି ମାର୍ଚ୍ଚରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଖେଳିବ। ସେଥିରେ ଦଳ ଭଲ କରି ନପାରିଲେ ଗମ୍ଭୀରଙ୍କ ପକ୍ଷଛେଦନ ହେବା ପ୍ରାୟ ନିଶ୍ଚିତ ଲାଗୁଛି। ଜଣେ ପୂର୍ବତନ ଖେଳାଳି କହିଛନ୍ତି ‘ଗମ୍ଭୀର କେବେ ମଧ୍ୟ ବିସିସିଆଇର ପ୍ରଥମ ପସନ୍ଦ ନଥିଲେ, ଭିଭିଏସ୍ ଲକ୍ଷ୍ମଣ ଏ କ୍ଷେତ୍ରରେ ଆଗୁଆ ଥିଲେ’। ଗମ୍ଭୀର ନିଜେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ଖେଳିଛନ୍ତି। ଭାଷ୍ୟକାର ଭାବେ ବି ଦାୟିତ୍ବ ତୁଲାଇଛନ୍ତି। ଯଦି କୋହଲିଙ୍କ ଦୁର୍ବଳତାକୁ ସେ ଚିହ୍ନଟ କରିପାରୁନାହାନ୍ତି କି ଦୂର କରିପାରୁନାହାନ୍ତି, ତେବେ କ’ଣ କରିବେ ବୋଲି ଆଉ ଜଣେ ପୂର୍ବତନ ଖେଳାଳି ସ୍ପଷ୍ଟ କରିଛନ୍ତି।

 

 

 

ସୌଜନ୍ୟ-ସମ୍ୱାଦ

Comments are closed.