Breaking News

ନୂଆ ବର୍ଷରେ ସଂଗଠନ ସଜାଡ଼ିବାକୁ ରଣନୀତି: ନୂଆ ମୁହଁ ଖୋଜୁଛନ୍ତି ୩ ଦଳ

ସାଧାରଣ ନିର୍ବାଚନ ପରେ ରାଜ୍ୟର ତିନି ପ୍ରମୁଖ ଦଳ ଏବେ ସଂଗଠନ ସଜାଡ଼ିବାକୁ ଉଦ୍ୟମ ଚଳାଇଛନ୍ତି। ନୂଆ ବର୍ଷରୁ ନୂଆ ସଂଗଠନ ନେଇ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତି ଜୋର୍‌ ଧରିଛି। ଦୁଇ ବର୍ଷ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ....

ବିଶ୍ବଜିତ ଦାଶ
ଭୁବନେଶ୍ବର: ସାଧାରଣ ନିର୍ବାଚନ ପରେ ରାଜ୍ୟର ତିନି ପ୍ରମୁଖ ଦଳ ଏବେ ସଂଗଠନ ସଜାଡ଼ିବାକୁ ଉଦ୍ୟମ ଚଳାଇଛନ୍ତି। ନୂଆ ବର୍ଷରୁ ନୂଆ ସଂଗଠନ ନେଇ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତି ଜୋର୍‌ ଧରିଛି। ଦୁଇ ବର୍ଷ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ପରେ ପରେ ପୌର ନିର୍ବାଚନ ହେବ। ତିନି ଦଳ ଏବେଠୁ ଗଡ଼ରକ୍ଷା ପାଇଁ ପ୍ରସ୍ତୁତି କଲେଣି। ମୋଦୀଙ୍କ ‌େ‌ଚହେରା, ପ୍ରଚାର ରଣନୀତିରେ କ୍ଷମତାକୁ ଆସିଲା ବିଜେପି। ହେଲେ ଦଳର ସଂଗଠନକୁ ଚଲାଇବା, ଭୋଟରଙ୍କ ବିଶ୍ବାସ ଜିତିବା, ଦଳର ସବୁ ନେତା ମାନୁଥିବା ଭଳି ଜଣେ ଚେହେରା ଖୋଜିପାଇନି। ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ କେନ୍ଦ୍ରୀୟ ନେତୃତ୍ବ ପ୍ରଚାର ମଇଦାନକୁ ଓହ୍ଲାଇ ନ ପାରନ୍ତି। ବରଂ ରାଜ୍ୟ ସରକାର ଯାହା କରିଥିବେ, ଦଳର ସଂଗଠନ ଯେମିତି ଏସବୁକୁ ଲୋକଙ୍କ ନିକଟରେ ପହଞ୍ଚାଇବ, ସେମିତି ଫଳ ପାଇବ।

ରାଜ୍ୟରେ ବିଜେପି ଏବେ ଶାସନରେ। ସେପଟେ ଉଭୟ ପଞ୍ଚାୟତ ଓ ପୌର ସଂସ୍ଥା ବିଜେଡି କବ୍‌ଜାରେ। ଶାସକ ଦଳର ବିଧାୟକମାନେ ଅଧିକାଂଶ ସ୍ଥାନରେ ବ୍ଲକ, ଏନ୍‌ଏସି, ମ୍ୟୁନିସପାଲଟିରେ ବିରୋଧ ସାମ୍ନା କରୁଛନ୍ତି। ତୃଣମୂଳ ସ୍ତରରେ ଶାସକ ଦଳର ଦୁର୍ବଳ ସଂଗଠନ ବାରି ହୋଇ ପଡ଼ୁଛି। ତେଣୁ ଦଳ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନକୁ ନଜରରେ ରଖି ଏବେଠୁ ସଂଗଠନ ସଜାଡ଼ିବାକୁ ଉଦ୍ୟମ ଚଳାଇଛି। ଏବେ ଦଳର ମଣ୍ଡଳ ସଭାପତି ଚୟନ ଶେଷ ପର୍ଯ୍ୟା‌ୟରେ ପହଞ୍ଚିଥିବାବେଳେ ଜାନୁଆରି ୫ତାରିଖ ସୁଦ୍ଧା ଜିଲ୍ଲା ସଭାପତି ଚୟନ କରିବାକୁ ହେବ। ଜାନୁଆରି ୧୫ ସୁଦ୍ଧା ରାଜ୍ୟ ସଭାପତି ଚୟନ ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଛି। ତେବେ ଓଡ଼ିଶା ବିଜେପିରେ ଥିବା ଅନ୍ତଃକନ୍ଦଳ ଏବେ ମଣ୍ଡଳ ସଭାପତି ଚୟନରେ ଦେଖିବାକୁ ମିଳୁଛି। ଏପରିକି ବିଜେଡି, କଂଗ୍ରେସ ଛାଡ଼ି ଦଳରେ ମିଶିଥିବା ଲୋକଙ୍କୁ ମଣ୍ଡଳ ସଭାପତି କରାଯାଇଥିବାରୁ ଦଳରେ ବିବାଦ ଘନେଇବାରେ ଲାଗିଛି।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନିର୍ବାଚନ ପୂର୍ବରୁ ଯେନତେନ ଉପାୟରେ ଦଳର ତୁଙ୍ଗ ନେତାଙ୍କୁ ଏକାଠି କରି ଗୋଟିଏ ମଞ୍ଚରେ ବସାଇଥିଲେ। ସମସ୍ତେ ଏକଜୁଟ୍ ଅଛନ୍ତି ବୋଲି ପ୍ରମାଣ ଦେଲେ। କିନ୍ତୁ ନିର୍ବାଚନ ଶେଷ ହେବା ପରେ ମନମୋହନଙ୍କ ଟ୍ରାକ୍‌ରେ କୌଣସି ତୁଙ୍ଗ ନାହାନ୍ତି। ଏପରିକି ବହୁ ସ୍ଥାନରେ ସାଂସଦମାନେ ବିଧାୟକଙ୍କୁ, ବିଧାୟକମାନେ ସାଂସଦଙ୍କୁ କୋଣଠେସା କରି ରଖିଛନ୍ତି। ତେଣୁ ଏବେ ଦଳ ଏମିତି ଏକ ନୂଆ ଚେହେରା ଖୋଜୁଛି ଯିଏ ସମସ୍ତଙ୍କୁ ନେଇ ଚାଲିବେ।

ସେହିପରି ବିଜେଡିର ଭୋଟ୍‌ ପୁଲର୍‌ ନବୀନ ପଟ୍ଟନାୟକ ପୂର୍ବଭଳି ଏବେ ଦଳର ସବୁ କଥାରେ ମୁଣ୍ଡ ଖେଳାଇ ପାରୁନାହାନ୍ତି। ନିର୍ବାଚନରେ ହାରିବା ପରେ ବିଜେଡି ତାର ସବୁ ସଙ୍ଗଠନକୁ ପୁର୍ନଗଠନ କରିବା ପାଇଁ ଭାଙ୍ଗି ଦେଇଛି। କେବଳ ସଭାପତି ପଦରେ ନବୀନ ବସିଛନ୍ତି। ଦଳର ନିତି ଦିନିଆ କଥା ବୁଝୁଥିବା ଭି.କେ ପାଣ୍ଡିଆନ ରାଜନୀତିରୁ ସନ୍ୟାସ ନେବା, ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ନିର୍ବାଚନରେ ହାରିବା ପରେ ତାଙ୍କର ପତିଆରା କମିଯାଇଛି। ଦଳର ସଂଗଠନକୁ ଏକପ୍ରକାରର ଲଗାମଛଡ଼ା କରିଦେଇଛି। ନେତାମାନଙ୍କ ଭିତରେ ଥିବା ପୁଞ୍ଜୀଭୂତ ଅସନ୍ତୋଷ ବୟାନବାଜିରେ ଲୋକଙ୍କ ପାଖରେ ପହଞ୍ଚୁଛି। ଦଳର ମୁଣ୍ଡ ସ୍ଥିର ଥିଲେ ବି ଅନ୍ୟ ଅଂଶ ଦୁର୍ବଳ ହୋଇଗଲାଣି, ଯାହା କି ତୃଣମୂଳ ସ୍ତରରେ ବାରି ହୋଇପଡ଼ୁଛି। ବ୍ଲକ, ପୌର ସଂସ୍ଥାରେ ଥିବା ବିଜେଡିର ଦବ୍‌ଦବାକୁ କମାଇବାରେ ବିଜେପି କିଛି ମାତ୍ରାରେ ସଫଳ ହେଉଛି। ଯେଉଁଠି ବିଧାୟକମାନେ ଶକ୍ତିଶାଳୀ ଅଛନ୍ତି ସେଠାରେ ଶାସକ ଦଳର ଗତିରୋଧ କରୁଛନ୍ତି। କିନ୍ତୁ ରାଜ୍ୟର ଏକ ନମ୍ବର ରାଜନୈତିକ ଦଳର ଗଡ଼ ସମ୍ଭାଳିବାକୁ ନୂଆ ମୁହଁ ଆବଶ୍ୟକ ପଡ଼ିଲାଣି ତାହା ଜଳଜଳ ଦିଶିଲାଣି। ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ପରେ ନୂଆ ବର୍ଷରେ ନୂଆ ସଂଗଠନ ଦାୟିତ୍ବ ବାଣ୍ଟିବ। ନବୀନ ସଭାପତି ରହିବା ନେଇ କିଛି ଦ୍ବନ୍ଦ୍ବ ନାହିଁ। କିନ୍ତୁ ତାଙ୍କ ପରେ କିଏ ଦଳର ଡୋରି ଧରିବ, ସେ ମୁହଁ ନେଇ ସ୍ପଷ୍ଟତା ଆସିପାରିନାହିଁ।

ଅପରପକ୍ଷେ ଦିନକୁ ଦିନ ଦୁର୍ବଳ ହୋଇଚାଲିଥିବା କଂଗ୍ରେସ ଗତ ଦୁଇଟି ନିର୍ବାଚନ ତୁଳନାରେ ଏଥର ନିର୍ବାଚନରେ ଅଧିକ ସଂଖ୍ୟା ପାଇଛି। ହେଲେ ଦଳ ୬ମାସ ହେଲା ମୁଖିଆ ବିହୀନ ହୋଇ ପଡ଼ିଛି। ବ୍ଲକ ଠାରୁ ଆରମ୍ଭ କରି ପୌର ସଂସ୍ଥା ପର୍ଯ୍ୟନ୍ତ କଂଗ୍ରେସର ପ୍ରଭାବ ନାହିଁ କ‌ହିଲେ ଚଳେ। ଜାତୀୟ ନେତୃତ୍ବଙ୍କ ଫୋକସ୍‌ରେ ଓଡ଼ିଶା ନାହିଁ ତାହା ବାରମ୍ବାର ପ୍ରମାଣିତ ହୋଇଆସୁଛି। ସଭାପତି ଚୟନ ବେଳେ ଦଳ ବାରମ୍ବାର ପୂର୍ବତନ ସଭାପତିମାନଙ୍କୁ ରିପିଟ୍ କରି ଚାଲୁଥିବାବେଳେ ଏହା ବେଶ୍ ଫଳପ୍ରଦ ହେଉନି। ତେଣୁ ନୂଆ ମୁହଁ, ନୂଆ ନେତୃତ୍ବ‌ ହିଁ ଦଳକୁ ନୂଆ ଦିଶା ଦେଖାଇବ ବୋଲି କୁହାଯାଉଛି। ସାରା ଦେଶରେ ବିଜେପି କଂଗ୍ରେସକୁ ମୂଳପୋଛ କରିବାକୁ ଉଦ୍ୟମ ଚଳାଇଥିଲେ ହେଁ ଯେଉଁ ରାଜ୍ୟରେ ବିଜେପି ସରକାର ଅଛି ସେଠାରେ କଂଗ୍ରେସର ଉତ୍‌ଥାନ ହୋଇଛି। ତେଣୁ ଓଡ଼ିଶାରେ ବିଜେପି ସରକାରଙ୍କୁ ଚାଲେଞ୍ଜ୍ ଦେଇ ନିଜର ସ୍ଥିତି ଜାହିର୍ କରିବାକୁ କଂଗ୍ରେସ ପାଖରେ ବଡ଼ ସୁଯୋଗ ଥିବାବେଳେ ଦଳ ନୂଆ ବର୍ଷରେ କେଉଁ ନୂଆ ରଣନୀତିରେ ଆଗକୁ ବଢ଼ୁଛି ତାହାକୁ ଅପେକ୍ଷା।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.