Breaking News

‘ନ୍ୟାୟପାଳିକା ସ୍ୱାଧୀନତା’ର ଅର୍ଥ ସରକାରଙ୍କ ବିରୋଧରେ ନିଷ୍ପତ୍ତି ନେବା ନୁହେଁ: ପ୍ରଧାନ ବିଚାରପତି

ନଭେମ୍ବର ୧୦ରେ ଅବସର ନେବାକୁ ଯାଉଥିବା ବିଦାୟୀ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ନ୍ୟାୟପାଳିକା ସ୍ୱାଧୀନତାର ଅର୍ଥ ସର୍ବଦା ସରକାରଙ୍କ ବିରୋଧରେ ନିଷ୍ପତ୍ତି ନେବା ନୁହେଁ।

0

ନୂଆଦିଲ୍ଲୀ: ନଭେମ୍ବର ୧୦ରେ ଅବସର ନେବାକୁ ଯାଉଥିବା ବିଦାୟୀ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ନ୍ୟାୟପାଳିକା ସ୍ୱାଧୀନତାର ଅର୍ଥ ସର୍ବଦା ସରକାରଙ୍କ ବିରୋଧରେ ନିଷ୍ପତ୍ତି ନେବା ନୁହେଁ। ମାମଲାଗୁଡ଼ିକର ନିଷ୍ପତ୍ତି ନେବା ସମୟରେ ବିଚାରପତିଙ୍କୁ ବିଶ୍ୱାସ କରିବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। ସୋମବାର ଦିଲ୍ଲୀରେ ଇଣ୍ଡିଆନ୍ ଏକ୍ସପ୍ରେସ୍ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନ ବିଚାରପତି କହିଛନ୍ତି ଯେ ଯେତେବେଳେ ସେ ଇଲେକ୍ଟୋରାଲ ବଣ୍ଡ୍ ସ୍କିମ୍‌କୁ ରଦ୍ଦ କରି କେନ୍ଦ୍ର ବିରୋଧରେ ରାୟ ଦେଇଥିଲେ, ସେତେବେଳେ ତାଙ୍କୁ ‘ଅତ୍ୟନ୍ତ ସ୍ୱାଧୀନ’ ବୋଲି କୁହାଯାଇଥିଲା। ପ୍ରଧାନବିଚାରପତି କହିଛନ୍ତି, ଯେତେବେଳେ ଆପଣ ଇଲେକ୍ଟୋରାଲ ବଣ୍ଡ୍ ବିରୋଧରେ ରାୟ ଦିଅନ୍ତି, ସେତେବେଳେ ଆପଣ ବହୁତ ସ୍ୱାଧୀନ, କିନ୍ତୁ ଯଦି କୌଣସି ରାୟ ସରକାରଙ୍କ ସପକ୍ଷରେ ଯାଏ, ତେବେ ଆପଣ ସ୍ୱାଧୀନ ନୁହନ୍ତି।

ଏହା ମୋର ସ୍ୱାଧୀନତାର ସଂଜ୍ଞା ନୁହେଁ। ନ୍ୟାୟପାଳିକା ସ୍ୱାଧୀନତାର ଅର୍ଥ କହିଲେ କେବଳ ସରକାରଙ୍କଠାରୁ ସ୍ବାଧୀନତାକୁ ବୁଝାଏ ନାହିଁ। ଆମ ସମାଜ ବଦଳିଯାଇଛି। ବିଶେଷ କରି ସୋସିଆଲ ମିଡିଆର ଆବିର୍ଭାବ ପରେ ଭିନ୍ନ ପରିସ୍ଥିତି ଆସିଛି। ଅନୁକୂଳ ନିଷ୍ପତ୍ତି ନେବା ପାଇଁ ଅଦାଲତ ଉପରେ ଚାପ ପକାଇବା ପାଇଁ ସ୍ୱାର୍ଥ ଗୋଷ୍ଠୀ, ପ୍ରେସର ଗ୍ରୁପ୍ ଓ ଅନ୍ୟାନ୍ୟ ଗୋଷ୍ଠୀ ଇଲେକ୍ଟ୍ରୋନିକ୍ ମିଡିଆ ବ୍ୟବହାର କରୁଛନ୍ତି। ଯଦି ବିଚାରପତିମାନେ ସେମାନଙ୍କ ସପକ୍ଷରେ ନିଷ୍ପତ୍ତି ନିଅନ୍ତି ତେବେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଚାପ ଗୋଷ୍ଠୀ ନ୍ୟାୟପାଳିକାକୁ ସ୍ୱାଧୀନ ବୋଲି କୁହନ୍ତି। ଯଦି ସେମାନଙ୍କ ସପକ୍ଷରେ ନିଷ୍ପତ୍ତି ନ ହୁଏ, ତା’ହେଲେ କୁହାଯାଉଛି ଆମେ ସ୍ୱାଧୀନ ନୁହଁ। ସ୍ୱାଧୀନ ହେବା ପାଇଁ ଜଣେ ବିଚାରପତିଙ୍କ ବିବେକ କ’ଣ କହୁଛି ତାହା ସ୍ଥିର କରିବାର ସ୍ୱାଧୀନତା ରହିବା ଆବଶ୍ୟକ। ଅବଶ୍ୟ ବିବେକ ଆଇନ ଓ ସମ୍ବିଧାନ ଦ୍ୱାରା ପରିଚାଳିତ ହେବା ଉଚିତ।

ପ୍ରଧାନ ବିଚାରପତି କହିଛନ୍ତି ଯେ ଲୋକମାନେ ବିଚାରପତିମାନଙ୍କୁ ନିଷ୍ପତ୍ତି ନେବାର ସ୍ୱାଧୀନତା ଦେବା ଉଚିତ। ଯେଉଁ ସବୁ ମାମଲା ସରକାରଙ୍କ ବିରୁଦ୍ଧରେ ଯିବା କଥା, ଆମେ ସରକାରଙ୍କ ବିରୋଧରେ ନିଷ୍ପତ୍ତି ନେଇଛୁ। କିନ୍ତୁ ଯଦି ଆଇନ ଅନୁଯାୟୀ ସରକାରଙ୍କ ସପକ୍ଷରେ ମାମଲାର ନିଷ୍ପତ୍ତି ହେବା ଆବଶ୍ୟକ, ତେବେ ଆମକୁ ଆଇନ ଅନୁଯାୟୀ ନିଷ୍ପତ୍ତି ନେବାକୁ ପଡିବ। ଏହା ଏକ ସ୍ଥିର ଓ ଜୀବନ୍ତ ନ୍ୟାୟପାଳିକାର ଅସ୍ତିତ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.