Breaking News

ନ୍ୟୁଜିଲାଣ୍ଡ୍‌ ନିୟନ୍ତ୍ରଣରେ ପୁଣେ ଟେଷ୍ଟ୍‌: ନୂଆ ଇତିହାସ ସୃଷ୍ଟି ଦିଗରେ ଟମ୍ ଲଥ‌ାମ ସେନା ଅଗ୍ରସର

ଶ୍ରୀଲଙ୍କାରେ ମୂଳପୋଛ ଭାବେ ଟେଷ୍ଟ୍ ଶୃଙ୍ଖଳା ହାରି ଭାରତ ଆସିଥିବା ନ୍ୟୁଜିଲାଣ୍ଡ୍‌ ଏବେ ନୂଆ ଇତିହାସ ରଚିବା ଦିଗରେ ଅଗ୍ରସର ହୋଇଛି। ଭାରତ ମାଟିରେ ପ୍ରଥମ ଥର ଟେଷ୍ଟ୍ ଶୃଙ୍ଖଳା ଜିତିବା ଏକ ପ୍ରକାର ନିଶ୍ଚିତ କରିଛି।

0

ପୁଣେ: ଶ୍ରୀଲଙ୍କାରେ ମୂଳପୋଛ ଭାବେ ଟେଷ୍ଟ୍ ଶୃଙ୍ଖଳା ହାରି ଭାରତ ଆସିଥିବା ନ୍ୟୁଜିଲାଣ୍ଡ୍‌ ଏବେ ନୂଆ ଇତିହାସ ରଚିବା ଦିଗରେ ଅଗ୍ରସର ହୋଇଛି। ଭାରତ ମାଟିରେ ପ୍ରଥମ ଥର ଟେଷ୍ଟ୍ ଶୃଙ୍ଖଳା ଜିତିବା ଏକ ପ୍ରକାର ନିଶ୍ଚିତ କରିଛି। ଅନ୍ୟପକ୍ଷରେ ଭାରତ ୧୨ ବର୍ଷ ପରେ ନିଜ ପ୍ରଥମ ଘରୋଇ ଟେଷ୍ଟ୍ ଶୃଙ୍ଖଳା ହାରିବା ଆଶଙ୍କା ଭିତରେ ପଡ଼ିଯାଇଛି। ସବୁଠାରୁ ବଡ଼ କଥା ହେଉଛି ନିଜ ୨୮ ଟେଷ୍ଟ୍ ଜୀବନରେ କେବେ ବି ୪ ୱିକେଟ୍‌ ସଫଳତା ପାଇ ନଥିବା ମିଚେଲ୍‌ ସାଣ୍ଟନର୍‌ ଏକାଥରକେ ୭ ୱିକେଟ୍‌ ଦଖଲ କରି ଭାରତୀୟଙ୍କୁ ଭାରତ ମାଟିରେ ଧୂଳି ଚଟାଇଛନ୍ତି। ବିଶ୍ବ କ୍ରିକେଟ୍‌ର ଦୁଇ ବଡ଼ ନାମ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସହିତ ସମସ୍ତ ଯୁବ ଓ ଅଭିଜ୍ଞ ଭାରତୀୟ ବ୍ୟାଟର୍‌ ତାଙ୍କ ସ୍ପିନ୍ ଜାଲରେ ଫସି ଭାରତକୁ ଅପ୍ରତ୍ୟାଶିତ ଭାବେ ବିପଦରେ ପକାଇଛନ୍ତି। ନ୍ୟୁଜିଲାଣ୍ଡ୍‌ର ପ୍ରଥମ ପାଳି ୨୫୯ ଜବାବରେ ଭାରତ ଶୁକ୍ରବାର ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରି ମାତ୍ର ୧୫୬ ରନ୍ କରିଥିଲା।

ନିଜ ୧୩ ବର୍ଷର ପ୍ରଥମ‌ ଶ୍ରେଣୀ କ୍ରିକେଟ୍‌ ଜୀବନରେ ଥରେ ମାତ୍ର ୫ ୱିକେଟ୍ ସଫଳତା ପାଇଥିବା ମିଚେଲ୍‌ ସାଣ୍ଟ୍‌ନର୍ ଲଗାତାର ୧୭.୩ ଓଭର ବୋଲିଂ କରି ୧୯.୩-୧-୫୩-୭ ବୋଲିଂ ଚିତ୍ର ପାଇବା ଭାରତକୁ ଲଜ୍ଜିତ ମୁହାଁ କରିଛି। ଜବାବରେ ଭାରତୀୟ ସ୍ପିନରଙ୍କୁ ସଫଳ ମୁକାବିଲା କରି ନ୍ୟୁଜିଲାଣ୍ଡ୍‌ ଦ୍ବିତୀୟ ପାଳିରେ ଦ୍ବିତୀୟ ଦିନ ସୁଦ୍ଧା ୫ ୱିକେଟ୍‌ରେ ୧୯୮ ରନ୍ ସଂଗ୍ରହ କରି ମୋଟ ଉପରେ ୩୦୧ରେ ଆଗୁଆ ରହିଛି। ହାତରେ ୫ ୱିକେଟ୍‌ ଥିବାରୁ ନ୍ୟୁଜିଲାଣ୍ଡ୍‌ ଏବେ ଡ୍ରାଇଭର୍ ସିଟ୍‌ରେ ବସିଛି। କାରଣ ପ୍ରଥମ ପାଳିରେ ୧୦୦ ରନ୍‌ରୁ ଊର୍ଧ୍ବ ପଛୁଆ ପଡ଼ିବା ପରେ ଭାରତ ନିଜ ଇତିହାସରେ ମାତ୍ର ୨ ଥର ଏହାକୁ ଓଲଟପାଲଟ କରି ବିଜୟୀ ହୋଇଛି। ୨୦୦୦-୦୧ରେ କୋଲ୍‌କାତା ଟେଷ୍ଟ୍‌ରେ ଅଷ୍ଟ୍ରେଲିଆଠାରୁ ଫଲୋଅନ୍ ଡାକରା ପରେ ଏବଂ ୧୯୭୬ରେ ୪୦୦ରୁ ଊର୍ଧ୍ବ ରନ୍‌କୁ ପଶ୍ଚାତଧାବନ କରି ବିଜୟୀ ହୋଇଥିଲା ଦଳ। ପୁଣେ ପିଚ୍‌ର ବ୍ୟବହାର ଓ ଟର୍ଣ୍ଣକୁ ଦେଖିଲେ ଭାରତ ସେଭଳି କିଛି କରିସ୍ମା କରିବା ଭଳି ବିଶ୍ବାସ ଆସୁନାହିଁ।

ନୂଆ ଇତିହାସ ସୃଷ୍ଟି ଦିଗରେ ଟମ୍ ଲଥ‌ାମ ସେନା ଅଗ୍ରସର
୧୨ ବର୍ଷ ପରେ ଭାରତର ପ୍ରଥମ ଘରୋଇ ଶୃଙ୍ଖଳା ପରାଜୟ ଆସନ୍ନ

ଶୁକ୍ରବାର ସକାଳେ ପ୍ରଥମ ବଲ୍‌ରୁ ହିଁ ଭାରତ ଆହ୍ବାନର ସମ୍ମୁଖୀନ ହୋଇଥିଲା। ପ୍ରଥମ ବଲ୍ ଆଶାଠାରୁ କମ୍‌ ଟର୍ଣ୍ଣ କରିଥିଲା, ଦ୍ବିତୀୟଟି ସିଧାସଳଖ ଗତି କରିଥିବା ବେଳେ ଅମ୍ପାୟରଙ୍କ କଲ୍‌ କାରଣରୁ ଶୁବମନ ଗିଲ୍ ବର୍ତିଯାଇଥିଲେ, ତୃତୀୟଟି ଏଜ୍ ନେଇ ବାହାରିଯାଇଥିଲା। କେବଳ ଟର୍ଣ୍ଣ ନୁହେଁ, ଦ୍ରୁତ ଟର୍ଣ୍ଣ ଏବଂ ପିଚ୍‌ର ବିବିଧତା ବ୍ୟାଟରଙ୍କ ପାଇଁ ଆହ୍ବାନ ଆଣିଥିଲା। ଭାରତ ନିକଟରେ ୯ ନମ୍ବର ପର୍ଯ୍ୟନ୍ତ ବ୍ୟାଟିଂ କ୍ଷମତା ଥିଲେ ମଧ୍ୟ ନ୍ୟୁଜିଲାଣ୍ଡ୍‌ ସ୍ପିନର୍‌ ସାଣ୍ଟନର୍‌ଙ୍କ ନେତୃତ୍ବରେ ଧୈର୍ଯ୍ୟ ଓ ବିଶ୍ବାସର ଚରମ ପରୀକ୍ଷା ନେଇଥିଲା। ସାଣ୍ଟନର୍‌ଙ୍କ ବୋଲିଂରେ ଭାରତୀୟ ବ୍ୟାଟର୍‌ ବୋଲ୍ଡ କିମ୍ବା ଏଲବିଡବ୍‌ଲ୍ୟୁ ହେବା ସାଧାରଣ କଥା ହୋଇଥିଲା। କେବଳ ସର୍ଫରାଜ ମିଡ୍‌ ଅଫ୍‌ରେ ରୁର୍କେକୁ କ୍ୟାଚ୍‌ ଦେଇ ଫେରିଥିଲେ। ବିରାଟ କୋହଲି ଏକ ଫୁଲ୍‌ଟସ୍‌ରେ ବୋଲ୍ଡ ହେବା, ସର୍ଫରାଜ ଓ ପନ୍ତ୍‌ ବଡ ସଟ୍ ଖେଳିବାକୁ ଯିବାବେଳେ ବିଦାୟ ନେବା ସେମାନଙ୍କ ଟେଷ୍ଟ୍ ମ୍ୟାଚ୍‌ ଚରିତ୍ରର ଅଭାବକୁ ଦର୍ଶାଇଥିଲା। ଗିଲ୍‌ଙ୍କଠାରୁ ଆରମ୍ଭ କରି ମାତ୍ର ୫୨ ରନ୍ ଭିତରେ ୬ ୱିକେଟ୍ ହରାଇ ଭାରତ ମଧ୍ୟାହ୍ନ ଭୋଜନ ପୂର୍ବରୁ ଆତ୍ମସମର୍ପଣ କରିଥିଲା। ବିରତି ପରେ କେବଳ ରବୀନ୍ଦ୍ର ଜାଡ଼େଜା (୪୬ ବଲ୍‌ରୁ ୩୮ ରନ୍) ଏବଂ ୱାସିଂଟନ୍ ସୁନ୍ଦର (୨୧ ବଲ୍‌ରୁ ୧୮* ରନ୍) କିଛି ଆକ୍ରମଣ କରି ଦଳକୁ ଦେଢ଼ଶହ ପାର କରାଇଥିଲେ।

ପ୍ରଥମ ପାଳିରେ ୧୦୩ ରନ୍ ଆଗୁଆ ପାଇବା ପରେ ନ୍ୟୁଜିଲାଣ୍ଡ୍‌ ପାଇଁ ଦ୍ବିତୀୟ ପାଳିରେ ଅଧିନାୟକ ଟମ୍ ଲଥାମଙ୍କ ୧୩୩ ବଲ୍‌ରୁ ୮୬ ରନ୍ ତାଙ୍କ ଦଳକୁ ସୁରକ୍ଷିତ ଅଗ୍ରଣୀ ଦେଇଛି। ପ୍ରଥମ ପାଳିରେ ୭ ୱିକେଟ୍ ନେବା ପରେ ୱାସିଂଟନ୍ ସୁନ୍ଦର ଦ୍ବିତୀୟ ପାଳିରେ ୪ ୱିକେଟ୍ ଦଖଲ କରି ପ୍ରତ୍ୟାବର୍ତ୍ତନ ଟେଷ୍ଟ୍‌କୁ ସ୍ମରଣୀୟ କରିଛନ୍ତି।

ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ ପ୍ରଥମ ପାଳି: ୨୫୯ (ଡେଭନ୍ କନୱେ ୭୬, ରାଚିନ ରବୀନ୍ଦ୍ର ୬୫, ମିଚେଲ ସାଣ୍ଟନର୍ ୩୩, ୱାସିଂଟନ୍ ସୁନ୍ଦର ୭/୫୯, ଆର୍‌ ଅଶ୍ବିନ ୩/୬୪)। ଭାରତ ପ୍ରଥମ ପାଳି: ୪୫.୩ ଓଭରରେ ୧୫୬/୧୦ (ରବୀନ୍ଦ୍ର ଜାଡ଼େଜା-୩୮, ଶୁବମନ ଗିଲ୍-୩୦, ଯଶସ୍ବୀ ଜୟସ୍ବାଲ-୩୦, ଋଷଭ ପନ୍ତ୍‌-୧୮, ୱାସିଂଟନ୍ ସୁନ୍ଦର-୧୮*, ମିଚେଲ୍ ସାଣ୍ଟନର୍‌-୭/୫୩, ଗ୍ଲେନ୍ ଫିଲିପ୍ସ-୨/୨୬, ଟିମ୍ ସାଉଦି-୧/୧୮)। ନ୍ୟୁଜିଲାଣ୍ଡ୍‌ ଦ୍ବିତୀୟ ପାଳି: ୫୩ ଓଭରରେ ୧୯୮/୫ (ଟମ୍ ଲଥାମ-୮୬, ଟମ୍ ବ୍ଳଣ୍ଡେଲ୍‌-୩୦*, ଗ୍ଲେନ୍ ଫିଲିପ୍ସ-୯*, ୱାସିଂଟନ୍ ସୁନ୍ଦର-୪/୫୬, ରବିଚନ୍ଦ୍ରନ ଅଶ୍ବିନ-୧/୬୪)।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.