Breaking News

ନ୍ୟୁ ଅର୍ଲିନ୍ସ ଆକ୍ରମଣକାରୀ ଆଇଏସ୍‌ ସମର୍ଥକ: ଆମେରିକୀୟ ସେନାରେ ୧୨ ବର୍ଷ କାମ କରିଥିଲା

ନିକଟରେ ହୋଇଥିବା ଆମେରିକାର ନ୍ୟୁ ଅର୍ଲିନ୍ସ ଆକ୍ରମଣରେ ମୃତ୍ୟୁସଂଖ୍ୟା ୧୫ ଛୁଇଁଥିବା ବେଳେ ପ୍ରାୟ ୩୦ ଜଣ ଆହତ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏହି ଆକ୍ରମଣର ସନ୍ଦିଗ୍ଧ ଆମେରିକାରେ ଜନ୍ମିତ ଜଣେ ସମ୍ମାନିତ ସେନା ଯବାନ...

ନ୍ୟୁ ଅର୍ଲିନ୍ସ,: ନିକଟରେ ହୋଇଥିବା ଆମେରିକାର ନ୍ୟୁ ଅର୍ଲିନ୍ସ ଆକ୍ରମଣରେ ମୃତ୍ୟୁସଂଖ୍ୟା ୧୫ ଛୁଇଁଥିବା ବେଳେ ପ୍ରାୟ ୩୦ ଜଣ ଆହତ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।  ଏହି ଆକ୍ରମଣର ସନ୍ଦିଗ୍ଧ ଆମେରିକାରେ ଜନ୍ମିତ ଜଣେ ସମ୍ମାନିତ ସେନା ଯବାନ, ଯିଏ କି ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ପଦକ ସମେତ ଏକ ଦାଗହୀନ ସେବା ରେକର୍ଡ ରଖିଥିଲା। ୪୨ ବର୍ଷୀୟ ଶାମସୁଦ୍ଦିନ ଜବ୍ବର ଏକ ଦଶନ୍ଧିରୁ ଅଧିକ ସମୟ ଧରି ସେନାରେ କାର୍ଯ୍ୟ କରିଥିଲା ଏବଂ ୨୦୦୯-୧୦ରୁ ଆଫଗାନିସ୍ତାନରେ ନିୟୋଜିତ ହୋଇଥିଲା। ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ସଂଗଠନ ଦ୍ବାରା ସେ ଅନୁପ୍ରାଣିତ ବୋଲି  ତଦନ୍ତରୁ ଜଣାପଡ଼ିଛି। ଏହି ବ୍ୟକ୍ତି ଜଣକ ହିଁ ନ୍ୟୁ ଅର୍ଲିନ୍ସରେ ନୂଆବର୍ଷ ପାଳନ କରୁଥିବା ଭିଡ଼ ଉପରେ ଟ୍ରକ୍‌ ଚଢ଼ାଇ ମୃତ୍ୟୁର ତାଣ୍ଡବ ରଚିଥିଲା। ପରେ ପୁଲିସ ସହ ଗୁଳି ବିନିମୟ ବେଳେ ଜବ୍ବର ନିହତ ହୋଇଥିଲା ତେବେ ତଦନ୍ତକାରୀଙ୍କୁ ଯାହା ଚକିତ କରିଛି ତାହା ହେଉଛି ଗାଡ଼ିରୁ ଇସ୍ଲାମିକ୍ ଷ୍ଟେଟ୍ ପତାକା ଓ ଆଇଇଡି ଜବତ ହେବା। ଏଫ୍‌ବିଆଇ କହିଛି ଯେ  ଏହି ଆକ୍ରମଣ ଏକ ଆତଙ୍କବାଦୀ କାଣ୍ଡ ବୋଲି ସ୍ପଷ୍ଟ ହୋଇଯାଇଛି।

ଆକ୍ରମଣକାରୀ ଜବ୍ବରର ଜୀବନ ଉପରେ ନଜର ପକାଇଲେ ଜଣାପଡ଼େ ଯେ ସେ ବୈବାହିକ କଳହ ଓ ଆର୍ଥିକ ସଙ୍କଟରେ ବୁଡ଼ି ରହିଥିଲା। ନିକଟରେ ତା’ର ସୋସିଆଲ ମିଡିଆ ପୋଷ୍ଟରେ ମଧ୍ୟ ନିଜର ମୁସଲମାନ ବିଶ୍ୱାସ ଓ କୁରାନ ବିଷୟରେ ଉଲ୍ଲେଖ କରିଥିଲା। ୪୨ ବର୍ଷୀୟ ଏହି ବ୍ୟକ୍ତିର ଦୁଇ ଥର ବିବାହ ହୋଇଥିଲା।   ପ୍ରଥମ ବିବାହ ୨୦୧୨ରେ ଶେଷ ହୋଇଥିବା ବେଳେ ଦ୍ୱିତୀୟ ବିବାହ ୨୦୨୨ରେ ଶେଷ ହୋଇଥିଲା। ଦ୍ୱିତୀୟ ବିବାହରୁ ଦୁଇଟି ସନ୍ତାନ ଅଛନ୍ତି। ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଜବ୍ବର ତା’ର ପୂର୍ବତନ ପତ୍ନୀଙ୍କ ଓକିଲଙ୍କୁ ଲେଖିଥିବା ଏକ ଇମେଲରେ ଉଲ୍ଲେଖ କରିଥିଲା ଯେ ସେ କ୍ରେଡିଟ୍ କାର୍ଡ ମାଧ୍ୟମରେ ୧୬,୦୦୦ ଡଲାରରୁ ଅଧିକ ଟଙ୍କା ଋଣ ନେଇଛି।

ଜବ୍ବର ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ଜର୍ଜିଆ ଷ୍ଟେଟ୍ ୟୁନିଭର୍ସିଟିକୁ ଯାଇ କମ୍ପ୍ୟୁଟର ସୂଚନା ପ୍ରଣାଳୀରେ ବିବିଏ ହାସଲ କରିଥିଲା। ୨୦୦୨ ଓ ୨୦୦୫ରେ ଦୁଇଟି ଛୋଟ ଛୋଟ ଅପରାଧରେ  ମାମଲା ରୁଜୁ ହେବା ବ୍ୟତୀତ  ଅନ୍ୟ କୌଣସି ଆପରାଧିକ ରେକର୍ଡ ନ ଥିଲା। ତା’ ପାଖରେ ଥିଲା ଏକ ଉତ୍ତମ ସାମରିକ କ୍ୟାରିୟର, ଯେଉଁଥିରୁ ସେ ଷ୍ଟାଫ୍ ସାର୍ଜେଣ୍ଟ ପଦବୀରେ ପହଞ୍ଚିବା ପରେ ଅବସର ନେଇଥିଲା। ସେ ମାର୍ଚ୍ଚ ୨୦୦୭ରୁ ଜାନୁଆରି ୨୦୧୫ ପର୍ଯ୍ୟନ୍ତ ମାନବ ସମ୍ବଳ ଓ ସୂଚନା ପ୍ରଯୁକ୍ତି ବିଶେଷଜ୍ଞ ଭାବରେ ସେନାରେ କାର୍ଯ୍ୟ କରିଥିଲା। ଏହାପରେ ସେ ଜୁଲାଇ ୨୦୨୦ ପର୍ଯ୍ୟନ୍ତ ଆଇଟି ବିଶେଷଜ୍ଞ ଭାବେ ଆର୍ମି ରିଜର୍ଭରେ ମଧ୍ୟ କାର୍ଯ୍ୟ କରିଥିଲା। ୨୦୦୯ ଫେବ୍ରୁଆରିରୁ ୨୦୧୦ ଜାନୁଆରି ମଧ୍ୟରେ ଏକ ବର୍ଷ ପାଇଁ ତାକୁ ଆଫଗାନିସ୍ତାନରେ ନିୟୋଜିତ କରାଯାଇଥିଲା। ୨୦୨୦-୨୦୨୪ ମଧ୍ୟରେ ଜବ୍ବର  ବିଷୟରେ ଅଧିକ କିଛି ଜଣାନାହିଁ। କେବଳ ସେ ରିଅଲ ଇଷ୍ଟେଟରେ କାମ କରୁଥିବା ତଦନ୍ତରୁ ଜଣାପଡ଼ିଛି। ଏନ୍‌ବିସି ନ୍ୟୁଜ ରିପୋର୍ଟ କରିଛି ଯେ ତା’ ରିଅଲ ଇଷ୍ଟେଟ ଲାଇସେନ୍ସର ଅବଧି ୨୦୨୩ରେ ଶେଷ ହୋଇଛି। ଜବ୍ବର ଯେଉଁ ଟ୍ରେଲର ପାର୍କରେ ରହୁଥିଲା ସେଠାରେ ଅଧିକାଂଶ ମୁସଲମାନ ପ୍ରବାସୀ ରହନ୍ତି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.