Breaking News

ପଞ୍ଚାୟତକୁ କ୍ଷମତା ଓ ଦାୟିତ୍ବ ହସ୍ତାନ୍ତର ସୂଚୀ: ତ୍ରୟୋଦଶ ସ୍ଥାନରେ ଓଡ଼ିଶା

ପଞ୍ଚାୟତକୁ କ୍ଷମତା ଓ ଦାୟିତ୍ବ ହସ୍ତାନ୍ତର କରିବା ଲାଗି କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଏକ ଉତ୍ତରଦାୟିତ୍ବ ଫ୍ରେମ୍‌ୱର୍କ ସ୍ଥାପନ କରିଛି। ସେଥିରେ ପଞ୍ଚାୟତକୁ କ୍ଷମତା ଓ ଦାୟିତ୍ବ ହସ୍ତାନ୍ତର...

ଭୁବନେଶ୍ବର: ପଞ୍ଚାୟତକୁ କ୍ଷମତା ଓ ଦାୟିତ୍ବ ହସ୍ତାନ୍ତର କରିବା ଲାଗି କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଏକ ଉତ୍ତରଦାୟିତ୍ବ ଫ୍ରେମ୍‌ୱର୍କ ସ୍ଥାପନ କରିଛି। ସେଥିରେ ପଞ୍ଚାୟତକୁ କ୍ଷମତା ଓ ଦାୟିତ୍ବ ହସ୍ତାନ୍ତର ସୂଚୀ ଆଧାରରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରଦର୍ଶନକୁ ରୢାଙ୍କ ପ୍ରଦାନ କରାଯାଉଛି। ୨୦୨୩-୨୪ ଆର୍ଥିକ ବର୍ଷର ସୂଚୀକୁ ଇଣ୍ଡିଆନ୍ ଇନ୍‌‌ଷ୍ଟିଚ୍ୟୁସନ୍ ଅଫ୍‌ ପବ୍ଲିକ୍ ଆଡ୍‌ମିନିଷ୍ଟ୍ରେସନ୍ (ଆଇଆଇପିଏ) ପ୍ରସ୍ତୁତ କରିଛି। ସେଥିରେ ଓଡ଼ିଶା ୧୨ଟି ରାଜ୍ୟଠାରୁ ପଛରେ ତ୍ରୟୋଦଶ ସ୍ଥାନରେ ରହିଛି। ଓଡ଼ିଶାର ସାମଗ୍ରିକ ସ୍କୋର ୫୦.୩ ରହିଛି ଯାହା ଶୀର୍ଷ ସ୍ଥାନ ହାସଲ କରିଥିବା କର୍ଣ୍ଣାଟକର ୭୨.୨୩ ପ୍ରତିଶତ ସ୍କୋର୍‌ଠାରୁ ଯଥେଷ୍ଟ କମ୍‌। ଓଡ଼ିଶାର ହସ୍ତାନ୍ତର ସୂଚୀ ‘ମଧ୍ୟମ’ ବର୍ଗରେ ରହିଛି, ଯେଉଁଥିରେ ଆନ୍ଧ୍ରପ୍ରଦେଶ, ହିମାଚଳପ୍ରଦେଶ ଓ ମଧ୍ୟପ୍ରଦେଶ ନାମ ରହିଛି।

ପଞ୍ଚାୟତ ହସ୍ତାନ୍ତର ସୂଚୀରେ ପ୍ରଥମ ପାଞ୍ଚଟି ସ୍ଥାନରେ କର୍ଣ୍ଣାଟକ, କେରଳ, ତାମିଲନାଡୁ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ରହିଛନ୍ତି। ବିଭିନ୍ନ ମାନଦଣ୍ଡରେ ରାଜ୍ୟଗୁଡ଼ିକୁ ଭିନ୍ନ ଭିନ୍ନ ସ୍କୋର୍‌ ମଧ୍ୟ ପ୍ର‌ଦାନ କରାଯାଇଛି। ଫ୍ରେମ୍‌ୱର୍କରେ ଓଡ଼ିଶା ୬୯.୨୦ ସ୍କୋର୍‌ ସହିତ ଷଷ୍ଠ ସ୍ଥାନରେ ରହିଛି। କାର୍ଯ୍ୟକାରିତାରେ ୫୭.୪୬ ପ୍ରତିଶତ ସ୍କୋର୍‌ ସହ ଓଡ଼ିଶା ତୃତୀୟ ସ୍ଥାନରେ ଥିବା ବେଳେ ଫାଇନାନ୍ସରେ ଏହାର ସ୍କୋର ହେଉଛି ୫୩.୫୭। ଫାଇନାନ୍ସରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି। କର୍ମକର୍ତ୍ତା ମାନଦଣ୍ଡରେ ଓଡ଼ିଶା ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରି ମାତ୍ର ୨୭.୪୨ ସ୍କୋର ହାସଲ କରିଛି। ଏଥିରେ ଏହା ୧୭ତମ ସ୍ଥାନରେ ରହିଛି। ଦକ୍ଷତା ଗଠନରେ ରାଜ୍ୟର ସ୍କୋର ୪୩.୪୩ ଥିବା ବେଳେ ଏହା ପଞ୍ଚଦଶ ସ୍ଥାନରେ ରହିଛି। ଉତ୍ତରଦାୟିତ୍ବ ମାନଦଣ୍ଡରେ ଓଡ଼ିଶା ଦଶମ ସ୍ଥାନରେ ଥିବା ବେଳେ ସ୍କୋର୍‌ ୫୧.୯୨ ରହିଛି।

ପଞ୍ଚାୟତ ହସ୍ତାନ୍ତର ସୂଚୀ ପ୍ରସ୍ତୁତ କରିବା ଲାଗି ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ନିର୍ବାଚନ, ପଞ୍ଚାୟତ ଅବଧି, ଭଙ୍ଗ ଓ ଉପ ନିର୍ବାଚନ, ଜିଲ୍ଲା ଯୋଜନା କମିଟି ଗଠନ, ପଞ୍ଚାୟତକୁ ସ୍ବାଧୀନତା, ପ୍ରମୁଖ ଯୋଜନାଗୁଡ଼ିକରେ ପଞ୍ଚାୟତର ସମ୍ପୃକ୍ତି, ପଞ୍ଚାୟତକୁ ପଞ୍ଚଦଶ ଅର୍ଥ ଆୟୋଗଙ୍କ ଅନୁଦାନ ଭଳି ବିଷୟ ବିଚାରକୁ ନିଆଯାଇଥିଲା। ଏଥି ସହିତ ପଞ୍ଚାୟତ ପାଖରେ ଥିବା ପାଣ୍ଠି, ବ୍ୟୟ, ପଞ୍ଚାୟତର ପ୍ରତ୍ୟକ୍ଷ ଭିତ୍ତିଭୂମି, ଇ-ସଂଯୋଗ, ଷ୍ଟାଫ୍‌, ତାଲିମ ଅନୁଷ୍ଠାନ, ତାଲିମ କାର୍ଯ୍ୟକଳାପ, ପଞ୍ଚାୟତର ଆକାଉଣ୍ଟିଂ ଓ ଅଡିଟ୍, ସୋସିଆଲ୍‌ ଅଡିଟ୍, ଗ୍ରାମ ସଭାର କାର୍ଯ୍ୟ ଏବଂ ଦୁର୍ନୀତି ନିବାବରଣ ଓ ସ୍ବଚ୍ଛତା ଆଦି ବିଷୟକୁ ମଧ୍ୟ ବିଚାରକୁ ନିଆଯାଇଥିଲା। ତେବେ ଆଇଆଇପିଏ ପ୍ରସ୍ତୁତ କରିଥିବା ସଦ୍ୟତମ ରିପୋର୍ଟରେ କୁହାଯାଇଛି ଯେ ୨୦୧୩-୧୪ରୁ ୨୦୨୧-୨୨ ମଧ୍ୟରେ ପଞ୍ଚାୟତକୁ ହସ୍ତାନ୍ତର ହାର ୩୯.୯ ପ୍ରତିଶତରୁ ବୃଦ୍ଧି ପାଇ ୪୩.୯ ପ୍ରତିଶତ ହୋଇଛି। ୨୦୧୮ରେ ଆରମ୍ଭ କରାଯାଇଥିବା ରାଷ୍ଟ୍ରୀୟ ଗ୍ରାମ ସ୍ବରାଜ ଯୋଜନା ପ୍ରଭାବରେ ଦକ୍ଷତା ଗଠନ ଉପାଦାନ ସୂଚୀ ୪୪ ପ୍ରତିଶତରୁ ବୃଦ୍ଧି ପାଇ ୫୪.୬ ପ୍ରତିଶତ ହୋଇଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.