Breaking News

ପଞ୍ଚୁଦୋଳ ପାଇଁ ଚଳଚଞ୍ଚଳ ଉପକଣ୍ଠ, ପଞ୍ଚୁପାଳରେ ରାଧା ଗୋବିନ୍ଦଙ୍କ ଦୋଳଯାତ୍ରା

ଫାଲଗୁନ୍ ଦଶମୀ ବା ଫଗୁ ଦଶମୀରୁ ରାଜଧାନୀ ଉପକଣ୍ଠରେ ଆରମ୍ଭ ହୋଇଛି ଦୋଳୋତ୍ସବ। ଏକ ଭାଇଚାରାର ପର୍ବ ହୋଇଥିବାରୁ ଏଥିପାଇଁ ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି। ଶ୍ୟାମପୁର ଠାରୁ ଏହି ଦୋଳଯାତ୍ରା ବା ପଞ୍ଚୁଦୋଳ ଆରମ୍ଭ ହୋଇଥାଏ।

ମେଣ୍ଢାଶାଳ: ଫାଲଗୁନ୍ ଦଶମୀ ବା ଫଗୁ ଦଶମୀରୁ ରାଜଧାନୀ ଉପକଣ୍ଠରେ ଆରମ୍ଭ ହୋଇଛି ଦୋଳୋତ୍ସବ। ଏକ ଭାଇଚାରାର ପର୍ବ ହୋଇଥିବାରୁ ଏଥିପାଇଁ ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି। ଶ୍ୟାମପୁର ଠାରୁ ଏହି ଦୋଳଯାତ୍ରା ବା ପଞ୍ଚୁଦୋଳ ଆରମ୍ଭ ହୋଇଥାଏ। ଦୋଳ ମଣ୍ଡପରୁ ଆରମ୍ଭ କରି ଯାତ୍ରା ପଡ଼ିଆ ସଫାକରି ସୁସଜ୍ଜିତ କରାଯାଇଥାଏ। ପ୍ରତ୍ୟେକ ଗ୍ରାମର ଥାନପତି ସୁସଜ୍ଜିତ ବିମାନରେ ଆସି ଏକାଠି ହୋଇ ଦୋଳ ମଣ୍ଡପ ଚତୁଃପାର୍ଶ୍ବରେ ବସିଥାନ୍ତି।

ରବିବାର ଶ୍ୟାମପୁରର ଥାନପତି ରାଧାକୃଷ୍ଣ, ଗୋପାଳଜିଉ, ଶ୍ରୀଶ୍ରୀ ସିଦ୍ଧେଶ୍ବର ମହାଦେବଙ୍କୁ ସୁସଜ୍ଜିତ ବିମାନରେ ଗ୍ରାମ ପରିକ୍ରମ କରାଯାଇ ବିଳମ୍ବିତ ରାତିରେ ଦୋଳ ମଣ୍ଡପରେ ବିରାଜମାନ କରାଯାଇଛି। ଆସନ୍ତା କାଲି ସେଠାରେ ହରିହର ଭେଟ ହେବ। ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବତା ଶ୍ରୀଶ୍ରୀ ବାଲୁଙ୍କେଶ୍ୱରଙ୍କ ଚଳନ୍ତି ପ୍ରତିମା ଶ୍ରୀଶ୍ରୀ ଚନ୍ଦ୍ରଶେଖର ଆସନ୍ତାକାଲି ଠାରୁ ଚାଚେରୀ ଭୋଗ ଲାଗି ପାଇଁ ପ୍ରଥମେ ଗିରିଙ୍ଗାପୁଟ ଯିବେ। ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ମେଣ୍ଢାଶାଳ ଓ ହରିପୁର ମୌଜାରେ ଚାଚେରୀ ଭୋଗ ଲାଗି ସାରି ୧୯ ତାରିଖରେ ପଞ୍ଚୁଦୋଳ ଜମାଣ ହୋଇ ଦୋଳ ମଣ୍ଡପରେ ବିରାଜମାନ କରିବେ। ଛତାବର ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ବୁଦ୍ଧେଶ୍ୱର ମହାଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀଚନ୍ଦ୍ରଶେଖର ଦୋଳଯାତ୍ରା ପାଇଁ ଯାତ୍ରା ପଡ଼ିଆରୁ ଦୋଳ ମଣ୍ଡପକୁ ବିଜେ କରିବେ। ଏଥିପାଇଁ ବୁଦ୍ଧେଶ୍ୱର ମହାଦେବଙ୍କ ମନ୍ଦିରକୁ ଫୁଲ ଓ ରଙ୍ଗିନ ଆଲୋକରେ ସୁସଜ୍ଜିତ କରାଯାଇଛି। ହୋଲି ଉତ୍ସବ ଠାରୁ ସେଠାରେ ଦୋଳଯାତ୍ରା ଆରମ୍ଭ ହେବ ବୋଲି ଛତାବର ଗ୍ରାମ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ପଞ୍ଚଦୋଳ ଅବସରରେ ରାଜଧାନୀ ଉପକଣ୍ଠ‌ର ବିଭିନ୍ନ ଗ୍ରାମରେ ଅପେରା ପାର୍ଟି ପଡ଼ିଛି। ଏହା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଉପକଣ୍ଠର ଗ୍ରାମ କମିଟିମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ପଞ୍ଚୁପାଳରେ ରାଧା ଗୋବିନ୍ଦଙ୍କ ଦୋଳଯାତ୍ରା
ବାରଙ୍ଗ: ପଞ୍ଚୁପାଳ ଗ୍ରାମସ୍ଥିତ ରାଧା ଗୋବିନ୍ଦଙ୍କ ଦୋଳଯାତ୍ରା ଆରମ୍ଭ ହୋଇଛି। ପରମ୍ପରା ଅନୁସାର ଫାଲଗୁନ୍‌ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ରାଧା ଗୋବିନ୍ଦଙ୍କ ଚଳନ୍ତି ପ୍ରତିମା ବିମାନ ବିଜେ କରିଥାନ୍ତି। ଦିଅଁ ବିମାନ ବିଜେ ହୋଇ ଗାଁ ଦାଣ୍ଡରେ ପୂଜା ପାଇବା ସହ ଭକ୍ତଙ୍କ ଗହଣରେ ରଙ୍ଗ ଅବିର ଖେଳିଥିଲେ। ଗୋପାଳଙ୍କ ଲହୁଡ଼ି ଖେଳ ସହିତ ପାରମ୍ପରିକ ବାଦ୍ୟରେ ଗାଁ ପରିକ୍ରମା କରି ଘର ଘର ବୁଲି ଭୋଗ ଖାଇଥିଲେ। ଦ୍ୱାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଆଖପାଖ ୫ ମୌଜାର ପ୍ରତି ଗାଁ ବୁଲି ଭୋଗ ଖାଇବେ। ଥକି ଯାଇଥିବାରୁ ପୂର୍ଣ୍ଣମୀ ଦିନ ପଞ୍ଚୁପାଳ ଦୋଳ ମଣ୍ଡପ ଝୁଲଣ ବେଦିରେ ବିଜେ ହୋଇ ଭକ୍ତ ଗହଣରେ ଝୁଲି ବିଶ୍ରାମ ନେବେ। ସନ୍ଧ୍ୟାରେ ପୂଜାର୍ଚ୍ଚନା କରାଯାଇ ନୂଆ ଆମ୍ବ, ଚଣା ଆଦି ଭୋଗ ଖାଇବେ। ଶେଷରେ ନୂଆ ପାଞ୍ଜି ପଢ଼ାଯିବା ପରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ ଆଶିଷ ପ୍ରଦାନ କରି ମେଲାଣି ନେବେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.