Breaking News

ପଟିଦାର ଆର୍‌ସିବି ଅଧିନାୟକ

ଆଗାମୀ ଆଇପିଏଲ୍‌ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ରଜତ ପଟିଦାରଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି। ଏହି ୩୧ ବର୍ଷୀୟ ବ୍ୟାଟର୍‌ ୨୦୨୨ରୁ ଦଳର ‌ଜଣେ ପ୍ରମୁଖ ସଦସ୍ୟ ରହିଛନ୍ତି।

ବେଙ୍ଗାଲୁରୁ: ଆଗାମୀ ଆଇପିଏଲ୍‌ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ରଜତ ପଟିଦାରଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି। ଏହି ୩୧ ବର୍ଷୀୟ ବ୍ୟାଟର୍‌ ୨୦୨୨ରୁ ଦଳର ‌ଜଣେ ପ୍ରମୁଖ ସଦସ୍ୟ ରହିଛନ୍ତି। ପଟିଦାର ପ୍ରଥମ ଥର ଲାଗି ୨୦୨୧ରେ ଆର୍‌ସିବିରେ ଯୋଗ ଦେଇଥିଲେ। ୨୦୨୨ରେ ବଦଳ ଖେଳାଳି ଭାବେ ପୁଣିଥରେ ଦଳକୁ ଫେରିଥିଲେ। ପ୍ରତ୍ୟାବର୍ତ୍ତନରେ ହିଁ ସେ ନିଜର ଚମକ ଛାଡ଼ିଥିଲେ। ସେହିବର୍ଷ ୧୨ ମ୍ୟାଚ୍‌ ଖେଳି ୧୫୨.୭୫ ଷ୍ଟ୍ରାଇକ୍‌ରେଟ୍‌ରେ ୩୩୩ ରନ୍‌ କରିଥିଲେ। ଏଥିରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ବିପକ୍ଷ ଏଲିମିନେଟର୍‌ରେ ମାରିଥିବା ୫୪ ବଲ୍‌ରୁ ୧୧୨* ରନ୍‌ ରହିଛି। ଫ୍ରାଞ୍ଚାଇଜ୍‌ ପାଇଁ ‌ପଟିଦାର ୨୭ ମ୍ୟାଚ୍‌ ଖେଳି ‌ଗୋଟିଏ ଶତକ ଓ ୭ ଅର୍ଦ୍ଧଶତକ କରିଛନ୍ତି। ବଡ଼ ନିଲାମ ପୂର୍ବରୁ ତାରକା ଖେଳାଳି ବିରାଟ କୋହଲିଙ୍କ ସହ ପଟିଦାର ଓ ୟଶ୍‌ ଦୟାଲଙ୍କୁ ରିଟେନ୍‌ ରଖିଥିଲା ଆର୍‌ସିବି। କୋହଲିଙ୍କୁ ୨୧ କୋଟି, ପଟିଦାରଙ୍କୁ ୧୧ କୋଟି ଏବଂ ଦୟାଲଙ୍କୁ ୫ କୋଟି ଦେବାକୁ ଚୁକ୍ତି କରିଥିଲା।

ପଟିଦାରଙ୍କ ନେତୃତ୍ବରେ ଗତବର୍ଷ ମଧ୍ୟପ୍ରଦେଶ ସୟଦ ମୁସ୍ତାକ ଅଲୀ ଟ୍ରଫି ଫାଇନାଲ୍‌ରେ ପହଞ୍ଚିଥିଲା ଏବଂ ମୁମ୍ବାଇଠୁ ହାରି ଉପବିଜେତା ହୋଇଥିଲା। ସେ ଏହି ପ୍ରତିଯୋଗିତାରେ ୯ ମ୍ୟାଚ୍‌ ଖେଳି ୪୨୮ ରନ୍‌ କରିବା ସହ ପ୍ରତିଯୋଗିତାର ସର୍ବାଧିକ ରନ୍‌ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଥିଲେ। ରାହୁଲ ଦ୍ରାବିଡ଼, ଡାନିଏଲ ଭିଟୋରି, ସେନ୍‌ ୱାଟ୍‌ସନ୍‌, କୋହଲି, ଫାଫ୍‌ ଡୁପ୍ଲେସିସ୍‌, ସେନ୍‌ ୱାଟ୍‌ସନ୍‌ ଓ ଅନିଲ କୁମ୍ବଲେଙ୍କ ପରେ ପଟିଦାର ଆର୍‌ସିବିର ସପ୍ତମ ଅଧିନାୟକ ହୋଇଛନ୍ତି। ଗୁରୁବାର ଏକ ଉତ୍ସବରେ ପଟିଦାରଙ୍କୁ ଅଧିନାୟକ କ୍ୟାପ୍‌ ପ୍ରଦାନ କରିଥିଲେ ଫ୍ରାଞ୍ଚାଇଜ୍‌ ସିଓଓ ରାଜେଶ ମେନନ। ଏହି ଉତ୍ସବରେ ମୁଖ୍ୟପ୍ରଶିକ୍ଷକ ଆଣ୍ଡି ଫ୍ଲାୱର ଓ ଆର୍‌ସିବି କ୍ରିକେଟ୍‌ ନିର୍ଦେଶକ ମୋ ବୋବାତ ଉପସ୍ଥିତ ଥିଲେ। ପଟିଦାରଙ୍କ ନିଯୁକ୍ତି ପରେ ମେନନ୍‌ କହିଛନ୍ତି ଯେ ‘‘ଏହା ଆର୍‌ସିବି ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଥିଲା। ଆମ ପାଖରେ ଅନେକ କିଂବଦନ୍ତି ଅଛନ୍ତି। ତେଣୁ ଏଭଳି ନିଷ୍ପତ୍ତି ସହଜ ନଥିଲା। ଅନେକ ବିଚାରବିମର୍ଷ ପରେ ଆମେ ଆଗାମୀ କିଛି ବର୍ଷକୁ ନଜରରେ ରଖି ଫ୍ରାଞ୍ଚାଇଜ୍‌ ପାଇଁ ଯାହା ଭଲ ହେବ ସେଭଳି ନିଷ୍ପତ୍ତି ନେଇଛୁ’’।

ଅଭିନନ୍ଦନ ଜଣାଇଲେ କୋହଲି
ପୂର୍ବତନ ଆର୍‌ସିବି ଅଧିନାୟକ ତଥା କିଂବଦନ୍ତି ବିରାଟ କୋହଲି ନୂଆ ଅଧିନାୟକଙ୍କୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ‘‘ରଜତ ମୁଁ ପ୍ରଥମେ ତୁମକୁ ଅଭିନନ୍ଦନ ଜଣାଇବି, ତୁମକୁ ବହୁତ ବହୁତ ଶୁଭେଚ୍ଛା। ତୁମେ ଏହି ଫ୍ରାଞ୍ଚାଇଜ୍‌ରେ ଯେମିତି ବଢ଼ିଛ, ପ୍ରଦର୍ଶନ କରିଛ ଏବଂ ପ୍ରକୃତରେ ସାରା ଭାରତରେ ଥିବା ସମସ୍ତ ଆର୍‌ସବି ପ୍ରଶଂସକଙ୍କ ହୃଦୟରେ ସ୍ଥାନ ନେଇଛ। ‌ସମସ୍ତେ ତୁମ ଖେଳ ଦେଖିବାକୁ ଉତ୍ସାହର ସହ ଚାହିଁ ରହିଛନ୍ତି। ମୁଁ ଓ ଦଳର ଅନ୍ୟସମସ୍ତ ସଦସ୍ୟ ତୁମ ପଛରେ ଅଛୁ। ଆମମାନଙ୍କ ସହଯୋଗରେ ତୁମ କାର୍ଯ୍ୟ ଠିକ୍‌ରେ ତୁଲାଅ। ତୁମେ ଏହି ପଦ ପାଇଁ ଯୋଗ୍ୟ ଏବଂ ନିଶ୍ଚିତ ଯେ ତୁମେ ଆହୁରି ଶକ୍ତିଶାଳୀ ହେବ। ମୁଁ ସମସ୍ତ ପ୍ରଶଂସକଙ୍କୁ ଅନୁରୋଧ କରୁଛି କି ସମସ୍ତେ ତାଙ୍କୁ ପୂର୍ଣ୍ଣ ସମର୍ଥନ କର। ସେ ଫ୍ରାଞ୍ଚାଇଜ୍‌ ପାଇଁ ଶ୍ରେଷ୍ଠ’’।

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.