ପଦ୍ମପାଣିବିହାର ରାସ୍ତା ଦୂରବସ୍ଥା ନେଇ ସାଂସଦଙ୍କୁ ଅଭିଯୋଗ

ଭୁବନେଶ୍ବର: ନୀଳାଦ୍ରିବିହାର ଏଡବ୍ଲୁଏଚ୍‌ଓ କଲୋନି ଓ ପଦ୍ମପାଣି ବିହାର ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ନୀଳାଦ୍ରିବିହାର ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ରାସ୍ତା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାସ୍ତା ଦୁରାବସ୍ଥା ନେଇ ସ୍ଥାନୀୟ ବାସିନ୍ଦା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଏଡବ୍ଲୁଏଚ୍‌ଓ କଲୋନି ଓ ପଦ୍ମପାଣି ବିହାର କଲୋନିରେ ଶତାଧିକ ବରିଷ୍ଠ ସେନାଧିକାରୀ, ଯୁଦ୍ଧ ଲଢ଼ିଥିବା ସୈନିକ, ସେମାନଙ୍କ ପରିବାର ଓ ବରିଷ୍ଠ ନାଗରିକ ବସବାସ କରୁଛନ୍ତି।

ଏହି ଅଞ୍ଚଳରେ ଥିବା ନୀଳାଦ୍ରିବାହାର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସେମାନେ ଚିକିତ୍ସା ପାଇଁ ନିର୍ଭର କରିଥାଆନ୍ତି। ହେଲେ, ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ରାସ୍ତା ଅତ୍ୟନ୍ତ ଖରାପ ହୋଇଥିବାରୁ ଏହି ବରିଷ୍ଠ ନାଗରିକମାନେ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ଦୂରରେ ଗାଡ଼ି ରଖି ଚାଲିଚାଲି ଭିତରକୁ ଯାଇଥାଆନ୍ତି। ବହୁଦିନ ଧରି ରାସ୍ତା ଅବସ୍ଥା ଖରାପ ହୋଇଥିଲେ ବି ସେଥିପ୍ରତି ପୌର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ୁନାହିଁ। ଫଳରେ ସ୍ଥାନୀୟ ବାସିନ୍ଦା ଏହାର ମରାମତି ପାଇଁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟୁଇଟ୍ କରି ଅଭିଯୋଗ କରିବା ସହ ପଦକ୍ଷେପ ପାଇଁ ନିବେଦନ କରିଛନ୍ତି। ଏ ସମ୍ପର୍କରେ ସେମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଭୁବନେଶ୍ବର ପୌର ନିଗମ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ମଧ୍ୟ ଅବଗତ କରାଇ ପଦକ୍ଷେପ ପାଇଁ ନିବେଦନ କରିଛନ୍ତି।

ସୌଜନ୍ୟ – ସମ୍ବାଦ

Related Articles

Back to top button