Breaking News

ପପ୍‌କର୍ନ ପ୍ରହେଳିକା

ଉଦାହରଣ ସ୍ବରୂପ ‘ମାରିକୋ’ କଂପାନିର ଲୋକପ୍ରିୟ ନଡ଼ିଆ ତେଲ ‘ପାରାସ୍ୟୁଟ୍’ ହେଉଛି ରନ୍ଧନ ଉପଯୋଗୀ ନଡ଼ିଆ ତେଲ କି ଏହା ହେଉଛି ଏକ କେଶ ତୈଳ, ସେ ନେଇ ଟିକସ କର୍ତ୍ତୃପକ୍ଷ ଓ କଂପାନି ମଧ୍ୟରେ ଟଣାଭିଡ଼ା ଚାଲିବା ଦେଖାଯାଇଛି।

ଉଦାହରଣ ସ୍ବରୂପ ‘ମାରିକୋ’ କଂପାନିର ଲୋକପ୍ରିୟ ନଡ଼ିଆ ତେଲ ‘ପାରାସ୍ୟୁଟ୍’ ହେଉଛି ରନ୍ଧନ ଉପଯୋଗୀ ନଡ଼ିଆ ତେଲ କି ଏହା ହେଉଛି ଏକ କେଶ ତୈଳ, ସେ ନେଇ ଟିକସ କର୍ତ୍ତୃପକ୍ଷ ଓ କଂପାନି ମଧ୍ୟରେ ଟଣାଭିଡ଼ା ଚାଲିବା ଦେଖାଯାଇଛି। ସେଇଭଳି ‘କିଟ୍‌କ୍ୟାଟ୍’ ହେଉଛି ବିସ୍କୁଟ କି ଚକୋଲେଟ୍, ତାହା ଏହାର ଉତ୍ପାଦନକାରୀ ‘ନେସ୍‌ଲେ’ କଂପାନି ଓ ‘ଜିଏସ୍‌ଟି’ ଆଦାୟକାରୀମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଛି। ସେଇ ଧାରାରେ ଅନ୍ୟ ଏକ ଅସମାହିତ ପ୍ରଶ୍ନ ହେଉଛି- ‘ଡାବର୍’ କଂପାନି ଦ୍ବାରା ପ୍ରସ୍ତୁତ ‘ଲାଲ୍‌ ଦନ୍ତ ମଞ୍ଜନ’ ହେଉଛି ଏକ ଟୁଥ୍‌ପେଷ୍ଟ ନା ‌ଔଷଧୀୟ ଦ୍ରବ୍ୟ?

‘ଜିଏସ୍‌ଟି’ର ସଂପୂର୍ଣ୍ଣ ନାମ ‘ଗୁଡ୍‌ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍‌ସ’ (‘ଦ୍ରବ୍ୟ ଓ ସେବା କର’) ହୋଇଥିଲେ ହେଁ ଦେଶରେ ପରୋକ୍ଷ‌ କର ବ୍ୟବସ୍ଥାରେ ସଂସ୍କାର ଘଟାଇ ତାହାକୁ ଅଧିକ ଦକ୍ଷ ଓ ସରଳ କରିବା ଉଦ୍ଦେଶ୍ୟରେ ଏହାର ପ୍ରବର୍ତ୍ତନ କରାଯାଇଥିବାରୁ ମନ୍ତବ୍ୟକାରମାନେ ଅନେକ ସମୟରେ ଏହାକୁ ‘ଗୁଡ୍ ଆଣ୍ଡ୍ ସିମ୍ପ୍‌ଲ ଟ୍ୟାକ୍‌ସ’ (‘ଉତ୍ତମ ଓ ସରଳ କର’) ରୂପେ ଅଭିହିତ କରିଥା’ନ୍ତି। ଅବଶ୍ୟ ଏହା ଏକ ନିରୀହ ନାମ ପରିବର୍ତ୍ତନ ‌ଉଦ୍ୟମ ହୋଇନଥାଏ। ଅଧିକାଂଶ ସମୟରେ ଏହା ମାଧ୍ୟମରେ ସେମାନେ ପ୍ରଦର୍ଶିତ କରିବାକୁ ଚେଷ୍ଟା କରିଥା’ନ୍ତି ଯେ ସରକାର ପ୍ରବର୍ତ୍ତନ କରିଥିବା ‘ଜିଏସ୍‌ଟି’ ଏପରି ଏକ ଆଦର୍ଶ ନାମ ବହନ କରୁଥିଲେ ହେଁ, ବାସ୍ତବରେ ଯାହା ଦେଖାଯାଉଛି, ତାହା ଉତ୍ତମ ନୁହେଁ କିମ୍ବା ସରଳ ନୁହେଁ।
ଏହାର ପ୍ରମାଣ ସ୍ବରୂପ ପ୍ରଦାନ କରାଯାଉଥିବା ଅନେକ ଉଦାହରଣମାନ ମଧ୍ୟରୁ ଏକ ବିଶେଷ ଆମୋଦଦାୟକ ଉଦାହରଣ ଗତ ସେପ୍‌ଟେମ୍ବରରେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହେବା ଦେଖାଯାଇଥିଲା। ତାମିଲନାଡୁର କୋଇମ୍ବାଟୁର ଠାରେ କେନ୍ଦ୍ର ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ଏକ ବ୍ୟବସାୟୀ ଗୋଷ୍ଠୀ ଆଲୋଚନା କରୁଥିବା ସମୟରେ ‘ଅନ୍ନପୂର୍ଣ୍ଣା ହୋଟେଲ୍‌ସ’ ନାମକ ଏକ ପ୍ରତିଷ୍ଠିତ ହୋଟେଲ ଚେନ୍‌ର ମାଲିକ ଶ୍ରୀନିବାସନ୍ ‘ଜିଏସ୍‌ଟି’ ସମ୍ବନ୍ଧରେ ଉଠାଇଥିବା ଅଭିଯୋଗ ଥିଲା ଏହି ରୋଚକ ଝଡ଼ର କେନ୍ଦ୍ରବିନ୍ଦୁ। ଉପସ୍ଥିତ ଉଦ୍ୟୋଗୀମାନଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରି ଶ୍ରୀନିବାସନ୍ ବିତ୍ତ ମନ୍ତ୍ରୀଙ୍କୁ ଜଣାଇଥିଲେ ଯେ କ୍ରିମ୍ ଭର୍ତ୍ତି ହୋଇଥିବା ‘ବନ୍’ ଉପରେ ୧୮ ଶତାଂଶ ହାରରେ ‘ଜିଏସ୍‌ଟି’ ଲାଗୁ ହେଉଥିବା ବେଳେ ଖାଲି ‘ବନ୍’ ପ୍ରତି ଆଦୌ ‘ଜିଏସ୍‌ଟି’ ଲାଗୁ ହେଉନାହିଁ। ଗ୍ରାହକମାନେ ତେଣୁ ଟିକସ ବୋଝରୁ ରକ୍ଷା ପାଇବା ପାଇଁ ‘ବନ୍’ ଓ କ୍ରିମ୍ ଅଲଗା ଅଲଗା ମଗାଇ ନିଜେ ‘ବନ୍’ରେ କ୍ରିମ୍ ବୋଳିଦେଇ ଖାଉଛନ୍ତି।
ଶ୍ରୀନିବାସ ଦର୍ଶାଇବାକୁ ଚାହିଁଥିଲେ ଯେ ଗୋଟିଏ ପଦାର୍ଥର ଭିନ୍ନ ଭିନ୍ନ ଅଂଶ ଉପରେ ଭିନ୍ନ ଭିନ୍ନ ହାରରେ ଟିକସ କିପରି ‘ଜିଏସ୍‌ଟି’କୁ ଜଟିଳ କରିବା ସହିତ ହାସ୍ୟାସ୍ପଦ ପରିସ୍ଥିତି ମଧ୍ୟ ସୃଷ୍ଟି କରିଥାଏ। ଏହା ପରେ ସେ ବିତ୍ତ ମନ୍ତ୍ରୀଙ୍କୁ ନିଜର ଧୃଷ୍ଟତା ପାଇଁ କ୍ଷମା ପ୍ରାର୍ଥନା କରିବାକୁ ବାଧ୍ୟ କରିବା ଘଟଣାଟି ସେ ସମୟରେ ଶାସକ ଦଳ ଭାରତୀୟ ଜନତା ପାର୍ଟି ଓ ବିରୋଧୀ କଂଗ୍ରେସ ଦଳ ମଧ୍ୟରେ ଏକ ବାକ୍‌ଯୁଦ୍ଧର ସୂତ୍ରପାତ କରିଥିଲା।
କୋଇମ୍ବାଟୁର ଘଟଣା ଏହି ରାଜନୈତିକ ଲଢ଼େଇ ଯୋଗୁଁ ବିଶେଷ ଭାବରେ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଏପରି ଅଡୁଆ ‘ଜିଏସ୍‌ଟି’ ପାଇଁ କିଛି ନୂଆ ନୁହେଁ। ଉଦାହରଣ ସ୍ବରୂପ ‘ମାରିକୋ’ କଂପାନିର ଲୋକପ୍ରିୟ ନଡ଼ିଆ ତେଲ ‘ପାରାସ୍ୟୁଟ୍’ ହେଉଛି ରନ୍ଧନ ଉପଯୋଗୀ ନଡ଼ିଆ ତେଲ କି ଏହା ହେଉଛି ଏକ କେଶ ତୈଳ, ସେ ନେଇ ଟିକସ କର୍ତ୍ତୃପକ୍ଷ ଓ କଂପାନି ମଧ୍ୟରେ ଟଣାଭିଡ଼ା ଚାଲିବା ଦେଖାଯାଇଛି। ସେଇଭଳି ‘କିଟ୍‌କ୍ୟାଟ୍’ ହେଉଛି ବିସ୍କୁଟ କି ଚକୋଲେଟ୍, ତାହା ଏହାର ଉତ୍ପାଦନକାରୀ ‘ନେସ୍‌ଲେ’ କଂପାନି ଓ ‘ଜିଏସ୍‌ଟି’ ଆଦାୟକାରୀମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଛି। ସେଇ ଧାରାରେ ଅନ୍ୟ ଏକ ଅସମାହିତ ପ୍ରଶ୍ନ ହେଉଛି- ‘ଡାବର୍’ କଂପାନି ଦ୍ବାରା ପ୍ରସ୍ତୁତ ‘ଲାଲ୍‌ ଦନ୍ତ ମଞ୍ଜନ’ ହେଉଛି ଏକ ଟୁଥ୍‌ପେଷ୍ଟ ନା ‌ଔଷଧୀୟ ଦ୍ରବ୍ୟ?
ଗତ ସପ୍ତାହରେ ଅନୁଷ୍ଠିତ ‘ଜିଏସ୍‌ଟି’ର ସର୍ବୋଚ୍ଚ ନୀତିନିର୍ଦ୍ଧାରଣକାରୀ ସଂସ୍ଥା ‘ଜିଏସ୍‌ଟି କାଉନ୍‌ସିଲ୍’ର ୫୫ତମ ବୈଠକରେ ଗୃହୀତ କେତେକ ନିଷ୍ପତ୍ତି ଉପରେ ଦୃଷ୍ଟିପାତ କଲେ ଯେଉଁ ଧାରଣା ସୃଷ୍ଟି ହୁଏ, ତାହା ହେଲା, ସତେ ଯେମିତି ଏହି ସଂସ୍ଥା ‘ଜିଏସ୍‌ଟି’ର ଏଭଳି ଡନ୍ କ୍ବିକ୍‌ସୋଟ୍ (ଡନ୍‌ କହୋଟି)ସୁଲଭ ଆଚରଣରେ ପୂର୍ଣ୍ଣଚ୍ଛେଦ ପକାଇବା ପରିବର୍ତ୍ତେ, ସାଧାରଣ ପର୍ଯ୍ୟବେକ୍ଷକମାନଙ୍କର ମନୋରଞ୍ଜନ ପାଇଁ ଓ ସମାଲୋଚକମାନଙ୍କୁ ଖୋରାକ ଯୋଗାଇବା ପାଇଁ ତାହାର ଉପରୋକ୍ତ ଚରିତ୍ରକୁ ବଳବତ୍ତର ରଖିବା ପାଇଁ ବଦ୍ଧପରିକର। ଏହାର ଏକ ଉଦାହରଣ ସ୍ବରୂପ ମକା ମଞ୍ଜିରୁ ପ୍ରସ୍ତୁତ ଲୋକପ୍ରିୟ ହାଲୁକା ଖାଦ୍ୟ ପପ୍‌କର୍ନ ବର୍ତ୍ତମାନ ଯେଉଁଭଳି ତିନି ଗୋଟି ‘ଜିଏସ୍‌ଟି’ ହାରର ସମ୍ମୁଖୀନ, ତାହା ଶ୍ରୀନିବାସଙ୍କର ସେଇ ଉଦ୍ଭଟ ଅନୁଭୂତିକୁ ପୁନରୁଜ୍ଜୀବିତ କରିଥାଏ। ଲୁଣ ଓ ମସଲାଗୁଣ୍ଡ ସହିତ ଖୋଲାରେ ବିକ୍ରି ହେଉଥିବା ପପ୍‌କର୍ନ ଉପରେ ୫ ପ୍ରତିଶତ ହାରରେ ‘ଜିଏସ୍‌ଟି’ ଲାଗୁ ହେଉଥିବା ବେଳେ ପୂର୍ବରୁ ପ୍ୟାକେଟରେ ଭର୍ତ୍ତି କରାଯାଇ ବିକ୍ରି କରାଯାଉଥିବା ସେଇ ପପ୍‌କର୍ନ ଉପରେ ୧୨ ପ୍ରତିଶତ ହାରରେ ‘ଜିଏସ୍‌ଟି’ ଆଦାୟ କରାଯିବ। ସେଇ ପପ୍‌କର୍ନକୁ ଯଦି କାରାମେଲ୍ ଆସ୍ତରଣ ଦିଆଯାଇ ତା’ର ସ୍ବାଦକୁ ସୁମିଷ୍ଟ କରିଦିଆଯାଏ, ତା’ହେଲେ ସେଥିପ୍ରତି ଲାଗୁ ହେଉଥିବା ‘ଜିଏସ୍‌ଟି’ ହାରରେ ଆହୁରି ତୀକ୍ଷ୍‌ଣ ବୃଦ୍ଧି ଘଟି ତାହା ହୋଇଯାଇଥାଏ ୧୮ ପ୍ରତିଶତ। ଭାଗ୍ୟ ଭଲ, ଯେଉଁ ପପ୍‌କର୍ନକୁ ଅଧିକ ଆକର୍ଷଣୀୟ କରିବା ପାଇଁ ତା’ ଉପରେ ସ୍ପ୍ରିଙ୍କଲ କରାଯାଇଥାଏ, ସେଥିଯୋଗୁଁ ତା’ ଉପରେ ଲାଗୁ ହେଉଥିବା ‘ଜିଏସ୍‌ଟି’ ହାର ସର୍ବୋଚ୍ଚ ୨୮ ପ୍ରତିଶତକୁ ବୃଦ୍ଧି ପାଇ ନଥାଏ!
କେନ୍ଦ୍ର ଓ ରାଜ୍ୟମାନଙ୍କର ବିତ୍ତ ମନ୍ତ୍ରୀମାନଙ୍କୁ ନେଇ ଗଠିତ ‘ଜିଏସ୍‌ଟି କାଉନ୍‌ସିଲ୍’ ଏଭଳି ଅସ୍ବାଭାବିକ ଢଙ୍ଗରେ ଟିକସ ହାରରେ ସୂକ୍ଷ୍ମ ବିଭାଜନ ଘଟାଇବାର କାରଣ ହେଲା ସେମାନେ ଏହାକୁ ଏକ ପ୍ରଗତିଶୀଳ ଚରିତ୍ର ପ୍ରଦାନ କରିବାକୁ ଚାହଁାନ୍ତି। ଅର୍ଥାତ୍ ଅଧିକ ମୂଲ୍ୟ ଦେଇ ଉତ୍କୃଷ୍ଟ ମାନର ପପ୍‌କର୍ନ କ୍ରୟ କରିବାର କ୍ଷମତା ଯେଉଁ ଗ୍ରାହକର ଥିବ, ତା’ଠାରୁ ଉଚ୍ଚତର ହାରରେ ଟିକସ ଆଦାୟ କରାଯିବ, ଯେଉଁ ଯୁକ୍ତି ଅନୁସାରେ ମୂଲ୍ୟବାନ ବିଳାସ ଦ୍ରବ୍ୟମାନଙ୍କ ଉପରେ ଉଚ୍ଚ ହାରରେ ‘ଜିଏସ୍‌ଟି’ ଲାଗୁ ହେଉଥିବା ବେଳେ ଅଳ୍ପ ମୂଲ୍ୟ ବିଶିଷ୍ଟ ଅତ୍ୟାବଶ୍ୟକ ଦ୍ରବ୍ୟମାନଙ୍କ ଉପରେ ନୀଚା ହାରରେ ‘ଜିଏସ୍‌ଟି’ ଲାଗୁ ହୋଇଥାଏ। କିନ୍ତୁ ଏହି ଯୁକ୍ତି ପ୍ରୟୋଗ କରି ପପ୍‌କର୍ନକୁ ଏକ ବିଳାସ ଦ୍ରବ୍ୟ ରୂପେ ବିଚାର କରିବା ଛେନାରୁ ଚୋପା ଛଡ଼ାଇବା ପରି ମନେ ହୋଇଥାଏ।
ଯାହା ଆହୁରି ଅବିଶ୍ବାସ୍ୟ ମନେ ହୋଇଥାଏ, ତାହା ହେଲା, ଏତେ ଜଣ ପୋଖତ ରାଜନେତା ସାମାନ୍ୟ ପପ୍‌କର୍ନ ଉପରେ ଟିକସ ହାର ନିର୍ଣ୍ଣୟ ପାଇଁ ଏଭଳି ସୂକ୍ଷ୍ମ ମସ୍ତିଷ୍କ ଚାଳନା କରିବାକୁ ସମୟ ପାଇଥିବା ବେଳେ ହେଲ୍‌ଥ ଇନ୍‌ସ୍ୟୁରାନ୍‌ସ ପ୍ରିମିଅମ୍ ଉପରେ ଲାଗୁ ହେଉଥିବା ‘ଜିଏସ୍‌ଟି’ ହାରରେ ହ୍ରାସ ଘଟାଇବା ପାଇଁ ଆଲୋଚନା କରିବାକୁ ଯଥେଷ୍ଟ ସମୟ ପାଇଲେ ନାହିଁ ବୋଲି ପ୍ରକାଶ ପାଇଛି। ଏଥିରେ ନିହିତ ଶଠତା ଜଳଜଳ ହୋଇ ଦିଶିଥାଏ। କେତେ ଦିନ ତଳେ ଯେଉଁସବୁ ରାଜ୍ୟର ନେତାମାନେ ଏହି ଟିକସ ଛାଡ଼ କରିବା ପାଇଁ ସୀତାରମଣଙ୍କୁ ଆହ୍ବାନ ଦେଉଥିଲେ, ସେଇ ରାଜ୍ୟମାନଙ୍କର ବିତ୍ତ ମନ୍ତ୍ରୀମାନେ ବର୍ତ୍ତମାନ ସେଭଳି ନିଷ୍ପତ୍ତି ନେବାକୁ ପଛଘୁଞ୍ଚା ଦେଇଛନ୍ତି। ସେହିପରି ଉଡ଼ାଜାହାଜରେ ବ୍ୟବହୃତ ହେଉଥିବା ‘ଏଭିଏସନ୍ ଟର୍ବାଇନ୍ ଫୁଏଲ୍’ (‘ଏଟିଏଫ୍’)କୁ ‘ଜିଏସ୍‌ଟି’ରେ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ରାଜ୍ୟମାନେ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ବାସ୍ତବରେ କେବଳ ‘ଏଟିଏଫ୍’ ନୁହେଁ, ‘ଜିଏସ୍‌ଟି’ ବ୍ୟବସ୍ଥାର ଦକ୍ଷତା ବୃଦ୍ଧି କରିବା ନିମିତ୍ତ ସମସ୍ତ ପ୍ରକାର ପେଟ୍ରୋଲିଅମ ପଦାର୍ଥଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ। କିନ୍ତୁ ରାଜ୍ୟମାନଙ୍କର ଅସମ୍ମତି ଯୋଗୁଁ ତାହା ଏପର୍ଯ୍ୟନ୍ତ ସମ୍ଭବ ହୋଇପାରୁନାହିଁ।
ଏଇ ବୈଠକରେ ଆଲୋଚିତ ହୋଇଥିବା ପ୍ରସ୍ତାବମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଆବଶ୍ୟକ ସମ୍ବଳ ସଂଗ୍ରହ ଉଦ୍ଦେଶ୍ୟରେ ସେ ସମୟରେ ସର୍ବୋଚ୍ଚ ‘ଜିଏସ୍‌ଟି’ ହାର ସହିତ ଏକ ‘ସେସ୍’ ଲାଗୁ କରିବା। ଏପରି ଘଟିଲେ ‘ଜିଏସ୍‌ଟି’ ସରଳ ହେବା ପରିବର୍ତ୍ତେ ଆହୁରି ଜଟିଳ ହେବା ନିଶ୍ଚିତ। ବିପର୍ଯ୍ୟୟ ମୁକାବିଲା ପାଇଁ ସରକାର ସାଧାରଣ ସମୟରେ ଅଲଗା କରି ସମ୍ବଳ ମହଜୁଦ କରିଥିବା ଉଚିତ। ‘ଜିଏସ୍‌ଟି’ର ପ୍ରଚଳିତ ହାର ସବୁକୁ ଅଧିକ ଯୁକ୍ତିଯୁକ୍ତ କରିବା (ରେଟ୍‌ ରେସନାଲାଇଜେସନ୍) ଆବଶ୍ୟକ ବୋଲି ବିଶେଷଜ୍ଞମାନେ ଦୃଢ଼ ମତ ପ୍ରକାଶ କରୁଥିବା ବେଳେ ଏହାର ଅନୁଶୀଳନ କରି ଉପଯୁକ୍ତ ସୁପାରିସ କରିବା ପାଇଁ ଏକ ‘ମନ୍ତ୍ରୀ ଗୋଷ୍ଠୀ’ (‘ଗ୍ରୁପ୍ ଅଫ୍ ମିନିଷ୍ଟରସ୍’ ବା ‘ଜିଓଏମ୍’) ଉପରେ ଦାୟିତ୍ବ ନ୍ୟସ୍ତ କରାଯାଇଛି। ଏଥର ମଧ୍ୟ ସେମାନେ ରିପୋର୍ଟ ଉପସ୍ଥାପନ କରିବାରେ ବିଫଳ ହୋଇ ସେଥିପାଇଁ ଆହୁରି ସମୟ ମାଗିଛନ୍ତି। ଆଶା ଆଗାମୀ ସମୟରେ କୌଣସି ଏକ ବୈଠକରେ ସେମାନେ ‘ଜିଏସ୍‌ଟି’କୁ ପ୍ରକୃତରେ ଏକ ‘ଗୁଡ୍ ଆଣ୍ଡ୍ ସିମ୍ପଲ ଟ୍ୟାକ୍‌ସ’ରେ ପରିଣତ କରିବାକୁ ଆବଶ୍ୟକ ସୁପାରିସ ପ୍ରଦାନ କରିବାକୁ ସକ୍ଷମ ହେବେ।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.