Breaking News

ପରିବେଶ ପାଇଁ: ବଦଳିବ ପର୍ଯ୍ୟଟନ ନୀତି!

ଅନିୟନ୍ତ୍ରିତ ପର୍ଯ୍ୟଟକ ଆଗମନ ଏବେ ପରିବେଶବିତ୍‌ଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। କୌଣସି ଅଞ୍ଚଳର ବିକାଶରେ ପର୍ଯ୍ୟଟନ ଶିଳ୍ପର ପ୍ରମୁଖ ଭୂମିକା ରହିଥିବା ବେଳେ ପାରମ୍ପରିକ ପର୍ଯ୍ୟଟନ ନୀତିର ପୁନର୍ବିଚାର କରାଯିବା ଉଚିତ ବୋଲି ବିଶ୍ୱ ସମୁଦାୟ ମତ ଦେଇଛନ୍ତି।

ଅନିୟନ୍ତ୍ରିତ ପର୍ଯ୍ୟଟକ ଆଗମନ ଏବେ ପରିବେଶବିତ୍‌ଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। କୌଣସି ଅଞ୍ଚଳର ବିକାଶରେ ପର୍ଯ୍ୟଟନ ଶିଳ୍ପର ପ୍ରମୁଖ ଭୂମିକା ରହିଥିବା ବେଳେ ପାରମ୍ପରିକ ପର୍ଯ୍ୟଟନ ନୀତିର ପୁନର୍ବିଚାର କରାଯିବା ଉଚିତ ବୋଲି ବିଶ୍ୱ ସମୁଦାୟ ମତ ଦେଇଛନ୍ତି। କ୍ରମବର୍ଦ୍ଧିଷ୍ଣୁ ଜଳବାୟୁ ପରବର୍ତ୍ତନ ପରିପ୍ରେକ୍ଷୀରେ ପର୍ଯ୍ୟଟନ ପରିବେଶ ଉପରେ କୁପ୍ରଭାବ ପକାଉଥିବା ପ୍ରସଙ୍ଗରେ ଆଜରବୈଜାନ୍‌ସ୍ଥିତ ବାକୁ ଠାରେ ଆୟୋଜିତ ସିଓପି-୨୯ ଶିଖର ସମ୍ମିଳନୀ ଏକ ଦୃଢ଼ ବାର୍ତ୍ତା ଦେଇଛି। ଏହି ବାର୍ତ୍ତା ସମସ୍ତ ପର୍ଯ୍ୟଟନକୁ ଗୁରୁତ୍ବ ଦେଉଥିବା ପ୍ରତ୍ୟେକ ରାଷ୍ଟ୍ର ଓ ସରକାରଙ୍କ ପାଇଁ ଏକ ଆହ୍ବାନ ରୂପେ ଉଭା ହୋଇଛି।

ଜାମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଭଳି ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ବ ବହନ କରୁଥିବା ରାଜ୍ୟମାନେ ଏହାକୁ ଗଭୀର ଭାବରେ ଅନୁଧ୍ୟାନ କରି ନିଜର ପର୍ଯ୍ୟଟନ ନୀତି, ଯୋଜନା ଓ କାର୍ଯ୍ୟକ୍ରମ ପରିଚାଳନା କରିବା ଉଚିତ। ବିଶେଷତଃ ଅନିୟନ୍ତ୍ରିତ ପର୍ଯ୍ୟଟକ ଆଗମନ ଦ୍ୱାରା ସ୍ଥାନୀୟ ଜଙ୍ଗଲର ପରିସଂସ୍ଥାନ ଓ ନଈ-ଝରଣା ଭଳି ଜଳଉତ୍ସର ବ୍ୟାପକ ଧ୍ବଂସ ସାଧନ ହେଉଛି। ଚାହିଦାରେ ଥିବାରୁ ବହୁଳ ଭାବେ ପରିବେଶ ପର୍ଯ୍ୟଟନ ବା ଇକୋ-ଟୁରିଜିମ୍ ସୁବିଧା ଉପଲବ୍ଧ କରାଇବା ପାରିବେଶିକ ସଙ୍କଟକୁ ଗୁରୁତର କରୁଛି ବୋଲି ମତ ପ୍ରକାଶ ପାଇଛି। ଇକୋ-ଟୁରିଜିମ୍‌ର ଲୋକପ୍ରିୟତା ବର୍ତ୍ତମାନ ପରିବେଶ ପାଇଁ ସମସ୍ୟା ସୃଷ୍ଟି କରିସାରିଲାଣି। ଏହା ପାରିବେଶିକ ଅବକ୍ଷୟର କାରଣ ହେଉଥିବା ଜଣାପଡ଼ିଛି। ବାକୁ ସମ୍ମିଳନୀ ଭାରତ ପାଇଁ ଯେଉଁ ବାର୍ତ୍ତା ଦେଇଛି ସେଥିପ୍ରତି ସରକାର ସଚେତନ ହେବା ବିଶେଷ ଭାବେ ଜରୁରି ବୋଲି କହନ୍ତି ଜଣାଶୁଣା ପରିବେଶବିତ୍ ଓ ଜଳ ପରିଚାଳନା ବିଶେଷଜ୍ଞ ତପନ ପାଢ଼ୀ।

ପର୍ଯ୍ୟଟନ ଶିଳ୍ପ ହେଉଛି ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଏବଂ ବିକାଶର ଅନ୍ୟତମ ପ୍ରମୁଖ ମାଧ୍ୟମ, ଯାହା ହଜାର ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଜୀବିକା ପ୍ରଦାନ କରିଥାଏ। କିନ୍ତୁ ଏହାଦ୍ୱାରା ସ୍ଥାନୀୟ ପରିବେଶ ଦଶନ୍ଧି ଦଶନ୍ଧି ଧରି ଆକ୍ରମଣର ଶିକାର ହୋଇଛି। ଏହି ଅବାଞ୍ଛିତ କ୍ଷତିର ଭରଣା ପରବର୍ତ୍ତୀ ସମୟରେ ହୋଇପାରୁନି। ଅନ୍ୟପକ୍ଷରେ ପର୍ଯ୍ୟଟନ ଶିଳ୍ପ ସଂପ୍ରତି ବିଶ୍ୱ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନକାରୀ ସାବ୍ୟସ୍ତ ହୋଇଛି। ଏହା ପରିସଂସ୍ଥାନ ଉପରେ ଚାପ ସୃଷ୍ଟି କରିଛି। ଜୈବବିବିଧତାର ବ୍ୟାପକ କ୍ଷତି ହେଉଛି। ଏହା ଫଳରେ ଚରମ ପାଣିପାଗ ଜନିତ ଘଟଣା ବଢ଼ିବ ଏବଂ ଭବିଷ୍ୟତରେ ଅଧିକ କ୍ଷତି ସାଧନ କରିବ ବୋଲି ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ ସାମନ୍ତରା ମତ ଦିଅନ୍ତି।

ପର୍ଯ୍ୟଟନ କ୍ଷେତ୍ରରେ ବର୍ଦ୍ଧିତ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ କାର୍ଯ୍ୟକ୍ରମ ନେଇ ସିଓପି-୨୯ ଘୋଷଣାନାମାକୁ ଗମ୍ଭୀର ଭାବେ ନେବାକୁ ହେବ। ପର୍ଯ୍ୟଟନ ଶିଳ୍ପକୁ ପରିବେଶ ଉପଯୋଗୀ ତଥା ପରିସଂସ୍ଥାନ ଅନୁକୂଳ କରିବାକୁ ପଡ଼ିବ। କମ୍ ଅଙ୍ଗାରକ ନିର୍ଗମନ କରିବା ଦିଗରେ ଚିନ୍ତା କରିବାକୁ ବିଶ୍ବ ସମୁଦାୟ ଅନୁରୋଧ କରିଛି। ଅର୍ଥନୈତିକ ବିକାଶ ସହ ପରିବେଶ ସୁରକ୍ଷାକୁ ସନ୍ତୁଳିତ କରିବା ବର୍ତ୍ତମାନ ସବୁଠାରୁ ବଡ଼ ଆହ୍ବାନ।

ସୌଜନ୍ୟ-ସମ୍ୱାଦ

Comments are closed.