Breaking News

ପରିବେଶ ଯୋଦ୍ଧା: ଜଳ ଓ ଧୂଳି ପ୍ରଦୂଷଣ ରୋକୁଛନ୍ତି ଦୁର୍ଗାପ୍ରସାଦ

ଜଳ ଏକ ଜୀବନ୍ତ ପଦାର୍ଥ। ଜଳର ନିଜସ୍ବ ଉପଚାରାତ୍ମକ କ୍ଷମତା ରହିଛି। ଖାଲି ସେତିକି ନୁହେଁ, ଜଳ ପରିବେଶର ପ୍ରଦୂଷିତ କଣିକାକୁ ମଧ୍ୟ ନିଜ ଭିତରକୁ ଟାଣି ନେଇ ପରିବେଶକୁ ପ୍ରଦୂଷଣମୁକ୍ତ କରିଥାଏ।

ଜଳ ଏକ ଜୀବନ୍ତ ପଦାର୍ଥ। ଜଳର ନିଜସ୍ବ ଉପଚାରାତ୍ମକ କ୍ଷମତା ରହିଛି। ଖାଲି ସେତିକି ନୁହେଁ, ଜଳ ପରିବେଶର ପ୍ରଦୂଷିତ କଣିକାକୁ ମଧ୍ୟ ନିଜ ଭିତରକୁ ଟାଣି ନେଇ ପରିବେଶକୁ ପ୍ରଦୂଷଣମୁକ୍ତ କରିଥାଏ। ଏଣୁ ଅଧିକ ଜଳାଶୟ ଥିବା ଗାଁ ବା ସହରର ପରିବେଶ ଥଣ୍ଡା ଓ ସ୍ବଚ୍ଛ ରହିଥାଏ। ଏହି ତଥ୍ୟକୁ ଆଧାର କରି ପ୍ରାକୃତିକ ପଦ୍ଧତିରେ ପୋଖରୀଗୁଡ଼ିକୁ ସ୍ବଚ୍ଛ କରିବା ଲାଗି ଉଦ୍ୟମ ଚଳାଇଛନ୍ତି ପରିବେଶବିତ୍‌ ଦୁର୍ଗାପ୍ରସାଦ ମିଶ୍ର।

ସରକାରୀ ତଥ୍ୟ ଅନୁସାରେ ରାଜଧାନୀ ଭୁବନେଶ୍ବରରେ ୧୬୫ଟି ଓ କଟକ ସହରରେ ୧୫୧ଟି ପୋଖରୀ ରହିଛି। ତଥାପି ସହରଗୁଡ଼ିକର ୯୦% ପୋଖରୀ ଖରାପ ଅବସ୍ଥାରେ ରହିଛି। ଏସବୁକୁ ପ୍ରାକୃତିକ ଉପାୟରେ ସଫା କରିବାକୁ ଅଣ୍ଟା ଭିଡ଼ିଛନ୍ତି ଦୁର୍ଗାପ୍ରସାଦ। ଜୀବବିଜ୍ଞାନରେ ସ୍ନାତକୋତ୍ତର କରିବା ପରେ ପୋଖରୀ ସୁରକ୍ଷା ଓ ଉଦ୍ଧାର ଲାଗି ସେ ୨୦୧୭ ମସିହାରୁ ଆରମ୍ଭ କରିଛନ୍ତି ନିଜସ୍ବ ସଂସ୍ଥା ‘ବ୍ରିଥ୍‌ଗ୍ରିନ୍‌ ଇଣ୍ଡିଆ’।

ଶ୍ରୀ ମିଶ୍ର କହିଛନ୍ତି, ‘‘ପ୍ରକୃତି ଓ ଜଳର ସ୍ବୟଂକ୍ରିୟ ପରି‌ଷ୍କାର କ୍ଷମତା ରହିଛି। ଏଣୁ କରୋନା ସମୟରେ ଶିଳ୍ପ କାର୍ଯ୍ୟକଳାପ କମିବା ପରେ ଗଙ୍ଗା ଓ ଯମୁନା ନଦୀ ଆପେ ସଫା ହୋଇଯାଇଥିଲା। କେବଳ ପଙ୍କ ଓ ଦଳ ସଫ‌ା କରି ନୂଆ ପାଣି ଭର୍ତ୍ତି କରିଦେଲେ ଜଳାଶୟ ସଫା ହୋଇପାରେନି। ପ୍ରାକୃତିକ ଉପାୟରେ ପୋଖ‌ରୀ ପୁନରୁଦ୍ଧାର ଲାଗି ଟିକେ ସମୟ ଲାଗିବ ସତ କିନ୍ତୁ ପୋଖରୀ ସବୁବେଳ ପାଇଁ ସଫା ହୋଇପାରିବ। କଟକର ୮ଟି ପୋଖରୀକୁ ଆମେ ପ୍ରାକୃତିକ ଉପାୟରେ ପୁନରୁଦ୍ଧାର କରିବାରେ ସଫଳ ହୋଇଛୁ।’’
ପ୍ରାୟ ୭ ବର୍ଷ ହେବ ନିଜ ଅନୁଷ୍ଠାନ ଜରିଆରେ ଜଳାଶୟ ସଫେଇ କିଭଳି ବୈଦିକ ରୀତିରେ, ପାରମ୍ପରିକ ଉପାୟରେ ହେଉଥିଲା ଏବଂ କେଉଁ ‌ରସାୟନ ପରିବେଶ ପାଇଁ ଉପକାରୀ ଓ ଜଳ ସଫା କରିପାରିବ ସେ ସମ୍ପର୍କରେ ଗଭୀର ଅଧ୍ୟୟନ କରିଛନ୍ତି ଦୁର୍ଗାପ୍ରସାଦ। ସେ କହନ୍ତି, ‘‘ପରୀକ୍ଷାମୂଳକ ଭାବେ ଜଡ଼ିବୁଟିରୁ ତିଆରି ଔଷଧ ପ୍ରୟୋଗ କରି ଢେଙ୍କାନାଳ ଜିଲ୍ଲାର ବିଷ୍ଣୁପୁର ଗାଁର କିଛି ଜଳାଶୟର ପୁନରୁଦ୍ଧାର ପାଇଁ ଉଦ୍ୟମ କରିଥିଲୁ। ଏଥିରେ ସଫଳ ହେବା ପରେ ଅନ୍ୟ ଜଳାଶୟ ସଫା କରିବା ଆରମ୍ଭ କଲୁ। ୨୦୨୨ ମସିହାରୁ ଆମେ କଟକ ନଗର ନିଗମ ଅଞ୍ଚଳରେ ଏହି କାମ କରୁଛୁ। ଆମେ କଣିହା ଏନ୍‌ଟିପିସିର ଏକ ପାଉଁଶ ପୋଖରୀକୁ ସଫା କରି ଏବେ ସେହି ଜଳକୁ ବ୍ୟବହାର ଉପଯୋଗୀ କରିପାରିଛୁ।’’ ଏଥିସହ ଏନ୍‌ଟିପିସି ଓ ବାଲିଯାତ୍ରାରେ ଧୂଳି ପରିଚାଳନା ଦାୟିତ୍ବ ବି ସେ ହାତକୁ ନେଇଛନ୍ତି। ଚଳିତ ବର୍ଷ ବାଲିଯାତ୍ରାରେ ଧୂଳି ଅତିଷ୍ଠ କରି ନଥିବା ବେଳେ ଏହାର ଶ୍ରେୟ ଶ୍ରୀ ମିଶ୍ରଙ୍କୁ ଦିଆଯାଇପାରେ।

ସୌଜନ୍ୟ-ସମ୍ୱାଦ

Comments are closed.