Breaking News

ପରିବେଶ ଯୋଦ୍ଧା: ପକ୍ଷୀଙ୍କ ପଛେ ପଛେ ଶୁଭେନ୍ଦୁ

ପେସାରେ ସେ ଜଣେ ମେଡିକାଲ୍‌ ପ୍ରୋଜେକ୍ଟ କନ୍‌ସଲ୍‌ଟାଣ୍ଟ୍‌। କିନ୍ତୁ ‘ବାର୍ଡ ୱାଚିଂ’ ହେଉଛି ତାଙ୍କର ନିଶା। ପିଲାଦିନୁ ଚଢ଼େଇ, ସେମାନଙ୍କ ବାସସ୍ଥାନ, ଜୀବନଯାତ୍ରା ଆଦି ଜାଣିବାକୁ ଆଗ୍ରହୀ ଥିବା ଶୁଭେନ୍ଦୁ ଭଟ୍ଟାଚାର୍ଯ୍ୟ ୧୯୯୦ ମସିହାରୁ ବାର୍ଡ ୱାଚିଂ ପ୍ରଶିକ୍ଷଣ କରିଥିଲେ।

ପେସାରେ ସେ ଜଣେ ମେଡିକାଲ୍‌ ପ୍ରୋଜେକ୍ଟ କନ୍‌ସଲ୍‌ଟାଣ୍ଟ୍‌। କିନ୍ତୁ ‘ବାର୍ଡ ୱାଚିଂ’ ହେଉଛି ତାଙ୍କର ନିଶା। ପିଲାଦିନୁ ଚଢ଼େଇ, ସେମାନଙ୍କ ବାସସ୍ଥାନ, ଜୀବନଯାତ୍ରା ଆଦି ଜାଣିବାକୁ ଆଗ୍ରହୀ ଥିବା ଶୁଭେନ୍ଦୁ ଭଟ୍ଟାଚାର୍ଯ୍ୟ ୧୯୯୦ ମସିହାରୁ ବାର୍ଡ ୱାଚିଂ ପ୍ରଶିକ୍ଷଣ କରିଥିଲେ। ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ଚିହ୍ନିବା, ସେମାନଙ୍କ ବ୍ୟବହାର ଓ ଆଚରଣ ଜାଣିବା ପରେ ସେ ଓଡ଼ିଶାର ବିଭିନ୍ନ ଜଙ୍ଗଲ, ହ୍ରଦ, ଅଞ୍ଚଳ ଓ ଗାଁ ବୁଲି ଭିନ୍ନ ଭିନ୍ନ ପ୍ରକାର ପକ୍ଷୀଙ୍କ ଉପରେ ଅଧିକ ଅନୁଧ୍ୟାନ କରୁଥିଲେ। ଏଥିସହ ଜଙ୍ଗଲ ସୁରକ୍ଷା ସହ ବନ୍ୟଜନ୍ତୁ ଫଟୋଗ୍ରାଫିରେ ସେ ଗତ ୩୫ ବର୍ଷ ହେଲା ନିଜକୁ ନିୟୋଜିତ କରିଛନ୍ତି।

ଭୁବନେଶ୍ବର ପଟିଆ ଅଞ୍ଚଳର ୫୪ ବର୍ଷୀୟ ଶ୍ରୀ ଭଟ୍ଟାଚାର୍ଯ୍ୟ ପ୍ରଥମେ ଓଡ଼ିଶା ସରକାରଙ୍କ ‘ନେଚର୍‌ ଏନ୍‌ଭାରୋନ୍‌ମେଣ୍ଟ୍‌ ଆଣ୍ଡ୍‌ ୱାଇଲ୍‌ଡ ଲାଇଫ୍‌ ସୋସାଇଟି’ ଅଧୀନରେ ଚିଲିକ‌ାରେ ଚାଲିଥିବା ‘ପ୍ରୋଜେକ୍ଟ ବିହଙ୍ଗ’ରେ କାମ କରିଥିଲେ। ୨୦୧୩ ମସିହା ଆଡ଼କୁ ସେ ‘ୱାଇଲ୍‌ଡିଜ୍‌’ ନାମକ ଏକ ଅନୁଷ୍ଠାନ ଆରମ୍ଭ କରିଥିଲେ। ସେହି ସମୟରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ବରବରା ଜଙ୍ଗଲରେ ନିୟମିତ ବ୍ୟବଧାନରେ ନିଆଁ ଲାଗୁଥିଲା। ସେହି ନିଆଁକୁ ନିୟନ୍ତ୍ରଣ କରିବାକୁ ସେ ଉଦ୍ୟମ ଆରମ୍ଭ କରିଥିଲେ। ସେଠାକାର ‌ସ୍ଥାନୀୟ ଲୋକଙ୍କୁ ସଚେତନ କରିବା, ସେମାନଙ୍କ ସମସ୍ୟାର ସମାଧାନ କରିବା ସହ ଜଙ୍ଗଲର ଉପକାରିତା ସମ୍ପର୍କରେ ସେ ବୁଝାଇ ଜଙ୍ଗଲରେ ନିଆଁ ଲଗାଇବାରୁ କ୍ଷାନ୍ତ କରିଥିଲେ। ପାଖାପାଖି ୫ ବର୍ଷର ଉଦ୍ୟମ ପରେ ସେ ଏଥିରେ ସଫଳ ହୋଇଥିଲେ ଓ ବରବରା ଜଙ୍ଗଲରେ ନିଆଁ ଲାଗିବା ୭୦% ପର୍ଯ୍ୟନ୍ତ ବନ୍ଦ ହୋଇଥିଲା। ଏହାପରେ ସାତକୋଶିଆ ୱାଇଲ୍ଡ ଲାଇଫ୍‌ ଡିଭିଜନ୍‌, ଢେଙ୍କାନାଳ ଜଙ୍ଗଲ ଆଦିରେ ମଧ୍ୟ ସେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ କାମ କରିଛନ୍ତି। ଏଥିସହ ଗତ ୩୦ ବର୍ଷ ହେଲା ସେ ଓଡ଼ିଶାର ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ସାମିଲ ହୋଇ ଆସୁଛନ୍ତି।

ଏହାସହ ପ୍ରକୃତି, ଜଙ୍ଗଲ, ପଶୁପକ୍ଷୀ, ଜୀବଜନ୍ତୁଙ୍କୁ କ୍ୟାମେରା ଲେନ୍ସରେ କଏଦ୍‌ କରିବା ବି ତାଙ୍କର ନିଶା। ଭବିଷ୍ୟତ ପିଢ଼ି ପାଇଁ ଆମ ସୁନ୍ଦର ପ୍ରକୃତିକୁ ଡକ୍ୟୁମେଣ୍ଟ୍‌ କରି ରଖିବାକୁ ସେ ଖୁବ୍‌ ପସନ୍ଦ କରନ୍ତି ବୋଲି କହନ୍ତି। ଶୁଭେନ୍ଦୁ କହନ୍ତି, ‘‘ଆଜିର ଏ ଯାନ୍ତ୍ରିକ ଦୁନିଆରେ ଆମେ ପ୍ରକୃତି ଠାରୁ ଦୂରେଇ ଯାଉଛୁ। ଫଳରେ ତାକୁ ନଷ୍ଟ କରିବାକୁ ତିଳେ ବି ସଙ୍କୋଚ କରୁନାହୁଁ। କିନ୍ତୁ ବାସ୍ତବରେ ଚଢ଼େଇଙ୍କ କିଚିରିମିଚିରି ଓ ଘଞ୍ଚ ଜଙ୍ଗଲରେ ହିଁ ପ୍ରକୃତ ଆନନ୍ଦ ଓ ଜୀବନର ସତ୍ତା ଲୁଚି ରହିଛି।’’

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.