ପ୍ରକୃତିର ‌ସୌନ୍ଦର୍ଯ୍ୟ ତା’ର ବିବିଧତା ଉପରେ ନିର୍ଭରଶୀଳ। ଫଳର ଭିନ୍ନ ଭିନ୍ନ ପ୍ରକାରର ଗଛଲତା, ପଶୁପକ୍ଷୀ ଓ ଭୂମିରୂପ ଆମକୁ ମୋହିତ କରିଥାଏ। ଏବେ କିନ୍ତୁ  ବୃକ୍ଷରୋପଣ ଅଭିଯାନରେ ପ୍ରାୟତଃ ଗୋଟିଏ ପ୍ରକାରର ଗଛ ଅଧିକାଂଶ ସ୍ଥାନରେ ଲଗାଇ ଆମେ ପରିବେଶ ପ୍ରତି ଥିବା ଦାୟିତ୍ବକୁ ସାରି ଦେଉଛେ। କିନ୍ତୁ ପରୋକ୍ଷରେ ବିବିଧତାକୁ କ୍ଷୁଣ୍ଣ କରୁଛେ। ଅନ୍ୟ ଅର୍ଥରେ ଆମେ ପରିବେଶ ସୁରକ୍ଷା କରୁଛୁ ଭାବି ଆତ୍ମସନ୍ତୋଷ ପାଉଥିବା ବେଳେ ବାସ୍ତବରେ ପଶୁପକ୍ଷୀଙ୍କ ପ୍ରାକୃତିକ ଆବାସକୁ କ୍ଷତି ପହଞ୍ଚାଉଛେ। ଏଣୁ ବନ୍ୟପ୍ରାଣୀଙ୍କ ସଂରକ୍ଷଣ, ଉଦ୍ଧାର ଓ ସୁରକ୍ଷା କିଭଳି କରାଯିବା ଉଚିତ ସେ ନେଇ ଲୋକଙ୍କୁ ସଚେତନ କରୁଛନ୍ତି ଜଙ୍ଗଲଲୋର୍‌ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଆକାଶ ରଞ୍ଜନ ରଥ।

ଶ୍ରୀ ରଥ କହିଛନ୍ତି, ‘‘ପ୍ରକୃତି ନିଜକୁ ନିଜେ ସୁଧାରିପାରେ। ଏଣୁ ଏକପ୍ରକାର ଗଛ ସବୁଆଡ଼େ ରୋପଣ କରିବା ଅଥବା ହେନ୍ତାଳ ବଣ ସୃଷ୍ଟି ଆଦି ସମର୍ଥନରେ ଆମେ ନାହୁଁ। ପ୍ରକୃତିର ନିଜସ୍ବ ବିବିଧତାକୁ  ବ୍ୟବହାର କରି ଏହାରି ଭିତରେ କିଭଳି ପ୍ରାଣୀଜଗତ ବଞ୍ଚିପାରିବେ ଓ ସେମାନଙ୍କ ସଂରକ୍ଷଣ ହୋଇପାରିବ, ସେ ଦିଗରେ ଆମେ କାମ କରୁଛୁ। ଏଣୁ କଇଁଛ ସଂରକ୍ଷଣଠାରୁ ଆରମ୍ଭ କରି ବିଭିନ୍ନ ବନ୍ୟପ୍ରାଣୀ ସଂରକ୍ଷଣ ଓ ସେମାନଙ୍କ ବଂଶବୃଦ୍ଧି ଉପରେ ଆମେ ଗୁରୁତ୍ବ ଦେଉଛୁ।’’
ପିଲାଟି ଦିନୁ ବନ୍ୟଜନ୍ତୁ ଓ ପଶୁପକ୍ଷୀଙ୍କ ପ୍ରତି ମୋର ଦୁର୍ବଳତା ରହିଥିଲା। କିନ୍ତୁ ଏ କ୍ଷେତ୍ରରେ କିଭଳି କାମ କରାଯିବ ତାହା ସମ୍ପର୍କରେ ମୋର କୌଣସି ଧାରଣା ନଥିଲା ଅର୍ଥନୀତିରେ ସ୍ନାତକ ହେବା ପରେ ମୁଁ ୱାଇଲ୍ଡ ଓଡ଼ିଶା ଅନୁଷ୍ଠାନ ସହ ଯୋଡ଼ି ହୋଇଥିଲି। ଏହି ଅନୁଷ୍ଠାନ ହିଁ ମୋତେ ପ୍ରକୃତି ଓ ପରିବେଶ ସୁରକ୍ଷା ଉପରେ କାମ କରିବା ଦିଗରେ ଅନୁପ୍ରାଣିତ କରାଇଥିଲା। ସେହି ଅନୁଷ୍ଠାନରେ ୧୫ ବର୍ଷ କାମ କରିବା ପରେ ମୁଁ ଜଙ୍ଗଲଲୋର୍ ଫାଉଣ୍ଡେସନ୍ ପ୍ରତିଷ୍ଠା କରି ବନ୍ୟପ୍ରାଣୀଙ୍କ ଡକ୍ୟୁମେଣ୍ଟେସନ୍ ଆରମ୍ଭ କରିଛି। ଡକ୍ୟୁମେଣ୍ଟେସନ୍ ପରେ ଗଭୀର ଅନୁଧ୍ୟାନ ଓ ଗବେଷଣା କରି ଆମେ ଓଡ଼ିଶା ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥାଉ ବୋଲି ଶ୍ରୀ ରଥ କହନ୍ତି।

ସେ ଏବେ ପୁରୀ ବାଲୁଖଣ୍ଡଠାରୁ ଆରମ୍ଭ କରି ସମସ୍ତ ଉପକୂଳ ଅଞ୍ଚଳ ସହ ଚିଲିକା ଓ ଶିମିଳିପାଳରେ ଜୀବଜନ୍ତୁ ଓ ପଶୁପକ୍ଷୀଙ୍କ ପ୍ରାକୃତିକ ବାସସ୍ଥାନର ପୁନରୁଦ୍ଧାର ଦିଗରେ କାର୍ଯ୍ୟରତ। ଏଥିସହ ବନ୍ୟଜନ୍ତୁଙ୍କ ଉପରେ ବିଭିନ୍ନ ତଥ୍ୟ ସଂଗ୍ରହ କରି ଏହାକୁ ଦସ୍ତାବିଜ ଆକାରରେ ସାଇତି ରଖୁଛନ୍ତି ଆକାଶ। ଏବେ ସେ ହନିବାଜର ଓ ଅଟରଙ୍କ ଭଳି କ୍ଷୁଦ୍ରପ୍ରାଣୀଙ୍କର ଡକ୍ୟୁମେଣ୍ଟେସନ୍ କରୁଛନ୍ତି। ଏଥି ସହ ସେ ଇକୋସେନ୍ସିଟିଭ୍ ଜୋନ୍ କମିଟିର ସଦସ୍ୟ ଅଛନ୍ତି।