Breaking News

ପରିବେଶ ଯୋଦ୍ଧା: ବର୍ଜ୍ୟ ବିରୋଧରେ ନୀଳିମାଙ୍କ ଯୁଦ୍ଧ

ପୋଲାର୍ ଏକ୍ସପ୍ଲୋରର୍‌ ରୋବର୍ଟ ସ୍ବାନ୍‌ କହିଛନ୍ତି, ‘‘ଆମ ଗ୍ରହକୁ ଆସି ଆଉ କେହି ଏହାକୁ ରକ୍ଷା କରିବେ, ଏଭଳି ଭାବନା ହିଁ ପୃଥିବୀ ପାଇଁ ଏବେ ସବୁଠାରୁ ବଡ଼ ବିପଦ ପାଲଟିଛି।’’ ଅର୍ଥାତ୍‌ ଆମ ପୃଥିବୀର ସୁରକ୍ଷା ଆମ ହାତରେ।

ପୋଲାର୍ ଏକ୍ସପ୍ଲୋରର୍‌ ରୋବର୍ଟ ସ୍ବାନ୍‌ କହିଛନ୍ତି, ‘‘ଆମ ଗ୍ରହକୁ ଆସି ଆଉ କେହି ଏହାକୁ ରକ୍ଷା କରିବେ, ଏଭଳି ଭାବନା ହିଁ ପୃଥିବୀ ପାଇଁ ଏବେ ସବୁଠାରୁ ବଡ଼ ବିପଦ ପାଲଟିଛି।’’ ଅର୍ଥାତ୍‌ ଆମ ପୃଥିବୀର ସୁରକ୍ଷା ଆମ ହାତରେ। କିନ୍ତୁ ଦିନକୁ ଦିନ ବଢ଼ିଚାଲିଥିବା ଔଦ୍ୟୋଗିକ ବର୍ଜ୍ୟ, ପ୍ଲାଷ୍ଟିକ୍‌ ଓ ଘରୋଇ ଆବର୍ଜନା ଏବେ ବୈଶ୍ବିକ ଚିନ୍ତାର କାରଣ ପାଲଟିଛି। ଯେଉଁଠାରେ ଦେଖିବ ଏବେ କୁଢ଼ କୁଢ଼ ଅଳିଆ ସାଙ୍ଗକୁ ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ ଓ ପଲିଥିନ୍‌ର ବିଶାଳ ପାହାଡ଼। ଏସବୁର ଉପଯୁକ୍ତ ପରିଚାଳନାର ଉଦ୍ଦେଶ୍ୟ ନେଇ ନୀଳିମା ମିଶ୍ର ଆରମ୍ଭ କରିଛନ୍ତି ତାଙ୍କର ଷ୍ଟାଟ୍‌-ଅପ୍‌ ‘ସାଏବା ଗ୍ରିନ୍ ସଲ୍ୟୁସନ୍’। ଏଥିରେ ସେ ଶୁଖିଲା ଓ ଓଦା ବର୍ଜ୍ୟ ପରିଚାଳନା ନେଇ କାମ କରୁଥିବା ବେଳେ ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀ, କର୍ପୋରେଟ ଅନୁଷ୍ଠାନ ଆଦିକୁ ଯାଇ ଆବର୍ଜନ‌ା ପରିଚାଳନା ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି। ନୀଳିମା କହିଛନ୍ତି, ୨୦୧୯ ମସିହାରେ ସେ ଉତ୍ତର ମେରୁ ପରିଭ୍ରମଣରେ ଯାଇଥିଲେ। ସେଠାରେ ସେ ପାହାଡ଼ ଭଳି ଆବର୍ଜନା ପଡ଼ିଥିବା ଦେଖିଥିଲେ, ତାହା ତାଙ୍କୁ ବିଳଚିତ କରିଥିଲା। ସେଠାରୁ ଭୁବନେଶ୍ବର ଫେରିବା ପରେ ସହର ସାରା ଅଳିଆ ଆବର୍ଜନା ପଡ଼ିଥିବା ଦେଖିଥିଲେ। ପୁଣି ଏହାକୁ ଗାଈଗୋରୁ ଖାଇ ମୃତ୍ୟୁମୁଖରେ ପଡ଼ିବା ତାଙ୍କୁ ବ୍ୟଥିତ କରିଥିଲା। ଅନେକ ଏହି ଅଳିଆରେ ନିଆଁ ଲଗାଇ ଦେଉଥିଲେ। ନ ହେଲେ ସେ ଅଳିଆ ରାସ୍ତାରେ ସେମିତି ଗଦା ହୋଇ ରହିବା ଫଳରେ ବିଭିନ୍ନ ରୋଗ ସଂକ୍ରମଣର ଆଶଙ୍କା ମଧ୍ୟ ରହୁଥିଲା।

ଏଣୁ ସହରକୁ ଆବର୍ଜନାମୁକ୍ତ କରିବାକୁ ତଥା ଆବର୍ଜନାର ଉପଯୁକ୍ତ ପରିଚାଳନା ଲାଗି ‘ସାଏବା ଗ୍ରିନ୍ ସଲ୍ୟୁସନ୍’ ଆରମ୍ଭ କରିଥିଲେ ନୀଳିମା। ଏଥିସହ ସେ ଡୋର୍‌ଷ୍ଟେପ୍‌ ଡ୍ରାଏ ୱେଷ୍ଟ୍‌ କଲେକ୍‌ସନ୍‌ ସର୍ଭିସ୍‌ ଅର୍ଥାତ୍ ଦ୍ବାର ଦ୍ବାର ବୁଲି ଶୁଖିଲା ଅଳିଆ ସଂଗ୍ରହ ସେବା ପାଇଁ ମୋବାଇଲ୍‌ ଆପ୍‌ ‘ରିସାଇକଲ୍‌ ପେ’ର ଶୁଭାରମ୍ଭ କରିଛନ୍ତି। ଏହି ଆପ୍‌ ଦ୍ବାରା ଜଣେ ନିଜ ଘର ବା କାର୍ଯ୍ୟାଳୟର ଅଳିଆ ଖାଲି କରିବା ସହ ତାହାକୁ ବିକ୍ରି କରିପାରିବ। ସୂଚନା ପାଇବା ପରେ ଏହି ଆପ୍‌ ପକ୍ଷରୁ ଏକ ଇଲେକ୍ଟ୍ରିକ୍‌ ଗାଡ଼ି ସହ କିଛି କର୍ମଚାରୀ ଆସି ପୁନଃପ୍ରକ୍ରିୟାକରଣ ଯୋଗ୍ୟ ଆବର୍ଜନାକୁ ବାଛି ନେବେ ଓ ଓଜନ ଅନୁସାରେ ଟଙ୍କା ପୈଠ କରିବେ। ଏହି ସଂଗୃହୀତ ଅଳିଆକୁ ଅନୁଷ୍ଠାନ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ବାରା ପ୍ରାଧିକୃତ ସଂସ୍ଥାକୁ ପୁନଃପ୍ରକ୍ରିୟାକରଣ ପାଇଁ ପଠାଇ ଦିଆଯାଇଥାଏ। ଏବେ ଏହି ସେବା କଟକ, ଭୁବନେଶ୍ବର ଓ ପୁରୀ ସହରରେ ସଫ୍ଟ ଲଞ୍ଚ ହୋଇଛି। ଆଗକୁ ଓଡ଼ିଶାର ଅନ୍ୟ ସହରରେ ବି ‘ରିସାଇକଲ୍‌ ପେ’ ସେବା ଯୋଗାଇବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.