Breaking News

ପର୍ଫେକ୍ଟ ‘ଫିଟ୍’

ଭାରତୀୟ ଅର୍ଥନୀତି ତଥାପି ସମ୍ମୁଖୀନ ହୋଇଚାଲିଥିବା ମୁଦ୍ରାସ୍ଫୀତି ଠାରୁ ଆରମ୍ଭ କରି ଉଚ୍ଚା ରାଜକୋଷୀୟ ନିଅଣ୍ଟ, ହ୍ରାସମାନ ପରିବାରିକ କ୍ଷେତ୍ର ସଞ୍ଚୟ ଆଦି ଭଳି ସଂରଚନାତ୍ମକ ଆହ୍ବାନମାନଙ୍କର ମୁକାବିଲା କରିବା ପାଇଁ ‘ଏମ୍‌ପିସି’....

ଭାରତୀୟ ଅର୍ଥନୀତି ତଥାପି ସମ୍ମୁଖୀନ ହୋଇଚାଲିଥିବା ମୁଦ୍ରାସ୍ଫୀତି ଠାରୁ ଆରମ୍ଭ କରି ଉଚ୍ଚା ରାଜକୋଷୀୟ ନିଅଣ୍ଟ, ହ୍ରାସମାନ ପରିବାରିକ କ୍ଷେତ୍ର ସଞ୍ଚୟ ଆଦି ଭଳି ସଂରଚନାତ୍ମକ ଆହ୍ବାନମାନଙ୍କର ମୁକାବିଲା କରିବା ପାଇଁ ‘ଏମ୍‌ପିସି’ ‘ରେପୋ ରେଟ୍’କୁ ଅପରିବର୍ତ୍ତିତ ରଖିବା ସହିତ ରିଜର୍ଭ ବ୍ୟାଙ୍କ୍‌ର ‘ଷ୍ଟାନ୍‌ସ’ ବା ଅାଭିମୁଖ୍ୟକୁ ମଧ୍ୟ ପୂର୍ବଭଳି ନିରପେକ୍ଷ ରଖିଛି। ଧୀର ପାଣି ପଥର କାଟିବା ପରି ରିଜର୍ଭ ବ୍ୟାଙ୍କ୍‌ର ଏହି ଧୀରସ୍ଥିର ନୀତି ମୁଦ୍ରାସ୍ଫୀତିକୁ ସଂଯତ କରିବା ସହିତ ଅଭିବୃଦ୍ଧିକୁ ମଧ୍ୟ ଆଗେଇ ନେବ ବୋଲି ଆଶା କରାଯାଏ। ଶକ୍ତିକାନ୍ତଙ୍କ ଶେଷ ନିଷ୍ପତ୍ତି ବର୍ତ୍ତମାନର ଭାରତୀୟ ଅର୍ଥନୀତି ପାଇଁ ‘ପର୍ଫେକ୍ଟ ଫିଟ୍’ ବୋଲି କୁହାଯାଇପାରେ।

ଆଜି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଗଭର୍ନର ଶକ୍ତିକାନ୍ତ ଦାସଙ୍କର ଦ୍ବିତୀୟ ପାଳି ସଂପୂର୍ଣ୍ଣ ହେଉଛି। ଏହାର ଅବ୍ୟବହିତ ପୂର୍ବରୁ ଚଳିତ ବିତ୍ତ ବର୍ଷର ଦ୍ବିତୀୟ ଚଉଠରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ସମ୍ବନ୍ଧରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ଅନ୍ୟ ସମସ୍ତଙ୍କ ଭଳି ତାଙ୍କ ପାଇଁ ମଧ୍ୟ ବେଶ୍ ନୈରାଶ୍ୟଜନକ ହୋଇଛି: ଏହି ଅଭିବୃଦ୍ଧି ହାର ୭ ଶତାଂଶ ହେବ ବୋଲି ସେ ଆଶା କରି ବସିଥିବାବେଳେ ତାହା ମାତ୍ର ୫.୪ ଶତାଂଶ ଛୁଇଁ ପାରିଛି। ଏଥିପୂର୍ବରୁ ନିର୍ଣ୍ଣାୟକ ସୁଧ ହାର ‘ରେପୋ ରେଟ୍’ରେ ହ୍ରାସ ଘଟାଇ ଦେଶରେ ଶିଳ୍ପ ବ୍ୟବସାୟ ଓ ନିବେଶକୁ ସହାୟକ ହେବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ତାଙ୍କ ଉପରେ ପ୍ରବଳ ଚାପ ପଡ଼ି ଆସିଛି। ଏବେ ଅଭିବୃଦ୍ଧିରେ ଏପରି ଶିଥିଳତା ଦେଖାଦେବା ପରେ ସ୍ବାଭାବିକ ଭାବରେ ସେହି ଚାପ ସମ୍ଭାଳିବା ଆଉ ସମ୍ଭବ ହେବ ନାହିଁ ବୋଲି ସମସ୍ତେ ଅନୁମାନ କରୁଥିଲେ।
ଇତିମଧ୍ୟରେ ୪-୬ ଡିସେମ୍ବରରେ ଶକ୍ତିକାନ୍ତଙ୍କର ଦ୍ବିତୀୟ ପାଳିର ସର୍ବଶେଷ ମୁଦ୍ରା ନୀତି ନିର୍ଦ୍ଧାରଣକାରୀ କମିଟି (‘ଏମ୍‌ପିସି’)ର ବୈଠକ ଅନୁଷ୍ଠିତ ହେଲା, ଯେଉଁ ସମୟରେ ସରକାର ତାଙ୍କର କାର୍ଯ୍ୟକାଳ ତୃତୀୟ ପାଳି ପାଇଁ ସଂପ୍ରସାରିତ କରିବାର ସମ୍ଭାବନାକୁ ନେଇ କଳ୍ପନାଜଳ୍ପନା ଜୋର୍ ଧରିଥାଏ। ସାଧାରଣତଃ ଆଶା କରିବା କଥା ଯେ ତୃତୀୟ ପାଳି ହାସଲ ଲୋଭରେ ଶକ୍ତିକାନ୍ତ ସରକାରଙ୍କୁ ସନ୍ତୁଷ୍ଟ କରିବା ପାଇଁ ‌ଏହି ବୈଠକରେ ‘ରେପୋ ରେଟ୍’ରେ ହ୍ରାସ ଘଟାଇବା ପାଇଁ ନିଷ୍ପତ୍ତି ନିଅାଯିବା ନିଶ୍ଚିତ କରିବେ। ଏହା ସତ୍ତ୍ବେ କିନ୍ତୁ ଶକ୍ତିକାନ୍ତ ସମସ୍ତଙ୍କୁ ଚକିତ କରି ନିଜର ସ୍ବାଧୀନ ଶକ୍ତି ପ୍ରଦର୍ଶନ କରି ଲଗାତାର ଏକାଦଶ ଥର ପାଇଁ ଅର୍ଥାତ୍ ପାଖାପାଖି ଦୁଇ ବର୍ଷ ଧରି ‘ରେପୋ ରେଟ୍‌’କୁ ସେଇ ୬.୫ ଶତାଂଶ ହାରରେ ଅପରିବର୍ତ୍ତିତ ରଖିଛନ୍ତି। ଏଠାରେ ଯାହା ବିଶେଷ ଭାବରେ ଉଲ୍ଲେଖନୀୟ, ତାହା ହେଲା, ସରକାରଙ୍କ ଦ୍ବାରା ସଦ୍ୟ ନିଯୁକ୍ତ ‘ଏମ୍‌ପିସି’ର ଦୁଇ ଜଣ ବାହ୍ୟ ସଦସ୍ୟ- ନଗେଶ କୁମାର ଓ ରାମ ସିଂହଙ୍କ ବିରୋଧ ସତ୍ତ୍ବେ ଶକ୍ତିକାନ୍ତଙ୍କ ନେତୃତ୍ବରେ ଛ’ଜଣିଆ ‘ଏମ୍‌ପିସି’ ଏହି ନିଷ୍ପତ୍ତି ଗ୍ରହଣ କରିଛି।
ଶକ୍ତିକାନ୍ତ ଏଭଳି ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିବାର କାରଣ ହେଉଛି ନିଜର ପ୍ରାଥମିକ ଦାୟିତ୍ବ ସମ୍ବନ୍ଧରେ ସେ ପୋଷଣ କରୁଥିବା ସ୍ପଷ୍ଟ ଧାରଣା: ମୁଦ୍ରାସ୍ଫୀତି ନିୟନ୍ତ୍ରଣ। ଆଇନ ଦ୍ବାରା ତା‌ଙ୍କ ଉପରେ ନ୍ୟସ୍ତ କରାଯାଇଥିବା ଏହି ଦାୟିତ୍ବର ଭିତ୍ତି ହେଉଛି ୨୦୧୬ରେ ସଂଶୋଧନ କରାଯାଇଥିବା ରିଜର୍ଭ ବ୍ୟାଙ୍କ୍ ଆକ୍ଟ, ୧୯୩୪। ଏହା ବଳରେ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ସ୍ଥାପନ କରାଯାଇଥିବା ‘ଫ୍ଲେକ୍ସିବ୍‌ଲ ଇନ୍‌ଫ୍ଲେସନ୍‌ ଟାର୍ଗେଟିଙ୍ଗ୍’ (‘ନମନୀୟ ମୁଦ୍ରାସ୍ଫୀତି ନିଶାଣ ଅନୁସରଣ’) ବା ସଂକ୍ଷେପରେ ‘ଫିଟ୍’ ଅନୁସାରେ ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାରକୁ ୪ ଶତାଂଶରେ ସ୍ଥିର ରଖିବା ପାଇଁ ରିଜର୍ଭ ବ୍ୟାଙ୍କ୍ ଉପରେ ଦାୟିତ୍ବ ନ୍ୟସ୍ତ କରାଯାଇଛି, ଯେଉଁଥିରେ ସାମୟିକ ଭାବରେ ୨ ଶତାଂଶ ହ୍ରାସ ବୃଦ୍ଧି ସହ୍ୟ କରାଯାଇପାରେ। ତେଣୁ ‘ଫିଟ୍’ ଅନୁସାରେ ଦେଶରେ ଖାଉଟି ମୁଦ୍ରାସ୍ଫୀତିର ସର୍ବୋଚ୍ଚ ସହନ ସୀମା ହେଉଛି ୬ ଶତାଂଶ ଓ ସର୍ବନିମ୍ନ ହେଉଛି ୨ ଶତାଂଶ। ଏହାକୁ ପାଞ୍ଚ ବର୍ଷ ପାଇଁ ପାଳନ କରିବା ନିମିତ୍ତ ରିଜର୍ଭ ବ୍ୟାଙ୍କ୍‌କୁ ପ୍ରଥମେ ୨୦୧୬ରେ ଓ ତାହା ସଂପୂର୍ଣ୍ଣ ହେବା ପରେ ପୁଣି ୨୦୨୧ରେ ନିର୍ଦ୍ଦେଶ ଦିଆଯାଇଛି। ଅର୍ଥାତ୍ ଏବେ ଅନ୍ତତଃ ୨୦୨୬ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ୍‌କୁ ଏହି ‘ଫିଟ୍’ ନିଶାଣ ଅନୁସରଣ କରିବାକୁ ପଡ଼ିବ। ଅବଶ୍ୟ ଏହି ନୀତିନିର୍ଦ୍ଧାରଣ ସମୟରେ ଦରଦାମରେ ସ୍ଥିରତାକୁ ପ୍ରାଥମିକତା ପ୍ରଦାନ କରିବା ସହିତ ଅଭିବୃଦ୍ଧି ଲକ୍ଷ୍ୟ ଉପରେ ମଧ୍ୟ ଧ୍ୟାନ ଦେବା ପାଇଁ ରିଜର୍ଭ ବ୍ୟାଙ୍କ୍‌କୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ପୃଷ୍ଠଭୂମିରେ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ୍ ସମ୍ମୁଖୀନ ହୋଇଥିବା ପରିସ୍ଥିତି ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କରିବା ପ୍ରାସଙ୍ଗିକ ହେବ। ଦୀର୍ଘ ୧୫ ମାସ ପରେ ଅକ୍‌ଟୋବରରେ ଖାଉଟି ମୁଦ୍ରାସ୍ଫୀତି ହାର ସର୍ବୋଚ୍ଚ ସହନ ସୀମା ୬ ଶତାଂଶ ଅତିକ୍ରମ କରିଛି। ପରିବାପତ୍ର ଦରଦାମରେ ମାତ୍ରାଧିକ ବୃଦ୍ଧି ଓ ଏକ ଦୀର୍ଘ ବିରତି ପରେ ‘ମଞ୍ଜି ମୁଦ୍ରାସ୍ଫୀତି’ (‘କୋର୍ ଇନ୍‌ଫ୍ଲେସନ୍’)ରେ ମଧ୍ୟ ଦେଖାଯାଇଥିବା ଊର୍ଦ୍ଧ୍ବ ଗତି ଯୋଗୁଁ ଏହା ଘଟିଛି। ମୁଦ୍ରାସ୍ଫୀତିରେ ଏଭଳି ଅସ୍ଥିରତା ଉପଭୋକ୍ତାମାନଙ୍କୁ ପ୍ରଭାବିତ କରିବା ସହିତ ନିବେଶକମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। ବିଗତ ମାସମାନଙ୍କରେ ଆମେରିକୀୟ ଡଲାର୍‌ର ବିନିମୟ ମୂଲ୍ୟରେ ଘଟିଥିବା ବୃଦ୍ଧି ପୃଥିବୀ ସାରା ନିବେଶକମାନଙ୍କୁ ପ୍ରଭାବିତ କରିଛି। ରିଜର୍ଭ ବ୍ୟାଙ୍କ୍‌ର ଦାୟିତ୍ବପୂର୍ଣ୍ଣ କୁଶଳୀ ପରିଚାଳନା ଯୋଗୁଁ ସେପ୍‌ଟେମ୍ବର ଶେଷ ବେଳକୁ ଆମର ବୈଦେଶିକ ମୁଦ୍ରା ପାଣ୍ଠିରେ ଏକ ରେକର୍ଡ ୭୦୫ ବିଲିଅନ୍ ଡଲାର୍ ରାଶି ଗଚ୍ଛିତ ହୋଇଥିଲେ ହେଁ ନଭେମ୍ବର ଶେଷ ସପ୍ତାହ ସୁଦ୍ଧା ସେଥିରେ ୪୮ ବିଲିଅନ୍ ଡଲାର୍ ହ୍ରାସ ଘଟିଥିଲା, ଯାହାର ଏକ ବିଶେଷ ଅଂଶ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ଅଟକାଇବା ଉଦ୍ୟମରେ ନିୟୋଜିତ ହୋଇଥିଲା। ଏହା ସତ୍ତ୍ବେ ଏହି ସମୟରେ ଟଙ୍କାର ବିନିମୟ ମୂଲ୍ୟରେ ପ୍ରାୟ ୧ ଶତାଂଶ ହ୍ରାସ ଘଟିଛି।
ଏହିଭଳି ଏକ ପରିସ୍ଥିତି ସହିତ ଖାପ ଖାଇବା ପାଇଁ ଶକ୍ତିକାନ୍ତଙ୍କ ନେତୃତ୍ବାଧୀନ ‘ଏମ୍‌ପିସି’ ଏବେ ଯେଉଁ ମୁଦ୍ରା ନୀତି ନିର୍ଦ୍ଧାରଣ କରିଛି, ତାହା ବେଶ୍ ବିଚାରବନ୍ତ ବୋଲି କହିଲେ ଯଥାର୍ଥ ହେବ। ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ନିଜର ମୁଖ୍ୟ ଦାୟିତ୍ବ ରୂପେ ଗ୍ରହଣ କରି ରିଜର୍ଭ ବ୍ୟାଙ୍କ୍ ‘ରେପୋ ରେଟ୍’ରେ ହ୍ରାସ ଘଟାଇ ନାହିଁ, କିନ୍ତୁ ନିବେଶକ ତଥା ଶିଳ୍ପବାଣିଜ୍ୟ ପାଇଁ ଅଧିକ ଋଣ ଉପଲବ୍‌ଧ ହେବା ଉଦ୍ଦେଶ୍ୟରେ ବ୍ୟାଙ୍କ୍‌ମାନଙ୍କ ପ୍ରତି ଲାଗୁ ହେଉଥିବା ବାଧ୍ୟତାମୂଳକ ‘ନଗଦ ମହଜୁଦ ଅନୁପାତ’ ବା ‘କ୍ୟାସ୍ ‌ରିଜର୍ଭ ରେସିଓ’ (‘ସିଆର୍ଆର୍’)ରେ ଦୁଇଟି ସମାନ କିସ୍ତିରେ ୫୦ ବେସିସ୍ ପଏଣ୍ଟ୍ (୦.୫ ଶତାଂଶ) ହ୍ରାସ ଘଟାଇବାକୁ ନିଷ୍ପତ୍ତି ନେଇଛି। ଏହି ‘ସିଆର୍ଆର୍’ ହ୍ରାସ ଯୋଗୁଁ ବ୍ୟାଙ୍କ୍‌ମାନଙ୍କ ପାଖରେ ଋଣ ପ୍ରଦାନ କରିବା ପାଇଁ ବର୍ତ୍ତମାନ ୧.୧୬ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ରାଶି ଉପଲବ୍‌ଧ ହେବ। ବୈଦେଶିକ ମୁଦ୍ରା ବଜାରରେ ଟଙ୍କାର ବିନିମୟ ମୂଲ୍ୟରେ ସ୍ଖଳନ ପ୍ରତିହତ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ ଡଲାର୍ ବିକ୍ରୟ କରି ଯେଉଁ ବିପୁଳ ପରିମାଣର ଟଙ୍କା ବ୍ୟାଙ୍କ୍‌ମାନଙ୍କ ଠାରୁ ଅପସାରିତ କରିଥିଲା ଏହା ତାହାକୁ ଆଂଶିକ ଭରଣା କରିବାରେ ସହାୟକ ହେବ।
ସର୍ବଦା ଦେଖାଯାଇଥାଏ ଯେ ଏକ ବିତ୍ତ ବର୍ଷ‌ର ଦ୍ବିତୀୟାର୍ଦ୍ଧରେ ଋଣ ପାଇଁ ଚାହିଦାରେ ବୃଦ୍ଧି ଘଟିଥାଏ। ବର୍ତ୍ତମାନ ବ୍ୟାଙ୍କ୍‌ମାନଙ୍କ ପାଖରେ ଉପଲବ୍‌ଧ ହେବାକୁ ଯାଉଥିବା ଏହି ବିଶାଳ ରାଶି ସେଇ ଋଣ ଚାହିଦା ପୂରଣ କରିବା ପାଇଁ ବେଶ୍ ଉପଯୋଗୀ ହେବ। ରିଜର୍ଭ ବ୍ୟାଙ୍କ୍ ବର୍ତ୍ତମାନ ‘ସିଆର୍ଆର୍’ରେ ହ୍ରାସ ଘଟାଇବା ପରେ ତାହା ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ସେଠାରେ ଘଟାଯାଇଥିବା ବୃଦ୍ଧି ପୂର୍ବର ସ୍ତରକୁ ଫେରିଆସିଛି। ରିଜର୍ଭ ବ୍ୟାଙ୍କ୍‌ର ଏହି ପଦକ୍ଷେପ ସ୍ବଳ୍ପ କାଳରେ ମୁଦ୍ରା ବଜାରରେ ସୁଧ ହାରକୁ ପ୍ରଭାବିତ କରିବ। ଏହା ନିବେଶକ ଓ ଉଦ୍ୟୋଗୀମାନଙ୍କ ପାଇଁ ଅନୁକୂଳ ହୋଇ ଅର୍ଥନୈତିକ ଅଭିବୃଦ୍ଧିକୁ ସହାୟକ ହେବ। କିନ୍ତୁ ଭାରତୀୟ ଅର୍ଥନୀତି ତଥାପି ସମ୍ମୁଖୀନ ହୋଇଚାଲିଥିବା ମୁଦ୍ରାସ୍ଫୀତି ଠାରୁ ଆରମ୍ଭ କରି ଉଚ୍ଚା ରାଜକୋଷୀୟ ନିଅଣ୍ଟ, ହ୍ରାସମାନ ପରିବାରିକ କ୍ଷେତ୍ର ସଞ୍ଚୟ ଆଦି ଭଳି ସଂରଚନାତ୍ମକ ଆହ୍ବାନମାନଙ୍କର ମୁକାବିଲା କରିବା ପାଇଁ ‘ଏମ୍‌ପିସି’ ‘ରେପୋ ରେଟ୍’କୁ ଅପରିବର୍ତ୍ତିତ ରଖିବା ସହିତ ରିଜର୍ଭ ବ୍ୟାଙ୍କ୍‌ର ‘ଷ୍ଟାନ୍‌ସ’ ବା ଅାଭିମୁଖ୍ୟକୁ ମଧ୍ୟ ପୂର୍ବଭଳି ନିରପେକ୍ଷ ରଖିଛି। ଧୀର ପାଣି ପଥର କାଟିବା ପରି ରିଜର୍ଭ ବ୍ୟାଙ୍କ୍‌ର ଏହି ଧୀରସ୍ଥିର ନୀତି ମୁଦ୍ରାସ୍ଫୀତିକୁ ସଂଯତ କରିବା ସହିତ ଅଭିବୃଦ୍ଧିକୁ ମଧ୍ୟ ଆଗେଇ ନେବ ବୋଲି ଆଶା କରାଯାଏ। ଶକ୍ତିକାନ୍ତଙ୍କ ଶେଷ ନିଷ୍ପତ୍ତି ବର୍ତ୍ତମାନର ଭାରତୀୟ ଅର୍ଥନୀତି ପାଇଁ ‘ପର୍ଫେକ୍ଟ ଫିଟ୍’ ବୋଲି କୁହାଯାଇପାରେ।

ସୌଜନ୍ୟ-ସମ୍ୱାଦ

Comments are closed.