Breaking News

ପର୍ଯ୍ୟଟକଙ୍କ ଲାଗି ନନ୍ଦନକାନନ ଦୁଇଦିନ ବନ୍ଦ

ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ପର୍ଯ୍ୟଟକଙ୍କ ଲାଗି ଦୁଇଦିନ ବନ୍ଦ କରାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୪ ଓ ୨୫ ତାରିଖ ଦୁଇଦିନ ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ବନ୍ଦ ଘୋଷଣା କରିଛନ୍ତି।

0

ବାରଙ୍ଗ: ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ପର୍ଯ୍ୟଟକଙ୍କ ଲାଗି ଦୁଇଦିନ ବନ୍ଦ କରାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୪ ଓ ୨୫ ତାରିଖ ଦୁଇଦିନ ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ବନ୍ଦ ଘୋଷଣା କରିଛନ୍ତି। ମାତ୍ର ଏହି ଦୁଇ ଦିନରେ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଉପନିର୍ଦ୍ଦେଶକ ସନତ କୁମାର ନାରାୟଣଙ୍କ ତତ୍ତ୍ବାବଧାନରେ ସବୁ ବିଭାଗ ଅଧିକାରୀ, କର୍ମଚାରୀଙ୍କ ବୈଠକରେ ସ୍ବତନ୍ତ୍ର ଦଳ ଗଠନ କରାଯିବା ସହିତ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ବିଶେଷ କରି ଜୀବଜନ୍ତୁଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି।

ଜୀବଜନ୍ତୁଙ୍କ ଖାଦ୍ୟ, ପାନୀୟ, ଔଷଧ ଓ ଆବଶ୍ୟକ ଉପକରଣ ମହଜୁଦ ରଖାଯିବା ସହିତ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ନିକଟରେ ପହଞ୍ଚାଯାଇଛି। ବାତ୍ୟା ସମୟରେ ସମସ୍ତ ଜୀବଜନ୍ତୁଙ୍କୁ ସେମାନଙ୍କ ଖୁଆଡ଼ ମଧ୍ୟରେ ଥିବା କକ୍ଷରେ ରଖାଯାଇ ଖାଦ୍ୟ ଓ ପାନୀୟ ଦିଆଯିବ। ଆବଶ୍ୟକ ଥିଲେ ଚିକିତ୍ସା ମଧ୍ୟ ସେହିଠାରେ କରାଯିବ। ପକ୍ଷୀମାନଙ୍କ ଖୁଆଡ଼କୁ ଘୋଡ଼ାଇ ରଖାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜୀବଜନ୍ତୁଙ୍କ ଆବଶ୍ୟକ ଚିକିତ୍ସା, ଉଦ୍ଧାର ଓ ଖୁଆଡ଼ କିମ୍ବା ରାସ୍ତାରେ ପଡ଼ିଥିବା ଗଛ କାଟି ହଟାଇବା ଲାଗି ଉପନିର୍ଦ୍ଦେଶକଙ୍କ ତତ୍ତ୍ବାବଧାନରେ ପୃଥକ ପୃଥକ ଦଳ ଗଠନ କରାଯାଇଛି। କର୍ମଚାରୀମାନେ ନିଜ ନିଜ କ୍ଷେତ୍ରରେ ରହି ବାତ୍ୟା ସମୟରେ ସତର୍କ ଦୃଷ୍ଟି ରଖିବା ସହ ଆବଶ୍ୟକ ମୁତାବକ ସୁରକ୍ଷା ବ୍ୟବସ୍ଥାକୁ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ମଚାରୀମାନେ ନିଜକୁ ସୁରକ୍ଷିତ ରଖି ସତର୍କତାର ସହିତ ଆବଶ୍ୟକ ମୁତାବକ ସମସ୍ତ କାର୍ଯ୍ୟ ତତ୍କାଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ଘଟଣାର ଟିକିନିଖି ବିବରଣୀ ଏସିଏଫ୍‌ମାନଙ୍କ ଜରିଆରେ ଉପନିର୍ଦ୍ଦେଶକଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.