ଓଡ଼ିଶାର ୨ଟି ସହ ୯ କୋଇଲା ଖଣି ନିଲାମ

ନୂଆଦିଲ୍ଲୀ: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ବାଣିଜ୍ୟିକ କୋଇଲା ଖଣି ନିଲାମର ଦଶମ ପର୍ଯ୍ୟାୟରେ ୯ଟି ‌ଖଣି ନିଲାମ ହୋଇଛି। ସେଥିରେ ଓଡ଼ିଶାର ଦୁଇଟି କୋଇଲା ଖଣି ରହିଛି। ଓଡ଼ିଶାର ନୂଆ ପାତ୍ରପଡ଼ା ସାଉଥ୍‌ ଖଣିକୁ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ ହାସଲ କରିଛି। ସେଥିରେ ୭୨୦ ନିୟୁତ ଟନ୍ କୋଇଲା ଗଚ୍ଛିତ ରହିଛି। ସେହିପରି ବର୍ତାପ (ସଂଶୋଧିତ) ଖଣିକୁ ଜେଏସ୍‌ଡବ୍ଲୁ ଏନର୍ଜି ଉତ୍କଳ ଲିମିଟେଡ୍‌ ହାସଲ କରିଛି। ଏସ୍‌ ଏମ୍ ଷ୍ଟିଲ୍‌ସ ଆଣ୍ଡ୍‌ ପାୱାର ଝାଡ଼ଖଣ୍ଡର ବୁନ୍ଦୁ, ଶାରଦା ଏନର୍ଜି ଆଣ୍ଡ୍‌ ମିନେରାଲ୍‌ସ ଲିମିଟେଡ୍‌ ଛତିଶଗଡ଼ର ଗାରେ ପାଲ୍‌ମା ଚତୁର୍ଥ/୫, ଓଡ଼ିଶା ଆଲୟ ଷ୍ଟିଲ୍‌ ପ୍ରାଇଭେଟ୍ ଲିମିଟେଡ୍‌ ଝାଡ଼ଖଣ୍ଡର କେରେନ୍ଦାରି-ବିସି ନର୍ଥ, ମାଇନଓୟାର ଆଡଭାଇଜର୍ସ ମଧ୍ୟପ୍ରଦେଶର ମାରୱାତୋଲା ସାଉଥ୍‌, ଏସିସି ଲିମିଟେଡ୍‌ ସାରାଇ ଇଷ୍ଟ (ସାଉଥ୍‌), ଏସ୍‌ ଏମ୍ ଷ୍ଟିଲ୍‌ସ ଆଣ୍ଡ୍‌ ପାୱାର ଛତିଶଗଡ଼ର ଉଲିଆ ଗମ୍ଭାରଡ଼ିହ ଓ ଶ୍ରୀଜୀ ନୁରାଭି କୋଲ୍ ମାଇନିଂ ଆଣ୍ଡ ଟ୍ରେଡିଂ ଝାଡ଼ଖଣ୍ଡର ଗାୱା (ଇଷ୍ଟ) କୋଇଲା ଖଣିକୁ ନିଲାମରେ ପାଇଛନ୍ତି।

କୋଇଲା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ନିଲାମରେ କଡ଼ା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା ଯେଉଁଥିରେ ହାରାହାରି ରାଜସ୍ବ ଭାଗବଣ୍ଟା ହାର ୧୭.୪୪ ପ୍ରତିଶତ ରହିଛି। ଏହି ଖଣିଗୁଡ଼ିକରୁ ବାର୍ଷିକ ୧୪୪୬ କୋଟି ଟଙ୍କାର ରାଜସ୍ବ ମିଳିବ। ସେଥିରେ ୨୧୧୫ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ଓ ୧୯,୦୬୩ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ୨୦୨୦ରୁ ବାଣିଜ୍ୟିକ କୋଇଲା ଖଣି ନିଲାମ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୧୩ଟି ଖଣି ନିଲାମ ହୋଇଛି ଯାହାର ମୋଟ ଉତ୍ପାଦନ କ୍ଷମତା ବାର୍ଷିକ ୨୫୭.୬୦ ନିୟୁତ ଟନ୍ ରହିଛି। ସମସ୍ତ ଖଣି କାର୍ଯ୍ୟକ୍ଷମ ହେଲେ ବାର୍ଷିକ ୩୫,୪୩୭ ରାଜସ୍ବ ସୁଯୋଗ, ୩୮,୬୪୧ ପୁଞ୍ଜିନିବେଶ ଓ ୩,୪୮,୨୬୮ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ସୌଜନ୍ୟ-ସମ୍ୱାଦ

Related Articles

Back to top button