Breaking News

ପାକିସ୍ତାନୀ ଆପ୍‌ର ପ୍ରମୋସନ ମାମଲା: ଅଭିନେତ୍ରୀ ମଲ୍ଲିକା, ପୂଜାଙ୍କୁ ଇଡି ଜେରା, ଆଗକୁ ଆଉ କେତେକ କଳାକାର ହେବ ସମନ

ନୂଆଦିଲ୍ଲୀ, ୨୦/୧୨: ପାକିସ୍ତାନୀ ମ୍ୟାଜିକ୍‌ ୱିନ୍‌ ଗାମ୍ବଲିଂ ଆପ୍‌ ସହଜଡ଼ିତ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ  ନିର୍ଦ୍ଦେଶାଳୟ (ଇଡି) ଫିଲ୍ମ ଅଭିନେତ୍ରୀ ମଲ୍ଲିକା  ଶେରାୱତ୍‌ ଏବଂ ଟିଭି ଅଭିନେତ୍ରୀ ପୂଜା ବାନାର୍ଜୀଙ୍କୁ  ଜେରା କରିଛି । ତେବେ ପଚରାଉଚରାରେ ଇଡିକୁ କିଛି ମିଳି ନ ଥିବା ଜଣାପଡ଼ିଛି ।

ରିପୋର୍ଟ ଅନୁସାରେ, ଏହା  ଏକ ପାକିସ୍ତାନୀ ଆପ୍‌ । ଦୁବାଇରେ କେତେକ ଭାରତୀୟ ନାଗରିକ ଏହାର ଅପରେସନ କରୁଥିଲେ । ମଲ୍ଲିକା ଶେରାୱତ ଏବଂ ପୂଜା ବାନାର୍ଜୀ ଏହି ଆପ୍‌ର ପ୍ରମୋସନ  କରିଥିବା ଅଭିଯୋଗ ରହିଛି । ଇଡି ନୋଟିସ୍‌ର  ଜବାବରେ ମଲ୍ଲିକା ଶେରାୱତ ଇମେଲ୍‌ ଜରିଆରେ  ଇଡିକୁ ଜବାବ ପଠାଇଥିଲେ । ପୂଜା ବାନାର୍ଜୀଙ୍କୁ ଇଡି  ଅହମଦାବାଦ କାର୍ଯ୍ୟାଳୟକୁ ଡାକି ଜେରା କରିଥିଲା ।  ଆଗକୁ ଆଉ କେତେକ କଳାକାରଙ୍କୁ ଏ ବାବଦରେ  ଇଡି ପଚରାଉଚରା କରିପାରେ । ମାମଲାରେ ଇଡି  ଗତ ୬ ମାସରେ ଦେଶବ୍ୟାପୀ ପ୍ରାୟ ୬୭ ସ୍ଥାନରେ  ଚଢ଼ାଉ କରିଛି । ଏହି ଆପ୍‌ ଜରିଆରେ ଟି୨୦ ବିଶ୍ୱକପ୍‌  ମ୍ୟାଚଗୁଡ଼ିକୁ ବେଆଇନ ଭାବେ ପ୍ରସାର କରାଯାଉଥିଲା  ବୋଲି ମଧ୍ୟ ଅଭିଯୋଗ ରହିଛି । ଆପ୍‌ ଜରିଆରେ ବେଟିଂ  କରାଯାଉଥିଲା ଏବଂ ବିଭିନ୍ନ ସେଲ୍‌ କମ୍ପାନୀର ବାଣିଜ୍ୟିକ  ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଖେଳାଳି ବା ବେଟରଙ୍କୁ  ସେମାନେ ଜିତିଥିବା ରାଶି ଟ୍ରାନ୍ସଫର କରାଯାଉଥିଲା ।

 

 

 

ସୌଜନ୍ୟ-ପ୍ରମେୟ

Comments are closed.