Breaking News

ପାକିସ୍ତାନ ବାହାରକୁ ଚାଲିଯାଇପାରେ ଚାମ୍ପିଅନ୍ସ ଟ୍ରଫି, କାରଣ ଭାରତ ନୁହେଁ

ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନ ବାହାରକୁ ଚାଲିଯାଇପାରେ! ହେଲେ ଭାରତୀୟ କ୍ରିକେଟ୍ ଦଳକୁ ପାକିସ୍ତାନ ପଠାଇବାକୁ ବିସିସିଆଇ ରୋକ୍‌ଠୋକ୍ ଭାବେ ମନା କରିବା ଏହାର କାରଣ ହୋଇ ନପାରେ।

ଇସଲାମାବାଦ୍: ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନ ବାହାରକୁ ଚାଲିଯାଇପାରେ! ହେଲେ ଭାରତୀୟ କ୍ରିକେଟ୍ ଦଳକୁ ପାକିସ୍ତାନ ପଠାଇବାକୁ ବିସିସିଆଇ ରୋକ୍‌ଠୋକ୍ ଭାବେ ମନା କରିବା ଏହାର କାରଣ ହୋଇ ନପାରେ। ବରଂ ପାକିସ୍ତାନରେ ସଂପ୍ରତି ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତା ଓ ଆଭ୍ୟନ୍ତରୀଣ ଅଶାନ୍ତି ପାଇଁ ଆଇସିସି ଏହି ୮ ଦଳୀୟ ପ୍ରତି‌ଯୋଗିତାକୁ ଅନ୍ୟତ୍ର ସ୍ଥାନାନ୍ତର କରିଦେଇପାରେ। ଏଭଳି ପରିସ୍ଥିତି ଶୁକ୍ରବାର ଦୁବାଇରେ ବସିବାକୁ ଥିବା ଆଇସିସିର ଗୁରୁତ୍ବପୂର୍ଣ୍ଣ ବୋର୍ଡ ବୈଠକ ପୂର୍ବରୁ ସୃଷ୍ଟି ହେବା ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)ର ଅଡ଼ୁଆକୁ ବହୁଗୁଣ ବଢ଼ାଇଛି। ଏପରିକି ଏହି କାରଣରୁ କେବଳ ବିସିସିଆଇ ନୁହେଁ, ଅନ୍ୟ କେତେକ ପ୍ରମୁଖ ଦଳ ମଧ୍ୟ ପାକିସ୍ତାନ ଗସ୍ତ କରିବାକୁ ଅମଙ୍ଗ ଥିବାର ଖବର ପଦାକୁ ଆସିଛି। ସେହିଭଳି ପାକିସ୍ତାନରେ ଗତ କିଛି ଦିନ ହେବ ବାରମ୍ବାର ହେଉଥିବା ଆତଙ୍କବାଦ ଘଟଣା ବି ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଆଇସିସିକୁ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ବାଧ୍ୟ କରିଥିବା ଜଣାପଡ଼ିଛି। ଏହି ସବୁ କାରଣରୁ ଘୋର ଚାପରେ ଥିବା ପିସିବି ପୂର୍ବ ପ୍ରସ୍ତାବିତ ଯୋଜନା ମୁତାବକ ଚାମ୍ପିଅନ୍ସ ଟ୍ରଫିକୁ ହାଇବ୍ରିଡ୍ ମଡେଲରେ କରିବାକୁ ରାଜି ହୋଇଯିବାର ଯଥେଷ୍ଟ ସମ୍ଭାବନା ବି ରହିଛି। ସେପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକମାନେ କରିଥିବା ଚକା ଜାମ୍ ଘୋଷଣାର ପ୍ରଭାବ ପାକିସ୍ତାନର ଅଧିକାଂଶ ସହରରେ ଦେଖିବାକୁ ମିଳିଛି। ରାଜଧାନୀ ଇସଲାମାବାଦ୍‌ ଏଥିଲାଗି ଗତ ଚାରିଦିନ ହେବ ଏକପ୍ରକାର ଠପ୍ ହୋଇ ଯାଇଥିଲା ବେଳେ ସହରର ପ୍ରବେଶ ପଥରେ ସରକାରଙ୍କ ପଖରୁ କରାଯାଇଥିବା ନାକାବନ୍ଦୀ ଗୁରୁବାର କିଛି ମାତ୍ରାରେ ହଟିଛି। ହେଲେ ପରିସ୍ଥିତି ସ୍ବାଭାବିକ ହେବାକୁ ଆହୁରି ଅନେକ ଦିନ ଲାଗିବ। ପୁଣି ପାକିସ୍ତାନ ଗସ୍ତ ନକରିବାକୁ ଆମେରିକା ସରକାର ନିଜ ନାଗରିକମାନଙ୍କୁ ପରାମର୍ଶ ଦେଇଛି। ଏଭଳି ପରିସ୍ଥିତିରେ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ଆଶା ଦିନକୁ ଦିନ କ୍ଷୀଣ ହେବାରେ ଲାଗିଛି।

ଶନିବାର ଭାରତ-ପାକିସ୍ତାନ ମୁକାବିଲା
ଦୁବାଇ: ଶୁକ୍ରବାରଠୁ ଦୁବାଇ ଓ ସାରଜାରେ ୧୯ ବର୍ଷରୁ କମ୍‌ ଏସିଆ କପ୍‌ ଆରମ୍ଭ ହେବ। ଏହି ୮ ଦଳୀୟ ପ୍ରତିଯୋଗିତାରେ ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ଦୁବାଇଠାରେ ଉଦ୍‌ଘାଟନୀ ମୁକାବିଲା ଅନୁଷ୍ଠିତ ହେବ। ୩୦ ତାରିଖରେ ଭାରତ ଏହାର ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହିତ ଦୁବାଇର ଆଇସିସି ଏକାଡେମୀ ପଡ଼ିଆରେ ଖେଳିବ। ବରିଷ୍ଠ ବର୍ଗର ଚାମ୍ପିଅନ୍ସ ଟ୍ରଫି ପାଇଁ ଦ୍ବନ୍ଦ୍ବ ଲାଗି ରହିଥିଲା ବେଳେ କେହି କାହା ଦେଶକୁ ‌ଆଉ ଖେଳିବାକୁ ନଯିବା ଭଳି ସ୍ଥିତି ଉପୁଜିଛି। ତଥାପି ଏହା ପୂର୍ବରୁ କୌଣସି ବଡ଼ ପ୍ରତିଯୋଗିତାରେ ଏହି ଦୁଇ ଦେଶ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି। ପ୍ରତିଯୋଗିତାରେ ୮ ଦଳଙ୍କୁ ନେଇ ଦୁଇଟି ଗ୍ରୁପ୍‌ କରାଯାଇଛି। ଗ୍ରୁପ୍‌ ଏ’ରେ ବିଜେତା ବାଂଲାଦେଶ ସହିତ ଶ୍ରୀଲଙ୍କା, ଆଫଗାନିସ୍ତାନ, ନେପାଳ ସ୍ଥାନ ପାଇଥିଲା ବେଳେ ଗ୍ରୁପ୍‌ ବି’ରେ ଭାରତ, ପାକିସ୍ତାନ, ଜାପାନ, ୟୁଏଇ ରହିଛନ୍ତି। ଦୁଇଟି ଗ୍ରୁପ୍‌ର ଶ୍ରେଷ୍ଠ ଦୁଇଟି ଲେଖାଏଁ ଦଳ ଡିସେମ୍ବର ୬ ତାରିଖରେ ସେମିଫାଇନାଲ୍‌ ଖେଳିବେ। ୮ ତାରିଖରେ ଫାଇନାଲ୍ ଅନୁଷ୍ଠିତ ହେବ। ଭାରତ ୩୦ ତାରିଖରେ ପାକିସ୍ତାନ ସହିତ ଖେଳିବା ପରେ ଡିସେମ୍ବର ୨ରେ ଜାପାନ୍‌, ୪ ତାରିଖରେ ୟୁଏଇ ସହିତ ଲିଗ୍‌ ପର୍ଯ୍ୟାୟ ଖେଳିବ।

ଶୃଙ୍ଖଳା ଅଧାରୁ ଫେରିଲା ଶ୍ରୀଲଙ୍କା-ଏ’
ଏନ୍ୟଏକ ଘଟଣାକ୍ରମେ ପାକିସ୍ତାନ ଗସ୍ତରେ ଥିବା ଶ୍ରୀଲଙ୍କା-ଏ’ ଦଳ ସେଠାକାର ବିପଜ୍ଜନକ ପରିସ୍ଥିତିକୁ ଆଖି ଆଗରେ ରଖି ଶୃଙ୍ଖଳା ଅଧାରୁ ସ୍ବଦେଶ ଫେରି ଯାଇଛି। ଯାହା ପିସିବି ପାଇଁ ଏକ ଶକ୍ତ ଝଟ୍‌କା ସଦୃଶ ହୋଇଛି। ଶ୍ରୀଲଙ୍କା-ଏ’ ବହୁ ଆଡ଼ମ୍ବର ସହ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଶୃଙ୍ଖଳା ଖେଳିବାକୁ ପାକିସ୍ତାନ ଆସିଥିଲା। ଗତ ସୋମବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌କୁ ପାକିସ୍ତାନ ସାହିନ୍ସ ନାମରେ ଖେଳୁଥିବା ପାକିସ୍ତାନ-ଏ’ ଦଳ ୧୦୮ ରନ୍‌ରେ ଜିତି ନେଇଥିଲା। ପରବର୍ତ୍ତୀ ଦୁଇ ମ୍ୟାଚ୍ ରାୱଲପିଣ୍ଡିରେ ବୁଧବାର ଓ ଶୁକ୍ରବାର ଖେଳାଯିବାର ଥିଲା। ହେଲେ ରାଜ‌ନୈତିକ ହିଂସା, ବିକ୍ଷୋଭ, ବିରୋଧ ଏବଂ ପୁଲିସ ଗୁଳିରେ ୫ରୁ ଅଧିକ ପାକିସ୍ତାନ ନାଗରିକଙ୍କ ଜୀବନ ଚାଲିଯିବା ପରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ନିଜ ଦଳକୁ ସ୍ବଦେଶ ଫେରାଇ ନେବାକୁ ନିଷ୍ପତ୍ତି ନେଇଥିଲା। ତରବରିଆ ଭାବେ ଶ୍ରୀଲଙ୍କା ଖେଳାଳିମାନେ ମଙ୍ଗଳବାର ନିଜ ଦେଶକୁ ଫେରି ଯାଇଥିଲେ। ଏକଥା ପିସିବି ମଧ୍ୟ ସ୍ବୀକାର କରିଛି। ସୁରକ୍ଷା ଦୃଷ୍ଟିରୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସହ ଆଲୋଚନା ପରେ ଶ୍ରୀଲଙ୍କା-ଏ’ ଦଳର ଖେଳାଳିମାନେ ମଙ୍ଗଳବାର ସ୍ବଦେଶ ଫେରି ଯାଇଛନ୍ତି। ଶୃଙ୍ଖଳାର ‌‌ଶେଷ ଦୁଇ ମ୍ୟାଚ୍‌କୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ କରିଦିଆଯାଇଛି ବୋଲି ପିସିବି ମୁଖ୍ୟ ‌ମୋହସିନ ନକ୍‌ଭୀ କହିଛନ୍ତି।

ଆଇସିସି ବୋର୍ଡ ବୈଠକ ଆଜି
ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ହେବାର ଅନିଶ୍ଚିତତା ଭିତରେ ଶୁକ୍ରବାର ଆଇସିସିର ଗୁରୁତ୍ବପୂର୍ଣ୍ଣ ବୋର୍ଡ ବୈଠକ ହେବାକୁ ଯାଉଛି। ଅଭାସୀ ଭାବେ ହେବାକୁ ଥିବା ଏହି ବୈଠକରେ ଚାମ୍ପିଅନ୍ସ ଟ୍ରଫିର ଭାଗ୍ୟ ନିର୍ଦ୍ଧାରଣ ହେବ। ସାଂପ୍ରତିକ ପରିସ୍ଥିତିକୁ ଆଖି ଆଗରେ ରଖି ହାଇବ୍ରିଡ୍ ମଡେଲ ହିଁ ଶ୍ରେଷ୍ଠ ବିକଳ୍ପ ହେବ ବୋଲି ଆଇସିସି ଅଣଆନୁଷ୍ଠାନିକ ଭାବେ ପିସିବିକୁ ଜଣାଇ ଦେଇଥିବା ଜଣାପଡ଼ିଛି। ଆଇସିସି ସଦସ୍ୟମାନେ ମଧ୍ୟ ନିଜନିଜ ତରଫରୁ ପିସିବିକୁ ମନାଇବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ତେବେ ସବୁ ନଜର ବିସିସିଆ‌ଇ ସଂପାଦକ ତଥା ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ଜୟ ଶାହଙ୍କ ଉପରେ ରହିବ। ଭାରତ କୌଣସି ପରିସ୍ଥିତିରେ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି ବିସିସିଆଇ ଆଇସିସିକୁ ଜଣାଇ ଦେଇଥିଲା ବେଳେ ଯଦି ପିସିବି ତା ଜିଦ୍‌ରେ ଅଟଳ ରୁହେ, ତାହେଲେ ଶାହଙ୍କ ପଦ‌କ୍ଷେପ ଉପରେ ହିଁ ସବୁକିଛି ନିର୍ଭର କରିବ। କାରଣ ଯଦି ଭାରତ ଅଂଶଗ୍ରହଣ ନକଲେ ଚାମ୍ପିଅନ୍ସ ଟ୍ରଫି ନିଶ୍ଚିତ ଭାବେ ତାର ଗୁରୁତ୍ବ ହରାଇବ।
ସୌଜନ୍ୟ-ସମ୍ୱାଦ

Comments are closed.