Breaking News

ପାଞ୍ଚଟି ବିଡ଼ମ୍ବନା

ଆକ୍ରୋଶ ବହନକାରୀ ଜନବିଦ୍ରୋହ ପରେ ଲବ୍‌ଧ କ୍ଷମତା ଅନ୍ଧ କରିଦିଏ, ଯଦ୍ଦ୍ବାରା ପ୍ରତିଶୋଧମୂଳକ ରାଜନୀତି ଦିଗ ହରାଏ। ତେଣୁ ମହମ୍ମଦ ୟୁନୁସ ଏ ସଂକ୍ରାନ୍ତରେ ସଚେତନ ହୋଇଯିବା ଉଚିତ। ତାଙ୍କ ଭଳି ପରିପକ୍ବ ବ୍ୟକ୍ତି ଦୃଷ୍ଟି ହରାଇବା ହେବ ସର୍ବାଧିକ ବିଡ଼ମ୍ବନା, ଯାହା ହେବ ପଞ୍ଚମ ବିଡ଼ମ୍ବନା।

ଆକ୍ରୋଶ ବହନକାରୀ ଜନବିଦ୍ରୋହ ପରେ ଲବ୍‌ଧ କ୍ଷମତା ଅନ୍ଧ କରିଦିଏ, ଯଦ୍ଦ୍ବାରା ପ୍ରତିଶୋଧମୂଳକ ରାଜନୀତି ଦିଗ ହରାଏ। ତେଣୁ ମହମ୍ମଦ ୟୁନୁସ ଏ ସଂକ୍ରାନ୍ତରେ ସଚେତନ ହୋଇଯିବା ଉଚିତ। ତାଙ୍କ ଭଳି ପରିପକ୍ବ ବ୍ୟକ୍ତି ଦୃଷ୍ଟି ହରାଇବା ହେବ ସର୍ବାଧିକ ବିଡ଼ମ୍ବନା, ଯାହା ହେବ ପଞ୍ଚମ ବିଡ଼ମ୍ବନା।

ପ୍ରାୟ ସପ୍ତାହକ ତଳେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ କାମଚଳା ସରକାର ପକ୍ଷରୁ ସେଠାକାର ବିତାଡ଼ିତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ସକାଶେ ବିଧିବଦ୍ଧ ଲିଖିତ ଅନୁରୋଧ କରାଯିବା ପରେ ଧାରଣା ସୃଷ୍ଟି ହୋଇଛି ଯେ ଭାରତ ସକାଶେ ଏକ ଧର୍ମ ସଂକଟର କ୍ଷଣ ଉପନୀତ। କହିବା ବାହୁଲ୍ୟ ଯେ ଏ ସଂଦର୍ଭରେ ଭାରତର ନାସ୍ତିବାଚକ ଉତ୍ତର ବାଂଲାଦେଶ ସହିତ ଉତ୍ତମ ସଂପର୍କ ଅବ୍ୟାହତ ରଖିବା ପଥରେ ଏକ ଅବରୋଧ ରୂପେ ଆବିର୍ଭୂତ ହେବ। କିନ୍ତୁ, ପ୍ରଶ୍ନ ଉଠିଥାଏ ଯେ ୨୦୧୩ ମସିହାରେ ଭାରତ ଓ ବାଂଲାଦେଶ ମଧ୍ୟରେ ସଂପାଦିତ ପ୍ରତ୍ୟର୍ପଣ ଚୁକ୍ତିନାମା (୨୦୧୬ ମସିହାର ସଂଶୋଧନ ସହିତ) କାରଣରୁ ଶେଖ ହସିନାଙ୍କୁ ବାଂଲାଦେଶକୁ ହସ୍ତାନ୍ତର କରିବା କ’ଣ ଭାରତ ସକାଶେ ଅନିବାର୍ଯ୍ୟ?
ମୂଳ କଥା ହେଲା କୌଣସି ବ୍ୟକ୍ତିଙ୍କ ପ୍ରତ୍ୟର୍ପଣ ହେଉଛି ଏକ ଅତ୍ୟନ୍ତ ଗମ୍ଭୀର ଓ ଜଟିଳ ବ୍ୟାପାର, ଯେଉଁ ପ୍ରକରଣରେ ଦୁଇ ଦେଶର ଦାୟିତ୍ବବା‌ନ ସରକାର ଅନ୍ତର୍ଭୁକ୍ତ ହୁଅନ୍ତି। ସେହି ଦୃଷ୍ଟିରୁ ବାଂଲାଦେଶର ସାଂପ୍ରତିକ କ୍ଷମତା କେନ୍ଦ୍ରଙ୍କୁ ସରକାର ବୋଲି ଆଖ୍ୟାୟିତ କରାଯିବା ପ୍ରମାଦପୂର୍ଣ୍ଣ, କାରଣ ତାହା ହେଉଛି ଗୋଟିଏ ନିର୍ବାଚିତ ସରକାରକୁ ତଡ଼ି ବଳପୂର୍ବକ ଶାସନ ଦଖଲ କରିଥିବା ସଡ଼କ ବିଦ୍ରୋହୀଙ୍କ ଏକ ଦଳ। ବିଶେଷଜ୍ଞଙ୍କ ମତରେ ବାଂଲାଦେଶରେ ଏକ ଅସ୍ଥାୟୀ ‘ଶାସନ ବ୍ୟବସ୍ଥା’ କାର୍ଯ୍ୟକ୍ଷମ ଥିବାରୁ ଏଭଳି ଏକ ମହତ୍ତ୍ବପୂର୍ଣ୍ଣ ପ୍ରତ୍ୟର୍ପଣ ଲାଗି ଅବକାଶ ସୃଷ୍ଟି ହୋଇ ନ ଥାଏ, ‌ଯହିଁରେ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଭାଗ୍ୟ ସଂପୃକ୍ତ। ଦ୍ବିତୀୟରେ, ଏହି ପ୍ରତ୍ୟର୍ପଣ ଚୁକ୍ତି ଅନୁସାରେ ସେହିମାନଙ୍କୁ ହସ୍ତାନ୍ତରିତ କରାଯାଇପାରିବ, ଯେଉଁମାନେ ସୀମାପାର ବିଚ୍ଛିନ୍ନତାବାଦ, ଅାତଙ୍କବାଦ ଓ ନିଶା ଦ୍ରବ୍ୟର ନିଷିଦ୍ଧ ଚାଲାଣ ଇତ୍ୟାଦି ଭଳି ଅପରାଧ ସହିତ ଜଡ଼ିତ, ଯହିଁରୁ କୌଣସିଟି ହେଲେ ଶେଖ ହଦିନାଙ୍କ ଲାଗି ଯଥାର୍ଥ ନୁହେଁ। ବାଂଲାଦେଶର ଶାସକଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ‘ଇଣ୍ଟରନେସନାଲ କ୍ରାଇମ ଟ୍ରିବୁନାଲ’ ବା ’ଆଇ.ସି.ଟି.’ ଦ୍ବାରା ‌ଶେଖ ହସିନାଙ୍କ ବିରୋଧରେ ଗିରଫ ଆଦେଶ ଜାରି କରାଯାଇଥିବା ଦୃଷ୍ଟିରୁ ବିଚାର ଲାଗି ସେ ବାଂଲାଦେଶରେ ଉପସ୍ଥିତ ହେବା ଅତ୍ୟନ୍ତ ଜରୁରି। କିନ୍ତୁ ବାଂଲାଦେଶର ‘ଆଇ.ସି.ଟି.’ ଗଠନ ପଛରେ ଏକମାତ୍ର ଉଦ୍ଦେଶ୍ୟ ଥିଲା ୧୯୭୧ ମସିହାରେ ତତ୍‌କାଳୀନ ପୂର୍ବ ପାକିସ୍ତାନରେ ସଂଘଟିତ ହୋଇଥିବା ଇତିହାସର ଅନ୍ୟତମ ସର୍ବାଧିକ ଜଘନ୍ୟ ଗଣହତ୍ୟାରେ ସଂଶ୍ଳିଷ୍ଟ ଅପରାଧୀମାନଙ୍କ ବିଚାର ଓ ଦଣ୍ଡ ପ୍ରଦାନ। ଏହା ସର୍ବଜନବିଦିତ ଯେ ୧୯୭୧ ମସିହା ଗଣସଂହାରର କାରକ ଓ ପୃଷ୍ଠପୋଷକ ଥିଲେ ପାକିସ୍ତାନ (ସେତେବେଳର ପଶ୍ଚିମ ପାକିସ୍ତାନ) ସେନାବାହିନୀ ଏବଂ ସେମାନଙ୍କ ଦୃଢ଼ ସମର୍ଥକ ଥିଲେ ପୂର୍ବ ପାକିସ୍ତାନୀ (ବର୍ତ୍ତମାନର ବାଂଲାଦେଶ) ଇସଲାମୀୟ ମୌଳବାଦୀ ସଂଗଠନର ସଦସ୍ୟ ‘ରଜାକାର’ ଗୋଷ୍ଠୀ। ସୁତରାଂ, ୧୯୭୧ ମସିହାରେ ଶେଖ ହସିନାଙ୍କ ପିତା ଶେଖ ମୁଜିବୁର ରହମନ ଓ ତାଙ୍କ ପରିବାର ସମେତ ତାଙ୍କ ନେତୃତ୍ବାଧୀନ ରାଜନୈତିକ ଦଳ ‘ଆୱାମୀ ଲିଗ୍‌’ ଥିଲେ ତତ୍‌କାଳୀନ ବିଭୀଷିକାର ଶିକାର, ଯେଉଁ କାରଣରୁ ସେ ‘ଆଇ.ସି.ଟି.’ର ବିଚାର ପରିସରକୁ ଆସନ୍ତି ନାହିଁ। ସଂପ୍ରତି ଯେଉଁ ଗଣହତ୍ୟା ଲାଗି ଶେଖ ହସିନାଙ୍କୁ ଦାୟୀ କରାଯାଉଛି, ତାହା ହେଲା ଗଲା ଅଗଷ୍ଟ ମାସର ଜନବିଦ୍ରୋହ (ଛାତ୍ର ଆନ୍ଦୋଳନ) କାଳରେ ପୁଲିସ କାର୍ଯ୍ୟାନୁଷ୍ଠାନରେ ହୋଇଥିବା ମୃତ୍ୟୁ। କିନ୍ତୁ ଏହି ଘଟଣାର ବିଚାର କରିବା ‘ଆଇ.ସି.ଟି.’ର କ୍ଷମତା ବହିର୍ଭୂତ। ଏଣୁ ଏଥିରେ ଦ୍ବିରୁକ୍ତି ନାହିଁ ଯେ ପ୍ରତ୍ୟର୍ପଣ ଲାଗି ଏଭଳି ଅନୁରୋଧ ପଛରେ ବିଶେଷ ବଳ ନ ଥାଏ ଏବଂ ପ୍ରତିଶୋଧମୂଳକ ରାଜନୀତିର ପ୍ରତିଷ୍ଠା ଲାଗି ଏଭଳି ଉଦ୍ୟମ କରାଯାଇଛି।
ତେବେ, ଏହି ପ୍ରକରଣରେ ଯେଉଁ ଚାରିଟି ଅତିକାୟ ବିଡ଼ମ୍ବନା ଦୃଷ୍ଟିଗୋଚର ହୋଇଥାଏ, ସେଗୁଡ଼ିକ ହେଲେ: ୧୯୭୧‌େର ଘୃଣାର ଶିକାର ‘ରଜାକାର’ମାନେ ଏବେ ଜନସମର୍ଥନ ସହିତ କ୍ଷମତାରୂଢ଼; ଦ୍ବିତୀୟରେ ଯେଉଁ ପାକିସ୍ତାନୀ ସେନାବାହିନୀ ଭାରତୀୟ ସେନା ହାତରେ ପରାଜିତ ହୋଇ ପୂର୍ବ ପାକିସ୍ତାନ ପରିତ୍ୟାଗ କରିଥିଲେ, ଏବେ ସେମାନେ ବାଂଲାଦେଶର ଶୁଭଚିନ୍ତକ, ସହାୟକ ଓ ସୁରକ୍ଷାର ପ୍ରତିଶ୍ରୁତି ପ୍ରଦାନ କରୁଥିବା ମିତ୍ର; ତୃତୀୟଟି ହେଲା, ବାଂଲାଦେଶ ସ୍ବାଧୀନତାର ଅଗ୍ରଦୂତ ଭାରତ ସଂପ୍ରତି ଘୃଣାର ପାତ୍ର ଏବଂ ଚତୁର୍ଥ ବିଡ଼ମ୍ବନାଟି ହେଲା ପ୍ରତ୍ୟର୍ପଣ ଚୁକ୍ତିରେ ସ୍ବାକ୍ଷରକାରୀ ଶେଖ ହସିନା‌ ଏବେ ସ୍ବୟଂ ହସ୍ତାନ୍ତରିତ ହେବା ଓ ନ ହେବାର ସନ୍ଧିକ୍ଷଣରେ! ଏଥିରେ ସନ୍ଦେହ ନାହିଁ ଯେ ବାଂଲାଦେଶର ରାଜନୀତି ଏବେ ମୌଳବାଦ କବଳିତ, ଯାହାର ସଂକେତ ହେଲା ଶେଖ ହସିନାଙ୍କ ପଳାୟନ ପରେ କେତେକ ଇସଲାମୀ ଆତଙ୍କବାଦୀଙ୍କ ମୁକ୍ତି ଘୋଷଣା ଏବଂ ବାଂଲାଦେଶର କାମଚଳା ସରକାରରେ ଏଭଳି ଅ‌େନକ ସନ୍ଦିଗ୍‌ଧ ବ୍ୟକ୍ତିଙ୍କ କ୍ଷମତା ଆରୋହଣ ଯେଉଁମାନେ ଚରମ ମୌଳବାଦର ସମର୍ଥକ ଓ ପୃଷ୍ଠପୋଷକ; ଯେମିତି ମାତ୍ର ପାଞ୍ଚ ଦିନ ତଳେ ନସିବୁଲ ଗାନିଙ୍କୁ ସେଠାକାର ସ୍ବରାଷ୍ଟ୍ର ବ୍ୟାପାର ମୁଖ୍ୟ(ସଚିବ) ଭାବେ ନିଯୁକ୍ତ କରାଯାଇଛି, ଯାହାଙ୍କ ନେତୃତ୍ବାଧୀନ ସଂଗଠନ ‘ହିଜବ-ଉତ୍‌-ତେହରିର’ ବା ‘ଏଚ୍‌.ୟୁ.ଟି.’କୁ ଭାରତ ସରକାରଙ୍କ ପକ୍ଷରୁ ଆତଙ୍କବାଦୀ ସଂଗଠନ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଶେଖ ହସିନାଙ୍କ ସରକାର ଦ୍ବାରା ତାହା ନିଷିଦ୍ଧ ହୋଇଥିଲା। ଏଭଳି ଏକ ପରିବେଶରେ ଯଦି ଶେଖ ହସିନାଙ୍କୁ ହସ୍ତାନ୍ତରିତ କରାଯାଏ, ତେବେ ଏକ ଶଠ ବିଚାର ପରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବା ନିଶ୍ଚିତ। ଏବଂ ଯଦି ଭାରତ ତାଙ୍କୁ ପ୍ରତ୍ୟର୍ପଣ ନ କରେ, ତେବେ ସେଠାରେ ଭାରତ ପ୍ରତି ବିଦ୍ବେଷ ଅଧିକ ତୀବ୍ର ହୋଇ ସେଠାକାର ହିନ୍ଦୁମାନଙ୍କୁ ଅଧିକ ନିର୍ଯାତନା ମଧ୍ୟକୁ ନିକ୍ଷେପ କରିବ ଏବଂ ଖୁବ୍‌ ସମ୍ଭବ ଯେ ପାକିସ୍ତାନର ସଂପୃକ୍ତି ଓ ପ୍ରୋତ୍ସାହନ ଫଳରେ ଭାରତର ସ୍ପର୍ଶକାତର ଉତ୍ତର-ପୂର୍ବୀୟ ରାଜ୍ୟଗୁଡ଼କୁ ବିଚ୍ଛିନ୍ନତାବାଦ ଓ ଆତଙ୍କବାଦର ବୀଜ ବିକ୍ଷେପ ବାଂଲାଦେଶ ଭୂମିରୁ ହିଁ ଘଟିବ। ସୁତରାଂ, ଭାରତ ସକାଶେ ଏକ ଆହ୍ବାନଭରା ଭବିଷ୍ୟତର ସୂତ୍ରପାତ ଘଟିବ, ଏହା ଅନୁମାନସାପେକ୍ଷ।
ଏଭଳି ସ୍ଥଳେ ପ୍ରଶ୍ନ ଉଠିଥାଏ ଯେ ଶାନ୍ତି ସକାଶେ ନୋବେଲ ପୁରସ୍କାର ବିଜେତା ଓ ବିଦ୍ବାନ ଡକ୍ଟର ମହମ୍ମଦ ୟୁନୁସ ସେଠାରେ କାମଚଳା ସରକାରର ମୁଖ୍ୟ ଉପଦେଷ୍ଟା ରୂପେ ଅବତୀର୍ଣ୍ଣ ହୋଇ ପ୍ରତିଶୋଧପରାୟଣ ରାଜନୀତିକୁ ପ୍ରତ୍ୟକ୍ଷ ପ୍ରୋତ୍ସାହନ ଦେଉଥିବା ବେଳେ ଇତିହାସ ପ୍ରଦାନ କରିଥିବା ଶିକ୍ଷାକୁ ବିସ୍ମରି ଯାଇଛନ୍ତି କି? ଅବଶ୍ୟ, ଶେଖ ହସିନାଙ୍କ ସରକାର ଦ୍ବାରା ଏକଦା ସେ ପ୍ରପୀଡ଼ିତ ଓ ଅପମାନିତ ହୋଇଛନ୍ତି; କିନ୍ତୁ ପ୍ରତିଶୋଧପରାୟଣ ରାଜନୀତିର ଅର୍ଥହୀନତା ନେଇ କ’ଣ ସେ ଅଜ୍ଞ? ସଡ଼କର ଜନବିଦ୍ରୋହ କାରଣରୁ କ୍ଷମତାରେ ପରିବର୍ତ୍ତନ ଘଟିବା ପରେ ପ୍ରତିଶୋଧମୂଳକ ରାଜନୀତି କିଭଳି ବିପଜ୍ଜନକ ହୋଇଥାଏ, ତାହାର ଅନେକ ଉଦାହରଣ ଇତିହାସରେ ସୁସ୍ପଷ୍ଟ। ଚୀନର ‘ସାଂସ୍କୃତିକ ବିପ୍ଳବ’ ବା ରୁଷିଆର ‘ଅକ୍‌ଟୋବର ବିପ୍ଳବ’ ବା ଗଣତନ୍ତ୍ରକାମୀ ‘ଫରାସୀ ବିପ୍ଳବ’; ସବୁ କ୍ଷେତ୍ରରେ ଏହା ଦୃଷ୍ଟିଗୋଚର ହୋଇଛି ଏବଂ ମାଓ ସେତୁଂ ବା ଯୋସେଫ ଷ୍ଟାଲିନ ବା ମାକ୍‌ସିଲିଅନ ରୋବସପିଅରଙ୍କ ଭଳି ନରହନ୍ତାମାନେ ସେ ସବୁ ବିପ୍ଳବରୁ ଜନ୍ମ ନେଇଛନ୍ତି; ଯେଉଁମାନେ ବିପ୍ଳବର ଇଚ୍ଛା ଆଳରେ ଅସୁମାରି ନିରୀହ ଜୀବନ କ୍ଷୟର କାରଣ ହୋଇଛନ୍ତି। ସେହି କାରଣରୁ ଫରାସୀ ବିପ୍ଳବର ଅନ୍ୟତମ ଅଗ୍ରାଣୀ ନେତା ଜାକ ମାଲେଟଙ୍କ ଆପ୍ତବାକ୍ୟ ସୁଲଭ ବାଣୀ ଏବେ ସୁଦ୍ଧା ବ୍ୟବହୃତ ହୋଇ ଚାଲିଛି ଯେ ‘ପ୍ରତ୍ୟେକ ବିଦ୍ରୋହ ତା’ର ସନ୍ତାନମାନଙ୍କୁ ଭକ୍ଷଣ କରିଥାଏ।’ ପ୍ରକାଶ ଥାଉ କି ରୋବସପିଅରଙ୍କ ଆଦେଶରେ ମାଲେଟଙ୍କ ଶିର ଗିଲୋଟିନ ଦ୍ବାରା ସ୍କନ୍ଧଚ୍ୟୁତ ହୋଇଥିଲା। ସେହିଭଳି ଗିଲୋଟିନ ତଳେ ମସ୍ତକ ହରାଇବା ପୂର୍ବରୁ ଫରାସୀ ବିପ୍ଳବର ଅନ୍ୟତମ ଆଲୋକ ବର୍ତ୍ତିକା ଦାଁଁତନ ଉଚ୍ଚ ସ୍ବରରେ କହି ଉଠିଥିଲେ, ‘ଏହା ପରେ ତୋର ବି ପାଳି ପଡ଼ିବ ରୋବସପିଅର!’ ଅବଳୀଳା କ୍ରମେ ୧୭୯୪ ମସିହାରେ ରୋବସପିଅରର ମୁଣ୍ଡଟି ଗିଲୋଟିନ ତଳେ ଶରୀର ହରାଇଲା ବେଳକୁ ତା’ରି ଆଦେଶରେ ମାତ୍ର ବର୍ଷକ ଭିତରେ ୩୦ ହଜାର ନିରୀହ ଫରାସୀ ନାଗରିକ ଗିଲୋଟିନର ଶିକାର ହୋଇସାରିଥିଲେ। ଏବଂ ପ୍ରକାଶ ଥାଉ କି ରୋବସପିଅର ମଧ୍ୟ ଥିଲା ଜଣେ ଗଣତନ୍ତ୍ରପ୍ରେମୀ, ପ୍ରଗତିଶୀଳ ଓ ସୁଶିକ୍ଷିତ ବ୍ୟକ୍ତି! ଆକ୍ରୋଶ ବହନକାରୀ ଜନବିଦ୍ରୋହ ପରେ ଲବ୍‌ଧ କ୍ଷମତା ଅନ୍ଧ କରିଦିଏ, ଯଦ୍ଦ୍ବାରା ପ୍ରତିଶୋଧମୂଳକ ରାଜନୀତି ଦିଗ ହରାଏ। ତେଣୁ ମହମ୍ମଦ ୟୁନୁସ ଏ ସଂକ୍ରାନ୍ତରେ ସଚେତନ ହୋଇଯିବା ଉଚିତ। ତାଙ୍କ ଭଳି ପରିପକ୍ବ ବ୍ୟକ୍ତି ଦୃଷ୍ଟି ହରାଇବା ହେବ ସର୍ବାଧିକ ବିଡ଼ମ୍ବନା, ଯାହା ହେବ ପଞ୍ଚମ ବିଡ଼ମ୍ବନା।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.