Breaking News

ପାଟି ଘା’ର ଘରୋଇ ଉପଚାର

ବେଳେବେଳେ ପାଟି ଭିତରେ ଛୋଟ ଛୋଟ ଘା’ ହୋଇଯାଏ, ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇଥାଏ। ସାଧାରଣତଃ ଗାଲ ଭିତର ପାଖ, ମାଢ଼ି, ଜିଭ ଓ ଭିତର ଓଠରେ ଏଭଳି ଘା’ ହୁଏ। ଫ‌ଳରେ ଖାଇ ହୁଏ ନାହିଁ।

ବେଳେବେଳେ ପାଟି ଭିତରେ ଛୋଟ ଛୋଟ ଘା’ ହୋଇଯାଏ, ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇଥାଏ। ସାଧାରଣତଃ ଗାଲ ଭିତର ପାଖ, ମାଢ଼ି, ଜିଭ ଓ ଭିତର ଓଠରେ ଏଭଳି ଘା’ ହୁଏ। ଫ‌ଳରେ ଖାଇ ହୁଏ ନାହିଁ। ଏଭଳି ଛୋଟ ଛୋଟ ଘା’କୁ ମାଉଥ୍‌ ଅଲ୍‌ସର୍‌ କୁହାଯାଏ। ପାଟି ଘା’ ବିଭିନ୍ନ କାରଣରୁ ହୋଇପାରେ। ପାଟି ଭିତରେ ଛୋଟ ଖଣ୍ଡିଆ ହୋଇଥିଲେ ବା ଚାପଗ୍ରସ୍ତ ଜୀବନ, କିଛି ଖାଦ୍ୟର ପ୍ରଭାବ ଯୋଗୁଁ, ଭିଟାମିନ୍‌ର ଅଭାବ ବା ହର୍‌ମୋନ୍‌ ପରିବର୍ତ୍ତନ ଯୋଗୁଁ ପାଟି ଘା’ ହୋଇପାରେ। ତେବେ କିଛି ଘରୋଇ ଉପଚାର ଦ୍ବାରା ପାଟି ଘା’ରୁ ମୁକ୍ତି ପାଇପାରିବା।

 ଲୁଣ ପାଣିରେ ପ୍ରଚୁର ପରିମାଣରେ ଆଣ୍ଟିସେପ୍‌ଟିକ୍‌ ତତ୍ତ୍ବ ଭରି ରହିଛି। ଏକ ଗ୍ଲାସ୍‌ ଗରମ ପାଣିରେ ଅଧ ଚାମଚ ଲୁଣ ମିଶାଇ ୩୦ ସେକେଣ୍ଡ ଲେଖାଏଁ ୩ରୁ ୪ ଥର କୁଳି କଲେ ପାଟି ଘା’ର ପ୍ରକୋପ କମିବା ସହ ଏହା ଅଧିକ ସଂକ୍ରମିତ ହୋଇନଥାଏ। ଏହା ଦ୍ବାରା ପାଟି ଘା’ରୁ ଶୀଘ୍ର ମୁକ୍ତି ମିଳିଥାଏ।
 ମହୁର ଆଣ୍ଟି-ଇନ୍‌ଫ୍ଲାମେଟୋରି ଓ ଆଣ୍ଟି ବ୍ୟାକ୍ଟେରିଆଲ୍‌ ଗୁଣ ରହିଛି। ପାଟି ଘା’ ଉପରେ କଞ୍ଚା ମହୁ ସିଧାସଳଖ ଲଗାଇବା ଫଳରେ ଏହା ପୀଡ଼ା ଲାଘବ କରିବା ସହ ଘା’ ଭଲ କରିଥାଏ। କିଛି ଦିନ ନିୟମିତ ମହୁ ଲଗାଇବା ଦ୍ବାରା ସୁଫଳ ମିଳିଥାଏ।
 ବେକିଂ ସୋଡା ଅମ୍ଳତାକୁ ନିଷ୍କ୍ରିୟ କରିବା ସହ ଅଲ୍‌ସର୍‌ ଚାରିପାଖେ ହେଉଥିବା କଷ୍ଟରୁ ମୁକ୍ତି ଦେଇଥାଏ। ପାଣିରେ କିଛି ବେକିଂ ସୋଡା ଗୋଳାଇ ଏକ ମିଶ୍ରଣ ତିଆରି କରି ପାଟି ଘା’ରେ ଲଗାଇ ଛାଡ଼ିଦିଅନ୍ତୁ। କିଛି ସମୟ ପରେ ଏହାକୁ ସଫା ପାଣିରେ ଧୋଇ ଦିଅନ୍ତୁ। ପ୍ରତିଦିନ ୨ରୁ ୩ ଥର ଏପରି କଲେ ଅଳ୍ପ ଦିନରେ ଅଲ୍‌ସର୍‌ କମିଯାଏ।
 ଟମାଟୋ ଓ ତେଲମସଲାଯୁକ୍ତ ଖାଦ୍ୟ ଅଲ୍‌ସର୍‌କୁ ଅଧିକ ବଢ଼ାଇଦିଏ। ଏଣୁ ଖଟା ଖାଦ୍ୟରୁ ଦୂରେଇ ରହି ସଜ ଦହି, କଦଳୀ ଓ ସିଝା ପନିପରିବା ଖାଇଲେ ଅଲ୍‌ସର୍‌ ଶୀଘ୍ର ଭଲ ହୋଇଯାଏ।
 ଘିକୁଆଁରୀ ରସ ସିଧାସଳଖ ଅଲ୍‌ସର୍‌ ଉପରେ ଦିନକୁ ୨-୩ ଥର ଲଗାଇବା ଦ୍ବାରା ଆରାମ ମିଳେ।
 ପ୍ରଚୁର ପରିମାଣରେ ପାଣି ପିଇ ଶରୀରକୁ ହାଇଡ୍ରେଟେଡ୍‌ ରଖିବା ଫଳରେ ପାଟି ଘା’ରୁ ଉପଶମ ମିଳିଥାଏ।
ସୌଜନ୍ୟ-ସମ୍ୱାଦ

Comments are closed.