Breaking News

ପାଢ଼ୀ ଟ୍ୟୁଟୋରିଆଲ ମାଲିକଙ୍କ ଆତ୍ମହତ୍ୟା ମାମଲା: ପୁଣି ଫାଇଲ୍‌ ଖୋଲିବ

ପାଢ଼ୀ ଟ୍ୟୁଟୋରିଆଲ ମାଲିକ ଜାନକୀ ବଲ୍ଲଭ ପାଢୀଙ୍କ ଆତ୍ମହତ୍ୟା ଅଭିଯୋଗ ମାମଲାର ୭ ବର୍ଷ ପରେ ମଧ୍ୟ ପୁଲିସ ତଦନ୍ତ ସରି ନାହିଁ। ସୁଇସାଇଡ୍ ନୋଟ୍‌ରେ ସ୍ୱର୍ଗତ ପାଢୀ ତାଙ୍କ ଆତ୍ମହତ୍ୟା ପାଇଁ ୩୦ଜଣଙ୍କୁ ଦାୟୀ କରିଥିଲେ...

କଟକ: ପାଢ଼ୀ ଟ୍ୟୁଟୋରିଆଲ ମାଲିକ ଜାନକୀ ବଲ୍ଲଭ ପାଢୀଙ୍କ ଆତ୍ମହତ୍ୟା ଅଭିଯୋଗ ମାମଲାର ୭ ବର୍ଷ ପରେ ମଧ୍ୟ ପୁଲିସ ତଦନ୍ତ ସରି ନାହିଁ। ସୁଇସାଇଡ୍ ନୋଟ୍‌ରେ ସ୍ୱର୍ଗତ ପାଢୀ ତାଙ୍କ ଆତ୍ମହତ୍ୟା ପାଇଁ ୩୦ଜଣଙ୍କୁ ଦାୟୀ କରିଥିଲେ ସୁଦ୍ଧା ଏ ସମ୍ପର୍କରେ ଫଳପ୍ରଦ ତଦନ୍ତ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ସ୍ବର୍ଗତ ପାଢ଼ୀଙ୍କ ପତ୍ନୀ କବିତା ମହାପାତ୍ର ଦାୟର କରିଥିବା ଆବେଦନକୁ ହାଇକାର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ବଡ଼ଗଡ଼ ଥାନାରେ ୨୦୧୭ ମସିହାରେ ରୁଜୁ ହୋଇଥିବା ମାମଲାର ତଦନ୍ତ ତିନି ମାସ ଭିତରେ ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୩ ମାସରେ ତଦନ୍ତ ଶେଷ କରିବାକୁ ହାଇକୋର୍ଟଙ୍କ ନ‌ି‌ର୍ଦ୍ଦେଶ
ସୁଇସାଇଡ୍‌ ନୋଟ୍‌ରେ ଥିଲା ୩୦ ଜଣଙ୍କ ନଁା
ଆତ୍ମହତ୍ୟା ପାଇଁ ସେମାନେ ଦାୟୀ ବୋଲି ଲେଖିଥିଲେ
୭ ବର୍ଷରେ ସରିପାରିଲାନି ତଦନ୍ତ
ପୁଲିସର ନିଷ୍କ୍ରିୟତା ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପତ୍ନୀ

ଯଦି ଏହି ସମୟସୀମା ଭିତରେ ତଦନ୍ତ ଶେଷ ନ ହୁଏ ତେବେ ଆବେଦନକାରୀ ପୁଣି ଥରେ ଅଦାଲତଙ୍କ ଦ୍ବାରସ୍ଥ ହୋଇ ପାରିବେ ବୋଲି ହାଇକୋର୍ଟ କହିବା ସହିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ୍‌ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଥିଲେ। ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଏଏସ୍‌ସି ଦର୍ଶାଇଥିଲେ ଯେ ପୁଲିସ ଜବତ କରିଥିବା ସୁଇସାଇଡ୍ ନୋଟରେ ସ୍ବର୍ଗତ ପାଢ଼ୀଙ୍କ ସହ ଅର୍ଥ କାରବାର କରୁଥିବା ୩୦ ଜଣଙ୍କ ନାମ ରହିଛି। ସଂପୃକ୍ତ ସନ୍ଦିଗ୍ଧଙ୍କ ବିରୋଧରେ ତଦନ୍ତ  ଶେଷ ହୋଇନାହିଁ। ଅନ୍ୟପକ୍ଷରେ ଏତେ ବର୍ଷ ପରେ ମଧ୍ୟ ଘଟଣାର ତଦନ୍ତ ସଂପୂର୍ଣ୍ଣ ନ ହେବା ପ୍ରସଂଗରେ ଆବେଦନକାରୀ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ନିଶିକାନ୍ତ ମିଶ୍ର ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଅଖଣ୍ଡ, ସପନ କୁମାର ପାଲ, ବର୍ଷା ସ୍ୱାଇଁ ସହଯୋଗ କରିଥିଲେ।

 

 

 

ସୌଜନ୍ୟ-ସମ୍ୱାଦ

Comments are closed.