Breaking News

ପାତ୍ରପଡ଼ା ଫୁଟ୍‌ ଓଭର୍‌ବ୍ରିଜ୍‌: ୨ ବର୍ଷରେ ଅଧା, ଭିତ୍ତପ୍ରସ୍ତରରେ ଅଟକିଛି ବରମୁଣ୍ଡ‌ା, ପଳାସୁଣି‌ରେ ଫାଉଣ୍ଡେସନ

ଜାତୟ ରାଜପଥ ପାର ବେଳେ ଦୁର୍ଘଟଣା ରୋକିବା ପାଇଁ ଏନ୍‌ଏଚ୍ଏଆଇ ଫୁଟ୍‌ ଓଭରବ୍ରିଜ୍‌ ନିର୍ମ‌ାଣ କରିବାକୁ ନିଷ୍ପତ୍ତି ନେଇଥିଲା। ସବୁଠାରୁ ଅଧିକ ଦୁର୍ଘଟଣା ଘଟୁଥିବା ପାହାଳରୁ ପାତ୍ରପଡ଼ା ପର୍ଯ୍ୟନ୍ତ ଜାତୀୟ ରାଜପଥର ୪ଟି ଜାଗା ରହିଥିଲା।

ଖଣ୍ଡଗିରି: ଜାତୟ ରାଜପଥ ପାର ବେଳେ ଦୁର୍ଘଟଣା ରୋକିବା ପାଇଁ ଏନ୍‌ଏଚ୍ଏଆଇ ଫୁଟ୍‌ ଓଭରବ୍ରିଜ୍‌ ନିର୍ମ‌ାଣ କରିବାକୁ ନିଷ୍ପତ୍ତି ନେଇଥିଲା। ସବୁଠାରୁ ଅଧିକ ଦୁର୍ଘଟଣା ଘଟୁଥିବା ପାହାଳରୁ ପାତ୍ରପଡ଼ା ପର୍ଯ୍ୟନ୍ତ ଜାତୀୟ ରାଜପଥର ୪ଟି ଜାଗା ରହିଥିଲା। ପଳାସୁଣି, ନୂଆପଲ୍ଲୀ, ବରମୁଣ୍ଡା ଓ ପାତ୍ରପଡ଼ାରେ ସ୍ଥାପନ କରିବାକୁ କହି ସାଂସଦ ବାହାବା ନେଲେ। ଧୁମ୍‌ଧାମ୍‌ରେ ଭିତ୍ତପ୍ରସ୍ତର ପଡ଼ିଲା। ଭିତ୍ତିପ୍ରସ୍ତରର ୧୫ ଦିନ ଭିତରେ କାମ ଆରମ୍ଭ ହେବ ବୋଲି ଘୋଷଣା ହେଲା। ହେଲେ କେବଳ ନୂଆପଲ୍ଲୀକୁ ଛାଡ଼ିଦେଲେ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ହୋଇପାରିଲା ନାହିଁ। ପାତ୍ରପଡ଼ାରେ ଦୁଇ ବର୍ଷ ମଧ୍ୟରେ ମାତ୍ର ଫାଳେ ତିଆରି ହୋଇଥିବା ବେଳେ ବରମୁଣ୍ଡା ଭିତ୍ତିପ୍ରସ୍ତରରେ ଅଟକିଛି। ପଳାସୁଣିରେ ଫାଉଣ୍ଡେସନ କାମ ଚାଲିଛି। ଫଳରେ ଏ ସବୁ ଜାଗା‌ରେ ପ୍ରତି ଦିନ ଅଘଟଣ ଘଟୁଛି।

କଳିଙ୍ଗ ବିହାର କେ-୧ରୁ କେ-୮ ରାସ୍ତାର ଗୋଟିଏ ପ‌‌ଟେ ଓ କେ-୯ ଏ ଓ ବି ଅପରପାର୍ଶ୍ବରେ ଥିବାରୁ ଲୋକେ ରାସ୍ତାପାର୍‌ ହେବା ବେଳେ ଦୂର୍ଘଟଣାର ସମ୍ମୁଖୀନ ହେଉଥିଲେ। ଏହି ଅଞ୍ଚଳର ବରିଷ୍ଠ ନାଗରିକ ପ୍ରାତଃଭ୍ରମଣ ପାଇଁ ଔଷଧୀୟ ଜ୍ଞାନକେନ୍ଦ୍ରକୁ ଆସିବ‌ା ବେଳେ ଅଣ୍ଡର୍‌ପାସ୍‌ ଦେଇ ଅଧ କିଲୋମିଟର ବୁଲୁଥିଲେ। ରାସ୍ତାରେ ଯିବା ବେଳେ ଦୁର୍ଘଟଣା ଭୟରେ ଅନେକ ଘରୁ ବାହାରି ପାରୁ ନଥିଲେ। ଜାତୀୟ ରାଜପଥ ଅତିକ୍ରମ କରୁ କରୁ ଦୁର୍ଘଟଣାର ଶିକାର ହେଉଥିଲେ। ନିୟମିତ ଦୁର୍ଘଟଣା ଓ ବାରମ୍ବାର ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ୨୦୨୨ ମସିହା ସେପ୍ଟେମ୍ବର ୫ ତାରିଖରେ ପାତ୍ରପଡ଼ା ନିକଟରେ ଫୁଟ୍‌ ଓଭର୍‌ବ୍ରିଜ୍‌ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ପଡ଼ିଥିଲା। ୧୫ ଦିନ ଭିତରେ ଟେଣ୍ଡର ‌ଓ ମାସେ ଭିତରେ କାମ ଆରମ୍ଭ ହେବ ବୋଲି କୁହାଯାଇଥିଲା। ତେଣୁ ଓଭର୍‌ବ୍ରିଜ୍‌ ତିଆରି ହେବାକୁ ସମସ୍ତେ ଚାତକ ପରି ଅନାଇବସିଲେ। ହେଲେ ଫଳକ ପୋତାର ବ‌‌‌ର୍ଷେ ପର୍ଯ୍ୟନ୍ତ କାମ ସରିବା ଦୂର କଥା ଆରମ୍ଭ ମଧ୍ୟ ହେଲାନାହିଁ। ଗତ ଅଗଷ୍ଟ ମାସରେ ଔଷଧୀୟ ଜ୍ଞାନ କେନ୍ଦ୍ର ଓ ରାସ୍ତା ଅପରପାର୍ଶ୍ବରେ ବ୍ରିଜ୍‌ ପାଇଁ ଗାତଖୋଳା ଆରମ୍ଭ ହେଲା। ସେତେବେଳେ କାମ ମା‌ସେ ଭିତରେ  ସରିଯିବ ବୋଲି କୁହାଯାଇଥିଲା। ଅକ୍ଟୋବର ମାସରେ ବ୍ରିଜ୍‌ ରାସ୍ତାର ଗୋଟିଏ ପାର୍ଶ୍ବରେ ତିଆରି ହୋଇଛି। ପଡ଼ି ରହିଥିବା ଲୁହା ରେଲିଂରେ କଳଙ୍କି ଲାଗିଲାଣି। ଅଧାପନ୍ତରିଆ ବ୍ରିଜ୍‌ରେ ଲୋକ ଚଢ଼ି ଯାଉଥିବାରୁ ଆହୁରି ବିପଦ ହୋଇଛି। ୟା ଭିତରେ ଏହି ଅଞ୍ଚଳର ୪ ଜଣ ବରିଷ୍ଠ ନାଗରିକ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି।
ସେହିପରି ଚଳିତ ବର୍ଷ ୨୫ ଜୁନରେ ବରମୁଣ୍ଡାରେ ଫୁଟ୍‌ ଓଭର୍‌ବ୍ରଜ୍‌ ନିର୍ମ‌ାଣ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ସାଂସଦ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏନ୍ଏଚ୍ଏଆଇ ପକ୍ଷରୁ କୁହାଯାଇଥିଲା, ଟେଣ୍ଡର କାମ ଶେଷ ହୋଇଛି, ୧୫ ଦିନରେ କାମ ଆରମ୍ଭ ହେବ। ହେଲେ ଘଟଣାକୁ ୭ ମାସ ବିତିଥିଲେ ମଧ୍ୟ ଇଟା ଖଣ୍ଡେ ମଧ୍ୟ ପଡ଼ିନାହିଁ। ବରମୁଣ୍ଡାରେ ଫୁଟ୍‌ ଓଭରବ୍ରିଜ୍‌ ପାଇଁ ଦୀର୍ଘ ଦିନ ହେବ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀ ‌ଦାବି କରୁଥିଲେ। ପ୍ରତିଦିନ ହଜାର ହଜାର ‌ଲୋକ ଅତ୍ୟନ୍ତ ବିପଦସଙ୍କୁଳ ଭାବେ ରାସ୍ତା ପାର୍‌ ହେଉଛନ୍ତି। ତେଣୁ ଏଥିପାଇଁ ଗତ ଫେବ୍ରୁଆରିରେ ଟେଣ୍ଡର ଡକାଯାଇଥିଲା। ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ଏଥିରେ ଲିଫ୍ଟ ସୁବିଧା ରହିବାକୁ କୁହାଯାଇଥିଲା। କିନ୍ତୁ ଏ ଯାବତ୍‌ ନିର୍ମାଣ ଆରମ୍ଭ ହୋଇ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.