ଟଳମାନ ପୃଥିବୀ

ଜଳ ଲାଗି ଯୁଦ୍ଧ, ସଂଘର୍ଷ, ଅଶାନ୍ତି ଓ ରାଜନୀତି ସୃଷ୍ଟି କରିବେ କେବଳ ସେହିମାନେ ଯେଉଁମାନେ ଜଳର ପ୍ରାଚୁର୍ଯ୍ୟ ଭିତରେ ଥାଇ ତାହାକୁ ପର୍ଯ୍ୟାପ୍ତ ଭାବେ ଉପଭୋଗ କରିବେ, ବିବେକ ଦଂଶନର ସାମାନ୍ୟ ଶିକାର ନ ହୋଇ ତା’ର ଅପଚୟ କରିବେ, ଏଣେ ଜଳର କିଞ୍ଚିତ୍‌ ଅଭାବରେ ଘୋର ଉଦ୍‌ବିଗ୍ନ ଓ ତୀବ୍ର ପ୍ରତିକ୍ରିୟାଶୀଳ ହୋଇ ଉଠିବେ। ଏମାନେ ହିଁ ଅନ୍ତରୀକ୍ଷରେ ପୃଥିବୀକୁ ଟଳାଇଛନ୍ତି ଓ ଅନେକ ବିପର୍ଯ୍ୟୟକୁ ଆମନ୍ତ୍ରଣ ଦେଇଛନ୍ତି।

ଦିଲ୍ଲୀର ଶୀତଦିନିଆ ଭୟଙ୍କର ବାୟୁ ପ୍ରଦୂଷଣ ଓ ସେହି ସମୟରେ ଜାତିସଂଘ ଦ୍ବାରା ଆହୂତ ‘କପ୍‌ ୨୯’ – ବାର୍ଷିକ ପରିବେଶ ସଂକ୍ରାନ୍ତ ସମ୍ମିଳନୀ – ପରିପ୍ରେକ୍ଷୀରେ ବାୟୁ ପ୍ରଦୂଷଣ, କାର୍ବନ ନିର୍ଗମନ ଓ ତଜ୍ଜନିତ ବିଶ୍ବ ଉତ୍ତପ୍ତୀକରଣ ଏବଂ ଜଳବାୟୁ ପରିବର୍ତ୍ତନ ତଥା ସେହି କାରଣରୁ ଘଟୁଥିବା ପ୍ରାକୃତିକ ବିଭୀଷିକା ଓ ତାହାର ପ୍ରତିକାର ସମ୍ବନ୍ଧୀୟ ଚର୍ଚ୍ଚା ଓ ତର୍କାଦିରେ ଲୋକକ୍ଷେତ୍ର ମୁଖର ହୋଇ ଉଠିଥିବା ବେଳେ ଗୋଟିଏ ବିଷୟ ହୃଦ୍‌ବୋଧ କରି ହୋଇଥାଏ ଯେ କେବଳ ଦୃଶ୍ୟମାନ ବିକୃତିମାନ ଆମକୁ ଉଦ୍‌ବିଗ୍ନ ଓ ଉଦ୍‌ବେଳିତ କରିଥାଏ ସିନା, ଆମ ଦୃଷ୍ଟି ଅନ୍ତରାଳରେ ଘଟି ଚାଲିଥିବା ଅନେକ ବିକୃତି ଜୀବନକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିପନ୍ନ କରିବାର ସ୍ଥିତିରେ ଥିଲେ ହେଁ ସେ ନେଇ ଆମେମାନେ ବିଶେଷ ଚିନ୍ତିତ ହୋଇ ନ ଥାଆନ୍ତି; ଯେମିତି କି ଭୂତଳ ଜଳର ମାତ୍ରାଧିକ ବ୍ୟବହାର ହେତୁ ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତାରେ ବୃଦ୍ଧି। ଅବଶ୍ୟ, ଭୂତଳ ଜଳ ସ୍ତରରେ ହ୍ରାସ ନେଇ ବିଚଳିତବୋଧ ପ୍ରକାଶ ପାଇଲାଣି, କିନ୍ତୁ ଭୂତଳ ଜଳର ସଂକୋଚନ କିଭଳି ଭୂପୃଷ୍ଠକୁ ମଧ୍ୟ ଅଧିକ ଦୁର୍ବିପାକସଂକୁଳ କରି ପକାଇବ, ସେ ନେଇ ଧାରଣା ସୃଷ୍ଟି ହୋଇପାରିନାହିଁ। ଏହି ସଂଦର୍ଭରେ ‘ଜିଓ-ଫିଜିକାଲ୍‌ ରିସର୍ଚ ଲେଟର୍ସ’ ନାମକ ଏକ ଗବେଷଣାମୂଳକ ପତ୍ରିକାରେ ନିକଟରେ ପ୍ରକାଶିତ ଏକ ଆଲେଖ୍ୟ ପ୍ରଣିଧାନଯୋଗ୍ୟ, ଯାହା କହିଛି କିଭଳି ମାତ୍ରାତିରିକ୍ତ ମାନବୀୟ ହସ୍ତକ୍ଷେପ ହେତୁ ଅନ୍ତରୀକ୍ଷରେ ମଧ୍ୟ ପୃଥିବୀ ଟଳମଟଳ ହେବାରେ ଲାଗିଲାଣି, ଯାହା ହିଁ ହେଉଛି ଉପରୋକ୍ତ ଆଶଙ୍କାର କାରଣ।
ମୋଟାମୋଟି ୫୯୭୪ ନିୟୁତ କିଲୋଗ୍ରାମ ଓଜନ ବିଶିଷ୍ଟ ଆମ ସୁନୀଳ ଗ୍ରହଟି ଅନ୍ତରୀକ୍ଷରେ ଝୁଲନ୍ତ ଅବସ୍ଥାରେ ରହି ଏକ ନିର୍ଦ୍ଦିଷ୍ଟ କକ୍ଷ ପଥରେ ସୂର୍ଯ୍ୟକୁ ପ୍ରଦକ୍ଷିଣ କରିବା ସହିତ ସୂର୍ଯ୍ୟ ଆଡ଼କୁ ୨୩.୫ ଡିଗ୍ରି କୋଣରେ ଢଳି ରହି ନିଜ ଅକ୍ଷକୁ କେନ୍ଦ୍ର କରି ନଟୁ ତୁଲ୍ୟ ଘୂର୍ଣ୍ଣୟମାନ ହେଉଥିବା କଥା ସମସ୍ତେ ଜାଣନ୍ତି, ଯେଉଁ କାରଣରୁ ଦିବା-ରାତ୍ର ଚକ୍ର ଓ ଋତୁ ଚକ୍ରମାନ ସମ୍ଭବ ହୋଇଥାଏ। ଏଭଳି ଢଳଣ ହେତୁ ପୃଥିବୀର ସର୍ବତ୍ର ସୂର୍ଯ୍ୟାଲୋକ ସମାନ ଭାବେ ପଡ଼ି ନ ଥାଏ ଏବଂ ସେହି ହେତୁ ଅଞ୍ଚଳ ଭିତ୍ତିିରେ ଜଳବାୟୁଗତ ଭିନ୍ନତା, ରୌଦ୍ର ତାପ, ଶୀତ ଓ ବୃଷ୍ଟିପାତରେ ପାତରଅନ୍ତର ଆଦି ପରିଦୃଷ୍ଟ ହୋଇଥାଏ। ତେବେ, କିଛି ବର୍ଷ ହେଲାଣି ପୃଥିବୀର ଢଳଣରେ ଘଟି ଚାଲିଥିବା ଦୁର୍ବୋଧ୍ୟ ବୃଦ୍ଧି ବୈଜ୍ଞାନିକମାନଙ୍କୁ ହତଚକିତ କରି ଆସିଛି ଏବଂ ସେମାନଙ୍କ କହିବା ଅନୁସାରେ ଇତିମଧ୍ୟରେ ପୃଥିବୀ ୩୧.୫ ଇଞ୍ଚ ଅଧିକ ଢଳି ସାରିଲାଣି। ତେବେ, ଏଭଳି ଏକ ମହାଜାଗତିକ ଘଟଣା ପଛରେ ନିହିତ ସମ୍ଭାବ୍ୟ କାରଣମାନ ଏ ଯାବତ୍‌ ବୈଜ୍ଞାନିକମାନଙ୍କ ଲାଗି ଅନ୍ଦାଜର ବ୍ୟାପାର ହୋଇ ରହି ଆସିଥିଲା, ଯାହା ଏବେ ସୁନିର୍ଦ୍ଦିଷ୍ଟ ହୋଇସାରିଛି ବୋଲି ‘ଜିଓ-ଫିଜିକାଲ୍‌ ରିସର୍ଚ ଲେଟର୍ସ’ ପତ୍ରିକାର ଆଲେଖ୍ୟ କହିଥାଏ। ସେହି ନିବନ୍ଧ ଅନୁସାରେ ମାତ୍ରାଧିକ ଭୂତଳ ଜଳର ଅପସାରଣ ହେତୁ ଭୂଗର୍ଭରେ ସୃଷ୍ଟ ଶୂନ୍ୟତା ହିଁ ପୃଥିବୀର ଭାରସାମ୍ୟ ସ୍ଖଳନ ଓ ତଜ୍ଜନିତ ପୃଥିବୀର ଅଧିକ ଢଳଣର କାରଣ। ଅବଶ୍ୟ, ପୃଥିବୀର ବିଶାଳତା ପରିପ୍ରେକ୍ଷୀରେ ଢଳଣରେ ୩୧.୫ ଇଞ୍ଚର ବୃଦ୍ଧି ଅତ୍ୟନ୍ତ ନଗଣ୍ୟ, କିନ୍ତୁ ବିଶେଷଜ୍ଞମାନେ କହିଥାଆନ୍ତି ଯେ ଏଭଳି ସାମାନ୍ୟ ପରିବର୍ତ୍ତନର ପ୍ରଭାବ ମଧ୍ୟ ଅତ୍ୟନ୍ତ ସୁଦୂରପ୍ରସାରୀ; ଏହି କାରଣରୁ ସମୁଦ୍ର ପତ୍ତନରେ ବୃଦ୍ଧି ଘଟୁଛି ଏବଂ ବିଭିନ୍ନ ବିଶେଷଜ୍ଞ ଆକଳନ ଅନୁସାରେ ୨୦୫୦ ମସିହା ସୁଦ୍ଧା ସମୁଦ୍ରର ଜଳ ସ୍ତରରେ ଏକ ଫୁଟରୁ ମଧ୍ୟ ଅଧିକ ବୃଦ୍ଧି ଘଟିବ, ଯଦ୍ଦ୍ବାରା ଅନେକ ସମୃଦ୍ଧ ଓ ଜନାକୀର୍ଣ୍ଣ ଦ୍ବୀପ ସମୁଦ୍ର ଗର୍ଭସାତ୍‌ ହେବେ ଏବଂ ସମୁଦ୍ର ତଟବର୍ତ୍ତୀ ଲଣ୍ଡନ ବା ମୁମ୍ବାଇ ବା ସାଂଘାଇ ଅଥବା ବୁଏନସ ଏୟାର୍ସ ଆଦି ଭଳି ମହାନଗରୀଗୁଡ଼ିକ ଅସ୍ତିତ୍ବ ସଂକଟ ମଧ୍ୟ ଦେଇ ଗତି କରିବେ। ଏଭଳି ଢଳଣ ହେତୁ ପୃଥିବୀ ଲାଭ କରୁଥିବା ସୂର୍ଯ୍ୟାଲୋକର ଗୁଣମାନରେ ପରିବର୍ତ୍ତନ ହୋଇ ଋତୁ ଚକ୍ରରେ ବ୍ୟତିକ୍ରମ ଓ ପାଣିପାଗଜନିତ ବିଭ୍ରାଟମାନ ଘଟାଇବ; ବୃଷ୍ଟିରିକ୍ତ ମରୁ ଅଞ୍ଚଳମାନ ପ୍ରଳୟଙ୍କରୀ ବନ୍ୟା ଦ୍ବାରା ଜଳମଗ୍ନ ହେବେ, ପ୍ରାଣହୀନ ସାହାରା ଠାଏ ଠାଏ ପଲ୍ଲବିତ ହୋଇ ଉଠିଲା ବେଳକୁ ଅନେକ ସବୁଜ ଅଞ୍ଚଳ ବୁନ୍ଦାଏ ଜଳ ସୁଦ୍ଧା ନ ପାଇ ବନ୍ଧ୍ୟା ପାଲଟିବେ। ଏହି ବ୍ୟତିକ୍ରମ ଧାରାର ପ୍ରାରମ୍ଭ ଘଟି ସାରିଛି। ଅନେକ ଉପଗ୍ରହ ଫଟୋଚିତ୍ରରେ ସାହାରାର ଧୀର ସବୁଜୀକରଣ ସହ ଆଉ କେଉଁଠି ଘନ ବନରାଜି ବିଲୁପ୍ତ ହୋଇ ଧୂସର ମରୁରେ ପରିଣତ ହେଉଥିବାର ଦୃଶ୍ୟମାନ ଉପଲବ୍‌ଧ ଏବଂ ଆଫଗାନିସ୍ତାନ, ପାକିସ୍ତାନ ଓ ଆରବ ଦେଶଗୁଡ଼ିକ ପ୍ରଳୟଙ୍କରୀ ବନ୍ୟା ଭୋଗି ସାରିଲେଣି। ସୁତରାଂ, ପୃଥିବୀ ଶୂନ୍ୟଗର୍ଭା‌ ହେବାର ଅର୍ଥ ଯେ ପୃଥିବୀ ପୃଷ୍ଠରେ ଅନର୍ଥକୁ ଆମନ୍ତ୍ରଣ, ଏହା ହୃଦ୍‌ବୋଧ ହୋଇଯିବା ଉଚିତ।
ଏକ ଆକଳନ ଅନୁସାରେ ମାନବ ଜାତି ବାର୍ଷିକ ୭୫ ଟ୍ରିଲିଅନ୍‌ ଗ୍ୟାଲନ୍‌ ଭୂତଳ ଜଳ ଅପସାରଣ କରିଥାଏ, ଯାହାର ବିଶାଳତା ସମ୍ବନ୍ଧରେ ଧାରଣା ଏଥିରୁ ମିଳିବ ଯେ ଏହି ଜଳରେ ୮୬୦ ନିୟୁତ ଅଲିଂପିକ୍‌ ସନ୍ତରଣ ପୁଷ୍କରିଣୀକୁ ଭରି ଦିଆଯାଇପାରେ। ଏକ ଆକଳନ ଅନୁସାରେ ୧୯୯୩ ମସିହାରୁ ୨୦୧୦ ମସିହା ପର୍ଯ୍ୟନ୍ତ ସମୟ ଖଣ୍ଡରେ ପୃଥିବୀ ଗର୍ଭରୁ ୨୧୫୦ ଗିଗା ଟନ୍ (ଏକ ଗିଗା ଟନ୍ ହେଉଛି ୧୦୦୦ କୋଟି କ୍ବିଣ୍ଟାଲ) ଓଜନର ଜଳ ନିଷ୍କା‌ସିତ ହୋଇଥିଲା। ଏହି ଧାରାରେ ବୃଦ୍ଧି ଘଟି ଚାଲିଛି ସିନା, ହ୍ରାସର କୌଣସି ଲକ୍ଷଣ ଦିଶିନାହିଁ। ପ୍ରକାଶ ଥାଉ କି ସର୍ବାଧିକ ପରିମାଣର ଭୂତଳ ଜଳ ଅପସାରଣ କରୁଥିବା ଦେଶ ହେଉଛି ଭାରତ, ଯେଉଁଠି ବର୍ଷକୁ ୨୩୦ ଘନ କିଲୋମିଟର ପରିମାଣର ଭୂ-ତଳ ଜଳ ନିଷ୍କାସିତ ହୋଇଥାଏ। ଏହା ମଧ୍ୟ ପ୍ରଣିଧାନଯୋଗ୍ୟ ଯେ ଭୂତଳ ଜଳର ମାତ୍ରାଧିକ ଅପସାରଣ ହେତୁ ନଦୀ, ଆର୍ଦ୍ରଭୂମି ଓ କୂଅ ଆଦି ମଧ୍ୟ ଶୁଷ୍କ ହେବାରେ ଲାଗିଛନ୍ତି ଯାହା ଭୂପୃଷ୍ଠରେ ନୂତନ ଜଳ-କ୍ଳିଷ୍ଟ ଅଞ୍ଚଳମାନ ସୃଷ୍ଟି କରିବାରେ ଲାଗିଛି। ଗୋଟିଏ ପଟେ ଭୂତଳ ଜଳର ମାତ୍ରାଧିକ ଦୋହନ ହେତୁ ଭୂତଳ ଜଳଭଣ୍ଡାର ସଂକୁଚିତ ହୋଇ ଚାଲିଥିବା ବେଳେ ଏହି କାରଣରୁ ଭୂପୃଷ୍ଠା‌ରେ ଜଳାଭାବଜନିତ ବିଡ଼ମ୍ବିତ ଚିତ୍ରମାନ ଦିଶିବାରେ ଲାଗିଛି! ସୁତରାଂ, ଏଭଳି ଆଲୋଚନା ବେଳେ ଭାରତ ପ୍ରତି ତର୍ଜନୀ ଉଠିବା ମଧ୍ୟ ସ୍ବାଭାବିକ।
ଏହି ଆଲୋଚନା ପରିପ୍ରେକ୍ଷୀରେ ଜାତିସଂଘର ପୂର୍ବତନ ସେେକ୍ରଟାରି ଜେନେରାଲ କୋଫି ଅନ୍ନନଙ୍କ ସେହି ବହୁଳ ଉଦ୍ଧୃତ ବକ୍ତବ୍ୟ ମନେ ପଡ଼େ, ଯାହା କହିଥିଲା ଯେ ଜଳ ଉପରେ ଅଧିକାର ସାବ୍ୟସ୍ତ କରିବାକୁ କେନ୍ଦ୍ର କରି ପୃଥିବୀ ହୁଏତ ତୃତୀୟ ବିଶ୍ବଯୁଦ୍ଧକୁ ଠେଲି ହୋଇଯାଇପାରେ! ଏହି ମର୍ମରେ ହୃଦୟଙ୍ଗମ କରିବା ଉଚିତ ଯେ ଜଳର ପ୍ରାଚୁର୍ଯ୍ୟ ମଧ୍ୟରେ ଥିବା ରାଷ୍ଟ୍ର ବା ବ୍ୟକ୍ତି ହିଁ ଅଧିକ ଜଳ ଅପଚୟ କରନ୍ତି ଏବଂ ଜଳର ସାମାନ୍ୟ ଅଭାବ ଘଟିବାର ଆଶଙ୍କା ଉପସ୍ଥିତ ହେଲେ ଘୋର ଉଦ୍‌ବିଗ୍ନ ହୋଇ ଉଠନ୍ତି। ଆମ ଦେଶରେ ମଧ୍ୟ ସେଭଳି ସ୍ଥିତି ଦୃଷ୍ଟିଗୋଚର ହୋଇଥାଏ। କୌଣସି ବାତ୍ୟାର ଆଗମନ ପୂର୍ବରୁ ଉପକୂଳ ଅଞ୍ଚଳ ବାସିନ୍ଦା କିଭଳି ବ୍ୟତିବ୍ୟସ୍ତ ହୋଇ ଜଳ ଭଣ୍ଡାରଣରେ ନିମଗ୍ନ ହୁଅନ୍ତି, ତାହା ସୁବିଦିତ। ଅପର ପକ୍ଷରେ ମୁନ୍ଦାଏ ଜଳ ପାଇବା ଲାଗି ଅସଂଖ୍ୟ ଭାରତୀୟ ମାଇଲ ମାଇଲ ଧରି ପାଦରେ ଚାଲି ଶ୍ରମ ଓ ସମୟ ବ୍ୟୟ କରି ଚାଲିଥାଆନ୍ତି। ଏହି ସଂଦର୍ଭରେ ପ୍ରଫେସର ଡେଭିଡ୍‌ ସେଡ୍‌ଲାକ୍‌ଙ୍କ ଏକ ଅନୁଭୂତି ସ୍ମରଣକୁ ଆସିଥାଏ। ଏହି ଜଳ ବିଶେଷଜ୍ଞ ଓ ପରିବେଶବିତ ଥରେ ଆଫ୍ରିକାର ରୁଆଣ୍ଡାର ଏକ ଚରମ ଜଳ-କ୍ଳିଷ୍ଟ ଅଞ୍ଚଳର ଅଧିବାସୀଙ୍କୁ ପ୍ରଶ୍ନ କରିଥିଲେ ଯେ ‘ଜଳ ଲାଗି ତୁମମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥାଏ କି?’ କିନ୍ତୁ, ଆଶା କରିଥିବା ଭଳି ଉତ୍ତରର ବିପରୀତରେ ସେ ସେହି ଅପରିଚିତ ରୁଆଣ୍ଡାବାସୀଙ୍କ ଠାରୁ ଯାହା ଶୁଣିବାକୁ ପାଇଥିଲେ, ତାହା ହେଲା: ‘କଦାପି ନୁହେଁ। ବରଂ ଜଳାଭାବ କାରଣରୁ ଆମେ ଜଳକୁ ସମ୍ମାନ ଦେଇ ଶିଖିଛୁ, ଏହି ଅଭାବ ଆମକୁ ଏକତା ସୂତ୍ରରେ ବା‌ନ୍ଧି ରଖିଛି। ଆମେ ଅନ୍ୟା‌ନ୍ୟ କାରଣ ଲାଗି ସଂଘର୍ଷ ବ୍ୟାପୃତ ହୋଇପାରୁ, କିନ୍ତୁ ଜଳ ଲାଗି କଦାଚିତ୍‌ ନୁହେଁ।’
ଏହାର ଅର୍ଥ ଜଳ ଲାଗି ଯୁଦ୍ଧ, ସଂଘର୍ଷ, ଅଶାନ୍ତି ଓ ରାଜନୀତି ସୃଷ୍ଟି କରିବେ କେବଳ ସେହିମାନେ ଯେଉଁମାନେ ଜଳର ପ୍ରାଚୁର୍ଯ୍ୟ ଭିତରେ ଥାଇ ତାହାକୁ ପର୍ଯ୍ୟାପ୍ତ ଭାବେ ଉପଭୋଗ କରିବେ, ବିବେକ ଦଂଶନର ସାମାନ୍ୟ ଶିକାର ନ ହୋଇ ତା’ର ଅପଚୟ କରିବେ, ଏଣେ ଜଳର କିଞ୍ଚିତ୍‌ ଅଭାବରେ ଘୋର ଉଦ୍‌ବିଗ୍ନ ଓ ତୀବ୍ର ପ୍ରତିକ୍ରିୟାଶୀଳ ହୋଇ ଉଠିବେ। ଏମାନେ ହିଁ ଅନ୍ତରୀକ୍ଷରେ ପୃଥିବୀକୁ ଟଳାଇଛନ୍ତି ଓ ଅନେକ ବିପର୍ଯ୍ୟୟକୁ ଆମନ୍ତ୍ରଣ ଦେଇଛନ୍ତି। ଏବଂ ଆମ ଭିତରୁ ଅସଂଖ୍ୟ ଏହି ଦୋଷରେ ଦୋଷୀ!

ସୌଜନ୍ୟ-ସମ୍ୱାଦ

Related Articles

Back to top button