Breaking News

ପାରାଦୀପରେ ହେବ ନୂଆ ବିମାନବନ୍ଦର: ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ

ବନ୍ଦର ସହର ପାରାଦୀପରେ ଏକ ନୂଆ ବିମାନବନ୍ଦର ସ୍ଥାପନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ସେଥିପାଇଁ ଜମି ଚିହ୍ନଟ କରିବା ଓ ଫିଜିବିଲିଟି ଷ୍ଟଡି କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଭୁବନେଶ୍ବର: ବନ୍ଦର ସହର ପାରାଦୀପରେ ଏକ ନୂଆ ବିମାନବନ୍ଦର ସ୍ଥାପନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ସେଥିପାଇଁ ଜମି ଚିହ୍ନଟ କରିବା ଓ ଫିଜିବିଲିଟି ଷ୍ଟଡି କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଲୋକସେବା ଭବନରେ ମୁଖ୍ୟ  ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତୃତୀୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ଏନେଇ ଆଲୋଚନା ହୋଇଛି। ଅର୍ଥନୈତିକ ବିକାଶ, ପର୍ଯ୍ୟଟନ ଓ ବିମାନ ସଂଯୋଗ ଜରିଆରେ ଏକ ସଶକ୍ତ ଓଡ଼ିଶା ଗଠନ ଦିଗରେ ବିମାନ ଚଳାଚଳ କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଶ୍ରୀ ଆହୁଜା ଆଲୋକପାତ କରିଥିଲେ। ଏହି ବୈଠକରେ ବେସାମରିକ ବିମାନ ଚଳାଚଳ ସମ୍ପର୍କିତ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଉପରେ ଆଲୋଚନା ହୋଇଥିଲା। ବିକଶିତ ଓଡ଼ିଶା ଲକ୍ଷ୍ୟ ଅନୁସାରେ ରାଜ୍ୟର ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ସରକାର ଗୁରୁତ୍ବ ଦେଉଥିବା କହିଛନ୍ତି। ପୁରୀରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

ଜୟପୁର, ଅମର୍ଦା ରୋଡ୍ ଓ ଉତ୍‌କେଲାରେ ବିମାନବନ୍ଦର ପାଇଁ ଜମି ଅଧିଗ୍ରହଣ ଓ ଜଙ୍ଗଲ ମଞ୍ଜୁରିକୁ ନେଇ ଯେଉଁ ସମସ୍ୟା ରହିଥିଲା, ସେଗୁଡ଼ିକର ସମାଧାନ କରାଯାଇଥିବା ବୈଠକରୁ ଜଣାପଡ଼ିଛି। ପୂର୍ତ୍ତ ବିଭାଗ ନୋଡାଲ୍ ଏଜେନ୍ସି ଭାବେ ଏହି କାର୍ଯ୍ୟ ତ୍ବରାନ୍ବିତ କରିଥିଲା। ଜୟପୁର, ମାଲକାନଗିରି ଓ ଝାରସୁଗୁଡ଼ା ଭଳି ଅଞ୍ଚଳ ମଧ୍ୟରେ ଛୋଟ ବିମାନ ଚଳାଚଳ ବଢ଼ାଇବା ପାଇଁ ସଂଶୋଧିତ କ୍ଷୁଦ୍ର ବିମାନ ସ୍କିମ୍ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଓଡ଼ିଶାରୁ ଦେଶ ଭିତରେ ଓ ବିଦେଶର ବିଭିନ୍ନ ସ୍ଥାନକୁ ବିମାନ ଜରିଆରେ ଯୋଡ଼ିବା ଲାଗି ଇଣ୍ଡିଗୋ, ଆଲାଏନ୍ସ ଏୟାର ଓ ଇଣ୍ଡିଆୱାନ୍ ଏୟାର୍‌କୁ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିପି) ଜରିଆରେ ଦିଆଯାଇଥିବା ଆର୍ଥିକ ସହାୟତା ଉପରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଆଲୋକପାତ କରିଥିଲେ। ବିମାନ ଚଳାଚଳ କ୍ଷେତ୍ରର ଦକ୍ଷ ଶ୍ରମଶକ୍ତି ଆବଶ୍ୟକତା ପୂରଣ କରିବା ଲାଗି ଚନ୍ଦକାରେ ଆଭିଏସନ୍ ସିକ୍ୟୁରିଟି ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ସ୍ଥାପନ କରାଯାଉଥିବା ସେ କହିଥିଲେ। ବିମାନ ଚଳାଚଳ ନିର୍ଦେଶାଳୟର ପୁନର୍ଗଠନ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ବିଭିନ୍ନ ବିଭାଗ, ଇଡ୍‌କୋ ଓ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.