Breaking News

ପାରାଦୀପ ବନ୍ଦର କାର୍ଯ୍ୟାଳୟରେ ସିବିଆଇ ଚଢ଼ଉ: ଆର୍‌ଆଣ୍ଡବି ଡିଭିଜନ୍‌ରେ ୮ ଜଣିଆ ଟିମ୍‌ର ଖୋଳତାଡ଼

ପାରାଦୀପ ବନ୍ଦର କାର୍ଯ୍ୟାଳୟରେ ଆଜି ସିବିଆଇ ଟିମ୍ ଚଢ଼ଉ କରିଛି। ବନ୍ଦରାଞ୍ଚଳ ସମ୍ପ୍ରସାରଣ ପ୍ରକ୍ରିୟାରେ ନୂଆବଜାରରେ କର୍ମଚାରୀଙ୍କ କ୍ବାର୍ଟର୍ସ ନିର୍ମାଣ ପାଇଁ ଟେଣ୍ଡର ପାଇଥିବା ହାଇଦ୍ରାବାଦସ୍ଥିତ...

ଜଗତସିଂହପୁର: ପାରାଦୀପ ବନ୍ଦର କାର୍ଯ୍ୟାଳୟରେ ଆଜି ସିବିଆଇ ଟିମ୍ ଚଢ଼ଉ କରିଛି। ବନ୍ଦରାଞ୍ଚଳ ସମ୍ପ୍ରସାରଣ ପ୍ରକ୍ରିୟାରେ ନୂଆବଜାରରେ କର୍ମଚାରୀଙ୍କ କ୍ବାର୍ଟର୍ସ ନିର୍ମାଣ ପାଇଁ ଟେଣ୍ଡର ପାଇଥିବା ହାଇଦ୍ରାବାଦସ୍ଥିତ ଡିଏନ୍‌ସି ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ୍ ଲିମିଟେଡ୍ ଜାଲ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ ୩ କୋଟିରୁ ଅଧିକ ଟଙ୍କା ଠକିନେବା ଓ ୬୫ କୋଟି ଟଙ୍କାର କାମ ହାତେଇବା ଘଟଣାକୁ ନେଇ ଚଢ଼ଉ ହୋଇଛି। ଠକେଇର ଶିକାର ହୋଇଥିବା ସବ୍‌ କଣ୍ଟ୍ରାକ୍ଟରମାନଙ୍କ ଅଭିଯୋଗକୁ ଆଧାର କରି ସିବିଆଇର ୮ ଜଣିଆ ଟିମ୍ ବନ୍ଦର କର୍ତ୍ତୃପକ୍ଷଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଜନ (ଆରଆଣ୍ଡବି ଡିଭିଜନ)ରେ ଖୋଳତାଡ଼ କରିଛନ୍ତି। ଆରଆଣ୍ଡବି ଅଧିକାରୀଙ୍କୁ ପଚରାଉଚରା କରିବା ସହ ସେଠାରୁ ଟେଣ୍ଡର ସଂକ୍ରାନ୍ତୀୟ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି। ସେହିପରି ଆରଆଣ୍ଡବି ଡିଭିଜନର ଜଣେ ଅଧିକାରୀଙ୍କ କେନ୍ଦ୍ରାପଡ଼ାରେ ଥିବା ଘର, ଠକେଇ କରିଥିବା ହାଇଦ୍ରାବାଦର ଡିଏନ୍‌ସି ଇନ୍‌ଫ୍ରାଷ୍ଟ୍ରକ୍‌ଚର ସଂସ୍ଥାରେ ମଧ୍ୟ ସିବିଆଇ ଚଢ଼ଉ କରିଛି।

ଆର୍‌ଆଣ୍ଡବି ଡିଭିଜନ୍‌ରେ ୮ ଜଣିଆ ଟିମ୍‌ର ଖୋଳତାଡ଼
ହାଇଦ୍ରାବାଦ, କେନ୍ଦ୍ରାପଡ଼ାରେ ବି ତନାଘନା
୩. ୨୮କୋଟି ଟଙ୍କା ଠକିଥିଲା ଡିଏନ୍‌ସି ଇନ୍‌ଫ୍ରାଷ୍ଟ୍ରକ୍‌ଚର

ମିଳିଥିବା ସୂଚନା ଅନୁସାରେ, ନୂତନ କ୍ବାର୍ଟର୍ସ ନିର୍ମାଣ ଲାଗି ୨୦୨୩ରେ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହାଇଦ୍ରାବାଦର ଡିଏନ୍‌ସି ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ ଲିମିଟେଡ୍ ସର୍ବନିମ୍ନ ବିଡର୍‌ ହୋଇଥିବାରୁ କାମ କରିବା ଲାଗି ଟେଣ୍ଡର ପାଇଥିଲା। ଏହି ସଂସ୍ଥା ଆଇଏସଡି (ଇନିସିଆଲ ସିକ୍ୟୁରିଟି ଡିପୋଜିଟ୍) ଏବଂ ପିଏସଡି (ପର୍ଫରମାନ୍ସ ସିକ୍ୟୁରିଟି ଡିପୋଜିଟ୍) ବାବଦରେ ପର୍ଯ୍ୟାୟକ୍ରମେ ୬୫ ଲକ୍ଷ ୭୬ ହଜାର ୯୨ ଏବଂ ୧ କୋଟି ୯୭ ଲକ୍ଷ ୨୮ ହଜାର ୨୭୭ ଟଙ୍କା ଦାଖଲ କରିଥିଲା। କୋଲକାତାର ଶ୍ୟାମ ବଜାରସ୍ଥିତ ଇଣ୍ଡିଆନ ବ୍ୟାଙ୍କରୁ ଏହି ବ୍ୟାଙ୍କ ଗ୍ୟାରେଣ୍ଟି ଦିଆଯାଇଥିଲା। ଇ-ମେଲ୍ ଯୋଗେ ଆରଆଣ୍ଡବି ବିଭାଗ ପକ୍ଷରୁ ସମ୍ପୃକ୍ତ ବ୍ୟାଙ୍କକୁ ବ୍ୟାଙ୍କ ଗ୍ୟାରେଣ୍ଟି ସତ୍ୟାସତ୍ୟ ଯାଞ୍ଚ ପାଇଁ ଚିଠି ପଠାଯାଇଥିଲା। ବ୍ୟାଙ୍କ ଗ୍ୟାରେଣ୍ଟି ଠିକ୍ ଅଛି ବୋଲି ଇ-ମେଲ୍ ଯୋଗେ ଉତ୍ତର ଆସିଥିଲା। ଏହା ପରେ ୨୦୨୪ ଜୁନ୍ ୭ ତାରିଖରେ ଡିଏନ୍‌ସି ଇନ୍‌ଫ୍ରାଷ୍ଟ୍ରକ୍‌ଚରକୁ ଵାର୍କ ଅର୍ଡର ପ୍ରଦାନ କରାଯାଇଥିଲା। ସେହିପରି ଡିଏନ୍‌ସି ଠିକା ସଂସ୍ଥା ପକ୍ଷରୁ ଚୁକ୍ତିନାମା ମୂଲ୍ୟର ୧୦ ପ୍ରତିଶତ ହିସାବରେ ୭ କୋଟି ୨୩ ଲକ୍ଷ ୩୮ ହଜାର ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଦାଖଲ କରାଯାଇଥିଲା।

ଏହି ବ୍ୟାଙ୍କ ଗ୍ୟାରେଣ୍ଟି ମଧ୍ୟ ସେହି କୋଲକାତା ଶ୍ୟାମ ବଜାରସ୍ଥିତ ଇଣ୍ଡିଆନ ବ୍ୟାଙ୍କରୁ ହୋଇଥିଲା। ଏହା ପରେ ସମ୍ପୃକ୍ତ ଡିଏନସି ଠିକା ସଂସ୍ଥାକୁ ମୋବିଲାଇଜେସନ୍ ଅଗ୍ରୀମ ବାବଦରେ ୩ କୋଟି ୨୮ ଲକ୍ଷ ୮୦ ହଜାର ୪୬୨ ଟଙ୍କା ଡିଏନ୍‌ସି ଇନ୍‌ଫ୍ରାଷ୍ଟ୍ରକଚର କମ୍ପାନିର ହାଇଦ୍ରାବାଦ ଜୁବୁଲି ହିଲ୍ସସ୍ଥିତ ବ୍ୟାଙ୍କ ଅଫ ବରୋଦାରେ ଥିବା ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଥିଲା। କାମ ଯେତେବେଳ ବନ୍ଦ ହେଲା ଆରଆଣ୍ଡବି କର୍ତ୍ତୃପକ୍ଷ ଯାଞ୍ଚ ଆରମ୍ଭ କରିଥିଲେ। ପାରାଦୀପସ୍ଥିତ ଇଣ୍ଡିଆନ ବ୍ୟାଙ୍କ ଜରିଆରେ ଡିଏନ୍‌ସି ଠିକା ସଂସ୍ଥାର ବ୍ୟାଙ୍କ ଗ୍ୟାରେଣ୍ଟି ଯାଞ୍ଚ କରାଗଲାବେଳେ ସେ ସବୁ ଜାଲ୍ ବୋଲି ଜଣାପଡ଼ିଥିଲା। ଏପରିକି ଡିଏନ୍‌ସି ସଂସ୍ଥା ଠକେଇ କରିବା ପାଇଁ ଜାଲ୍ ଇ-ମେଲ୍ ଆଇଡି ତିଆରି କରିଥିଲା ବୋଲି ସନ୍ଦେହ କରାଯାଉଛି। ଡିଏନ୍‌ସିଠାରୁ କାମ ନେଇ ନିର୍ମାଣ କାର୍ଯ୍ୟ କରୁଥିବା ବି.ଏନ୍.କନ୍‌ଷ୍ଟ୍ରକସନ୍ ଓ ସୁଶେନ କୁମାର ମଣ୍ଡଳ ମଧ୍ୟ ଠକାମିର ଶିକାର ହୋଇଥିଲେ। ସେମାନେ ମଧ୍ୟ କ୍ରାଇମବ୍ରାଞ୍ଚ ଇଓଡବ୍ଲୁର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ସେମାନେ ସିବିଆଇର ଦ୍ବାରସ୍ଥ ହୋଇଥିଲେ। ଏହି କାରବାରରେ ହାଇଦ୍ରାବାଦ, କୋଲକାତା, ଓଡ଼ିଶାର ପାରାଦୀପ ବନ୍ଦର ଏଭଳି ତିନୋଟି ରାଜ୍ୟର ସମ୍ପୃକ୍ତି ଥିବାରୁ ସିବିଆଇ ତଦନ୍ତ ପାଇଁ ଅନୁରୋଧ କରାଯାଇଥିଲା। ଠକେଇ ସମ୍ପର୍କରେ ଜଣାପଡ଼ିବା ପରେ ସମ୍ପୃକ୍ତ ଡିଏନ୍‌ସି ଇନ୍‌ଫ୍ରାଷ୍ଟ୍ରକଚରକୁ କଳା ତାଲିକାଭୁକ୍ତ କରିବା ପାଇଁ ଆରଆଣ୍ଡବି ପକ୍ଷରୁ ସୁପାରିସ ମଧ୍ୟ କରାଯାଇଥିଲା।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.