Breaking News

ପାର୍କିଂ ଲୁଟ୍‌: ୧୦କୁ ୫୦, ୨୦କୁ ୨୦୦, କାହା ପକେଟ୍‌କୁ ଯାଉଛି ଲୁଟ୍‌ ଅର୍ଥ?

ଖଣ୍ଡଗିରି ମହାକୁମ୍ଭ‌ରେ ଆରମ୍ଭ ହୋଇଯାଇଛି ପାର୍କିଂ ଲୁଟ୍‌। ବାଇକ୍‌ ପାଇଁ ଯେଉଁଠି ବିଏମ୍‌ସି ୧୦ ଟଙ୍କା ଧାର୍ଯ୍ୟ କରିଛି ସେଠାରେ ଠିକାଦାର ନେଉଛି ୫୦। ବିଏମ୍‌ସି ଦ୍ବାରା ଚିହ୍ନିତ ୫ଟି ଜାଗାରେ ଦିନକୁ ଅତି କମ୍‌ରେ ୩ ହଜାର ବାଇକ୍‌ ପାର୍କିଂ ହେଉଛି।

ଖଣ୍ଡଗିରି: ଖଣ୍ଡଗିରି ମହାକୁମ୍ଭ‌ରେ ଆରମ୍ଭ ହୋଇଯାଇଛି ପାର୍କିଂ ଲୁଟ୍‌। ବାଇକ୍‌ ପାଇଁ ଯେଉଁଠି ବିଏମ୍‌ସି ୧୦ ଟଙ୍କା ଧାର୍ଯ୍ୟ କରିଛି ସେଠାରେ ଠିକାଦାର ନେଉଛି ୫୦। ବିଏମ୍‌ସି ଦ୍ବାରା ଚିହ୍ନିତ ୫ଟି ଜାଗାରେ ଦିନକୁ ଅତି କମ୍‌ରେ ୩ ହଜାର ବାଇକ୍‌ ପାର୍କିଂ ହେଉଛି। ଅର୍ଥାତ୍‌ ଦିନକୁ ଗାଡ଼ି ପିଛା ୪୦ ଟଙ୍କା ହିସାବରେ ୧ଲକ୍ଷ ୨୦ ହଜାର ଟଙ୍କା ଲୁଟି ନିଆଯାଉଛି। କାର୍‌ ପିଛା ୨୦ ଟଙ୍କା ଥିବା ବେ‌ଳେ ୨୦୦ ଟଙ୍କା ନିଆଯାଉଛି। ଏହି ଲୁଟ୍‌ ଅର୍ଥ କାହା ପକେଟ୍‌କୁ ଯାଉଛି? ଠିକାଦାର ନେଇଯାଉଛି ନା ଏଥିରେ ବିଏମ୍‌ସି ଅଧିକାରୀଙ୍କ ଭାଗ ଅଛି? ଖଣ୍ଡଗିରି ମେଳା ପାଇଁ ଖଣ୍ଡଗିରି ଥାନା ସମ୍ମୁଖ, ଖଣ୍ଡଗିରି ବାରି, ଖାରବେଳ ପାର୍କ ସମ୍ମୁଖ, ଜାଗମରା ହାଉସିଂ ବୋର୍ଡ ସମ୍ମୁଖ, ଖଣ୍ଡଗିରି ଓଭର୍‌ବ୍ରିଜ୍‌ ତଳେ ୫ଟି ଜାଗା ପାର୍କିଂ ପାଇଁ ବିଏମ୍‌ସି ଚିହ୍ନଟ କରିଥିଲା। ଏହାକୁ ଟେଣ୍ଡର ‌ଦେଇଥିଲା। ଏଥିପାଇଁ ଟିକଟ ଦର ୨ ଚକିଆ ଓ ୩ ଚକିଆ ପାଇଁ ୧୦ଟଙ୍କା, ୪ ଚକିଆ ପା‌ଇଁ ୨୦ ଟଙ୍କା ଓ ଭାରିଯାନ ପାଇଁ ୨୫ ଟଙ୍କା ଦେବାକୁ ହେବ। ୨ ଘଣ୍ଟାରୁ ଅଧିକ ସମୟ ରଖି‌ଲେ ଦେୟ ବଢ଼ିବ। ଯେଉଁମାନେ ଧାର୍ଯ୍ୟ ଟଙ୍କା ଠାରୁ ଅଧିକ ନେବେ, ଟିକେଟରେ ସମସ୍ତ ବିବରଣୀ ନ ରଖିବେ ସେମାନଙ୍କୁ ୧ହଜାର ଟଙ୍କା ଜରିମାନା କରାଯିବ। ହେଲେ ବିଏମ୍‌ସି ଅଧିକାରୀ ସବୁ ଜାଣି ଅଜଣା ରହିଛନ୍ତି। ଯାତ୍ରା ଆରମ୍ଭରୁ ହିଁ ତଣ୍ଟି ଚିପା ଆରମ୍ଭ ହୋଇଯାଇଛି। ୫ଟି ଯାକ ପାର୍କିଂ ସ୍ଥାନରେ ଅବସ୍ଥା ସମାନ।

ଜଗିଛି ସିସି କ୍ୟାମେରା

ଭୁବନେଶ୍ବର: ଖଣ୍ଡଗିରି ମାଘ ମେଳାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ କମିସନରେଟ୍‌ ପୁଲିସ ୮୦ ସିସି କ୍ୟାମେରା। ୯ ପ୍ଲାଟୁନ୍‌ ପୁଲିସ ଫୋର୍ସ ବି ମେଳାକୁ ଜଗି ରହିଛନ୍ତି। ୧୬ ନମ୍ବର ଜାତୀୟ ରାଜପଥ ଉପରେ ମେଳା ଅନୁଷ୍ଠିତ ହେଉଥିବାରୁ ଟ୍ରାଫିକ୍‌ ନିୟନ୍ତ୍ରଣ ଓ ଶୃଙ୍ଖଳା ପାଇଁ ୬୦ ଜଣ ଟ୍ରାଫିକ୍‌ ପୁଲିସ ଓ ୨ ପ୍ଲାଟୁନ୍‌ ପୁଲିସ ବଳଙ୍କୁ ସ୍ବତନ୍ତ୍ର ଭାବେ ନିୟୋଜିତ କରାଯାଇଛି। ମେଳା ଦର୍ଶନାର୍ଥୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇବା ସହ ଚୋରି, ପକେଟ୍‌ମାର, ଛିନ୍‌ତାଇ ଓ ଅସଦାଚରଣ ଭଳି ମାମଲାରୁ ସୁରକ୍ଷା ଦେବା ପାଇଁ ପୁଲିସ ସଜାଗ ରହିଛି। ସ୍ବତନ୍ତ୍ର ପୁଲିସ କଣ୍ଟ୍ରୋଲ୍‌ ରୁମ୍‌ରୁ ଭିଡ଼ ଭିତର ଶୃଙ୍ଖଳା ନିୟନ୍ତ୍ରଣ କରାଯାଉଛି ଏବଂ ଲୋକଙ୍କ ସଚେତନ କରିବାକୁ ପୁଲିସ ପକ୍ଷରୁ ଲିଫ୍‌ଲେଟ୍‌ ବଣ୍ଟନ କରାଯାଉଛି। ମେଳାରେ ହଜିଯାଉଥିବା ପିଲାଙ୍କୁ ତୁରନ୍ତ ସେମାନଙ୍କ ପରିବାର ଲୋକଙ୍କ ସହ ମିଶାଇବା ପାଇଁ ପୁଲିସ ଲୋକଙ୍କୁ ସଚେତନ କରୁଛି। ପିଲାଙ୍କ ପକେଟ୍‌ରେ ମୋବାଇଲ୍‌ ନମ୍ବର ଓ ଠିକଣା ଲେଖାଥିବା ଚିରକୁଟି ରଖିବାକୁ ପୁଲିସ ପରାମର୍ଶ ଦେଇଛି। ସେହିଭଳି ମେଳା ପାଇଁ ଅଗ୍ନିଶମ ବାହିନୀର ବିଭିନ୍ନ ୟୁନିଟ୍‌ ପ୍ରସ୍ତୁତ ହୋଇରହିଛି। ସାଧାରଣତଃ ସନ୍ଧ୍ୟା ସମୟରେ ମେଳାରେ ବେଶି ଭିଡ଼ ହୋଇଥାଏ। ମୀନା ବଜାର ଅଞ୍ଚଳରେ ସବୁଠୁ ବେଶି ଭିଡ଼ ପରିଲକ୍ଷିତ ହୋଇଥାଏ। ଏହାସହିତ ଫୁଡ୍‌ ବଜାର ବି ଭଲ ଜନଗହଳି ରୁହେ। ତେଣୁ ସେଭଳି ଜାଗାରେ ପକେଟ୍‌ମାରୁ, ଲୁଟେରା, ଛିନ୍‌ତାଇ ଗ୍ୟାଙ୍ଗ୍‌ ଛଦ୍ମବେଶରେ ବୁଲୁଥାଆନ୍ତି। ଏଥିସହିତ ଏଭଳି ଭିଡ଼ ଜାଗାରେ ରୋମିଓମାନଙ୍କ ଉତ୍ପାତ ମଧ୍ୟ ଦେଖାଯାଏ। ପୁଲିସ ସେଥିପାଇଁ ସାଦାପୋଷାକରେ ରହି ପଇଁତରା ମାରୁଛି। ଅଗ୍ନିଶମ ବିଭାଗର ୧୫ରୁ ଅଧିକ ଅଗ୍ନି ନିର୍ବାପକ ପୋଷ୍ଟ ପ୍ରତିଷ୍ଠା କରାଯାଇଛି।

ଅଶ୍ଳୀଳ ନୃତ୍ୟ ବନ୍ଦ ନହେଲେ ‌‌‌ଗୋବର ମାଡ଼

ଖଣ୍ଡଗିରି: ସାରା ଓଡ଼ିଶାରେ ଅଶ୍ଳୀଳ ନାଚ ବନ୍ଦକରିବା ପାଇଁ ଆଜି ଖଣ୍ଡଗିରି ଛକରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିଛନ୍ତି କିଛି ସମାଜିକ କର୍ମୀ। ଅଶ୍ଳୀଳ ନୃତ୍ୟ ବନ୍ଦ କରାନଗଲେ ଆଗାମୀ ଦିନରେ ସେମାନଙ୍କ ଉପରେ ଗୋବର ମାଡ଼ କରିବା ସହ ଯାତ୍ରା ପାର୍ଟି ବିରୋଧରେ ଏତଲା ଦିଆଯିବ ‌ବୋଲି ସେମାନେ ଚେତାବନୀ ଦେଇଛନ୍ତି। କାର୍ଯ୍ୟକ୍ରମରେ ନାରାୟଣ ପୃଷ୍ଟି, ରକି ମହାନ୍ତି, ରାଜେଶ ପୃଷ୍ଟି, ସ୍ବୟଂପ୍ରଭା ସାହୁ, କାର୍ତ୍ତିକ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ଖଣ୍ଡଗିରି- ଉଦୟଗିରି ମହୋତ୍ସବ

ଖଣ୍ଡଗିରି: କୋଳଥିଆ‌ ସ୍ଥିତ ଶ୍ରୀ ସାଇ ଗାର୍ଡେନରେ ଶୁକ୍ରବାର ସନ୍ଧ୍ୟାରେ ଖଣ୍ଡଗିରି- ଉଦୟଗିରି ମହୋତ୍ସବ ଉଦ୍‌ଘାଟିତ ହେବ। ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଆବାହକତ୍ବରେ ଭୁବ‌‌ନେଶ୍ବର ସାଂସ୍କୃତିକ ପରିଷଦ ଓ କଲ୍ୟାଣ ପକ୍ଷରୁ ଆୟୋଜିତ ହେବ। ମୁଖ୍ୟ ଅତିଥିଭାବେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ସମ୍ମାନିତ ଅତିଥିଭାବେ ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା‌ ଦାସ, କର୍ପୋରେଟର ସଂଯୁକ୍ତା‌ ସୁନ୍ଦରାୟ, କିରଣବାଳା ମାଝୀ, ଛବି ଦାଶ, ସକିବା ମୁସରତ୍‌ ପ୍ରମୁଖ ‌‌ଯୋଗଦେବେ। ଏଥିରେ ବଲିଉଡ୍‌ ନାଇଟ୍‌ରେ ପାମେଲା ଜୈନ, ଦୀପନ କୁମାର, ନିହାର ରଞ୍ଜନ, ଦେବର୍ଶି ଦେବରଚନା, ପୁନମ ମହାନ୍ତିଙ୍କ ସଙ୍ଗୀତ ସହ ଆଧୁନିକ ନୃତ୍ୟ ଓ ଶାତ୍ସୀୟ ସଙ୍ଗୀତ ପରିବେଷଣ ହେବ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.