Breaking News

ପାଳନ ହେଉଛି ସଡ଼କ ସୁରକ୍ଷା ମାସ: ଗଡ଼ିଲା ୨ ମୁଣ୍ଡ, ୬ ଆହତ

ଗୋଟିଏ ପଟେ ସଡ଼କ ସୁରକ୍ଷା ମାସ ପାଳନ ଚାଲିଥିବା ବେଳେ ଅନ୍ୟପଟେ ଦୁର୍ଘଟଣା ମୁଣ୍ଡ ନେଉଛି। ରାସ୍ତା ଦୁର୍ଘଟଣାରେ ଆଜି ରାଜଧାନୀ ରାଜରାସ୍ତାରେ ଦୁଇଟି ମୁଣ୍ଡ ଗଡ଼ିଥିବା ବେ‌ଳେ ୬ ଆହତ ହୋଇଛନ୍ତି।

ଭୁବନେଶ୍ବର: ଗୋଟିଏ ପଟେ ସଡ଼କ ସୁରକ୍ଷା ମାସ ପାଳନ ଚାଲିଥିବା ବେଳେ ଅନ୍ୟପଟେ ଦୁର୍ଘଟଣା ମୁଣ୍ଡ ନେଉଛି। ରାସ୍ତା ଦୁର୍ଘଟଣାରେ ଆଜି ରାଜଧାନୀ ରାଜରାସ୍ତାରେ ଦୁଇଟି ମୁଣ୍ଡ ଗଡ଼ିଥିବା ବେ‌ଳେ ୬ ଆହତ ହୋଇଛନ୍ତି। ଯାଁଳା ଫାଣ୍ଡି ସାମ୍ନାରେ ୨ଜଣଙ୍କ ଉପରେ ଗାଡ଼ି ଚଢ଼ିଯିବାରୁ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଛି। ତା’ ସହିତ ୫ଜଣ ଆହତ ହୋଇଛନ୍ତି। କଟକ ରୋଡ୍‌ରେ ଥିବା ଲକ୍ଷ୍ମୀସାଗର ଆରଓବିରେ ଏକ କାର୍‌ ସ୍କୁଟିକୁ ଧକ୍କା ଦେବାରୁ ଚାଳକ ଗୁରୁତର ହୋଇଛନ୍ତି।

ଆଜି ଅପରାହ୍ନରେ ଯାଁଳା ଫାଣ୍ଡି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ୪ଟା ବେଳେ ଖୋର୍ଦ୍ଧା ପଟୁ ଏକ ଏକ୍ସୟୁଭି ୪୦୦ ଇଭି(ଓଡି ୦୨ ସିଜେ ୭୫୬୫) ଦ୍ରୁତ ଗତିରେ ଭୁବନେଶ୍ବର ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଡିଭାଇଡର୍‌ରେ ପିଟି ହୋଇଥିଲା। କାର୍‌ର ବେଗ ଏତେ ଥିଲା ଯେ ଡିଭାଇଡର୍‌ ପିଟି ହେବା ପରେ ଖଣ୍ଡେ ଦୂରରେ ରାସ୍ତା ପାର ହେଉଥିବା ନୟାଗଡ଼ର ପ୍ରତାପ ନାୟକ(୩୦)ଙ୍କ ଉପରେ ଚଢ଼ି ଯାଇ ଅପରପାର୍ଶ୍ବରେ ଯାଉଥିବା ଏକ ପିକ୍‌ଅପ୍‌(ଓଡି ୦୨ ବିଜି ୧୫୫୦)କୁ ଧକ୍କା ଦେଇଥିଲା। ଫଳରେ ପ୍ରତାପ ଓ ପିକ୍‌ଅପ୍‌ର ଆଗ ସିଟ୍‌ରେ ବସିଥିବା ଅନୁଗୁଳର ହରେନ୍ଦ୍ର ସିଂହ(୫୫)ଙ୍କର ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଥିଲା। ପିକ୍‌ଅପ୍‌ ଡ୍ରାଇଭର୍‌ ଓ ଦୁର୍ଘଟଣାଗ୍ରସ୍ତ କାର୍‌ରେ ବସିଥିବା ସମସ୍ତ ୪ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଇନ୍‌ଫୋଭ୍ୟାଲି ଥାନା ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ମେଡିକାଲ ପଠାଇବା ସହିତ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିଥିଲା। ଘଟଣାସ୍ଥଳରେ ଭିଡ଼ ହେବାରୁ ପ୍ରାୟ ଏକ ଘଣ୍ଟା ଧରି ଜାତୀୟ ରାଜପଥ ଜାମ୍‌ ହୋଇ ଯାଇଥିଲା। ଭିଡ଼ ନିୟନ୍ତ୍ରଣ କରିବାକୁ ଇନ୍‌ଫୋଭ୍ୟାଲି ଥାନା ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ବିଳମ୍ବିତ ରାତିରେ ହରେନ୍ଦ୍ରଙ୍କ ପୁଅଙ୍କ ଅଭିଯୋଗ ଭିତ୍ତିରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସନ୍ଧ୍ୟାରେ ଝାରପଡ଼ା ଓଭର୍‌ବ୍ରିଜ୍‌ ଉପରେ ଏକ ବଲେନୋ କାର୍‌ ଦୁର୍ଘଟଣା ଘଟାଇଥିଲା। କାର୍‌(ଓଡି ୦୨ ସିୟୁ ୧୧୮୮) ସତ୍ୟନଗର ପଟୁ ଓଭର୍‌ବ୍ରିଜ୍‌ ଦେଇ ଆସୁଥିବା ବେଳେ ଝାରପଡ଼ା ପଟୁ ରଙ୍ଗ୍‌ରୁଟ୍‌ରେ ଜଣେ ବରିଷ୍ଠ ନାଗରିକ ସ୍କୁଟି ଯୋଗେ ଯାଉଥିଲେ। କାର୍‌ଟି ଦ୍ରୁତ ଗତିରେ ସାମ୍ନାରୁ ସ୍କୁଟି ଚାଳକଙ୍କୁ ଧକ୍କାଦେଇ ଓଭରବ୍ରିଜ୍‌ରେ ଥିବା ସିମେଣ୍ଟ ବାରକେଡ୍‌କୁ ପିଟିଥିଲା। ସ୍କୁଟି ଚାଳକ ଛିଟିକି ପଡ଼ିବା ସହ ତାଙ୍କ ଗୋଡ଼ ଭାଙ୍ଗିଯାଇଥିଲା। ପ୍ରଚୁର ରକ୍ତସ୍ରାବ ଯୋଗୁ ସେ ଅଚେତ ହୋଇ ଯାଇଥିଲେ। ତାଙ୍କୁ ତୁରନ୍ତ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ନିଆଯାଇଥିଲା। ଦୁର୍ଘଟଣା ପରେ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ଉପୁଜିଥିଲା। ଓଭର୍‌ବ୍ରିଜ୍‌ ଅନ୍ଧାର ହୋଇଥିବା ଓ ବୃଦ୍ଧଜଣକ ରଙ୍ଗରୁଟ୍‌ରେ ଆସୁଥିବାରୁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୁଲିସ ପହଞ୍ଚି ଟ୍ରାଫିକ୍‌ ଶୃଙ୍ଖଳିତ କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଥିଲା।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.