Breaking News

ପିକେଟି ପାହାର

ଦାରିଦ୍ର୍ୟର ସୁଷମ ବଣ୍ଟନ ଦ୍ବାରା ବୈଷମ୍ୟରେ ହ୍ର‌ାସ ଘଟାଯାଇପାରେ, କିନ୍ତୁ ତାହା ଆମର କାମ୍ୟ ହୋଇପାରିବ ନାହିଁ। ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ଦ୍ବାରା ହିଁ ଦାରିଦ୍ର୍ୟରେ ହ୍ରାସ ଘଟାଇବା ସମ୍ଭବ ହେବ। ତେବେ ଏହି ଅଭିବୃଦ୍ଧି ନିଯୁକ୍ତିହୀନ ନ ହୋଇ ନିଯୁକ୍ତିଯୁକ୍ତ ହେବା ଆବଶ୍ୟକ।

ଦାରିଦ୍ର୍ୟର ସୁଷମ ବଣ୍ଟନ ଦ୍ବାରା ବୈଷମ୍ୟରେ ହ୍ର‌ାସ ଘଟାଯାଇପାରେ, କିନ୍ତୁ ତାହା ଆମର କାମ୍ୟ ହୋଇପାରିବ ନାହିଁ। ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ଦ୍ବାରା ହିଁ ଦାରିଦ୍ର୍ୟରେ ହ୍ରାସ ଘଟାଇବା ସମ୍ଭବ ହେବ। ତେବେ ଏହି ଅଭିବୃଦ୍ଧି ନିଯୁକ୍ତିହୀନ ନ ହୋଇ ନିଯୁକ୍ତିଯୁକ୍ତ ହେବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ସରକାର ଶ୍ରମ-ସଘନ ଉଚ୍ଚ ଅଭିବୃଦ୍ଧି ସମ୍ଭାବନା ଥିବା କ୍ଷେତ୍ରରେ ନିଯୁକ୍ତି-ସଂଯୁକ୍ତ ପ୍ରୋତ୍ସାହନ ସ୍କିମ୍ କାର୍ଯ୍ୟକାରୀ କରିବା ପାଇଁ (ଯେମିତି ଉତ୍ପାଦନ-ସଂଯୁକ୍ତ ପ୍ରୋତ୍ସାହନ ସ୍କିମ୍- ‘ପିଏଲ୍ଆଇ’ କାର୍ଯ୍ୟ କରୁଛି) ଅଧିକ ତତ୍ପରତା ପ୍ରଦର୍ଶନ କଲେ ତାହା ବୈଷମ୍ୟ ଦୂରୀକରଣରେ ସହାୟକ ହୁଅନ୍ତା।

ଆୟର ସୁଷମ ବଣ୍ଟନକୁ ଏକ ମନ୍ତ୍ରରେ ପରିଣତ କରି ବିଶ୍ବପ୍ରସିଦ୍ଧି ଲାଭ କରିଥିବା ଫରାସୀ ଅର୍ଥନୀତିଜ୍ଞ ଥମାସ୍ ପିକେଟିଙ୍କୁ ତାଙ୍କର ଏହି ସାମ୍ୟବାଦୀ ଚିନ୍ତାଧାରା ପାଇଁ ଆଧୁନିକ କାର୍ଲ ମାର୍କ୍ସ ରୂପେ ସମ୍ବୋଧନ କରାଯାଇଥାଏ। ୨୦୧୩ରେ ଏହି ଚିନ୍ତାଧାରା ସମ୍ବଳିତ ତାଙ୍କର ପୁସ୍ତକ ‘କ୍ୟାପିଟାଲ୍‌ ଇନ୍ ଦି ଟ୍ବେଣ୍ଟିଫାଷ୍ଟ ସେଞ୍ଚୁରି’ ପ୍ରକାଶ ପାଇ ପିକେଟିଙ୍କୁ ପୃଥିବୀର ଜଣେ ସେଲିବ୍ରିଟି ଅର୍ଥନୀତିଜ୍ଞରେ ପରିଣତ କରିବା ଦିନରୁ ସେ ସର୍ବଦା ଭାରତରେ ଦେଖାଯାଉଥିବା ଅର୍ଥନୈତିକ ବୈଷମ୍ୟ ନେଇ ଘୋର ଚିନ୍ତା ପ୍ରକଟ କରିଆସିଛନ୍ତି। ଗତ ସପ୍ତାହରେ ‘ଆର୍‌ଆଇଏସ୍’ ନାମକ ଏକ ଅର୍ଥନୈତିକ ଗବେଷଣା ସଂସ୍ଥା ଦ୍ବାରା ଦିଲ୍ଲୀ ଠାରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିବା ଅବସରରେ ପିକେଟି ପୁଣି ଥରେ ଏଥିପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ଏହାର ଏକ ସମାଧାନର ସୂତ୍ର ସ୍ବରୂପ ଅତିଧନିକ ବା ବିଲିଅନେଆର୍‌ମାନଙ୍କ ସଂପଦ ଉପରେ ଭାରତ ସରକାର ୨ ଶତାଂଶ ହାରରେ ଟିକସ ବସାଇ ସେଥିରୁ ସଂଗୃହୀତ ସମ୍ବଳକୁ ନିମ୍ନ ଆୟ ବର୍ଗର ଅର୍ଥନୈତିକ ଉନ୍ନତି ସାଧନରେ ବିନିଯୋଗ କରିବାକୁ ସେ ପୂର୍ବରୁ ଦେଇଆସିଥିବା ଆହ୍ବାନର ପୁନରାବୃତ୍ତି କରିଛନ୍ତି।
ଏହି ପରିପ୍ରେକ୍ଷୀରେ ପିକେଟି ଭାରତରେ ସରକାର ଯଥେଷ୍ଟ ଟିକସ ସଂଗ୍ରହ କରୁନାହାନ୍ତି ବୋଲି ଦର୍ଶାଇବାକୁ ଯାଇ ଉନ୍ନତ ଦେଶ ସ୍ବିଡେନ୍ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି ଯେ ସ୍ବିଡେନ୍‌ରେ ଟିକସ ରାଜସ୍ବର ଅନୁପାତ ସେ ଦେଶର ମୋଟ ବାର୍ଷିକ ଜାତୀୟ ଉତ୍ପାଦ (‘ଜିଡିପି’)ର ୫୦ ଶତାଂଶ ହୋଇଥିବାବେଳେ, ଭାରତରେ ତାହା ହେଉଛି ୧୩-୧୪ ଶତାଂଶ ମାତ୍ର। ଅବଶ୍ୟ ଭାରତ ରାତାରାତି ଏଥିରେ ବୃଦ୍ଧି ଘଟାଇବା ସମ୍ଭବ ନୁହେଁ ବୋଲି ସ୍ବୀକାର କରି ସେ ଆଶା ପୋଷଣ କରିଛନ୍ତି ଯେ ଭାରତ ଏହାକୁ  ହିଁ ଲକ୍ଷ୍ୟ ରୂପେ ଗ୍ରହଣ କରି ଯେତେଶୀଘ୍ର ସମ୍ଭବ ତାହା ହାସଲ କରିବା ପାଇଁ ଚେଷ୍ଟା କରିବ।
ଅନ୍ୟ ଏକ ସ୍ଥାନରେ (ତାଙ୍କର ଅନ୍ୟ ଏକ ପୁସ୍ତକ, ୨୦୨୧ରେ ପ୍ରକାଶିତ ‘ଏ ବ୍ରିଫ୍ ହିଷ୍ଟ୍ରି ଅଫ୍ ଇକ୍ବାଲିଟି’ରେ) ପିକେଟି ଏକ ରୋଚକ ଢଙ୍ଗରେ ଯୁକ୍ତି କରିଛନ୍ତି ଯେ ସ୍ବିଡେନ୍‌ରେ ଯାହା ସମ୍ଭବ ହୋଇଛି, ତାହା ଭାରତରେ ମଧ୍ୟ ସମ୍ଭବ ହୋଇପାରିବ। ସେ କହିଛନ୍ତି ଲୋକମାନେ ବିଶ୍ବାସ କରିଥାନ୍ତି ଯେ ସ୍ବିଡେନ୍‌ର ଭାଇକିଙ୍ଗ୍ ସଂସ୍କୃତି ସ୍ବାଭାବିକ ଭାବରେ ସାମ୍ୟବାଦୀ ହୋଇଥିବାବେଳେ, ଭାରତର ଜାତିପ୍ରଥାଭିତ୍ତିକ ଆର୍ଯ୍ୟ ସଂସ୍କୃତି ସ୍ବାଭାବିକ ଭାବରେ ବୈଷମ୍ୟବାଦୀ ହୋଇଥାଏ। ସେ ଏହାକୁ ମିଥ୍ୟା ପ୍ରମାଣିତ କରି ଦର୍ଶାଇଛନ୍ତି ଯେ ୧୮୬୫ରୁ ୧୯୧୧ ମଧ୍ୟରେ ସ୍ବିଡେନ୍‌ରେ ଯେଉଁ ‘ସେନ୍‌ସିଟାରି’ ବ୍ୟବସ୍ଥା କାର୍ଯ୍ୟ କରୁଥିଲା, ତାହା ଅନୁସାରେ ଜଣେ ମତଦାତା କେତେଖଣ୍ଡ ଭୋଟ୍ ଦେଇପାରିବେ, ତାହା ନିର୍ଭର କରୁଥିଲା ତାଙ୍କର ସଂପତ୍ତି ଓ ଆୟର ପରିମାଣ ଏବଂ ସେ ଦେଉଥିବା ଟିକସର ପରିମାଣ ଉପରେ। ଏହି ନିୟମ ଅନୁସାରେ ଦେଶର ମାତ୍ର ୨୦ ଶତାଂଶ ପୁରୁଷ ମତଦାନ ପାଇଁ ଅଧିକାର ପାଇଥିଲେ ଏବଂ ସେମାନେ ମଧ୍ୟ ନିଜର ସଂପଦ ଓ ଆୟ ଭିତ୍ତିରେ ପ୍ରାୟ ୪୦ଟି ଗୋଷ୍ଠୀରେ ବିଭକ୍ତ ହୋଇଥିଲେ। ଏମାନଙ୍କ ମଧ୍ୟରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳତମ ଗୋଷ୍ଠୀର ଜଣେ ସଦସ୍ୟ ଗୋଟିଏ ମାତ୍ର ଭୋଟ୍ ଦେଇପାରୁଥିଲାବେଳେ ସର୍ବାଧିନ ଧନୀ ଗୋଷ୍ଠୀର ଜଣେ ସଦସ୍ୟ ଦେଇପାରୁଥିଲା ୫୪ଟି ଭୋଟ୍ (ଅର୍ଥାତ୍ ଜଣକର ଭୋଟ୍‌ର ମୂଲ୍ୟ ୧ ହୋଇଥିବା ବେଳେ, ଅନ୍ୟ ଜଣକର ଭୋଟ୍‌ର ମୂଲ୍ୟ ଥିଲା ୫୪)।
ନାଗରିକମାନଙ୍କର ସଂପତ୍ତି ଓ ଆୟ ରେଜିଷ୍ଟରକୁ ବ୍ୟବହାର କରି ସରକାର ସେମାନଙ୍କ ମଧ୍ୟରେ ଏହିପରି ଭୋଟ୍‌ଦାନ କ୍ଷମତା ବଣ୍ଟନ କରୁଥିଲେ। ଯୁଦ୍ଧ-ମଧ୍ୟବର୍ତ୍ତୀ ସମୟରେ ସୋସିଆଲ୍ ଡେମୋକ୍ରାଟ୍‌ମାନେ ଯେତେବେଳେ ସେଠାରେ କ୍ଷମତାକୁ ଆସିଲେ, ସେମାନେ ସେଇ ରେଜିଷ୍ଟରକୁ ଏକ ସଂପୂର୍ଣ୍ଣ ଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କଲେ। ସେମାନେ ଟିକସ ହାରକୁ ଆୟ ଓ ସଂପତ୍ତିର ସ୍ତର ସହିତ ସଂଯୁକ୍ତ କରିଦେଲେ; ଅଧିକ ସଂପତ୍ତି ଓ ଆୟ ଉପରୁ ଅଧିକ ହାରରେ ଟିକସ ସଂଗୃହୀତ ହେଲା। ଏହି ବୃଦ୍ଧି ଘଟି ଚାଲିଥିବା ସମ୍ବଳକୁ ସମଗ୍ର ଦେଶବାସୀଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଯୋଗାଇବାରେ ବିନିଯୋଗ କରାଗଲା, ଯାହା ସ୍ବିଡେନ୍‌କୁ ଆଜି ପୃଥିବୀର ଅନ୍ୟତମ ସର୍ବଶ୍ରେଷ୍ଠ ସମାଜମଙ୍ଗଳ ରାଷ୍ଟ୍ରରେ ପରିଣତ କରିଛି। ପିକେଟିଙ୍କ କହିବା କଥା, ଏହା ପ୍ରମାଣ କରିଥାଏ ଯେ ପରମ୍ପରା ବା ସଂସ୍କୃତି ନୁହେଁ, ଏକ ସମାଜ ସ୍ଥାପନ କରୁଥିବା ଅନୁଷ୍ଠାନ ଓ ପ୍ରଣୟନ କରୁଥିବା ନିୟମମାନ ଉପରେ ସବୁକିଛି ନିର୍ଭର କରିଥାଏ। ସ୍ବିଡେନ୍ ଭଳି ଏକ ବିଷମ ସମାଜରେ ଯଦି ଏହି ଉପାୟରେ ଅର୍ଥନୈତିକ ସାମ୍ୟ ସହିତ ସମୃଦ୍ଧି ହାସଲ ସମ୍ଭବ ହେଲା, ଭାରତରେ କାହିଁକି ତାହା ନ ଘଟିବ?
ତେବେ ପିକେଟିଙ୍କ ପରିକଳ୍ପନା ଭାରତ ପାଇଁ କିଛି ନୂଆ ନୁହେଁ। ୧୯୭୦ରେ ଇନ୍ଦିରା ଗାନ୍ଧୀଙ୍କ ସରକାର ପ୍ରଥମେ କର ହାରରେ ବୃଦ୍ଧି ଘଟାଇ ତାହାକୁ ସର୍ବୋଚ୍ଚ ୯୩.୫ ଶତାଂଶ ସ୍ତରରେ ପହଞ୍ଚାଇଦେଲେ, ଯାହା ଆହୁରି ବୃଦ୍ଧି ପାଇ ୧୯୭୩-୭୪ରେ ହୋଇଯାଇଥିଲା ୯୭.୫ ଶତାଂଶ। ଏହି ସ୍ତରରେ ପହଞ୍ଚିଥିବା ଜଣେ କରଦାତା ଯଦି ଅଧିକ ୧୦୦ ଟଙ୍କା ଅର୍ଜନ କରୁଥିଲା, ସେଥିରୁ ସେ ରଖିପାରୁଥିଲା ମାତ୍ର ୨ ଟଙ୍କା ୫୦ ପଇସା। ଏହାର ସ୍ବାଭାବିକ ପରିଣତି ହେଲା ଏହା ଯେ ଏକ ନିର୍ଦ୍ଦିଷ୍ଟ ସ୍ତର ସ୍ପର୍ଶ କଲାପରେ ଘରୋଇ କ୍ଷେତ୍ରରେ ଆଉ ସଂପଦ ସୃଷ୍ଟି ସମ୍ଭବ ହେଲାନାହିଁ; ଅର୍ଥନୀତିର ଅଭିବୃଦ୍ଧି ପ୍ରାୟ ସଂପୂର୍ଣ୍ଣ ରୂପେ ଚିରାଚରିତ ଭାବେ ଅଦକ୍ଷ ଓ ଦୁର୍ନୀତିଗ୍ରସ୍ତ ସରକାରୀ କ୍ଷେତ୍ର ଉପରେ ନିର୍ଭର କଲା। ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ଅର୍ଥନୀତିର ଅଭିବୃଦ୍ଧି ହାର ୨-୩ ଶତାଂଶ ମଧ୍ୟରେ ସୀମିତ ରହିଲା, ଯାହାକୁ ୧୯୭୮ରେ ପ୍ରଖ୍ୟାତ ଅର୍ଥନୀତିଜ୍ଞ ରାଜକ୍ରିଷ୍ଣା ରହସ୍ୟରେ ‘ହିନ୍ଦୁ ରେଟ୍ ଅଫ୍ ଗ୍ରୋଥ୍’ ରୂପେ ଅଭିହିତ କରିଥିଲେ।
ଯାହା ସ୍ବିଡେନ୍ ପାଇଁ କାର୍ଯ୍ୟ କରିଛି, ତାହା ଭାରତ ପାଇଁ କାର୍ଯ୍ୟ ନ କରିବାର କାରଣ ଅନେକ- ଉଭୟ ଦେଶର ଜନସଂଖ୍ୟାରୁ ଆରମ୍ଭ କରି ତାହାର ସଂରଚନା, ଲୋକ ଚରିତ୍ର, ସରକାରୀ କ୍ଷେତ୍ରର ଦକ୍ଷତା ଆଦିରେ ରହିଥିବା ବ୍ୟାପକ ପାର୍ଥକ୍ୟ ଆଦି। ଆଜକୁ ଚାରି ଦଶନ୍ଧି ତଳେ ସେଇ କଂଗ୍ରେସ ସରକାର ହିଁ ଏଭଳି ଉଚ୍ଚ କର ହାରକୁ ପରିହାର କରିବାକୁ ଉଚିତ ମନେ କରିଥିଲା। ବର୍ତ୍ତମାନ ଭାରତୀୟ ଅର୍ଥନୀତି ସମ୍ମୁଖୀନ ହୋଇଥିବା ଏକ ପ୍ରଧାନ ସମସ୍ୟା ହେଉଛି ଘରୋଇ କ୍ଷେତ୍ରରେ ପୁଞ୍ଜି ନିବେଶରେ ଦେଖାଦେଇଥିବା ମନ୍ଥରତା। ପିକେଟିଙ୍କ ସାମ୍ୟବାଦୀ ସମାଧାନ ଯଦି ଗ୍ରହଣ କରାଯାଇ ଅଗ୍ରଣୀ ଉଦ୍ୟୋଗପତିମାନଙ୍କ ଉପରେ କର ପ୍ରହାର କରାଯାଏ, ତାହା ସେମାନଙ୍କୁ ପୁଞ୍ଜି ନିବେଶ, ଉତ୍ପାଦନ ଓ ନିଯୁକ୍ତି ସୃଷ୍ଟିରେ ଆହୁରି ନିରୁତ୍ସାହିତ କରିବା ନିଶ୍ଚିତ।
ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ବରନ୍ ସେହି ଆଲୋଚନାଚକ୍ରରେ କହିଥିବା ଭଳି ବୈଷମ୍ୟ ହ୍ରାସ ନୁହେଁ, ଦାରିଦ୍ର୍ୟ ଦୂରୀକରଣ ହେଉଛି ନ୍ୟାୟୋଚିତ ଅଭିବୃଦ୍ଧିର ଅସଲ ପରୀକ୍ଷା। ଦାରିଦ୍ର୍ୟର ସୁଷମ ବଣ୍ଟନ ଦ୍ବାରା ବୈଷମ୍ୟରେ ହ୍ର‌ାସ ଘଟାଯାଇପାରେ, କିନ୍ତୁ ତାହା ଆମର କାମ୍ୟ ହୋଇପାରିବ ନାହିଁ। ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ଦ୍ବାରା ହିଁ ଦାରିଦ୍ର୍ୟରେ ହ୍ରାସ ଘଟାଇବା ସମ୍ଭବ ହେବ। ତେବେ ଏହି ଅଭିବୃଦ୍ଧି ନିଯୁକ୍ତିହୀନ ନ ହୋଇ ନିଯୁକ୍ତିଯୁକ୍ତ ହେବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ସରକାର ଶ୍ରମ-ସଘନ ଉଚ୍ଚ ଅଭିବୃଦ୍ଧି ସମ୍ଭାବନା ଥିବା କ୍ଷେତ୍ରରେ ନିଯୁକ୍ତି-ସଂଯୁକ୍ତ ପ୍ରୋତ୍ସାହନ ସ୍କିମ୍ କାର୍ଯ୍ୟକାରୀ କରିବା ପାଇଁ (ଯେମିତି ଉତ୍ପାଦନ-ସଂଯୁକ୍ତ ପ୍ରୋତ୍ସାହନ ସ୍କିମ୍- ‘ପିଏଲ୍ଆଇ’ କାର୍ଯ୍ୟ କରୁଛି) ଅଧିକ ତତ୍ପରତା ପ୍ରଦର୍ଶନ କଲେ ତାହା ବୈଷମ୍ୟ ଦୂରୀକରଣରେ ସହାୟକ ହୁଅନ୍ତା। ପ୍ରୋତ୍ସାହନ ଓ ନିରୁତ୍ସାହନ ମାଧ୍ୟମରେ ଘରୋଇ କ୍ଷେତ୍ର ହାସଲ କରୁଥିବା ଦ୍ରୁତ ଅଭିବୃଦ୍ଧିକୁ ନିଯୁକ୍ତି ସୃଷ୍ଟି ଦିଗରେ ମୁହଁାଇବା ହେଉଛି ସରକାରଙ୍କ ଦାୟିତ୍ବ।
ସରକାର ତାହା ନ କରି ଯଦି ପିକେଟି ସୂତ୍ର ଅନୁସରଣ କରନ୍ତି, ତାହା ଓଲଟ ଫଳ ସୃଷ୍ଟି କରି ନିବେଶକମାନଙ୍କୁ ନିରୁତ୍ସାହିତ କରି ଅଭିବୃଦ୍ଧିର ଗତିରୋଧ କରିବା ନିଶ୍ଚିତ। ଅନନ୍ତ ନାଗେଶ୍ବରନ୍ ସେଠାରେ କହିଥିବା ଭଳି: ‘‘ପୁଞ୍ଜି ଉପରେ ଟିକସ କମାଇଦେଲେ ନିବେଶରେ ବୃଦ୍ଧି ଘଟି ନ ପାରେ, କିନ୍ତୁ ତା’ ଉପରେ ଟିକସ ବଢ଼ାଇଦେଲେ ପୁଞ୍ଜି ପଳାୟନ କରିଥାଏ। ପୁଞ୍ଜିକୁ ଏଭଳି ତଡ଼ିଦେବା ସହଜ, କିନ୍ତୁ ତାକୁ ଫେରାଇ ଆଣିବା ବହୁତ କଷ୍ଟକର ହୋଇଥାଏ।’’

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.