Breaking News

ପିଲାଙ୍କ ପରିଶ୍ରମ କେବେ ବିଫଳ ହେବନି: ଜଗଦାନନ୍ଦ

ନରଣପୁରସ୍ଥିତ କେଏମ୍‌ବିବି ଉଚ୍ଚମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟ ପରିସରରେ ବ୍ରଜବନ୍ଧୁ ମେଧାବୃତ୍ତି ପ୍ରଦାନ କରାଯାଇଛି। ମେଧାବୃତ୍ତି ପରୀକ୍ଷାରେ ଭାଗ ନେଇଥିବା ୧୫ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦୩୯ ଜଣ ମେଧାବୃତ୍ତି ପରୀକ୍ଷା ପାଇଁ ବଛାଯାଇ...

ବାରଙ୍ଗ: ନରଣପୁରସ୍ଥିତ କେଏମ୍‌ବିବି ଉଚ୍ଚମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟ ପରିସରରେ ବ୍ରଜବନ୍ଧୁ ମେଧାବୃତ୍ତି ପ୍ରଦାନ କରାଯାଇଛି। ମେଧାବୃତ୍ତି ପରୀକ୍ଷାରେ ଭାଗ ନେଇଥିବା ୧୫ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦୩୯ ଜଣ ମେଧାବୃତ୍ତି ପରୀକ୍ଷା ପାଇଁ ବଛାଯାଇ ସେମାନଙ୍କ ଭିତରୁ ସର୍ବାଧିକ ନମ୍ବର ରଖିଥିବା ୫୦ ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସୂଚନା କମିସନର୍‌ ପ୍ରଫେସର ଜଗଦାନନ୍ଦ ଯୋଗଦେଇ ପରୀକ୍ଷାରେ ଭାଗ ନେଇଥିବା ପିଲାମାନଙ୍କର ଯାତ୍ରା କେବେ ବିଫଳ ଯିବ ନାହିଁ। କେଏମ୍‌ବିବି ଅନୁଷ୍ଠାନ ରାଜ୍ୟର ବତିଘର। ଏଭଳି ଖୁବ୍‌ କମ୍‌ ଶିକ୍ଷାନୁଷ୍ଠାନ ଆଦର୍ଶ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛନ୍ତି ବୋଲି ସେ କହିଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଥିଲେ, ଆଦର୍ଶ ଗଣତନ୍ତ୍ର ରାଷ୍ଟ୍ର ଗଠନରେ ଆଦର୍ଶ ଓ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ରହିଛି। ଦେଶରେ ଅଧିକ ସଂଖ୍ୟାରେ ରହିଥିବା ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରର ବିକାଶ ପାଇଁ ଏଭଳି ଶିକ୍ଷାର ଆବଶ୍ୟକତା ରହିଛି। ଏ ଅନୁଷ୍ଠାନର ପ୍ରଭାବ ଅନ୍ୟ ଅନୁଷ୍ଠାନରେ ପରିଲକ୍ଷିତ ହେଲେ ଦେଶ ଓ ଜାତିର ଉନ୍ନତି ହୋଇପାରିବ ବୋଲି କହିଥିଲେ।

ବ୍ରଜବନ୍ଧୁ ମେଧାବୃତ୍ତି ପ୍ରଦାନ ସମାରୋହ

ସଭାପତିତ୍ବ ଅଭିଭାଷଣରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ପିଲାମାନେ ଭବିଷ୍ୟତରେ ନୂଆ ମୁକାବିଲା କରିବା ତଥା ସେମାନଙ୍କ ଅନ୍ତର୍ନିହିତ ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ପରୀକ୍ଷା କାରାଯାଉଛି। ପିଲାମାନେ ‘ମ ଓ ନ’ର ୫ଟି ସୂତ୍ର ପାଳନ କଲେ ନିଶ୍ଚିତ ସଫଳତା ପାଇପାରିବେ। ‘ମ’ରେ ମା’ ଓ ବାପାଙ୍କ ପ୍ରତି କୃତଜ୍ଞ ରହିବା, ମାଟି-ମାତୃଭୂମି ପ୍ରତି କର୍ତ୍ତବ୍ୟ ପାଳନ କରିବା, ମାତୃଭାଷାକୁ ଭୁଲି ନଯିବା, ମୋବାଇଲକୁ କେବଳ ଜ୍ଞାନ ଆହରଣ ପାଇଁ ବ୍ୟବହାର କରିବା। ସେହିଭଳି ‘ନ’ରେ ନିରୋଗ ରହିବା, ନିରାଡ଼ମ୍ବର ଜୀବନଯାପନ କରିବା, ନିରହଙ୍କାର, ନିଡର ଓ ନିଶାମୁକ୍ତ ସମାଜ ଗଠନ ପାଇଁ ସଂକଳ୍ପ ନେବାକୁ ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ‘ସମ୍ବାଦ’ ଗ୍ରୁପ୍‌ ସମ୍ପାଦକ ତନୟା ପଟ୍ଟନାୟକ ଯୋଗଦେଇ ପିଲାଙ୍କ ଶିକ୍ଷା ଓ ଭବିଷ୍ୟତ ହେଉଛି ଅଭିଭାବକ ଓ ଆମମାନଙ୍କର ଦାୟିତ୍ୱ। ଉଭୟଙ୍କ ବିଶ୍ୱାସରେ ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ସଫଳ ହେବା ବୋଲି ସେ ଆଶା ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ‘ସମ୍ବାଦ ଶିକ୍ଷା ସମୂହ’ର ଉପାଧ୍ୟକ୍ଷ ଅଭିନିଶ୍ ଶର୍ମା ଓ ‘ସମ୍ବାଦ ଶିକ୍ଷା ସମୂହ’ର ଟ୍ରଷ୍ଟି ତଲିନା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

କୃତୀ ଛାତ୍ରଛାତ୍ରୀଙ୍କ ଭିତରେ ପ୍ରଥମ ହୋଇଥିବା ଖୋର୍ଦ୍ଧା‌ର ବ୍ରିଜ୍ ୱେଲ୍‌ ଗ୍ଲୋବାଲ୍‌ ସ୍କୁଲ୍‌ ଛାତ୍ରୀ ଆଦିଶ୍ରୀ ମିଶ୍ରଙ୍କୁ ୫୦ ହଜାର ଟଙ୍କା ସହ ସାର୍ଟିଫିକେଟ, ଦ୍ୱିତୀୟ ହୋଇଥିବା କଟକ ସିଡିଏ ସେକ୍ଟର୍‌-୬ସ୍ଥିତ ଡିଏଭି ପବ୍ଲିକ୍ ସ୍କୁଲ୍‌ ଛାତ୍ର ସୌମ୍ୟରଞ୍ଜନ ଦାସଙ୍କୁ ୩୦ ହଜାର ଟଙ୍କା ସହ ସାର୍ଟିଫିକେଟ୍‌ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କଟକ ପାତ୍ରପଲ୍ଲୀ ବିଦ୍ୟାପୀଠର ଛାତ୍ର ବିଶ୍ୱଜିତ ସିଂହଙ୍କୁ ୨୦ ହଜାର ଟଙ୍କା ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଅନ୍ୟ ୪୭ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ସହିତ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ସେହିଭଳି କେଏମ୍‌ବିବିରେ ଅଧ୍ୟୟନ କରିବା ପରେ ସରକାରୀ ମେଡିକାଲ କଲେଜରେ ଡାକ୍ତରୀ ପଢୁଥିବା ୩ ଜଣ ରୁକ୍ମଣୀ ନାୟକ, ଶୁଭମ୍ ପ୍ରକାଶ ନାୟକ ଓ ଦେଶପ୍ରେମ ସାହୁ ଏବଂ ଯୁକ୍ତ୨ ବିଜ୍ଞାନ ପରୀକ୍ଷାରେ ୯୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ସାଇଶୃତି ସାହୁଙ୍କୁ ୧୦ ହଜାର ଟଙ୍କା ସହିତ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ସ୍ୱାଗତ ଭାଷଣ ଦେଇଥିଲେ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଡ. ବିଜୁନୀ ଚରଣ ସୂତାର। ପରିଚାଳନା କରିଥିଲେ ଅଧ୍ୟାପିକା ରୋମାଲି ସୋନମ୍‌ ସମର୍ପିତା ଓ ଧନ୍ୟବାଦ ଦେଇଥିଲେ ଅଧ୍ୟାପିକା ମିନତିପ୍ରଭା ସାହୁ। ସହାୟତା କରିଥିଲେ ଉପାଧ୍ୟକ୍ଷ ସୀତାଂଶୁ ଶେଖର ରାଉତଙ୍କ ସମେତ ଅଧ୍ୟାପକ,
ଅଧ୍ୟାପିକା ଓ କର୍ମଚାରୀଗଣ।

ସୌଜନ୍ୟ-ସମ୍ୱାଦ

Comments are closed.