Breaking News

ପୁଡ଼ୁଚେରୀରେ ୩୦ବର୍ଷ ମଧ୍ୟରେ ସର୍ବାଧିକ ବର୍ଷା: ଚେନ୍ନାଇରେ ବର୍ଷାଜନିତ କାରଣରୁ ୩ ମୃତ

ତାମିଲନାଡୁ-ପୁଡୁଚେରୀ ଉପକୂଳରେ ଶନିବାର ସନ୍ଧ୍ୟାରେ ସାମୁଦ୍ରିକ ଝଡ଼ ଫେଙ୍ଗଲ ସ୍ଥଳଭାଗ ଛୁଇଁବା ପରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚେନ୍ନାଇରେ ବିଦ୍ୟୁତ୍ ଆଘାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି।

ଚେନ୍ନାଇ: ତାମିଲନାଡୁ-ପୁଡୁଚେରୀ ଉପକୂଳରେ ଶନିବାର ସନ୍ଧ୍ୟାରେ ସାମୁଦ୍ରିକ ଝଡ଼ ଫେଙ୍ଗଲ ସ୍ଥଳଭାଗ ଛୁଇଁବା ପରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚେନ୍ନାଇରେ ବିଦ୍ୟୁତ୍ ଆଘାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ବଡ଼ ଧରଣର କ୍ଷୟକ୍ଷତି ଖବର ମିଳିନାହିଁ। ପୁଡୁଚେରୀରେ ଗତ ରାତିରେ ୪୪ ସେଣ୍ଟିମିଟର ବର୍ଷା ହୋଇଛି, ଯାହା କି ଗତ ୩୦ ବର୍ଷ ମଧ୍ୟରେ ସର୍ବାଧିକ। ବାତ୍ୟା କାରଣରୁ ୧୬ ଘଣ୍ଟା ପାଇଁ ବନ୍ଦ ରହିଥିବା ଚେନ୍ନାଇ ବିମାନବନ୍ଦର ଗତରାତି ୧ଟାରେ ଖୋଲିଥିଲେ ମଧ୍ୟ ଅନେକ ବିମାନ ବାତିଲ ଓ ବିଳମ୍ବର ସମ୍ମୁଖୀନ ହୋଇଥିଲା। ଚେନ୍ନାଇ ବିମାନବନ୍ଦରରେ ପ୍ରଥମ ବିମାନ ଆଜି ଭୋର୍‌ ୪ଟା ୮ମିନିଟରେ ଉଡ଼ାଣ ଭରିଥିଲା। ଏହାପରେ କୁଏତ ଏୟାରୱେଜ୍‌ର ଏକ ବିମାନ ସକାଳ ୫ଟା ୧୮ରେ ଉଡ଼ାଣ ଭରିଥିଲା।

ଚେନ୍ନାଇରେ ବର୍ଷାଜନିତ କାରଣରୁ ୩ ମୃତ
ଇଣ୍ଡିଗୋ ବିମାନର ବିପଜ୍ଜନକ ଅବତରଣ

ଚେନ୍ନାଇ ବିମାନବନ୍ଦରରେ ଗତକାଲି ପ୍ରବଳ ପବନ ମଧ୍ୟରେ ଏକ ଇଣ୍ଡିଗୋ ବିମାନ ବିପଜ୍ଜନକ ସ୍ଥିତିରେ ଅବତରଣ କରିଥିଲା। ବିମାନ ଅବତରଣ ପୂର୍ବରୁ ପବନର ଗତି ହଠାତ୍‌ ବଢ଼ିଯିବାରୁ ସ୍ବାଭାବିକ ଅବତରଣ ବାଧାପ୍ରାପ୍ତ ହୋଇଥିଲା। ତେବେ ପାଇଲଟ୍‌ ବିମାନର ସୁରକ୍ଷିତ ଅବତରଣ କରାଇବାରେ ସଫଳ ହୋଇଥିଲେ। ଚେନ୍ନାଇ, ଏହାର ଆଖପାଖ ଜିଲ୍ଲା ଏବଂ ପୁଡୁଚେରୀରେ ଗତରାତିରୁ ଲଗାଣ ବର୍ଷା ଲାଗି ରହିଥିବାରୁ ବସ୍, ଟ୍ରେନ୍ ଓ ବିମାନ ସେବା ସମେତ ସାଧାରଣ ପରିବହନ ପ୍ରଭାବିତ ହୋଇଛି ଏବଂ ସମ୍ବେଦନଶୀଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ କର୍ତ୍ତୃପକ୍ଷ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛନ୍ତି। ବାତ୍ୟା କ୍ରମେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ପୁଡୁଚେରୀର କ୍ରିଷ୍ଣାନଗର ଅଞ୍ଚଳରେ ପ୍ରାୟ ୫୦୦ ଘରେ ଫସି ରହିଥିବା ଲୋକଙ୍କୁ ସେନା ଉଦ୍ଧାର କରିଛି। ତେବେ ବାତ୍ୟା ପରେ ବଡ଼ ଧରଣର କ୍ଷୟକ୍ଷତିର କୌଣସି ଖବର ମିଳିନାହିଁ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସୌଜନ୍ୟ-ସମ୍ୱାଦ

Comments are closed.