Environmentalist: ପରିବେଶ ଯୋଦ୍ଧା: ଜଙ୍ଗଲ ପୁନରୁଦ୍ଧାର ପାଇଁ ତତ୍ପର ରମେଶ
କେନ୍ଦୁଝର ଜିଲ୍ଲାର ଦୁର୍ଗମ ଗ୍ରାମ ଅଡ଼ାଳର ଯୁବକ ରମେଶ ଚନ୍ଦ୍ର ମୁଣ୍ଡା। ବେଶ୍ କିଛି ବର୍ଷର ବ୍ୟବଧାନ ପରେ ୨୦୨୩ରେ ସେ ଯେତେବେଳେ ନିଜ ଗାଁ ନିକଟସ୍ଥ ବଇତାସଂଧା ନଣ୍ଡା ପାହାଡ଼କୁ ଦେଖିଲେ, ଖୁବ୍ ଭାବପ୍ରବଣ ହୋଇଗଲେ।

କେନ୍ଦୁଝର ଜିଲ୍ଲାର ଦୁର୍ଗମ ଗ୍ରାମ ଅଡ଼ାଳର ଯୁବକ ରମେଶ ଚନ୍ଦ୍ର ମୁଣ୍ଡା। ବେଶ୍ କିଛି ବର୍ଷର ବ୍ୟବଧାନ ପରେ ୨୦୨୩ରେ ସେ ଯେତେବେଳେ ନିଜ ଗାଁ ନିକଟସ୍ଥ ବଇତାସଂଧା ନଣ୍ଡା ପାହାଡ଼କୁ ଦେଖିଲେ, ଖୁବ୍ ଭାବପ୍ରବଣ ହୋଇଗଲେ। ସେ ଅଜା ଅମଳରୁ ଏହି ପାହାଡ଼ର ଘଞ୍ଚ ଜଙ୍ଗଲ ଓ ବିଭିନ୍ନ ପ୍ରାଣୀଙ୍କୁ ନେଇ ଅନେକ କଥାକାହାଣୀ ଶୁଣିଥିଲେ। ଏହି ଜଙ୍ଗଲର ଝରଣାରୁ ପାଣି ଯାଇ ଗାଁରେ ଚାଷ ହେଉଥିଲା ଏବଂ ଜଙ୍ଗଲରୁ ବିଭିନ୍ନ ଲଘୁ ବନଜାତ ସାମଗ୍ରୀ ସଂଗ୍ରହ କରି ଲୋକେ ନିଜର ଗୁଜୁରାଣ ମେଣ୍ଟାଉ ଥିଲେ। କିନ୍ତୁ ସମୟ କ୍ରମେ ଖଣି ଖନନକାରୀ ଓ କାଠ ମାଫିଆମାନେ ବଇତାସଂଧା ପାହାଡ଼ ଓ ଏହାର ଆଖପାଖ ଜଙ୍ଗଲ ସମ୍ପଦକୁ ଲୁଣ୍ଠନ କରି ଲଣ୍ଡା କରିଦେଲେ। ଧୀରେ ଧୀରେ ଝରଣା ସବୁ ଶୁଖିଗଲା। ବିଶାଳ ଶାଳ ଜଙ୍ଗଲ ଉଜୁଡ଼ି ଗଲା।
ଏସବୁ ଦେଖିବା ପରେ ରମେଶ ନଣ୍ଡା ପାହାଡ଼ରେ ଗଛ ଲଗାଇବା କଥା ଚିନ୍ତା କରିଥିଲେ। ୨୦୨୩ ମସିହାରେ ତାଙ୍କ ଉଦ୍ୟମରେ ଆରମ୍ଭ ହେଲା ଲଣ୍ଡା ପାହାଡ଼କୁ ସବୁଜ କରିବା ଏବଂ ଶାଳ ଜଙ୍ଗଲକୁ ସଂରକ୍ଷିତ କରିବା କାର୍ଯ୍ୟକ୍ରମ। ରମେଶଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ଗ୍ରାମର କଡ଼ାକର ମୁଣ୍ଡା, ନାକ ମୁଣ୍ଡା, ବିକ୍ରମ ମୁଣ୍ଡା ଓ ମୁକୁନ୍ଦ ମୁଣ୍ଡା ସହାୟତାର ହାତ ବଢ଼ାଇଲେ ଏବଂ ସେହିବର୍ଷ ବର୍ଷା ଋତୁରେ ବୃକ୍ଷରୋପଣ କଲେ। ନୂଆ କରି ଉଠୁଥିବା କଅଁଳିଆ ଶାଳ ଗଜାର ସୁରକ୍ଷା ଆରମ୍ଭ କଲେ। ଗ୍ରାମବାସୀମାନେ ସମୟକ୍ରମେ ସେମାନଙ୍କ ସହିତ ସାମିଲ ହେଲେ ଏବଂ ଏକ ଗ୍ରାମ କମିଟି ଗଢ଼ାହେଲା। ରମେଶଙ୍କ ନେତୃତ୍ୱରେ ଗଠିତ ଏହି ଗ୍ରାମ କମିଟି ଏବଂ ସ୍ଥାନୀୟ ବନ ବିଭାଗର ମିଳିତ ଉଦ୍ୟମରେ ବଇତାସଂଧା ନଣ୍ଡା ପାହାଡ଼ ଓ ଏହାର ଆଖପାଖର ଉଜୁଡ଼ା ଶାଳ ଜଙ୍ଗଲ ପୁଣିଥରେ ସବୁଜିମାରେ ହସି ଉଠିଲା। ଝରଣାରେ ପାଣିର ଝର ଝରିଲା। ଲୋକଙ୍କର ଜାଳେଣି କାଠ ସମସ୍ୟାର ସମାଧାନ ମଧ୍ୟ ହୋଇପାରିଲା। ଚାଷ ଜମିକୁ ପାଣି ମାଡ଼ିଲା। ପୁଣି ଜଙ୍ଗଲରୁ ପଣସ, ଆମ୍ବ, କେନ୍ଦୁ, ମହୁଲ, ଝୁଣା, ଲାଖ ଓ ଶିଆଳି ପତ୍ର ସଂଗ୍ରହ ହେଲା।
ଜଙ୍ଗଲ ସହିତ ଆଦିବାସୀଙ୍କ ଜୀବନଜୀବିକା ଜଡ଼ିତ। ଏହାକୁ ଛାଡ଼ିଦେଲେ ଆମର ଜୀବନ ଓ ସଂସ୍କୃତି ଉଚ୍ଛନ୍ନ ହୋଇଯିବ। ଆଜି ଆମେ ପ୍ରାୟ ୧୦ ଏକର ଜମିରେ କେନ୍ଦୁ, ପଣସ, ହରିଡ଼ା, ବାହାଡ଼ା, ଅଁଳା, ଆମ୍ବ, ତେନ୍ତୁଳି, କରଞ୍ଜ, କୁସୁମ, ଅର୍ଜୁନ ଓ ନିମ୍ବ ଭଳି ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିଛୁ ଏବଂ ଝରଣାର ଝର ଓ ଉଜୁଡ଼ା ଶାଳ ଜଙ୍ଗଲକୁ ସଂରକ୍ଷଣ କରିବାରେ ସଫଳ ହୋଇଛୁ। ଏହି ସଫଳତାର ଶ୍ରେୟ ପ୍ରତ୍ୟେକ ଗ୍ରାମବାସୀଙ୍କର ବୋଲି କୁହନ୍ତି ରମେଶ ଚନ୍ଦ୍ର ମୁଣ୍ଡା।
ସୌଜନ୍ୟ – ସମ୍ବାଦ



