Breaking News

ପୁଣି ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ ଠାବ: ୨ ଲୁଟୁଥିଲେ, ୨ ବିକୁଥିଲେ, ୧୩ ବାଇକ୍‌ ଜବତ

ଅଧିକାଂଶ ଅପରାଧୀ ରାଜଧାନୀରେ ଅପରାଧ ଘଟାଇବା ପରେ ଚୋରା ବାଇକ୍‌ରେ ଖସି ପଳାଉଛନ୍ତି। ତେଣୁ ଅପରାଧୀମାନଙ୍କୁ ସାବାଡ଼ କରିବାକୁ କମିସନରେଟ୍‌ ପୁଲିସ ଏକ ସ୍ବତନ୍ତ୍ର ଅଭିଯାନ ଜାରି ରଖିଛି।

ଭୁବନେଶ୍ବର: ଅଧିକାଂଶ ଅପରାଧୀ ରାଜଧାନୀରେ ଅପରାଧ ଘଟାଇବା ପରେ ଚୋରା ବାଇକ୍‌ରେ ଖସି ପଳାଉଛନ୍ତି। ତେଣୁ ଅପରାଧୀମାନଙ୍କୁ ସାବାଡ଼ କରିବାକୁ କମିସନରେଟ୍‌ ପୁଲିସ ଏକ ସ୍ବତନ୍ତ୍ର ଅଭିଯାନ ଜାରି ରଖିଛି। ଏହି ଅଭିଯାନ ବଳରେ ଆଗ ରାଜଧାନୀରେ ମାତିଥିବା ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌କୁ ଖୋଜିଖୋଜି ପୁଲିସ ବାନ୍ଧୁଛି। ସ୍ପେସାଲ୍‌ ସ୍କ୍ବାଡ୍‌ ସହଯୋଗରେ ବିଭିନ୍ନ ଥାନା ପୁଲିସ ଏହି ଅଭିଯାନରେ ସାମିଲ ହୋଇଛି। ସେହିକ୍ରମରେ ଆଜି ପୁଣି ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌କୁ ଠାବ କରିଛି କମିସନରେଟ୍‌ ପୁଲିସ। ଗତମାସ ୨୫ ତାରିଖରେ ଗଞ୍ଜାମ ଜିଲ୍ଲାର ଏକ ୩ଜଣିଆ ଗ୍ୟାଙ୍ଗ୍‌କୁ ଲିଙ୍ଗରାଜ ଥାନା ପୁଲିସ କୋର୍ଟ ଚାଲାଣ କରିଥିଲା। ସେମାନଙ୍କଠାରୁ ୧୨ ବାଇକ୍‌ ଜବତ କରାଯାଇଥିଲା। ଆଜି ସେହି ଲିଙ୍ଗରାଜ ଥାନା ପୁଲିସ ପୁରୀ ଜିଲ୍ଲାର ଏକ ୪ଜଣିଆ ଗ୍ୟାଙ୍ଗ୍‌କୁ ବାନ୍ଧିଛି। ସେମାନେ ହେଲେ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ଦୀପୁନା ମଲ୍ଲିକ ଓରଫ ଚୁନା(୨୪), ତସଲିମ୍‌ ଖାଁ ଓରଫ ଟୁକୁ(୪୧), ଗୋପ ଅଞ୍ଚଳର ବିଜୟ କୁମାର ଖଟେଇ ଓରଫ କୁନ୍ଦୁରା(୩୦) ଓ ଅସ୍ତରଙ୍ଗ ଅଞ୍ଚଳର ଦୀପକ କୁମାର ଦାସ ଓରଫ ରାଜା(୨୫)। ପୁଲିସ ସେମାନଙ୍କଠାରୁ ୧୩ଟି ବାଇକ୍‌, କିଛି ଜାଲ୍‌ ନମ୍ବର ପ୍ଲେଟ, ଜାଲ୍‌ ଆର୍‌ସି ଓ ନକଲି ଚାବି ଜବତ କରିଛି।

ଆଜି ଲୋୟର୍‌ ପିଏମ୍‌ଜିସ୍ଥିତ ଡିସିପି କ୍ୟାମ୍ପ ଅଫିସ୍‌ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି ଜଗ ମୋହନ ମିନା ଏହି ଗ୍ୟାଙ୍ଗ୍‌ ଉପରେ ସୂଚନା ଦେଇଥିଲେ। ସୂଚନା ମୁତାବକ ଏହି ଗ୍ୟାଙ୍ଗ୍‌ର ଚୁନା ଓ କୁନ୍ଦୁରା ରାଜଧାନୀରୁ ବାଇକ୍‌ ଲୁଟି ନେବା ପରେ ଟୁକୁ ଓ ରାଜାକୁ ହସ୍ତାନ୍ତର କରୁଥିଲେ। ଟୁକୁ ଓ ରାଜା ଚୋରା ବାଇକ୍‌ଗୁଡ଼ିକୁ ଗୋପ, କାକଟପୁର, ଅସ୍ତରଙ୍ଗ ଓ ଜଗତସିଂହପୁର ଅଞ୍ଚଳରେ ବିକିଦେଉଥିଲେ। ସେମାନେ ଜାଲ୍‌ ଆର୍‌ସି ବଳରେ ବାଇକ୍‌ଗୁଡ଼ିକୁ ବିକିଦେଉଥିଲେ।  ଚୁନା ଓ କୁନ୍ଦୁର ନକଲି ଚାବିରେ ବାଇକ୍‌ ଖୋଲିବାରେ ଧୁରନ୍ଧର। ସେମାନେ ଲିଙ୍ଗରାଜ, କ୍ୟାପିଟାଲ୍‌, ଖଣ୍ଡଗିରି, ସହିଦନଗର, ରେଳବାଇ, ଏୟାରଫିଲ୍ଡ ଆଦି ଥାନା ଅଞ୍ଚଳରୁ ବାଇକ୍‌ ଚୋରି କରୁଥିଲେ। ପାର୍କ, ମନ୍ଦିର, ହସ୍ପିଟାଲ୍‌ ପରିସର, ମାର୍କେଟ୍‌ ଭଳି ଜନଗହଳି ସ୍ଥାନକୁ ସେମାନେ ଟାର୍ଗେଟ୍‌ କରୁଥିଲେ। ଚୋରା ବାଇକ୍‌କୁ ନେଇ କିଛି ଦୂରରେ ନମ୍ବର ପ୍ଲେଟ୍‌ ବଦଳାଇ ଦେଉଥିଲେ। ଫଳରେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ସିସିଟିଭିରୁ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହେଉନଥିଲା। ପୂର୍ବରୁ କୁନ୍ଦୁରା ନାଁରେ ପୁରୀ ଓ ଗୋପ ଥାନାରେ ୨୮ରୁ ଅଧିକ ଆପରାଧିକ ମାମଲା ଥିବା ବେଳେ ଚୁନା ନାଁରେ ରାଜଧାନୀର ଲକ୍ଷ୍ମୀସାଗର ଓ ଲିଙ୍ଗରାଜ ଥାନାରେ ୬ ମାମଲା ରହିଛି। ସେହିଭଳି ଉଭୟ ସହିଦନଗର, ଜିଆର୍‌ପି ଓ ଏୟାରଫିଲ୍‌ଡ ଥାନାରେ ୱାଣ୍ଟେଡ୍‌ ତାଲିକାରେ ମଧ୍ୟ ରହିଛନ୍ତି। କୁନ୍ଦୁରା ଚୋରା ବାଇକ୍‌ରେ ଅନ୍ୟାନ୍ୟ ଅପରାଧ ଘଟାଉଥିବା ମଧ୍ୟ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବିଶେଷକରି ଚୋରା ବାଇକ୍‌ ବ୍ୟବହାର କରି ସେ ଲୁଟ୍‌, ଛିନ୍‌ତାଇ ଓ ରାହାଜାନୀ କରୁଥିଲା। ସୂଚନାଯୋଗ୍ୟ ଯେ ଫେବ୍ରୁଆରି ୨୫ ତାରିଖରେ ଲିଙ୍ଗରାଜ ଥାନା ପୁଲିସ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳର କୃଷ୍ଣଚନ୍ଦ୍ର ସାହୁ, ଜଗନ୍ନାଥପ୍ରସାଦ ଅଞ୍ଚଳର ନୀଳାଞ୍ଚଳ ଦିହୁଡ଼ି ଓ ତାରାସିଂ ଥାନା ଅଞ୍ଚଳର ଗଙ୍ଗାଧର ଜାନୀ ଓରଫ ବାୟାକୁ ଗିରଫ କରିଥିଲା।

ମହଙ୍ଗା ପଡ଼ିଲା ପୁଲିସ ସହ ଝାମେଲା 
ଫେବ୍ରୁଆରି ୫ ତାରିଖ ସନ୍ଧ୍ୟା ପାଖାପାଖି ୭ଟା ସମୟରେ ପ୍ରବୀର ମହାନ୍ତି ଲିଙ୍ଗରାଜ ହାଟ ନିକଟରେ ବାଇକ୍‌ ରଖି ମନ୍ଦିର ଯାଇଥିଲେ। ଫେରିବା ବେଳକୁ ସେଠାରେ ବାଇକ୍‌ ନଥିଲା। ଖବର ପାଇ ଲିଙ୍ଗରାଜ ଥାନା ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଖପାଖ ସିସିଟିଭି ଯାଞ୍ଚ ପରେ ପୁଲିସ ଲୁଟେରାଙ୍କୁ ଚିହ୍ନଟ କରିଥିଲା। ସେମାନଙ୍କୁ ଧରିବା ପାଇଁ ସ୍ପେସାଲ୍‌ ସ୍କ୍ବାଡ୍‌ ଓ ଲିଙ୍ଗରାଜ ଥାନା ପୁଲିସ କୁନ୍ଦୁରା ଗ୍ୟାଙ୍ଗ୍‌ ଗତିବିଧି ଉପରେ ନଜର ରଖିଥିଲା। ଗତକାଲି ଅର୍ଥାତ ୧୨ ତାରିଖ ଅପରାହ୍‌ଣ ସମୟରେ ଚୋରି ହୋଇଥିବା ବାଇକ୍‌ଟି ଏକ ପାର୍କିଂରେ ଥିବା ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ପୁଲିସର ଏକ ଟିମ୍‌ ସାଦା ପୋଷାକରେ ସେଠାରେ ପହଞ୍ଚିଥିଲା। ସାଦା ପୋଷାକରେ ଥିବା ଜଣେ ପୁଲିସ କର୍ମଚାରୀ ଉକ୍ତ ବାଇକ୍‌ ନେବାକୁ ଚେଷ୍ଟା କରିଥିଲା। ଏହା ଦେଖି ଚୁନା ଓ କୁନ୍ଦୁରା ଧାଇଁ ଆସିଥିଲେ ଏବଂ ସାଦା ପୋଷାକରେ ଥିବା ପୁଲିସ କର୍ମଚାରୀଙ୍କୁ ଧମକଚମକ ଦେଇଥିଲେ। ପୁଲିସ କର୍ମଚାରୀ ସେମାନଙ୍କୁ ବାଇକ୍‌ର କାଗଜପତ୍ର ମାଗିବାରୁ ସେମାନେ ତାଙ୍କୁ ମାଡ଼ମାରିବାକୁ ଉଦ୍ୟତ ହୋଇଥିଲେ। ଏହାଦେଖି ପୂର୍ବରୁ ପ୍ରସ୍ତୁତ ଥିବା ଅନ୍ୟ ପୁଲିସ କର୍ମଚାରୀମାନେ ସେମାନଙ୍କୁ ମାଡ଼ିବସିଥିଲେ।

କାକଟପୁର ଓ ଅସ୍ତରଙ୍ଗରୁ ମିଳିଲା ୧୨ ବାଇକ୍‌
କୁନ୍ଦୁରା ଓ ଚୁନାକୁ ପଚରାଉଚରା କରିବା ପରେ ଟୁକୁ ଓ ରାଜା ବାବଦରେ ଜଣାପଡ଼ିଥିଲା। ରାତାରାତି ପୁଲିସ ଟିମ୍‌ କାକଟପୁର ଓ ଅସ୍ତରଙ୍ଗ ଯାଇ ଟୁକୁ ଓ ରାଜାକୁ ଉଠାଇଥିଲା। ସେମାନେ ବିକିବାକୁ ରଖିଥିବା ୧୨ ବାଇକ୍‌ ଜବତ କରାଯାଇଥିଲା। ଟୁକୁ ଓ ରାଜା ସ୍ଥାନୀୟ ଏଜେଣ୍ଟ ଜରିଆରେ ଚୋରା ବାଇକ୍‌ ବିକୁଥିବା ଜଣାପଡ଼ିଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.