Breaking News

ପୁଣି ତାମିଲନାଡ଼ୁ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ବିବାଦ: ଭାଷଣ ନ ଦେଇ କକ୍ଷତ୍ୟାଗ କଲେ ରବି

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ଏବଂ ରାଜ୍ୟପାଳ ଆର୍‌ଏନ୍‌ ରବିଙ୍କ ମଧ୍ୟରେ ପୁଣି ଥରେ ବିବାଦ ଦେଖାଦେଇଛି। ଆଜି ତାମିଲନାଡ଼ୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି।

ମାଡ୍ରାସ୍‌: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ଏବଂ ରାଜ୍ୟପାଳ ଆର୍‌ଏନ୍‌ ରବିଙ୍କ ମଧ୍ୟରେ ପୁଣି ଥରେ ବିବାଦ ଦେଖାଦେଇଛି। ଆଜି ତାମିଲନାଡ଼ୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଏଥିରେ ରାଜ୍ୟପାଳ ତାଙ୍କ ପାରମ୍ପରିକ ଭାଷଣ ନଦେଇ କକ୍ଷତ୍ୟାଗ କରି ପଳାଇ ଆସିଛନ୍ତି। ଜାତୀୟ ସଙ୍ଗୀତ ଗାନ କରା ନଯିବା ଏବଂ ସମ୍ବିଧାନକୁ ଅସମ୍ମାନ କରାଯାଇଥିବା ଦର୍ଶାଇ ସେ ଏଭଳି ପଦ‌କ୍ଷେପ ନେଇଛନ୍ତି। ରାଜ୍ୟପାଳଙ୍କ ଏଭଳି କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ପିଲାଳିଆମି ‌କହିଛନ୍ତି। ସାମ୍ବିଧାନିକ ଦାୟିତ୍ବ ପ୍ରତି ରାଜ୍ୟପାଳଙ୍କର ଏହା ଅସମ୍ମାନ ବୋଲି ସେ ମତ ଦେଇଛନ୍ତି।

ଏହି ଘଟଣା ପରେ ରାଜଭବନ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ୍‌ କରାଯାଇଛି ଯେ ବିଧାନସଭାରେ ରାଜ୍ୟପାଳ ଉପସ୍ଥିତ ହେବା ପରେ ‘ତାମିଲ ଥାଇ ଭାଝଥୁ’ (ତାମିଲନାଡ଼ୁର ପ୍ରାଦେଶିକ ସଂଗୀତ) ସଂଗୀତ ଗାନ କରାଯାଇଥିଲା। ରାଜ୍ୟପାଳ ସସମ୍ମାନ ସହ ଗୃହକୁ ଏହାର ସାମ୍ବିଧାନିକ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇଥିଲେ ଓ ଆବେଗପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଜାତୀୟ ସଂଗୀତ ଗାନ କରିବାକୁ ଆହ୍ବାନ ଦେଇଥିଲେ। କିନ୍ତୁ ଏହାକୁ ସେମାନେ ଅଗ୍ରାହ୍ୟ କରିଦେଇଥିଲେ। ଏହା ଗଭୀର ଚିନ୍ତାଜନକ ପ୍ରସଙ୍ଗ। ସମ୍ବିଧାନ ଓ ଜାତୀୟ ସଂଗୀତର ଏଭଳି ଅପମାନରେ ସେ (ରାଜ୍ୟପାଳ) ଭାଗିଦାର ହେବେନାହିଁ ଏହା ବିଚାର କରି ଗଭୀର ଦୁଃଖରେ ଗୃହତ୍ୟାଗ କରିଥିଲେ। ଅପରପକ୍ଷରେ, ଏହାର ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ କହିଛନ୍ତି, ସାମ୍ବିଧାନିକ ପ୍ରଥାକୁ କ୍ଷୁଣ୍ଣ କରିବା ରାଜ୍ୟପାଳଙ୍କ ନିମନ୍ତେ ଏକ ପରମ୍ପରା ହୋଇଗଲାଣି। ପୂର୍ବରୁ ଅଭିଭାଷଣରେ ଯାହା ଲେଖାଥିଲା ତାହା କାଟିବା ସହ ଯାହା ଲେଖାହୋଇ ନଥିଲା ତାହା ଯୋଡ଼ିଥିଲେ। ଏଥର ମଧ୍ୟ ଅଭିଭାଷଣ ନପଢ଼ି ଚାଲିଯାଇଛନ୍ତି। ରାଜ୍ୟପାଳଙ୍କ ଏଭଳି ଆଚରଣ ତାମିଲନାଡ଼ୁ ଲୋକ ଓ ସେମାନଙ୍କ ଦ୍ବାରା ନିର୍ବାଚିତ ସରକାରଙ୍କୁ ଅପମାନିତ କରୁଛି। ଯିଏ ନିଜର ରାଜନୈତିକ ଓ ଆଇନଗତ କର୍ତ୍ତବ୍ୟ ପାଳନ କରିବାକୁ ଅନିଚ୍ଛୁକ, ସେ କାହିଁକି ପଦବିରେ ବସିଛନ୍ତି ବୋଲି ଷ୍ଟାଲିନ୍‌ ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ୨୦୨୪ ଏବଂ ୨୦୨୩ରେ ମଧ୍ୟ ରାଜ୍ୟପାଳ ରବି ଓ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ୨୦୨୪ ଫେବ୍ରୁଆରିରେ ରାଜ୍ୟପାଳଙ୍କ ପାଇଁ ପ୍ରସ୍ତୁତ ଭାଷଣ ଉପରେ ରବି ଆପତ୍ତି ଉଠାଇଥିଲେ। ପ୍ରାୟ ୧ ଘଣ୍ଟାର ଭାଷଣକୁ ରବି ୩ ମିନିଟ୍‌ରେ ଶେଷ କରି ବିଧାନସଭାରୁ ବାହାରି ପଳାଇ ଆସିଥିଲେ। ୨୦୨୩ରେ ମଧ୍ୟ ରାଜ୍ୟପାଳ ଭାଷଣର କିଛି ଅଂଶକୁ ବାଦ୍‌ ଦେବାପରେ ବିବାଦ ଦେଖାଦେଇଥିଲା।

 

 

 

 

 

ସୌଜନ୍ୟ – ସମ୍ୱାଦ

 

Comments are closed.