Breaking News

ପୁଣି ଭୁଶୁଡ଼ିଲା ଶୀର୍ଷକ୍ରମ: ମୁଣ୍ଡ ଉପରେ ଝୁଲୁଛି ଫଲୋଅନ୍ ଖଣ୍ଡା

ଭାରତୀୟ ଶୀର୍ଷକ୍ରମ ପୁଣି ଥରେ ଅଷ୍ଟ୍ରେଲୀୟ ବୋଲରଙ୍କ ଆଗରେ ବିନା ଲଢ଼େଇରେ ଆତ୍ମସମର୍ପଣ କରିଛି। ଲଗାତାର ଭାବେ ପ୍ରଥମ ଓଭରରେ ୱିକେଟ୍ ହରାଇ ସଙ୍କଟ ଘେରରେ ଫସିଛି ଟିମ୍ ଇଣ୍ଡିଆ।

ବ୍ରିସବେନ୍: ଭାରତୀୟ ଶୀର୍ଷକ୍ରମ ପୁଣି ଥରେ ଅଷ୍ଟ୍ରେଲୀୟ ବୋଲରଙ୍କ ଆଗରେ ବିନା ଲଢ଼େଇରେ ଆତ୍ମସମର୍ପଣ କରିଛି। ଲଗାତାର ଭାବେ ପ୍ରଥମ ଓଭରରେ ୱିକେଟ୍ ହରାଇ ସଙ୍କଟ ଘେରରେ ଫସିଛି ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆର ୪୪୫ ରନ୍‌କୁ ପିଛା କରି ଜୟସ୍ବାଲ, ଗିଲ୍, କୋହଲି ଓ ପନ୍ତ ମାତ୍ର ୪୪ ରନ୍ ଭିତରେ ନିଜ ନିଜ ୱିକେଟ୍ ଫିଙ୍ଗି ଦେବା ପରେ ବ୍ରିସ୍‌ବେନ୍ ଟେଷ୍ଟ୍‌ରେ ଫଲୋଅନ୍ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏମାନେ ସମସ୍ତେ ଏକ ଅଙ୍କ ଆଗକୁ ବଢ଼ି ନପାରିବା ପରେ ଭାରତର ପାଳି ଅଗ୍ରଣୀ ସ୍ବପ୍ନ ବି ପୂରା ଧୂଳିସାତ୍ ‌ହୋଇଯାଇଛି। ବରଂ ବର୍ଷା ପ୍ରଭାବିତ ବ୍ରିସ୍‌ବେନ୍ ଟେଷ୍ଟ୍‌ରେ ଫଲୋଅନ୍ ଏଡ଼ାଇବା ଭାରତ ପାଇଁ କାଠିକର ପାଠ ହୋଇଛି। ଏହି ଲଜ୍ଜାଜନକ ସ୍ଥିତିରୁ ବାହାରିବାଠାରୁ ଭାରତ ଏବେବି ୨୪୬ ରନ୍ ଦୂରରେ ରହିଛି। କଠିନ ପରିସ୍ଥିତିରେ କେବଳ କେଏଲ୍ ରାହୁଲ (୩୩*ରନ୍, ୬୪ ବଲ୍)ଙ୍କ ଅପରାଜେୟ ଲଢ଼େଇ ଦଳର କିଛିଟା ସମ୍ମାନ ରଖିଛି। ସୋମବାର ବାରମ୍ବାର ବର୍ଷା ପାଇଁ ଆଗୁଆ ଖେଳ ବନ୍ଦ ହେବା ବେଳକୁ ତାଙ୍କ ସହ ଅଧିନାୟକ ରୋହିତ ଶର୍ମା ୬ ବଲ୍ ଖେଳି ବିନା କୌଣସି ରନ୍‌ରେ ଅପରାଜିତ ରହିଛନ୍ତି। ତୃତୀୟ ଦିନ ଖେଳ ଶେଷ ବେଳକୁ ଭାରତ ୪ ୱିକେଟ୍ ବିନିମୟରେ ୫୧ ରନ୍ କରି ଭାରତ ଘରୋଇ ଅଷ୍ଟ୍ରେଲିଆଠାରୁ ମୋଟ ଉପରେ ୩୯୪ ରନ୍‌ରେ ପଛୁଆ ରହିଛି।
ଟେଷ୍ଟ୍ କ୍ରିକେଟ୍ ଇତିହାସର ସର୍ବାଧିକ ବର୍ଷା ବ୍ୟାଘାତ ହୋଇଥିବା ଦିନରେ ସୋମବାର ମାତ୍ର ୩୩.୧ ଓଭରର ଖେଳ ସମ୍ଭବ ହୋଇଥିଲା। ବର୍ଷା ପାଇଁ ଆଜି ୮ଥର ଖେଳ ବନ୍ଦ ହୋଇ ପୁଣି ଥରେ ଆରମ୍ଭ ହୋଇଥିଲା। ସେଥିମଧ୍ୟରେ କିନ୍ତୁ ଅଷ୍ଟ୍ରେଲିଆ ନିଜ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରି ନେଇଥିଲା। ୭ ୱିକେଟ୍ ବିନିମୟରେ ୪୦୫ ରନ୍ କରି ଦ୍ବିତୀୟ ଦିନରେ ହିଁ ଦୃଢ଼ ସ୍ଥିତି‌ରେ ପହଞ୍ଚି ଯାଇଥିବା ଅଷ୍ଟ୍ରେଲିଆର ଲାଞ୍ଜକାଟିବାକୁ ଭାରତୀୟ ବୋଲର ବରାବର ସଂଘର୍ଷ କରିଥିଲେ। ଫଳରେ କଙ୍ଗାରୁ ଦଳ ତା’ର ଶେଷ ୩ ୱିକେଟ୍‌ରେ ବହୁମୂଲ୍ୟ ୪୦ ରନ୍ ଯୋଡ଼ି ନିଜ ପ୍ରଥମ ପାଳି ସ୍କୋର୍‌କୁ ୪୪୫ ରନ୍‌କୁ ଟାଣି ନେଇଥିଲା। ଆଲେକ୍ସ ‌କ୍ୟାରି (୭୦)ଙ୍କୁ ଆଉଟ୍ କରି ଯଶପ୍ରୀତ୍ ବୁମ୍‌ରା ନିଜ ଷଷ୍ଠ ୱିକେଟ୍ ହାସଲ କରିଥିଲେ। ସେ ମଧ୍ୟ ଅଷ୍ଟ୍ରେଲିଆ ମାଟିରେ ୫୦ ୱିକେଟ୍ ନେବାର ରେକର୍ଡ ଛୁଇଁଥିଲେ।

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.