Breaking News

ପୁନଶ୍ଚ ଭୂତାଣୁ

ଚୀନ ହେଉଛି ଏଭଳି ଏକ ଦୁର୍ବୋଧ୍ୟ ରାଷ୍ଟ୍ର, ଯାହା ଗୋଟିଏ ପଟେ ଉତ୍କର୍ଷର ସୋପାନମାନ ଆରୋହଣ କରି ଚାଲିଥିବା ବେଳେ ଅନ୍ୟ ପଟେ ନିଜ ଆଚରଣରେ ଆତ୍ମ-ସମ୍ମାନ ହନନ କଲା ଭଳି ଅତ୍ୟନ୍ତ କ୍ଷୁଦ୍ର ଓ ସଂକୀର୍ଣ୍ଣ ଆଭିମୁଖ୍ୟର ପରିଚୟ ଦେଇଥାଏ।

ଚୀନ ହେଉଛି ଏଭଳି ଏକ ଦୁର୍ବୋଧ୍ୟ ରାଷ୍ଟ୍ର, ଯାହା ଗୋଟିଏ ପଟେ ଉତ୍କର୍ଷର ସୋପାନମାନ ଆରୋହଣ କରି ଚାଲିଥିବା ବେଳେ ଅନ୍ୟ ପଟେ ନିଜ ଆଚରଣରେ ଆତ୍ମ-ସମ୍ମାନ ହନନ କଲା ଭଳି ଅତ୍ୟନ୍ତ କ୍ଷୁଦ୍ର ଓ ସଂକୀର୍ଣ୍ଣ ଆଭିମୁଖ୍ୟର ପରିଚୟ ଦେଇଥାଏ।

୨୦୨୦-୨୧ ମସିହାରେ ‘କୋଭିଡ୍‌-୧୯’ ମହାମାରୀର ଏକାଧିକ ତରଙ୍ଗରେ ପୃଥିବୀ ପୃଷ୍ଠରୁ ୭୦,୭୯,୧୪୨ଟି ମାନବ ଜୀବନ ପୋଛି ହୋଇଗଲା ପରେ ଚୀନରେ ଘଟୁଥିବା ଯେ କୌଣସି ବଡ଼ ଧରଣର ସଂକ୍ରମଣ (ଏପିଡେମିକ୍)ର ଖବର ସମଗ୍ର ବିଶ୍ବକୁ ଛାନିଆ କରି ପକାଉଛି। ସେହି ଦୃଷ୍ଟିରୁ ସେଠାକାର ଡାକ୍ତରଖାନାଗୁଡ଼ିକରେ ସଂପ୍ରତି ସୃଷ୍ଟି ହୋଇଥିବା ‘ଫ୍ଲୁ’ ଲକ୍ଷଣଯୁକ୍ତ ହଜାର ହଜାର ରୋଗୀଙ୍କ ଅକସ୍ମାତ୍‌ ଓ ଅକଳ୍ପନୀୟ ଭିଡ଼ର ଖବର ନେଇ ଅବଶିଷ୍ଟ ପୃଥିବୀ ଓ ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ବା ‘ଡବ୍‌ଲ୍ୟୁ.ଏଚ୍‌.ଓ.’ ଉଦ୍‌ବିଗ୍ନ। ଏ ସଂପର୍କରେ ‘ଡବ୍‌ଲ୍ୟୁ.ଏଚ୍‌.ଓ.’ର ଏକ ପତ୍ରର ଉତ୍ତରରେ ଚୀନ ସରକାରଙ୍କ ପକ୍ଷରୁ ଦୃଢ଼ ଭାବେ କୁହାଯାଇଛି ଯେ ଏହା ହେଉଛି ‘ହ୍ୟୁମାନ ମେଟା ନ୍ୟୁମୋନିକ ଭାଇରସ’ ବା ‘ଏଚ୍‌.ଏନ୍‌.ପି.’ ଭୂତାଣୁ ଦ୍ବାରା ପୃଥିବୀର ଅନେକ ସ୍ଥାନରେ ହେଉଥିବା ସାଧାରଣ ‘ଇନଫ୍ଲୁଏନ୍‌ଜା’ ବା ‘ଫ୍ଲୁ’, ଯହିଁରେ ବଡ଼ ବିପଦ ନେଇ ଆଶଙ୍କାର କୌଣସି ଅବକାଶ ନ ଥାଏ। କିନ୍ତୁ ଚୀନର ଏଭଳି ଅଭୟ ବାଣୀ ସତ୍ତ୍ବେ କାହିଁକି ଆଶଙ୍କା ପ୍ରଶମିତ ହେଉନାହିଁ, ତାହା ମଧ୍ୟ ଏକ କ୍ଷୁଦ୍ର ଆଲୋଚନା ଲୋଡ଼ିଥାଏ।
ପ୍ରକାଶ ଥାଉ କି ପାଞ୍ଚଟି ପ୍ରଦେଶକୁ ନେଇ ଚୀନର ଏକ ବୃହଦାଂଶ ‘ଏଚ୍‌.ଏନ୍‌.ପି.ଭି.’ ଦ୍ବାରା ସଂକ୍ରମିତ ବୋଲି ବିଭିନ୍ନ ସୂତ୍ରରୁ ପ୍ରପ୍ତ ସମ୍ବାଦରୁ ଜଣାପଡ଼ିଛି। ସୁତରାଂ, ସଂକ୍ରମିତ ଅଞ୍ଚଳର ଆାକାର ଓ ସଂକ୍ରମିତଙ୍କ ସଂଖ୍ୟା ଆଧାରରେ ଭୂତାଣୁ ବିଶେଷଜ୍ଞମାନେ ଆଶଙ୍କା କରନ୍ତି ଯେ ବୋଧହୁଏ ‘ଏଚ୍‌.ଏନ୍‌.ପି.’ ଭୂତାଣୁଟି ଇତିମଧ୍ୟରେ ଆପଣା ରୂପ ଓ ଗୁଣରେ ପରିବର୍ତ୍ତନ ଘଟାଇ ସାରିଛି ବା ନିଜକୁ ‘ମ୍ୟୁଟେଟ୍‌’ କରି ସାରିଛି, ଯହିଁରେ ନୂଆ ଭୂତାଣୁର ସଂକ୍ରମଣ ବା ମାରକ ତୀବ୍ରତାକୁ ନେଇ ସହସା କୌଣସି ପୂର୍ବାନୁମାନ କରାଯାଇ ନ ପାରେ! ‘କୋଭିଡ୍‌ ପାନ୍‌ଡେମିକ୍‌’ କାଳରେ ‘ରୂପ ଓ ଗୁଣ’ରେ ପରିବର୍ତ୍ତନ ଘଟାଇ ‘କୋଭିଡ୍‌-୧୯’ କିଭଳି ହାହୁତାଶମୟ ପରିସ୍ଥିତି ସୃଷ୍ଟି କରିଥିଲା, ତାହା ପୃଥିବୀ ସହଜରେ ଭୁଲିପାରିବ ନାହିଁ। ଏହି କାରଣରୁ ଏହି ସଂକ୍ରମଣ ସଂକ୍ରାନ୍ତ ସଂପୂର୍ଣ୍ଣ ସୂଚନା ପ୍ରଦାନ କରିବା ସକାଶେ ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ପକ୍ଷରୁ ଚୀନକୁ ଅନୁରୋଧ କରାଯାଇଛି। ଅବଶ୍ୟ, ଏଭଳି ଅନୁରୋଧ ଚୀନକୁ କ୍ଷୁଣ୍ଣ କରିଛି, ଯାହା ତା’ର ଉତ୍ତରର ଶୈଳୀରୁ ସ୍ପଷ୍ଟ, ଯହିଁରେ ଏ ସଂକ୍ରାନ୍ତ ସ୍ବଚ୍ଛତା ନେଇ ଦାୟବଦ୍ଧ ବୋଲି ଚୀନ ଦୃଢ଼ ଭାବେ କହିଛି। କିନ୍ତୁ ପୃଥିବୀ ଭୁଲି ପାରିବ ନାହିଁ କିଭଳି ‘କୋଭିଡ୍‌-୧୯’ ସଂକ୍ରମଣ ଉପରେ ଚୀନ ସରକାରଙ୍କ ଦ୍ବାରା କମ୍ବଳ ଘୋଡ଼ାଇ ଦେବାର ଉଦ୍ୟମରୁ ଅବଲୀଳା କ୍ରମେ ଏହି ଶତାବ୍ଦୀର ସର୍ବାଧିକ ପ୍ରାଣକ୍ଷୟକାରୀ ‘ପାନ୍‌ଡେମିକ୍’ର ଆବିର୍ଭାବ ଘଟିଥିଲା। କାରଣ ସେହି ସମୟରେ ଚୀନ ସରକାର ଏହି ସଂକ୍ରମଣକୁ ଚୀନ ଭିତରେ ବ୍ୟାପିବାକୁ ନ ଦେବା ଲାଗି ଏହାର ଉତ୍ପତ୍ତି ସ୍ଥଳ ଉହାନକୁ ଅବଶିଷ୍ଟ ଚୀନରୁ ସଂପୂର୍ଣ୍ଣ ରୂପେ ବିଚ୍ଛିନ୍ନ କରି ଦେଇଥିଲେ ହେଁ ସେଠାରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଅବ୍ୟାହତ ରଖିଥିଲେ, ଯାହା ମାଧ୍ୟମରେ କୋଭିଡ୍‌ ଭୂତାଣୁ ଇଟାଲୀ ଦେଇ ସମଗ୍ର ପାଶ୍ଚାତ୍ୟ ପୃଥିବୀ ଏବଂ ଖୁବ୍‌ ଶୀଘ୍ର ସମଗ୍ର ବିଶ୍ବରେ ଆପଣା ପଦଚିହ୍ନ ସୃଷ୍ଟି କରିଥିଲା, ଅର୍ଥାତ୍‌, ଚୀନ ସରକାରଙ୍କ ଗୋଚରରେ ଅଥଚ ଅବଶିଷ୍ଟ ପୃଥିବୀର ଅଲକ୍ଷ୍ୟରେ ଏହା ଘଟି ଯାଇଥିଲା। ସେ ସମୟ‌େର ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ର ଭୂମିକା ମଧ୍ୟ ସନ୍ଦିଗ୍‌ଧ ଓ ନିନ୍ଦାର ଶରବ୍ୟ ହୋଇ ଉଠିଥିଲା, କାରଣ ଚୀନରେ କୋଭିଡ୍‌ ସଂକ୍ରମଣର ଆଦ୍ୟ ପର୍ବରେ ସ୍ଥିତି ପରଖିବା ଲାଗି ସେଠାରେ ଉପସ୍ଥିତ ହୋଇଥିବା ‘ଡବ୍‌ଲ୍ୟୁ.ଏଚ୍‌.ଓ.’ର ଏକ ବିଶେଷଜ୍ଞ ଦଳ ଚୀନ ପକ୍ଷରୁ ପ୍ରଦତ୍ତ ଅଭୟ ବାଣୀରେ ସନ୍ତୁଷ୍ଟ ହୋଇ ଅଗତ୍ୟା ଫେରି ଆସିଥିଲେ। ଏହି ଦଳର ଅଧିକ ଅନୁସନ୍ଧାନ ଓ ସତ୍ୟ ଆହରଣର ପ୍ରଚେଷ୍ଟା ପୃଥିବୀକୁ ଏହି ଭୟାବହ ‘ପାନ୍‌ଡେମିକ’ କବଳରୁ ହୁଏତ ରକ୍ଷା କରି ପାରିଥାଆନ୍ତା! ଅ‌େନକ ପାଶ୍ଚାତ୍ୟ ବିଶେଷଜ୍ଞଙ୍କ ଏହା ମଧ୍ୟ ଏକ ଧାରଣା ଯେ କମ୍ୟୁନିଷ୍ଟ ଶାସିତ ଚୀନ ଚକ୍ରାନ୍ତମୂଳକ ଭାବେ ପାନ୍‌ଡେମିକ ସୃଷ୍ଟି କରି ତାହାକୁ ଏକ ‘ଜୈବ ଅସ୍ତ୍ର’ ରୂପେ ବ୍ୟବହାର କରିବାକୁ ଚାହିଁଥାଏ। ଏଭଳି ଧାରଣା ହୁଏତ ଅମୂଳକ ହୋଇପାରେ, କିନ୍ତୁ ଚୀନର କେତେକ କୃତକର୍ମ ତାହାକୁ ଜୀବନ୍ତ କରି ରଖିଛି।
ଉଲ୍ଲେଖଯୋଗ୍ୟ ଯେ ୧୯୫୭-୫୮ ମଧ୍ୟରେ ‘ଏଚ୨ଏନ୨’ ନାମକ ଏକ ରହସ୍ୟମୟ ଭୂତାଣୁ ତୀବ୍ର ଫୁସ୍‌ଫୁସ୍‌ ସଂକ୍ରମଣ‌ ଘଟାଇ ସିଙ୍ଗାପୁର, ହଂକଂ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୨ ନିୟୁତ ଲୋକଙ୍କ ପ୍ରାଣ ନେଇଥିଲା। ପରେ ଜଣାପଡ଼ିଥିଲା ଯେ ତା’ର ଉତ୍ପତ୍ତି ସ୍ଥଳ ଥିଲା ଦକ୍ଷିଣ ଚୀନର ଗୁଇନ୍‌ଝୁ ଅଞ୍ଚଳ ଏବଂ ଉତ୍ପତ୍ତି ସମୟ ଥିଲା ୧୯୫୬ ମସିହା। କିନ୍ତୁ ସେତେବେଳକୁ ଏହି ଭୂତାଣୁଜନିତ ସଂକ୍ରମଣ ‘ଏସିଆନ ଫ୍ଲୁ’ ଭାବେ ନାମ ବହନ କରି ସାରିଥିଲା। ଉଲ୍ଲେଖ ରହୁ କି ଭୂତାଣୁର ଉତ୍ପତ୍ତି ସ୍ଥଳ ଅନୁସାରେ ସେଗୁଡ଼ିକର ନାମକରଣ କରାଯାଇଇଥାଏ। ଏହାର ପ୍ରାୟ ବାର ବର୍ଷ ପରେ ଅର୍ଥାତ୍‌ ୧୯୬୮ ମସିହାରେ ‘ହଂକଂ ଫ୍ଲୁ’ ଏକ ‘ପାନ୍‌ଡେମିକ’ର ତରଙ୍ଗ ସୃଷ୍ଟି କରି ପ୍ରାୟ ୨ ନିୟୁତ ଲୋକଙ୍କ ମୃତ୍ୟୁର କାରଣ ହେଲା। ‘ହଂକଂ ଫ୍ଲୁ’ ବୋଲି ପରିଚିତି ସତ୍ତ୍ବେ ଏହି ‘ଫ୍ଲୁ’ର ଉତ୍ପତ୍ତି ସ୍ଥଳ ମଧ୍ୟ ଥିଲା ଚୀନ; ଯାହାକୁ ସମ୍ଭବ କରିଥିବା ଭୂତାଣୁଟି ଥିଲା ପୂର୍ବୋକ୍ତ ‘ଏଚ୨ଏନ୨’ର ଏକ ଭାରିଆଣ୍ଟ ବା ପରିବର୍ତ୍ତିତ ରୂପ ‘ଏଚ୩ଏନ୨’। କହିବା ବାହୁଲ୍ୟ ଏଭଳି ନାମକରଣ ହଂକଂବାସୀଙ୍କୁ ସେତେବେଳେ କ୍ଷୁବ୍‌ଧ କରିଥିଲା। ୨୦୦୨ ମସିହାରେ ‘ସାର୍ସ କରୋନା ଭାଇରସ’ର ଆବିର୍ଭାବ ମଧ୍ୟ ଚୀନରେ ଘଟିଥିଲା, ଯାହା ୟୁ.କେ. ଓ କେତେକ ୟୁରୋପୀୟ ଦେଶକୁ ବ୍ୟାପି ଥିଲେ ହେଁ ‘ପାନ୍‌ଡେମିକ’ରେ ପରିଣତ ହୋଇ ପାରି ନ ଥିଲା; କାରଣ କାନାଡାର ଗୁଇନ୍ଦା ସଂସ୍ଥା ଦ୍ବାରା ଦୈବାତ୍‌ ପ୍ରାପ୍ତ ଏକ ସୂଚନା ଏହି ସଂକ୍ରମଣର ଆଭାସ ଦେଇ ସତର୍କ ଘଣ୍ଟି ବଜାଇ ଦେଇଥିଲା। ପ୍ରକାଶ ଥାଉ କି ସାଂଘାତିକ ଭାବେ ମାରକ ‘ସାର୍ସ କରୋନା ଭାଇରସ’ (୧୧%)ର ସଂକ୍ରମଣ ତୀବ୍ରତା ସୌଭାଗ୍ୟ କ୍ରମେ ଅପେକ୍ଷାକୃତ ଦୁର୍ବଳ ଥିବାରୁ ପୃଥିବୀ ଏକ ଚରମ ହାହାକାରମୟ ପରିସ୍ଥିତିରୁ ରକ୍ଷା ପାଇଯାଇଥିଲା। ଚୀନ, କିନ୍ତୁ, ଏହି ଭୂତାଣୁର ଉତ୍ପତ୍ତି ଓ ସଂକ୍ରମଣ ସଂପର୍କରେ ଅବଗତ ଥିଲା। ଖାଦ୍ୟାଭ୍ୟାସ କାରଣରୁ ବିଭିନ୍ନ ବନ୍ୟ ଜନ୍ତୁଙ୍କ ସହିତ ଚୀନ ଲୋକଙ୍କ ସାମୀପ୍ୟ ସେଠାରେ କରୋନା ଭାଇରସର ସଂକ୍ରମଣକୁ ସମ୍ଭବ କରିଥାଏ, କିନ୍ତୁ ବିଡ଼ମ୍ବନା ହେଲା ଭୂତାଣୁର ଉତ୍ପତ୍ତି ବିଷୟକୁ ସଫଳତାର ସହିତ ଗୋପନ ରଖି ପାରିଥିବାରୁ କୌଣସି କରୋନା ଭାଇରସ ଚୀନର କୌଣସି ସ୍ଥାନର ନାମ ବହନ କରି ନ ଥାଏ।
ଅବଶ୍ୟ, ଅନେକ କହିପାରନ୍ତି ଯେ ଇତିମଧ୍ୟରେ ଚୀନ ପୂର୍ବ ତୁଳନାରେ ଅଧିକ ମୁକ୍ତ ହୋଇଛି; ଉଦାର ଅର୍ଥନୀତି ଓ ମୁକ୍ତ ବଜାରରେ ଲବ୍‌ଧ ସାଫଲ୍ୟ ଏହାର ପ୍ରମାଣ ଯେ ଚୀନ ଆଉ ପୂର୍ବ ଭଳି ଲୌହ ପରଦାର ଅନ୍ତରାଳରେ ନାହିଁ। ସଂପ୍ରତି ଆଫ୍ରିକାରୁ ଆରମ୍ଭ କରି ଯୁକ୍ତରାଷ୍ଟ୍ର ଆମେରିକା ପର୍ଯ୍ୟନ୍ତ ସର୍ବତ୍ର ଚୀନ ଦ୍ବାରା ନିର୍ମିତ ଦ୍ରବ୍ୟ ବା ଚୀନ ଦ୍ବାରା ବିନିବିଷ୍ଟ ପୁଞ୍ଜି ମାଧ୍ୟମରେ ଚୀନର ପଦଚିହ୍ନ ସର୍ବତ୍ର ସୁସ୍ପଷ୍ଟ। ଚୀନର ବ୍ୟବସାୟୀ, ଛାତ୍ରଛାତ୍ରୀ ଓ ଗ‌େବଷକମାନେ ପୃଥିବୀର ସବୁଠାରେ କାର୍ଯ୍ୟରତ। ତେଣୁ ସାଂପ୍ରତିକ ଚୀନ ଅଧିକ ସ୍ବଚ୍ଛ। କିନ୍ତୁ ଟିକିଏ ନିରିଖେଇ ‌େଦଖିଲେ ଦିଶିଥାଏ ଯେ ପୁଞ୍ଜିବାଦ ସମର୍ଥିତ ମୁକ୍ତ ଅର୍ଥନୀତିକୁ ଅଙ୍ଗୀଭୂତ କରିବାର ପ୍ରଚେଷ୍ଟାରେ କମ୍ୟୁନିଷ୍ଟ ଚୀନ ଏକ ଦୟନୀୟ ବିଖଣ୍ଡିତ ବ୍ୟକ୍ତିତ୍ବରେ ପରିଣତ ହୋଇସାରିଲାଣି, ଯାହା ଏକ ବିକୃତି! ସେହି କାରଣରୁ ମୁକ୍ତ ଅର୍ଥନୀତିର ସୁଯୋଗ ନେଇ ଚୀନକୁ ସମୃଦ୍ଧ କରିବା ସହିତ ନିଜେ ଅତ୍ୟନ୍ତ ବିତ୍ତଶାଳୀ ହୋଇପାରିଥିବା ପୁଞ୍ଜିପତି (ଜ୍ୟାକ୍‌ ମାଙ୍କ ଭଳି)ମାନେ ସେମାନଙ୍କ ସଫଳତା ସକାଶେ ଦଣ୍ଡିତ ହେଉଛନ୍ତି, ଚୀନର ବିଜ୍ଞାନ ଓ ପ୍ରଯୁକ୍ତି ବିଜ୍ଞାନର ଛାତ୍ର ଓ ଗବେଷକମାନେ ପାଶ୍ଚାତ୍ୟ ଦେଶଗୁଡ଼ିକରେ କାର୍ଯ୍ୟ କଲା ବେଳେ ‘ବୌଦ୍ଧିକ ସଂପଦ’ ଚୋରିରେ ଲିପ୍ତ ଥିବାର ପ୍ରମାଣିତ ହୋଇ ଅପବାଦ ଏବଂ କେତେକ ସ୍ଥାନରେ ବାସନ୍ଦର ଶିକାର ହେଲେଣି; ଯାହା ସେମାନେ ଚୀନ କର୍ତ୍ତୃପକ୍ଷଙ୍କ ଚାପରେ କରିଥାଆନ୍ତି। କହିବାର ତାତ୍ପର୍ଯ୍ୟ ହେଲା ଚୀନ ହେଉଛି ଏଭଳି ଏକ ଦୁର୍ବୋଧ୍ୟ ରାଷ୍ଟ୍ର, ଯାହା ଗୋଟିଏ ପଟେ ଉତ୍କର୍ଷର ସୋପାନମାନ ଆରୋହଣ କରି ଚାଲିଥିବା ବେଳେ ଅନ୍ୟ ପଟେ ନିଜ ଆଚରଣରେ ଆତ୍ମ-ସମ୍ମାନ ହନନ କଲା ଭଳି ଅତ୍ୟନ୍ତ କ୍ଷୁଦ୍ର ଓ ସଂକୀର୍ଣ୍ଣ ଆଭିମୁଖ୍ୟର ପରିଚୟ ଦେଇଥାଏ। ପ୍ରକାଶ ଥାଉ କି ‘କୋଭିଡ୍‌-୧୯’ର ଭୟାବହତାକୁ ଯଥେଷ୍ଟ ପୂର୍ବରୁ ଉଜାଗର କରିଥିବା ଦୁଇ ଚୀନା ଗବେଷକ ଡାକ୍ତରଙ୍କ ସନ୍ଦେହଜନକ ଭାବେ ଅକାଳ ମୃତ୍ୟୁ ଘଟିଥିଲା ଏବଂ ସେମାନଙ୍କ ଗବେଷଣାର ସମସ୍ତ ତଥ୍ୟକୁ ସେମାନଙ୍କ କଂପ୍ୟୁଟରରୁ ‘ଡିଲିଟ୍‌’ କରି ଦିଆଯାଇଥିଲା। ସୁତରାଂ, ଏଭଳି ବିଷୟମାନ ସେହି ସନ୍ଦେହକୁ ଦୃଢ଼ କରିଥାଏ ଯେ ‘କୋଭିଡ୍‌-୧୯’ ପାନ୍‌ଡେମିକ ହୁଏତ ଚୀନର ଏକ ସୁପରିକଳ୍ପିତ ଚକ୍ରାନ୍ତ ଥିଲା! ସେହି କାରଣରୁ ଚୀନରେ ସୃଷ୍ଟ ଯେ କୌଣସି ସଂକ୍ରମଣ ଅବଶିଷ୍ଟ ପୃଥିବୀକୁ ଉଦ୍‌ବିଗ୍ନ କରି ପକାଏ!

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.