Breaking News

ପୁନିତଙ୍କ ମୃୃତ୍ୟୁର ଦିନକ ପୂର୍ବରୁ ଏପରି ପୋଷ୍ଟ୍‌ କରିଥିଲେ ପରିତ୍ୟକ୍ତା ପତ୍ନୀ

ଦିଲ୍ଲୀର ବେକେରି ମାଲିକ ପୁନିତ ଖୁରାନାଙ୍କ ଆତ୍ମହତ୍ୟା ମାମଲାକୁ ନେଇ ନୂଆ ନୂଆ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ତାଙ୍କ ପତ୍ନୀଙ୍କ ସହ ତାଙ୍କର ଛାଡ଼ପତ୍ର ମାମଲାରେ ବ୍ୟକ୍ତି ଜଣକ ଭାରାକ୍ରାନ୍ତ ହୋଇ ଜୀବନ ହାରିବା ପରେ ଏବେ ଲୋକଲୋଚନକୁ ଆସିଛି ପୁନିତଙ୍କ ପତ୍ନୀଙ୍କର ଏକ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌।

ନୂଆଦିଲ୍ଲୀ: ଦିଲ୍ଲୀର ବେକେରି ମାଲିକ ପୁନିତ ଖୁରାନାଙ୍କ ଆତ୍ମହତ୍ୟା ମାମଲାକୁ ନେଇ ନୂଆ ନୂଆ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ତାଙ୍କ ପତ୍ନୀଙ୍କ ସହ ତାଙ୍କର ଛାଡ଼ପତ୍ର ମାମଲାରେ ବ୍ୟକ୍ତି ଜଣକ ଭାରାକ୍ରାନ୍ତ ହୋଇ ଜୀବନ ହାରିବା ପରେ ଏବେ ଲୋକଲୋଚନକୁ ଆସିଛି ପରିତ୍ୟକ୍ତା ପତ୍ନୀଙ୍କର ଏକ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌। ଯେଉଁଥିରେ ଉଲ୍ଲେଖ କରାଯାଇଛି ‘ବିଷାକ୍ତତା ଏବଂ ନିର୍ଯାତନା’। ତେବେ ମହିଳା ଜଣକ ତାଙ୍କର ଉକ୍ତ ପୋଷ୍ଟ୍‌ରେ କାହାରି ନାମ ଉଲ୍ଲେଖ କରିନଥିଲେ ବି ଏହା ପୁନିତଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଅନୁମାନ କରାଯାଉଛି।

ଏହି ଆତ୍ମହତ୍ୟା ଘଟଣା ଘଟିବାର ଦିନକ ପୂର୍ବରୁ ସୋସିଆଲ୍‌ ମିଡିଆରେ ପୁନିତଙ୍କ ପରିତ୍ୟକ୍ତା ପତ୍ନୀ ନିଜକୁ ଦୃଢ଼ କରି ଆଗକୁ ବଢ଼ିବାକୁ ଚେଷ୍ଟା କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ସେ ଏକ ଗୁରୁତ୍ବପୂର୍ଣ୍ଣ କଥାକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ତାଙ୍କ ପୋଷ୍ଟ୍‌ରେ। ଅଭିଯୁକ୍ତା ମହିଳା ଜଣକ ଲେଖିଛନ୍ତି, ‘‘ମୁଁ ଚାହୁଁଛି ଅତ୍ୟାଚାରୀମାନେ ଦିନେ ବୁଝିପାରନ୍ତୁ ଯେ ଦୟା, ପ୍ରେମ, ଉତ୍ତମ ବୁଝାମଣା, ବିଶ୍ବାସ, ଜ୍ଞାନ, ସ୍ନେହ, ଯତ୍ନଶୀଳତା ହେଉଛି ପ୍ରକୃତ ଜିନିଷ। ଯାହାକି ସମ୍ପତ୍ତି ଏବଂ ସୁନା ଅପେକ୍ଷା ଅଧିକ ଗୁରୁତ୍ୱ ବହନ କରେ”।

ଏପଟେ ପୁନିତଙ୍କ ଜୀବନ ହାରିବା ଘଟଣା ପରେ ତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ଯେ ଛାଡ଼ପତ୍ର ପରେ ପୁନିତ ଓ ତାଙ୍କ ପତ୍ନୀଙ୍କ ନାମରେ ରହିଥିବା ବେକେରିକୁ ନେଇ ବିବାଦ ଲାଗି ରହିଥିଲା। ତାଙ୍କ ପତ୍ନୀ ତାଙ୍କୁ ନିର୍ଯାତନା ଦେଉଥିଲେ ଏବଂ ତାଙ୍କୁ ଆତ୍ମହତ୍ୟା କରିବାକୁ ମଧ୍ୟ ଉସୁକାଇଥିଲେ।

ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀର ମଡେଲ ଟାଉନ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ପୁନିତ୍‌ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ତାଙ୍କ ମୃତ୍ୟୁ ପାଇଁ ତାଙ୍କ ପତ୍ନୀ ଏବଂ ଶାଶୂ ଦାୟୀ। ସେମାନେ ପ୍ରତିଦିନ ତାଙ୍କୁ ଧମକ ଦେଉଥିଲେ।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.