Breaking News

ପୁରୀ ବିମାନବନ୍ଦର ପ୍ରକଳ୍ପ: ୧୦ ପରେ ଆସିବେ କେନ୍ଦ୍ରୀୟ ଟିମ୍‌, ପ୍ରସ୍ତାବିତ ସ୍ଥାନରେ ପରିବେଶ ଦିଗକୁ କରିବେ ଅନୁଧ୍ୟାନ

ଭୁବନେଶ୍ୱର,୦୪/୦୧: ପୁରୀରେ  ପ୍ରସ୍ତାବିତ ଆନ୍ତର୍ଜାତିକ ବିମାନବନ୍ଦର  ପ୍ରକଳ୍ପ ସ୍ଥାନର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍‌ ଶୁକ୍ରବାର (୩ ତାରିଖ) ଆସିଥାନ୍ତେ । ମାତ୍ର ଅଚାନକ ଏହି ଗସ୍ତକୁ ବାତିଲ କରି  କିଛିଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । ପ୍ରବାସୀ  ଭାରତୀୟ ଦିବସ କାର୍ଯ୍ୟକ୍ରମ ସରିବା  ପରେ ଆସିବେ କେନ୍ଦ୍ରୀୟ ଟିମ୍‌ । ଅର୍ଥାତ୍‌  ଆସନ୍ତା ୧୦ ତାରିଖ ପରେ ପରିବେଶ  ମନ୍ତ୍ରଣାଳୟର ୩ଜଣ ବିଶେଷଜ୍ଞ ଆସି ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ସ୍ଥାନ ବୁଲି  ଦେଖିବେ । ଏହି ପ୍ରକଳ୍ପ ହେଲେ ପରିବେଶ, ବନ୍ୟପ୍ରାଣୀ, ପକ୍ଷୀ ବଂଶ ଉପରେ କି  ପ୍ରଭାବ ପଡ଼ିବ, ତାହା ଅନୁଧ୍ୟାନ କରିବେ ।

ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ  ଆନ୍ତର୍ଜାତିକ ବିମାନବନ୍ଦରକୁ ଏଯାଏ କେନ୍ଦ୍ର  ପରିବେଶ ମନ୍ତ୍ରଣାଳୟର ଅନୁମୋଦନ  ମିଳିଛି । ବିଶ୍ୱସ୍ତ ସୂତ୍ର ଅନୁସାରେ କେତେକ  ଦିଗକୁ ନେଇ ପରିବେଶ ମନ୍ତ୍ରଣାଳୟ ଆପତ୍ତି  ଉଠାଇଛି । ଏହା ଉପରେ ରାଜ୍ୟ ସରକାର ବି  ତାଙ୍କ ଉତ୍ତର ରଖି ସାରିଛନ୍ତି । ପ୍ରକଳ୍ପ ନିର୍ମାଣ  ପାଇଁ ପାଣି କେଉଁ ଉତ୍ସରୁ ଆସିବ? ଏହି  ପ୍ରକଳ୍ପ ପକ୍ଷୀଙ୍କ ଚଳାଚଳକୁ ବାଧାପ୍ରାପ୍ତ କରିବ  କି ନାହିଁ? ଏଭଳି ବିଭିନ୍ନ ପ୍ରଶ୍ନ ଉପସ୍ଥାପନ  କରିଥିଲା ପରିବେଶ ମନ୍ତ୍ରଣାଳୟ । ରାଜ୍ୟ  ସରକାରଙ୍କ ରଖିଥିବା ଉତ୍ତରକୁ ତର୍ଜମା କରିବା  ପାଇଁ ମନ୍ତ୍ରଣାଳୟର ଏକ ଟିମ୍‌ ଓଡ଼ିଶା ଆସିବେ ।  ଏହି ଟିମ୍‌ ଆଜି ଆସି ପହଞ୍ଚିବାର ଥିଲା । ମାତ୍ର  ରାଜ୍ୟ ଓ କେନ୍ଦ୍ର ସରକାର ବର୍ତ୍ତମାନ ପ୍ରବାସୀ  ଭାରତୀୟ ଦିବସ ଆୟୋଜନରେ ବ୍ୟସ୍ତ  ଥିବାରୁ ଏହାକୁ ବର୍ତ୍ତମାନ ସାମୟିକ ଭାବେ  ଘୁଞ୍ଚାଇ ଦିଆଯାଇଛି । ଏହି ଟିମ୍‌ର ଅନୁଧ୍ୟାନ  ରିପୋର୍ଟ ଉପରେ ପ୍ରକଳ୍ପର ଭବିଷ୍ୟତ ନିର୍ଭର  କରୁଛି । ତଥାପି ରାଜ୍ୟ ସରକାର ପ୍ରକଳ୍ପ ନେଇ  ବେଶ୍‌ ଆଶାବାଦୀ ଅଛନ୍ତି । ୧୦ ତାରିଖ ପରେ  ଏହି ଟିମ୍‌ ୩ ଦିନିଆ ଗସ୍ତରେ ଆସିବେ ।

ଅନ୍ୟପଟେ ପୁରୀରେ ପ୍ରସ୍ତାବିତ  ବିମାନବନ୍ଦର ଟେଣ୍ଡର ବାତିଲ ହେବା ପରେ  ଏହାକୁ ନେଇ ସରକାର ଖୁବଶୀଘ୍ର କିଛି ବଡ଼  ନିଷ୍ପତ୍ତି ନେବେ। ଗତକାଲି ଏହାକୁ ନେଇ ଏକ  ଉଚ୍ଚସ୍ତରୀୟ ବୈଠକ ହେବାର ଥିଲା । ମାତ୍ର  ପ୍ରବାସୀ ଭାରତୀୟ ଦିବସ ପାଇଁ ଏହି ବୈଠକ  ବି ୧୦ ତାରିଖ ପରେ ହେବ । ପୁରୀରେ  ବିମାନବନ୍ଦର ନିର୍ମାଣ ପାଇଁ ୨୨୦୩ କୋଟି  ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ପିପିପି  ମୋଡ୍‌ରେ ଏହି ବିମାନବନ୍ଦର ନିର୍ମାଣ ଓ  ରକ୍ଷଣାବେକ୍ଷଣ କରିବାକୁ ପ୍ରଥମେ ଯୋଜନା  ହୋଇଥିଲା । ମାତ୍ର ଗତ ଅଗଷ୍ଟ ମାସରେ  ହୋଇଥିବା ଟେଣ୍ଡର ପାଇଁ କେହି ଆବେଦନ  କଲେନି ।

ସୂତ୍ରରୁ ଜଣାପଡ଼ିଛି, ପରିବହନ  ବିଭାଗ ବିଭିନ୍ନ ଦିଗକୁ ନେଇ ବିଚାର  ବିମର୍ଶ ଚଳାଇଛି । ପ୍ରଥମତଃ ଭାରତୀୟ  ବିମାନବନ୍ଦର ପ୍ରାଧିକରଣ (ଏଏଆଇ)କୁ  ବିମାନବନ୍ଦରର ନିର୍ମାଣ ଓ ରକ୍ଷଣାବେକ୍ଷଣ  ଦାୟିତ୍ୱ ଦେବାକୁ ଅନୁରୋଧ କରିପାରନ୍ତି ସରକାର । ଯଦି ଏଭଳି ନ ହୁଏ, ତେବେ  ଘରୋଇ ସଂସ୍ଥା ପାଇଁ ଟେଣ୍ଡରରେ ଆଉ  କିଛି ପ୍ରୋତ୍ସାହନକାରୀ ସର୍ତ୍ତାବଳୀ ଅନ୍ତର୍ଭୁକ୍ତ  କରାଯିବ । ମାତ୍ର କିଛି ଚୂଡ଼ାନ୍ତ ହୋଇନାହିଁ ।  ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଜାନୁଆରୀ ୧୦  ପରେ ବଡ଼ ବୈଠକ ହେବ । ତା’ପରେ ଚୂଡ଼ାନ୍ତ  ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ  ଆଉ ଏକ ବୈଠକ ହୋଇପାରେ ।

ପୁରୀ ସିପସରୁବାଲି ନିକଟରେ ପ୍ରସ୍ତାବିତ  ବିମାନବନ୍ଦର ପାଇଁ ରାଜ୍ୟ ସରକାର ପ୍ରଥମ  ପର୍ଯ୍ୟାୟରେ ୧୧୬୪ ଏକର ଜମି ଚିହ୍ନଟ  କରିଛନ୍ତି। ମଲ୍ଟି ମୋଡାଲ ହବ୍‌ ପାଇଁ ଆଉ ୧୦୦  ଏକର ଜମି ଚିହ୍ନଟ ହୋଇଛି । ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି । ଏବେ ସୁଦ୍ଧା ପ୍ରାୟ ୯ଶହ ଏକର ଜମି ଅଧିଗ୍ରହଣ ସରିଲାଣି

 

 

 

 

 

ସୌଜନ୍ୟ-ପ୍ରମେୟ

 

Comments are closed.