Breaking News

ପୁଲିସକୁ ସିନ୍ଧିଚୋରଙ୍କ ଚ୍ୟାଲେଞ୍ଜ୍‌: ପୁଣି ୩ ଫ୍ଲାଟ୍‌ରେ କଳାକନା

ରାଜଧାନୀରେ ସିନ୍ଧିଚୋରଙ୍କ ପ୍ରାଦୁର୍ଭାବ ଥମିବା ନାଁ ନେଉନାହିଁ। କମିସନରେଟ୍‌ ପୁଲିସକୁ ଚ୍ୟାଲେଞ୍ଜ୍‌ ଦେବା ଭଳି ଗୋଟିଏ ଗୋଟିଏ ସିନ୍ଧିଚୋରି କରୁଛନ୍ତି ଦୁର୍ବୃତ୍ତ। ବେଧଡ଼କ ଲୁଟ୍‌ତରାଜ କରୁଛନ୍ତି।

ବାଲିଅନ୍ତା: ରାଜଧାନୀରେ ସିନ୍ଧିଚୋରଙ୍କ ପ୍ରାଦୁର୍ଭାବ ଥମିବା ନାଁ ନେଉନାହିଁ। କମିସନରେଟ୍‌ ପୁଲିସକୁ ଚ୍ୟାଲେଞ୍ଜ୍‌ ଦେବା ଭଳି ଗୋଟିଏ ଗୋଟିଏ ସିନ୍ଧିଚୋରି କରୁଛନ୍ତି ଦୁର୍ବୃତ୍ତ। ବେଧଡ଼କ ଲୁଟ୍‌ତରାଜ କରୁଛନ୍ତି। କମିସନରେଟ୍‌ ପୁଲିସ ଭିଭିଆଇପି ସୁରକ୍ଷାରେ ସହରକୁ ଜଗିଥିବା ବେଳେ ଦୁର୍ବୃତ୍ତମାନେ ଉପକଣ୍ଠରେ ଘର ତାଡ଼ିବାରେ ମାତିଛନ୍ତି। ଲଗାତାର ଘଟୁଥିବା ଘଟଣାରୁ ଲାଗୁଛି ଯେମିତି ରାଜଧାନୀବାସୀଙ୍କୁ ଆଉ ସିନ୍ଧିଚୋରଙ୍କ କବଳରୁ ନିସ୍ତାର ନାହିଁ।

ଗତ ୩୦ ତାରିଖ ରାତିରେ ରାଜଧାନୀ ଉପକଣ୍ଠ ପୁବାଶାସନସ୍ଥିତ ଏକ ଆପାର୍ଟମେଣ୍ଟର ଚାରିଟି ଫ୍ଲାଟ୍‌ରେ ଦୁର୍ବୃତ୍ତମାନେ କଳାକନା ବୁଲାଇଥିଲେ। ଗତକାଲି ରାତିରେ ପୁଣି ଅନୁରୂପ ଢଙ୍ଗରେ ସିନ୍ଧିଚୋରି ହୋଇଛି। ବାଲିଅନ୍ତା ରଙ୍ଗବଜାର ଅଞ୍ଚଳସ୍ଥ ୨ଟି ଆପାର୍ଟମେଣ୍ଟର ୩ଟି ଫ୍ଲାଟ୍‌ରୁ ବିପୁଳ ଗହଣାଗାଣ୍ଠି ଓ ଟଙ୍କା ପଇସା ଚୋରି ହୋଇଛି। ଏହି ଘଟଣାରେ ପୁଲିସ ୪ସନ୍ଦିଗ୍ଧଙ୍କୁ ଠାବ କରିଥିବା ସୂଚନା ମିଳିଛି। ପୁଲିସ ସ୍ପଷ୍ଟ କରି ନଥିଲେ ହେଁ ଅଟକ ଚାରି ଦୁର୍ବୃତ୍ତ ହିଁ ଉପକଣ୍ଠରେ ମାତିଥିବା ସିନ୍ଧିଚୋର ରୢାକେଟ୍‌ ବୋଲି କୁହାଯାଉଛି।

ଗତକାଲି ରାତିରେ ରଙ୍ଗବଜାର ନିକଟସ୍ଥ ଶ୍ରେୟା ଏସ୍‌ଜି ହାଇଟ୍‌ସ ଓ ତନ୍ମୟ ଗ୍ରିନ୍‌ ଆପାର୍ଟମେଣ୍ଟରୁ ସିନ୍ଧିଚୋରି ହୋଇଛି। ଶ୍ରେୟା ହାଇଟ୍‌ସସ୍ଥିତ ଫ୍ଲାଟ୍‌ ନମ୍ବର ୨୦୧ରେ ରହୁଥିବା ବ୍ୟବସାୟୀ ତାପସ ଦାଶଙ୍କ ଗ୍ରିଲ୍‌ ଓ କବାଟର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଘରେ ପଶିଥିଲେ। ଦୁର୍ବୃତ୍ତମାନେ ଆପାର୍ଟମେଣ୍ଟର ପାଚେରି ଡେଇଁ ଭିତରକୁ ପଶିବା ପରେ ଶାବଳରେ ତାଲା ତାଡ଼ିଥିଲେ। ତାପସଙ୍କ ସୂଚନାନୁସାରେ ସେ ଗତକାଲି ସପରିବାର ବନ୍ଧୁଘରକୁ ବୁଲିଯାଇଥିଲେ। ଏହି ମଉକାରେ ଦୁର୍ବୃତ୍ତମାନେ ତାଙ୍କ ଘରେ କଳାକନା ବୁଲାଇଦେଇଥିଲେ। ତାଙ୍କ ଘରୁ ପାଖାପାଖି ୧୪ ଭରି ଅର୍ଥାତ୍ ୧୪୦ ଗ୍ରାମ୍‌ ଓଜନର ସୁନା ଗହଣା ଭିତରେ ଗୋଟିଏ ମଙ୍ଗଳୂସୂତ୍ର, ୨ଟି ଚେନ୍‌, ୪ହଳ ସୁନା ଚୂଡ଼ି, ୬ହଳ କାନଫୁଲ ଓ ପେଣ୍ଡି ଓ ୧୨ଟି ମୁଦି ଚୋରି ହୋଇଛି। ସେହିପରି ଏହି ଆପାର୍ଟମେଣ୍ଟର ୨୦୬ ନମ୍ବର ଫ୍ଲାଟ୍‌ରେ ରହୁଥିବା ବାଲିପାଟଣା ବେଙ୍ଗବତୀ ଅଞ୍ଚଳର ସେକ୍‌ ଅବ୍‌ଦୁଲ୍‌ ଜଲିଲ୍‌ଙ୍କ ଘରୁ ନଗଦ ୧୫ ହଜାର ଟଙ୍କା, କିଛି ନୂଆ ପୋଷାକ ଓ ହାତଘଣ୍ଟା ଚୋରି ହୋଇଛି।

ସେ ଗତକାଲି ରାତିରେ ନିଜ ଗାଁକୁ ଯାଇଥିବାରୁ ଘରେ କେହି ନଥିଲେ। ତନ୍ମୟ ଗ୍ରିନ୍‌ ଆପାର୍ଟମେଣ୍ଟର ଡି-୪ ଡୁପ୍ଲେକ୍ସରୁ ଚୋରି ହୋଇଛି। ଲୁଟ୍‌ର ଶିକାର ବ୍ୟକ୍ତି ଭୁବନେଶ୍ବର ବାହାରେ ରହୁଥିବାରୁ ତାଙ୍କ ପରିଚୟ ମିଳିପାରିନାହିଁ। ସେହିଭଳି ତାଙ୍କର କ’ଣ ସବୁ ଚୋରି ହୋଇଛି, ତାହା ମଧ୍ୟ ଜଣାପଡ଼ିନାହିଁ। କିନ୍ତୁ ପଡ଼ୋଶୀମାନେ ପୁଲିସକୁ ଜଣାଇଛନ୍ତି। ଆଜି ସକାଳୁ ପୁଲିସ ଟିମ୍‌ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳକୁ ଆସି ଛାନ୍‌ଭିନ୍‌ କରିଛି। ସିସିଟିଭି ଫୁଟେଜ୍ ଆଧାରରେ ୪ଜଣଙ୍କୁ ଚିହ୍ନଟ କରାଯିବା ପରେ ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନାଯୋଗ୍ୟ ଯେ ଗତ ୩୦ ତାରିଖ ରାତିରେ ଉତ୍ତରାଛକ ନିକଟ ପୁବାଶାସନସ୍ଥିତ ବିଶାଲ ଗାର୍ଡେନ୍‌ ଆପାର୍ଟମେଣ୍ଟର ୪ ଫ୍ଲାଟ୍‌ରୁ ବିପୁଳ ଗହଣା ଓ ଟଙ୍କା ଲୁଟ୍‌ ହୋଇଥିଲା। ଏହି ମାମଲାରେ ପୁଲିସ ହାତ ଖାଲି।
ସୌଜନ୍ୟ-ସମ୍ୱାଦ

Comments are closed.