Breaking News

ପୁଲିସର ଚିନ୍ତା ବଢ଼ାଇଲା ଜବତ ମଇଁଷି ପଲ

୧୦ ଦିନ ତଳେ ଏକକାଳୀନ ୧୮୨ଟି ମଇଁଷିଙ୍କୁ ଚାଲାଣକାରୀଙ୍କ କବଳରୁ ଉଦ୍ଧାର କରି ପ୍ରଶଂସା ସାଉଁଟିଥିଲା ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ପୁଲିସ। ହେଲେ ସେହି ଉଦ୍ଧାର ମଇଁଷି ଏବେ ପୁଲିସ ପାଇଁ ମୁଣ୍ଡବିନ୍ଧା ପାଲଟିଛି।

ଚିତ୍ରଡ଼ା: ୧୦ ଦିନ ତଳେ ଏକକାଳୀନ ୧୮୨ଟି ମଇଁଷିଙ୍କୁ ଚାଲାଣକାରୀଙ୍କ କବଳରୁ ଉଦ୍ଧାର କରି ପ୍ରଶଂସା ସାଉଁଟିଥିଲା ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ପୁଲିସ। ହେଲେ ସେହି ଉଦ୍ଧାର ମଇଁଷି ଏବେ ପୁଲିସ ପାଇଁ ମୁଣ୍ଡବିନ୍ଧା ପାଲଟିଛି। କାରଣ ଏକକାଳୀନ ଏତେ ସଂଖ୍ୟକ ମଇଁଷିଙ୍କୁ ରଖିବା ପାଇଁ ସ୍ଥାନ ନାହିଁ। ଫଳରେ ୧୦ ଦିନ ହେଲା ଥାନା ପରିସର ପାଲଟିଛି ମଇଁଷିଶାଳା।

ସୂଚନାଯୋଗ୍ୟ; ଗତ ୧୦ ତାରିଖ ଦିନ ଭଦ୍ରକରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ୧୮୨ ମଇଁଷି ଉଦ୍ଧାର କରିଥିଲା ସ୍ଥାନୀୟ ପୁଲିସ। ସେଥିରୁ ୧୦୧ଟି ମଇଁଷିଙ୍କୁ ପାଞ୍ଚଟି ପର୍ଯ୍ୟାୟରେ ଝାଡ଼ଖଣ୍ଡ ରାଜ୍ୟର ଚାକୁଳିଆସ୍ଥିତ ଗୋଶାଳାକୁ ସ୍ଥାନାନ୍ତର କରାଯାଇଛି। ଗୋଟିଏ ମଇଁଷିର ମୃତ୍ୟୁ ଘଟିଥିବା ବେଳେ ଆଉ ୮୦ ମଇଁଷି ଏବେ ବି ଥାନା ପରିସରରେ ରହିଛନ୍ତି। ୧୦ ଦିନ ହେଲା ସେମାନଙ୍କ ଖାଇବା, ପିଇବା ବନ୍ଦୋବସ୍ତ କରିବାକୁ ନାକେଦମ ହେଲାଣି ପୁଲିସ। ସେହିପରି ମଇଁଷିଙ୍କ ମଳମୂତ୍ର ଯୋଗୁ ଥାନା ପରିସର ଦୁର୍ଗନ୍ଧରେ ଫାଟିପଡ଼ୁଛି।  ପୁଲିସ ପାଇଁ ସବୁଠୁ ବଡ଼ଚିନ୍ତା ହେଉଛି ମଇଁଷିଙ୍କୁ ଗାଧୋଇ ଦେବା।

ଏବେ ପ୍ରବଳ ଖରା ହେଉଥିବା ବେଳେ ମଇଁଷିମାନେ ଗରମ ସହି ପାରନ୍ତିନି। ସେମାନେ ଘଣ୍ଟା ଘଣ୍ଟା ଧରି ପାଣିରେ ରହନ୍ତି। ଏଥିପାଇଁ ଥାନା କର୍ମଚାରୀମାନେ ମଇଁଷି ଗୋଠକୁ ମୋରଡ଼ା ବଜାର ଦେଇ ନିକଟସ୍ଥ ଏକ ଜଳାଶୟକୁ ନେଉଛନ୍ତି। ସେଠାରେ ସେମାନଙ୍କୁ ଗାଧୋଇବା ପରେ ପୁଣି ଥାନା ପରିସରକୁ ଆଣୁଛନ୍ତି। ୨ ଜଣ ଗୃହରକ୍ଷୀ ଏ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏ ସମ୍ପର୍କରେ ଥାନା ଅଧିକାରୀ ସୁମିତ ସୋରେନଙ୍କ କହିବା କଥା, ୫ଟି ପର୍ଯ୍ୟାୟରେ ଶହେରୁ ଅଧିକ ମଇଁଷିଙ୍କୁ ଚାକୁଳିଆ ପଠା ସରିଛି। ଖୁବ୍‌ଶୀଘ୍ର ବାକି ସମସ୍ତ ମଇଁଷିଙ୍କୁ ଚାକୁକିଆ ନେବାର ବ୍ୟବସ୍ଥା କରାଯାଉଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.