Breaking News

ପୂର୍ବତଟ ରେଳପଥରେ ସାଧାରଣତନ୍ତ୍ର ଦିବସ: ଚଳିତ ଆର୍ଥିକବର୍ଷରେ ଚାଲିଲାଣି ୧,୭୮୧ ସ୍ବତନ୍ତ୍ର ଟ୍ରେନ୍‌

ପୂର୍ବତଟ ରେଳପଥ ପକ୍ଷରୁ ରେଳବାଇ ଷ୍ଟାଡିୟମଠାରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲ୍‌ କହିଲେ ଚଳିତ ଆର୍ଥିକବର୍ଷରେ ରେଳ କାର୍ଯ୍ୟ...

ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ରେଳବାଇ ଷ୍ଟାଡିୟମଠାରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲ୍‌ କହିଲେ ଚଳିତ ଆର୍ଥିକବର୍ଷରେ ରେଳ କାର୍ଯ୍ୟ, ଭିତ୍ତିଭୂମି ବିକାଶ ଓ ଯାତ୍ରୀ ସେବାରେ ପୂର୍ବତଟ ରେଳପଥ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୨୦୦ ନିୟୁତ ଟନ୍‌ରୁ ଅଧିକ ପଣ୍ୟ ବୋଝେଇ କରିଛି, ଯାହାକି ସମସ୍ତ ରେଳ ଜୋନ୍ ମଧ୍ୟରେ ସର୍ବାଧିକ। ଯାତ୍ରୀଙ୍କ କଲ୍ୟାଣ ଓ ନିରାପତ୍ତାକୁ ସବୁବେଳେ ପ୍ରାଥମିକତା ଦିଆଯାଉଛି। ଚଳିତ ଆର୍ଥିକ ବର୍ଷରେ ୧୨ଟି କୁମ୍ଭମେଳା ବିଶେଷ ଟ୍ରେନ୍‌ ସମେତ ୧,୭୮୧ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ହୋଇଛି। ଏଥିସହ ଯାତ୍ରୀ ଭିଡ଼ ଋତୁକାଳୀନ ଚାହିଦା ପୂରଣ କରିବାକୁ ନିୟମିତ ଟ୍ରେନରେ ୪,୫୪୫ କୋଚ୍ ସଂଯୋଗ, ଆରାମଦାୟକ ଯାତ୍ରା ଏବଂ ନିରାପତ୍ତାକୁ ଉନ୍ନତ କରି ଆଧୁନିକ ଏଲ୍‌ଏଚ୍‌ବି ରେକ୍ ସହିତ ୬ ଯୋଡ଼ା ଟ୍ରେନ୍ ପ୍ରଚଳନ କରାଯାଇଛି। ରଥଯାତ୍ରା ସମୟରେ ଖୋର୍ଦ୍ଧାରୋଡ୍ ଡିଭିଜନରୁ ୩୨୧ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଇ ପ୍ରାୟ ୧୫ ଲକ୍ଷ ଭକ୍ତଙ୍କୁ ସେବା ଯୋଗ‌ାଇ ଦିଆଯାଇଛି।

ଭିତ୍ତିଭୂମି ବିକାଶରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ଚଳିତ ଆର୍ଥିକ ବର୍ଷରେ ୨୭୬ କିମି ନୂଆ ରେଳ ଲାଇନ୍‌, ଦୋହରୀକରଣ ଓ ମଲ୍ଟି ଟ୍ରାକିଂ କାର୍ଯ୍ୟ ସରିଛି। ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ନୂତନ ରେଳ ଲାଇନ୍‌ ସହ ବିଦ୍ୟୁତୀକରଣ, ଟନେଲ୍‌ କାର୍ଯ୍ୟ ହୋଇଛି। ବରଗଡ଼ ରୋଡ୍-ନୂଆପଡା ରୋଡ୍ ନୂତନ ଲାଇନ୍‌, ସଡ଼କ ଓଭରବ୍ରିଜ୍ ନିର୍ମାଣ, ନୂତନ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ପ୍ରଣାଳୀର କାର୍ଯ୍ୟକ୍ଷମ, ହଟ୍ ଆକ୍ସଲ୍ ବକ୍ସ ଡିଟେକ୍ଟର ସ୍ଥାପନ, ଏକ ଫୁଲ୍ ସ୍କେଲ୍ ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଶେଷ କରାଯାଇଛି। ପୂର୍ବତଟ ରେଳପଥ ୧୭୦ଟି ରୋଡ୍ ଓଭରବ୍ରିଜ୍ ନିର୍ମାଣ ଘୋଷଣା କରିଛି, ଯେଉଁଥିରୁ ୫ଟି ଆରଓବି, ୩ଟି ଏଫ୍‌ଓବି ଶେଷ ହୋଇଛି। ଏଥିସହ ୧୮ଟି ମାନବ ସ୍ତରୀୟ ଲେଭଲ କ୍ରସିଂକୁ ହଟାଯିବା ସହ ୨୦ଟି ଉପମାର୍ଗ ଓ ୭୫ ରେଲୱେ ଅଣ୍ଡରବ୍ରିଜ୍ କାର୍ଯ୍ୟକ୍ଷମ କରାଯାଇଛି। ରେଳ ନବୀକରଣ ମାଧ୍ୟମରେ ୨୨୫ କିମି ଓ ସ୍ଲିପର ନବୀକରଣରେ ୩୫୧ କିମି କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି। ରେଳ କର୍ମଚାରୀଙ୍କ ଅଦମ୍ୟ ନିଷ୍ଠା, କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ପାଇଁ ଏହା ସମ୍ଭବପର ହୋଇଥିବା ଶ୍ରୀ ଫୁଙ୍କୱାଲ୍‌ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରାଙ୍କ ସମେତ ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ ଅଧିକାରୀ ଓ କର୍ମଚାରୀ, ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ(ଇକୋରୋ) ସଭାପତି କବିତା ଫୁଙ୍କୱାଲଙ୍କ ନେତୃତ୍ୱରେ ସଂଗଠନର ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.