ସମ୍ବଲପୁର: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ପୂର୍ବତନ ବିଧାୟିକା ଡ. ରାସେଶ୍ଵରୀ ପାଣିଗ୍ରାହୀଙ୍କ ପରଲୋକ। ୭୯ ବର୍ଷ ବୟସରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଆଜି ରାତି ୮ଟା ୫୦ ମିନିଟରେ ତାଙ୍କର ଦେହାନ୍ତ ଘଟିଛି। ତାଙ୍କ ବିୟୋଗରେ ସମ୍ବଲପୁରରେ ଶୋକର ମାହୋଲ ଖେଳି ଯାଇଛି।ବୁର୍ଲା ଭିମସାରର ପ୍ରଫେସର ଥିଲେ ରାସେଶ୍ଵରୀ। ସମ୍ବଲପୁରର ଥିଲେ ସେ ଲୋକପ୍ରିୟ ନେତ୍ରୀ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ବ୍ୟକ୍ତ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ଲେଖି ବରିଷ୍ଠ ନେତ୍ରୀ, ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି । ଓଁ ଶାନ୍ତି।
ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ପଶ୍ଚିମ ଓଡ଼ିଶାର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ। ଜଣେ ଦକ୍ଷ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ବୁର୍ଲା ଭିମସାର (VIMSAR) ଏବଂ ସମ୍ବଲପୁରରେ ସେ ଦଶନ୍ଧି ଦଶନ୍ଧି ଧରି ଲୋକଙ୍କ ସେବା କରିଆସିଛନ୍ତି। ସେ ଭିଏସଏସ ମେଡିକାଲ କଲେଜରେ ଏମବିବିଏସ କରିଥିଲେ। ସେ ୨୦୧୪ରେ ବିଜୁ ଜନତା ଦଳରେ ସାମିଲ୍ ହୋଇ ରାଜନୀତିରେ ପାଦ ଦେଇଥିଲେ। ତାଙ୍କ ଭାଇ ଶ୍ରୀ ବଲ୍ଲଭ ପାଣିଗ୍ରାହୀ ଭାରତୀୟ ଜାତୀୟ କଂଗ୍ରେସର ଜଣେ ବରିଷ୍ଠ ନେତା । ମାତ୍ର ରାସେଶ୍ଵରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ପ୍ରତିଷ୍ଠାତା, ନବୀନ ପଟ୍ଟନାୟକଙ୍କର ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।
ସେ ୨୦୧୪ ଓଡ଼ିଶା ସାଧାରଣ ନିର୍ବାଚନରେ ବିଜେଡି ଟିକେଟରେ ସମ୍ବଲପୁର ଆସନରୁ ନିର୍ବାଚନ ଲଢିଥିଲେ। ଏହି ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ଲଗାତାର ତିନିଥର ବିଧାୟକ ଭାବରେ ନିର୍ବାଚିତ ବିଜେପିର ତୁଙ୍ଗ ନେତା ଜୟ ନାରାୟଣ ମିଶ୍ରଙ୍କୁ ହରାଇଥିଲେ। ୨୦୧୯ ନିର୍ବାଚନରେ ସେ ପରାଜିତ ହୋଇଥିଲେ। ଏହା ପରେ ୨୦୨୪ରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ।
ତାଙ୍କ ବିୟୋେଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ବ୍ୟକ୍ତ କରିଛନ୍ତି। ସେ ଏକ୍ସରେ ପାେଷ୍ଟ କରି ଲେଖିଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା, ସମାଜସେବୀ ତଥା ବରିଷ୍ଠ ଚିକିତ୍ସକ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଡାକ୍ତର ପାଣିଗ୍ରାହୀ କେବଳ ଜଣେ ଜନପ୍ରତିନିଧି ନଥିଲେ, ବରଂ ଜଣେ ସେବାଭିମୁଖୀ ବ୍ୟକ୍ତିତ୍ୱ ଭାବେ ସମ୍ବଲପୁରର ଘରେ ଘରେ ସୁପରିଚିତ ଥିଲେ । ଜଣେ ଦକ୍ଷ ଡାକ୍ତର ଭାବେ ଦୀର୍ଘ ବର୍ଷ ଧରି ସାଧାରଣ ଲୋକଙ୍କ ସେବା କରି ଆସିଥିଲେ ।
ସମ୍ବଲପୁର ବିଧାୟିକା ଭାବେ ସେ ଅଞ୍ଚଳର ବିକାଶ ପାଇଁ ସର୍ବଦା ଚେଷ୍ଟା କରୁଥିଲେ । ଶିକ୍ଷା ଏବଂ ନାରୀ ସଶକ୍ତିକରଣ କ୍ଷେତ୍ରରେ ତାଙ୍କର କାର୍ଯ୍ୟ ଚିର ସ୍ମରଣୀୟ ହୋଇ ରହିବ । ତାଙ୍କର ବିୟୋଗ ଓଡ଼ିଶାର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।
ସୌଜନ୍ୟ Prameya News7
