Breaking News

ପେଟ୍ରୋଲ୍‌ ଲିଟରରେ ୧୫ ଟଙ୍କା ଲାଭ: କମ୍ପାନି ମାଲାମାଲ୍‌, ଗ୍ରାହକ ନିରାଶ

ଯେତେ ଅନୁକୂଳ ସ୍ଥିତି ହେଲେ ମଧ୍ୟ ତେଲ ଦର କମାଇବାକୁ ଚାହୁନାହାନ୍ତି କମ୍ପାନି। ସରକାର ବି ଚାପ ପକାଉନାହାନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଶସ୍ତା ହେବା ପରେ ତେଲ କମ୍ପାନିଗୁଡ଼ିକ ଏବେ ପେଟ୍ରୋଲ୍‌ ଲିଟର ପିଛା ୧୫ ଟଙ୍କାର ଲାଭ କରୁଛନ୍ତି।

ନୂଆଦିଲ୍ଲୀ: ଯେତେ ଅନୁକୂଳ ସ୍ଥିତି ହେଲେ ମଧ୍ୟ ତେଲ ଦର କମାଇବାକୁ ଚାହୁନାହାନ୍ତି କମ୍ପାନି। ସରକାର ବି ଚାପ ପକାଉନାହାନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଶସ୍ତା ହେବା ପରେ ତେଲ କମ୍ପାନିଗୁଡ଼ିକ ଏବେ ପେଟ୍ରୋଲ୍‌ ଲିଟର ପିଛା ୧୫ ଟଙ୍କାର ଲାଭ କରୁଛନ୍ତି। କିନ୍ତୁ ତାହାର ଲାଭ ଗ୍ରାହକଙ୍କ ନିକଟରେ ପହଞ୍ଚୁନାହିଁ। ଦୀର୍ଘଦିନ ଧରି ଗୋଟିଏ ଦାମ୍‌ରେ ପେଟ୍ରୋଲ୍ ଓ ଡିଜେଲ୍ ଦର ସ୍ଥିର ହୋଇଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆରମ୍ଭ କରିଥିବା ବାଣିଜ୍ୟ ଯୁଦ୍ଧ ପ୍ରଭାବରେ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦାମ୍ ୬୫ ଡଲାର ପାଖାପାଖି ହ୍ରାସ ପାଇଛି। ସେଥିପାଇଁ ତେଲ ଦର କମ୍ ହେବାର ସୁଯୋଗ ସୃଷ୍ଟି ହୋଇଛି। ଅଶୋଧିତ ତେଲ ଦରରେ ହୋଇଥିବା ହ୍ରାସ ପ୍ରଭାବରେ ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ୍ ଲିଟର ପିଛା ୧୨-୧୫ ଟଙ୍କା ଏବଂ ଡିଜେଲ୍‌ରେ ୬ ଟଙ୍କା ୧୨ ପଇସାର ଲାଭ କରୁଛନ୍ତି। କିଛି ଦିନ ପୂର୍ବେ ପେଟ୍ରୋଲ ଓ ଡିଜେଲ୍ ଦାମ୍ କମିବାର ସମ୍ଭାବନା ଦେଖାଦେଇଥିଲା। କିନ୍ତୁ ସରକାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ୨ ଟଙ୍କା ବଢ଼ାଇ ଦେବା ପରେ ତାହା ମଧ୍ୟ ଦୂର ହୋଇଛି। ତେଣୁ ନିକଟ ଭବିଷ୍ୟତରେ ତେଲ ଦର କମିବାର ଆଉ କୌଣସି ସମ୍ଭାବନା ନାହିଁ ବୋଲି ବିଶେଷଜ୍ଞ ମତ ରଖୁଛନ୍ତି। ଗତ ତିନି ମାସ ଭିତରେ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦର ୬୫-୭୫ ଡଲାର ମଧ୍ୟରେ ରହିଛି। ଅର୍ଥାତ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଲିଟର ପିଛା ୪ ଟଙ୍କା ଓ ଡିଜେଲ୍‌ରେ ୩ ଟଙ୍କା ହ୍ରାସ କରିବା ସ୍ଥିତିରେ ଅଛନ୍ତି।

ଗତ ୫ ବର୍ଷ ମଧ୍ୟରେ ଦେଶର ସାତଟି ବଡ଼ ତେଲ କମ୍ପାନି ବିପୁଳ ଲାଭ କରିଛନ୍ତି। ପ୍ରତିବର୍ଷ ସେମାନେ ଲାଭ କରୁଛନ୍ତି। ପେଟ୍ରୋଲିୟମ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ, ପେ‌ଟ୍ରୋଲ୍ ଓ ଡିଜେଲ୍‌ରୁ କେନ୍ଦ୍ର ଏବଂ ରାଜ୍ୟ ସରକାର ୫ ବର୍ଷରେ ୩୫ ଲକ୍ଷ କୋଟି ଟଙ୍କାର ଟିକସ ସଂଗ୍ରହ କରିଛନ୍ତି। କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଲଗାଇ କେନ୍ଦ୍ର ସରକାର ୨୧.୪ ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତି। ରାଜ୍ୟଗୁଡ଼ିକ ମିଳିତ ଭାବେ ୧୩.୬ ଲକ୍ଷ କୋଟି ଟଙ୍କାର ରୋଜଗାର କରିଛନ୍ତି। ୨୦୨୩-୨୪ରେ ୭ଟି ବଡ଼ ତୈଳ କମ୍ପାନିର ମୋଟ ଲାଭ ୨.୨୯ ଲକ୍ଷ କୋଟି ଟଙ୍କା ଥିଲା। ଘରୋଇ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗତ ୫ ବର୍ଷରେ ସର୍ବାଧିକ ୨.୮୬ ଲକ୍ଷ କୋଟି ଟଙ୍କାର ଲାଭ କରିଛି। ଲାଭ କରିବାରେ ଓଏନ୍‌ଜିସି ଦ୍ବିତୀୟ ସ୍ଥାନରେ ରହିଛି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.