Breaking News

ପେଟ୍ରୋଲ, ଡିଜେଲ ଉତ୍ପାଦ ଶୁଳ୍କ ୨ ଟଙ୍କା ବଢ଼ିଲା; ବଢ଼ିବନି ଦର

କେନ୍ଦ୍ର ସରକାର ଆଜି ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୨ ଟଙ୍କା ଲେଖାଏଁ ବୃଦ୍ଧି ଘୋଷଣା କରିଛନ୍ତି। ଏହି ବୃଦ୍ଧି ପରେ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୧୩ ଟଙ୍କାରେ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୧୦ ଟଙ୍କାରେ ପହଞ୍ଚିଛି।

ନୂଆଦିଲ୍ଲୀ/ଭୁବନେଶ୍ବର: କେନ୍ଦ୍ର ସରକାର ଆଜି ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୨ ଟଙ୍କା ଲେଖାଏଁ ବୃଦ୍ଧି ଘୋଷଣା କରିଛନ୍ତି। ଏହି ବୃଦ୍ଧି ପରେ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୧୩ ଟଙ୍କାରେ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୧୦ ଟଙ୍କାରେ ପହଞ୍ଚିଛି। ୮ ତାରିଖରୁ ଏହା କାର୍ଯ୍ୟକାରୀ ହେବ। ଫ‌ଳରେ କେନ୍ଦ୍ର ସରକାର ଉକ୍ତ ଦୁଇ ଇନ୍ଧନରୁ ଅଧିକ ରାଜସ୍ବ ସଂଗ୍ରହ କରିବାକୁ ସକ୍ଷମ ହେବେ। ଅର୍ଥ ମନ୍ତ୍ରାଳୟର ରାଜସ୍ବ ବିଭାଗ ପକ୍ଷରୁ ଉତ୍ପାଦ ଶୁଳ୍କ ବୃଦ୍ଧି ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଥିଲେ ମଧ୍ୟ ଗ୍ରାହକଙ୍କ ଉପରେ ଏହାର ପ୍ରଭାବ କ’ଣ ରହିବ ତାହା ସ୍ପଷ୍ଟ କରାଯାଇ ନାହିଁ। କିନ୍ତୁ ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର ପରିବର୍ତ୍ତନ ହେବ ନାହିଁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ପେଟ୍ରୋଲିୟମ ବ୍ୟବସାୟ ସହ ଜଡ଼ିତ ବିଶ୍ଳେଷକଙ୍କ କହିବାନୁଯାୟୀ, କରୋନା ମହାମାରୀ ପୂର୍ବରୁ ସରକାର ଉତ୍ପାଦ ଶୁଳ୍କ ବାବଦରେ ପେଟ୍ରୋଲ ଏବଂ ଡିଜେଲରୁ ଯେତିକି ଆଦାୟ କରୁଥିଲେ ଏବେ ବି ତାହାଠାରୁ ପାଖାପାଖି ୩ ଟଙ୍କା କମ୍‌ରେ ରହିଛନ୍ତି। ଆଜି ୨ ଟଙ୍କା ବଢ଼ାଇବା ପରେ ସରକାରଙ୍କ ଉତ୍ପାଦ ଶୁଳ୍କ ଆଦାୟ ରାଶି ଲିଟର ପିଛା ପ୍ରାକ୍‌ କରୋନା ମହାମାରୀ ସମୟଠାରୁ ମଧ୍ୟ ତଳେ ରହିଛି। ଆମେରିକାର ଆମଦାନୀ ଶୁଳ୍କ ଯୁଦ୍ଧ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବର୍ତ୍ତମାନ ବ୍ୟାରେଲ ପିଛା ୬୫ ଡଲାର ସ୍ତରକୁ ଖସିଆସିଛି। ଏହି ଦର ଯଦି ଆଗାମୀ ଦିନରେ ଜରି ଜାରି ରହେ ତା’ହେଲେ ସରକାରଙ୍କ ପାଇଁ ପୁଣି ଥରେ ଉତ୍ପାଦ ଶୁଳ୍କ ବଢ଼ାଇବା ସହିତ ବଜାରରେ ପେଟ୍ରୋଲ ଓ ଡିଜେଲ ଦର କମାଇବା ସୁଯୋଗ ରହିଛି।

ବିଶେଷଜ୍ଞଙ୍କ କହିବାନୁଯାୟୀ, ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୭୮ ଡଲାର ଥିବା ସମୟରେ ପେଟ୍ରୋଲ ଓ ଡିଜେଲର ବର୍ତ୍ତମାନ ବଜାର ଦର ନିର୍ଦ୍ଧାରଣ କରାଯାଇଥିଲା। ଇତିମଧ୍ୟରେ ଅଶୋଧିତ ତେଲ ଦର ୧୩ ଡଲାର ହ୍ରାସ ପାଇଲାଣି। ଅର୍ଥାତ୍‌ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ଲିଟର ପିଛା ୬ ଟଙ୍କା ୫୦ ପଇସା ଲେଖାଏଁ କମିବା କଥା। ସରକାର ଏବେ ଉତ୍ପାଦ ଶୁଳ୍କ ୨ ଟଙ୍କା ବଢ଼ାଇବା ପରେ ବି ଆଉ ୪ ଟଙ୍କା ୫୦ ପଇସା ପରିବର୍ତ୍ତନର ସୁଯୋଗ ରହିଛି। ତେଣୁ ଏହି ରାଶିରୁ ସରକାର ଆଗାମୀ କିଛିଦିନ ମଧ୍ୟରେ ଉତ୍ପାଦ ଶୁଳ୍କ ୧ରୁ ୨ ଟଙ୍କା ବଢ଼ାଇ ଦେଇପାରନ୍ତି। ଏଥିସହିତ ପେଟ୍ରୋଲ ଓ ଡିଜେଲର ଦର ମଧ୍ୟ ଲିଟର ପିଛା ୨ ଟଙ୍କା ପାଖାପାଖି କମାଇ ଦେଇପାରନ୍ତି ବୋଲି ଉତ୍କଳ ପେଟ୍ରୋଲିୟ ଡିଲର ସଂଘର ସାଧାରଣ ସଂପାଦକ ସଞ୍ଜୟ ଲାଠ ମତ ଦେଇଛନ୍ତି।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.