Breaking News

ପେଣ୍ଟିଂରେ ନାରୀ

ଲିଓନାର୍ଦୋ ଦା ଭିନ୍‌ସିଙ୍କ ‘ମୋନାଲିସା’ ପେଣ୍ଟିଂର ନାଁ ଶୁଣିନଥିବା ଲୋକ ଏ ପୃଥିବୀରେ କ୍ବଚିତ୍ ଥିବେ। କେବଳ ପେଣ୍ଟିଂ ନୁହେଁ, ହୁଏତ ‘ମୋନାଲିସା’ ମାନବ ଇତିହାସର ସବୁଠୁ ପ୍ରସିଦ୍ଧ କଳାକୃତି!

 ମୋନାଲିସା: ଲିଓନାର୍ଦୋ ଦା ଭିନ୍‌ସିଙ୍କ ‘ମୋନାଲିସା’ ପେଣ୍ଟିଂର ନାଁ ଶୁଣିନଥିବା ଲୋକ ଏ ପୃଥିବୀରେ କ୍ବଚିତ୍ ଥିବେ। କେବଳ ପେଣ୍ଟିଂ ନୁହେଁ, ହୁଏତ ‘ମୋନାଲିସା’ ମାନବ ଇତିହାସର ସବୁଠୁ ପ୍ରସିଦ୍ଧ କଳାକୃତି! ଏମିତି କୌଣସି ଦେଶ ନଥିବ, ଯେଉଁଠି ସ୍କୁଲ୍ ପିଲାଙ୍କ ପାଠ୍ୟପୁସ୍ତକରେ ଏହା ବିଷୟରେ ଉଲ୍ଲେଖ ନଥିବ। ଏ ପେଣ୍ଟିଂରେ ଥିବା ମୋନାଲିସାଙ୍କ ସୌନ୍ଦର୍ଯ୍ୟ, ବିଶେଷ କରି ତାଙ୍କର ହସର ବର୍ଣ୍ଣନା ଶହ ଶହ ବର୍ଷ ଧରି ବିଶ୍ବ କଳା ଓ ସାହିତ୍ୟରେ ରହି ଆସିଛି।
‘ମୋନାଲିସା’ ଭଳି ନାରୀର ଚିତ୍ର ବା ବର୍ଣ୍ଣନା ଥିବା ବିଶ୍ବର ଆହୁରି ଅନେକ ପ୍ରସିଦ୍ଧ ପେଣ୍ଟିଂ ରହିଛି।
 ଦି ବାର୍ଥ ଅଫ୍ ଭେନସ୍‌: ସାନ୍ଦ୍ରୋ ବୋତିସେଲିଙ୍କ ଦ୍ବାରା ଅଙ୍କିତ ‘ଦି ବାର୍ଥ ଅଫ୍ ଭେନସ୍‌’ ବିଶ୍ବ କଳାଜଗତର ଏକ ପ୍ରସିଦ୍ଧ କୃତି। ଏଥିରେ ଦେବୀ ଭେନସ୍‌ ଏକ ଶାମୁକା ଭିତରୁ ବାହାରି ଆସୁଥିବାର ଦୃଶ୍ୟ ରହିଛି। ସିନେମାଠାରୁ ଆରମ୍ଭ କରି ଅନେକ ପେଣ୍ଟିଂ ଓ ବିଜ୍ଞାପନରେ ଏହାକୁ ଏବେ ମଧ୍ୟ ଅନୁସରଣ କରାଯାଉଛି।
 ଗର୍ଲ ଉଇଥ୍‌ ଏ ପର୍ଲ ଇୟର୍‌ରିଂ: ଚିତ୍ରକଳା ବିଷୟରେ ଆଲୋଚନା ସମୟରେ ଆଉ ଗୋଟିଏ ପେଣ୍ଟିଂର ଉଲ୍ଲେଖ ନିଶ୍ଚିତ ଭାବେ ହୁଏ- ଜୋହାନ୍‌ସ ଭର୍ମିର୍‌ଙ୍କ ଅଙ୍କିତ ‘ଗର୍ଲ ଉଇଥ୍‌ ଏ ପର୍ଲ ଇୟର୍‌ରିଂ’। ଅନେକ କଳାସମାଲୋଚକ ଏହାକୁ ‘ମୋନାଲିସା’ ସହିତ ମଧ୍ୟ ତୁଳନା କରନ୍ତି।
 ପୋଟ୍ରେଟ୍‌ ଅଫ୍ ଆଦେଲ୍‌ ବ୍ଲୋଚ୍‌-ବଉର୍‌ ୧: ଏହି ପେଣ୍ଟିଂଟି ସହିତ ଚିତ୍ରକର ଗୁସ୍ତାଭ କ୍ଲିମ୍‌ଟଙ୍କର ତଥାକଥିତ ‘ସୁବର୍ଣ୍ଣ ଯୁଗ’ ଆରମ୍ଭ ହୋଇଥିଲା। ଏଥିରେ ନାରୀର ସୌନ୍ଦର୍ଯ୍ୟକୁ ରାଜକୀୟ ଭାବେ ଆଙ୍କିବାଲାଗି ଚିତ୍ରକରଙ୍କ ଉଦ୍ୟମ ବେଶ୍‌ ପ୍ରଶଂସନୀୟ। ‘ପୋଟ୍ରେଟ୍‌ ଅଫ୍ ଆଦେଲ୍‌ ବ୍ଲୋଚ୍‌-ବଉର୍‌ ୧’ ନିଜ ସମୟର ସବୁଠୁ ସୁନ୍ଦର ପେଣ୍ଟିଂ ଭିତରୁ ଗୋଟିଏ ଭାବେ ସ୍ବୀକୃତ।
 ଦି ହ୍ବିସ୍‌ଲର୍ସ ମଦର୍: ଆମେରିକୀୟ ଚିତ୍ରକର ଜେମ୍‌ସ ମ୍ୟାକ୍‌ନେଲ୍‌ ହ୍ବିସ୍‌ଲର୍‌ଙ୍କର ‘ଦି ହ୍ବିସ୍‌ଲର୍ସ ମଦର୍’ ପେଣ୍ଟିଂଟି ‘ଆରେଞ୍ଜମେଣ୍ଟ୍‌ ଇନ୍‌ ଗ୍ରେ ଆଣ୍ଡ୍ ବ୍ଲାକ୍‌ ନଂ-୧’ ଭାବେ ମଧ୍ୟ ପରିଚିତ। ଏ ପ୍ରସିଦ୍ଧ ପେଣ୍ଟିଂକୁ ‘ଆମେରିକାର ମୋନାଲିସା’ କହିଲେ ଭୁଲ୍‌ ହେବନାହିଁ।
 ୱିମାନ୍‌ ଉଇଥ୍‌ ଏ ପାରାସୋଲ୍‌: ଏ ପେଣ୍ଟିଂରେ ଚିତ୍ରକର କ୍ଲଡ୍‌ ମୋନେଟ୍‌ ନିଜ ପତ୍ନୀ ଓ ପୁଅଙ୍କୁ ଆଙ୍କିଛନ୍ତି। ଏହା ମୋନେଟ୍‌ଙ୍କର ଇମ୍ପ୍ରେସନିଷ୍ଟ୍‌ କୌଶଳର ଏକ ଭଲ ଉଦାହରଣ। ମୋନେଟ୍‌ ତାଙ୍କ ଛବିରେ ଗୋଟିଏ କାହାଣୀ ତ କହନ୍ତି, କିନ୍ତୁ ସେ କାହାଣୀ ଦର୍ଶକ ଭିତରେ ଏକ ଅଭୁଲା ଭାବାବେଗ ବି ସୃଷ୍ଟିକରେ। ଏ ପେଣ୍ଟିଂ ତା’ର ପ୍ରସିଦ୍ଧ ପ୍ରମାଣ।
 ଦି ଲେଡି ଅଫ୍‌ ସାଲୋଟ୍‌: ଚିତ୍ରକର ଜନ୍‌ ୱିଲିୟମ୍‌ ୱାଟର୍‌ହାଉସ୍‌ଙ୍କର ‘ଦି ଲେଡି ଅଫ୍‌ ସାଲୋଟ୍‌’କୁ କବି ଟେନିସନ୍‌ଙ୍କ କବିତାର ଚିତ୍ରରୂପ କହିଲେ ଭୁଲ୍‌ ହେବନି। ଏ ପେଣ୍ଟିଂ ମାଧ୍ୟମରେ ମଧ୍ୟଯୁଗୀୟ ଲୋକକଥା ଓ ସାହିତ୍ୟକୁ ଚିତ୍ର ଭିତରକୁ ଆଣିବାରେ ୱାଟର୍‌ହାଉସ୍‌ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।
 ମାଡାମ୍‌ ଏକ୍ସ: ପ୍ରଶଂସା ବଦଳରେ ଜନ୍‌ ସିଙ୍ଗର୍‌ ସାର୍ଜେଣ୍ଟଙ୍କର ‘ମାଡାମ୍‌ ଏକ୍ସ’ ନିଜ ସମୟରେ ବେଶ୍‌ ବିବାଦୀୟ ହୋଇଥିଲା। ଅନେକ ସମୀକ୍ଷକ ଏହାର ଚିତ୍ରଶୈଳୀକୁ ଅନାବଶ୍ୟକ ଭାବେ ଉତ୍ତେଜକ ବୋଲି କହିଥିଲେ। କିନ୍ତୁ ବର୍ତ୍ତମାନ ଏହା ବିଶ୍ବର ଏକ ଶ୍ରେଷ୍ଠ କଳାକୃତି ଭାବେ ସ୍ବୀକୃତ।
 ଅଲିମ୍ପିଆ: ସରଳ ଭାବେ ଅଙ୍କିତ ଏଡ୍‌ୱାର୍ଡ ମାନେଟ୍‌ଙ୍କର ଏ ଛବିରେ ଅଛି ଜଣେ ନାରୀ, ଯିଏ ଦର୍ଶକର ଆଖିକୁ ସିଧା ଅନେଇଛି। କେହି କେହି ତ କହନ୍ତି ସେ ନିଜର ଆଖି ଦେଇ ଦର୍ଶକର ଛାତି ଭିତରେ ପଶିଯାଏ! ଚିତ୍ରକଳାରେ ନାରୀକୁ ଚିତ୍ରଣ କରିବାର ଶୈଳୀକୁ ନେଇ ପୂର୍ବରୁ ଥିବା ପରଂପରା ବିରୋଧରେ ଏହାକୁ ଏକ ବିଦ୍ରୋହ ଭାବେ ଅନେକ ସମୀକ୍ଷକ ଗ୍ରହଣ କରନ୍ତି।
 ଡୋରା ମାର୍‌ ଆଓ ଚାତ୍‌: ଚିତ୍ରକର ପାବ୍ଲୋ ପିକାସୋ ବିଶ୍ବ ଇତିହାସର ଅନ୍ୟତମ ସଫଳ ଓ ପରିଚିତ ଚିତ୍ରକର, ଏଥିରେ ଆଦୌ ସନ୍ଦେହ ନାହିଁ। କୌଣସି ଛବି ତଳେ ପିକାସୋଙ୍କର ଦସ୍ତଖତ ହିଁ ତା’କୁ ଅମୂଲ୍ୟ କରିବାକୁ ସକ୍ଷମ। ତେବେ ‘ଡୋରା ମାର୍‌ ଆଓ ଚାତ୍‌’ ପ୍ରକୃତରେ ଏକ ନିଆରା ଏବଂ ଚମତ୍କାର ପେଣ୍ଟିଂ।
ସୀମିତ ସ୍ଥାନ ଭିତରେ ଆମେ କେବଳ ଉପରୋକ୍ତ ୧୦ଟି ପେଣ୍ଟିଂର ନାଁ ଉଲ୍ଲେଖ କରିପାରିଲୁ। ତେବେ ଏହା ସହିତ ନାରୀକୁ କେନ୍ଦ୍ରକରି ଅଙ୍କା ଯାଇଥିବା ବିଶ୍ବ ପ୍ରସିଦ୍ଧ ପେଣ୍ଟିଂଙ୍କ ତାଲିକାରେ ଏଡ୍‌ଗାର୍‌ ଡେଗାଙ୍କ ‘ଦି ଡାନ୍ସ କ୍ଲାସ୍‌’, ଫ୍ରାନ୍ସିସ୍‌ ଗୋଗାଙ୍କର ‘ଲା ମାଜା ଡେସ୍‌ନୁଡା’, ଗ୍ରାଣ୍ଟ୍‌ ଉଡ୍‌ଙ୍କର ‘ଆମେରିକାନ୍‌ ଗୋଥିକ୍‌’, ଜିନ୍‌-ଅନୋର୍‌ ଫ୍ରାଗୋନାର୍ଡଙ୍କ ‘ଦି ସ୍ବିଙ୍ଗ୍‌’, ଆଣ୍ଡି ୱର୍‌ହୋଲ୍‌ଙ୍କ ପପ୍‌ ପେଣ୍ଟିଂ ‘ବ୍ଲୁ ମର୍ଲିନ୍‌’ ତଥା ଆହୁରି ବେଶ୍‌ କିଛି ପ୍ରସିଦ୍ଧ ପେଣ୍ଟିଂ ରହି ପାରିବ।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.