Breaking News

ପୌଷରେ ଶୁଖିଗଲା ଟିକିରା ନଦୀ: କାମରେ ଆସୁନି ଉଠାଜଳସେଚନ ପ୍ରକଳ୍ପ

ବୈଶାଖ କି ଜ୍ୟେଷ୍ଠ ନୁହେଁ, ପୌଷ ମାସରୁ ଶୁଖିଗଲାଣି ନଦୀ। ଯୁଆଡ଼େ ଚାହିଁବ ଖାଲି ବାଲି ଆଉ ବାଲି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ରେ। ଏହି ଅଞ୍ଚଳ ଦେଇ ପ୍ରବାହିତ ଟିକିରା ନଦୀ ଶୁଖିଯାଇଛି।

କଣିହାଁ: ବୈଶାଖ କି ଜ୍ୟେଷ୍ଠ ନୁହେଁ, ପୌଷ ମାସରୁ ଶୁଖିଗଲାଣି ନଦୀ। ଯୁଆଡ଼େ ଚାହିଁବ ଖାଲି ବାଲି ଆଉ ବାଲି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ରେ। ଏହି ଅଞ୍ଚଳ ଦେଇ ପ୍ରବାହିତ ଟିକିରା ନଦୀ ଶୁଖିଯାଇଛି। କେବଳ ନଦୀରେ ଏକ ଛୋଟ ପାଣି ଧାର ତଳକୁ ଯାଇଛି। ଜଳାଭାବରୁ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଉଠା ଜଳସେଚନ ପ୍ରକଳ୍ପ କାମରେ ଲାଗୁନି। କ୍ଷେତକୁ ପାଣି ମାଡ଼ିପାରୁ ନଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଏହି ନଦୀ ଉପରେ ଭରସା କରି ଗ୍ରାମବାସୀ ବିଭିନ୍ନ ପ୍ରକାର ଚାଷ କରିଥାନ୍ତି। ବିଶେଷ କରି ରବି ଋତୁରେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରି ଲୋକମାନେ ଜୀବିକା ନିର୍ବାହ କରନ୍ତି। ହେଲେ ନଦୀରେ ପାଣିର ଅଭାବ ଯୋଗୁଁ ଏଠାରେ ଆଉ ପୂର୍ବଭଳି ଭଲ ଚାଷ ହୋଇପାରୁ ନାହିଁ।

ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଥିବା ଚାଷୀ ଏବେ ଚାଷରୁ ମୁହଁ ‌ଫେରାଇବା ଆରମ୍ଭ କଲେଣି। ନଦୀରେ ବର୍ଷା ଋତୁରେ ପ୍ରବଳ ପାଣି ପ୍ରବାହିତ ହେଉଛି। ହେଲେ ଅନ୍ୟ ଦିନରେ ନଦୀ ଶୁଖିଲା ପଡ଼ୁଛି। ଟିକିରା ନଦୀ ଉପରେ କଣିହାଁ ବ୍ଲକ୍‌ର ଡେରଙ୍ଗ, ହନୁମାନପୁର, କଣିହାଁ, ଗଦାଶିଳା ଓ ବିଜିଗୋଳ ପଞ୍ଚାୟତର ଲୋକମାନେ ନିର୍ଭର କରିଥା’ନ୍ତି। ଲୋକମାନେ ନଦୀର ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରିବା ସହ ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ଚାଷବାସ କରି ଜୀବିକା ନିର୍ବାହ କରୁଥିଲେ। କିନ୍ତୁ ମାସ ମାସ ଧରି ନଦୀରେ ପାଣି ଆସୁ ନଥିବାରୁ ପାନୀୟ ଜଳ ପାଇବାରେ ସମସ୍ୟା ସୃଷ୍ଟି ହେଉଛି। ଉଠାଜଳସେଚନ ପ୍ରକଳ୍ପଗୁଡ଼ିକ ଥାଇ ବି ଚାଷ କାମରେ ଲାଗିପାରୁ ନାହିଁ। ଖରାଦିନେ ସଂରକ୍ଷିତ ଜଙ୍ଗଲରେ ରହୁଥିବା ବନ୍ୟଜନ୍ତୁମାନେ ମଧ୍ୟ ପିଇବା ପାଇଁ ପାଣି ଡହଳବିକଳ ହେଉଛନ୍ତି। ପୂର୍ବରୁ ବର୍ଷତମାମ ଟିକିରା ନଦୀ‌ରେ ପାଣି ପ୍ରବାହିତ ହେଉଥିବା ବେଳେ ଗତ କିଛିବର୍ଷ ହେଲା ଶୁଖିଲା ପଡ଼ୁଥିବା ଦେଖିବାକୁ ମିଳୁଛି।

 

 

 

 

 

ସୌଜନ୍ୟ- ସମ୍ୱାଦ

 

Comments are closed.